‘ରାଣ୍ଡ’ ବା ‘ରାଣ୍ଡୀ’ ଭଳି ଶବ୍ଦ ଅଶ୍ଳୀଳ ନୁହେଁ। ପ୍ରୟୋଗ ଅନୁସାରେ ତା’କୁ କଦର୍ଥ କରି ବ୍ୟବହାର କଲେ ତାହା ଅଶ୍ଳୀଳ ହେବାକୁ ବାଧ୍ୟ।
“ରାଣ୍ଡୀପୁଅ ଅନନ୍ତା” କାହାଣୀକୁ ନେଇ ଚଳଚ୍ଚିତ୍ରଟିଏ ନିର୍ମିତ ହୋଇଛି। ଚଳଚ୍ଚିତ୍ରର କାହାଣୀ, ନିର୍ଦ୍ଦେଶନା, ସଂଳାପ ଓ ଚିତ୍ରଉତ୍ତୋଳନ ବା ସଙ୍ଗୀତକୁ ନେଇ ପ୍ରଶ୍ନ କିଛି ନାହିଁ, ତର୍କ ଉଠିଛି କାହାଣୀଟିର ଶୀର୍ଷକକୁ ନେଇ। “ରାଣ୍ଡୀପୁଅ” ଶବ୍ଦଟା ଖରାପ। ଏ ସଭ୍ୟ ସମାଜରେ ତା’ର ବ୍ୟବହାର ଦୂଷଣୀୟ।
କାହାଣୀ ବା ଗଳ୍ପଟିଏ ଲେଖିଲେ କଥାକାର ନାଁଟିଏ ଖୋଜେ। ଗଳ୍ପ, ଉପନ୍ୟାସ, ନାଟକ, କବିତା, ପ୍ରବନ୍ଧ ଯେତେ ଯାହା ସୃଷ୍ଟି, ସବୁର ଗୋଟିଏ ନାଁ ବା ଶୀର୍ଷକ ଥାଏ। ସେ କାହିଁକି ଉକ୍ତ ନାମକୁ ଚୟନ କଲେ ତାହା ତାଙ୍କ ମନୋଭାବ ଓ ବିଚାର ଉପରେ ନିର୍ଭର କରେ। ପରବର୍ତ୍ତୀ କାଳରେ କେହି ଯଦି ସେ ଗଳ୍ପ ଆଧାରରେ ନାଟକ, ଚଳଚ୍ଚିତ୍ର ଏପରିକି ଛବିଟିଏ ଆଙ୍କିବାକୁ ଚାହାନ୍ତି ତେବେ ଉକ୍ତ ଶୀର୍ଷକଟିକୁ ବଦଳାଇବାର ଅଧିକାର ପରବର୍ତ୍ତୀ ବିଷୟ ଉପଯୋଗକାରୀ ସ୍ରଷ୍ଟାଙ୍କର ନାହିଁ। ଯଦି କଥାଟି ଅଶ୍ଳୀଳ ବା ଅବାନ୍ତର ବୋଲି କାହାର ମନେ ହୁଏ, ତେବେ କେହି ତାହାକୁ ବ୍ୟବହାର କରିବାକୁ ବାଧ୍ୟ ନୁହନ୍ତି।
ପ୍ରସଙ୍ଗନିର୍ଭର
‘ରାଣ୍ଡୀ’ ଓ ‘ରାଣ୍ଡୀପୁଅ’ ଶବ୍ଦ ଓଡ଼ିଆ ଭାଷାରେ କେଉଁ ପ୍ରାଚୀନ କାଳରୁ ପ୍ରଚଳିତ। ଶବ୍ଦର ବ୍ୟବହାର ସବୁବେଳେ ପ୍ରସଙ୍ଗନିର୍ଭର। ଠିକ୍ ସ୍ଥାନରେ ଠିକ୍ ଶବ୍ଦର ପ୍ରୟୋଗ ସାହିତ୍ୟକୁ ଅଧିକ ସୁନ୍ଦର ତଥା ଗ୍ରହଣୀୟ କରେ।
ପଦାର୍ଥ ଭଳି ଶବ୍ଦ-ବସାଣର ଗୋଟେ ପ୍ରାସଙ୍ଗିକତା ଅଛି। ଔଚିତ୍ୟ ହରାଇଲେ ଯେ କୌଣସି କଥା ଅପ୍ରାସଙ୍ଗିକ ମନେ ହୁଏ ଏବଂ ସ୍ଥଳବିଶେଷରେ ଅଶ୍ଳୀଳ ଲାଗେ।
ମାଟି କାନ୍ଥରେ ଗୋବର ଲିପାଇଲେ ସୁନ୍ଦର ଲାଗେ, ପୁଣି ସେଇ ଗୋବରକୁ ସିମେଣ୍ଟ କାନ୍ଥରେ ବା ଟାଇଲ କି ମାର୍ବଲ କାନ୍ଥରେ ଲେପିଲେ ତାହା ଗର୍ହିତ ହୋଇପଡ଼େ। ଟୁକୁଡ଼ାଏ ନାଲି ପଥର ମୁଦିରେ ବସିଲେ ତା’ର ଶୋଭା ବଢ଼ିଯାଏ। ଠିକ୍ ସେହିଭଳି ଅପ୍ରସଙ୍ଗରେ ଶବ୍ଦ ବ୍ୟବହୃତ ହେଲେ ତାହା କେତେବେଳେ ଥଟ୍ଟା ତ କେତେବେଳେ ଗାଳିରେ ପରିଣତ ହୁଏ। ଯାହା ଯେଉଥିପାଇଁ ପ୍ରଯୁଜ୍ୟ ବା ଉପଯୁକ୍ତ ତାହା ସେଥିରେ ଉପଯୋଗ ହେବା ଆବଶ୍ୟକ। ଡଙ୍କିରେ ତରଳ ଖାଦ୍ୟ ପରଷା ଯାଏ, ପିଠାପାତିଆ ବା ଜାଲି ଚଟୁରେ ନୁହେଁ। ଶିଷ୍ୟକୁ ‘ତୁମେ’ ପ୍ରାସଙ୍ଗିକ, ‘ଆଜ୍ଞା’ ସମ୍ବୋଧନ ଅପ୍ରାସଙ୍ଗିକ। ସ୍ତ୍ରୀର ସାନଭଉଣୀକୁ ‘ଶାଳୀ’ ବା ସାନ, ବଡଭାଇଙ୍କୁ ‘ଶଳା’ ବୋଲି ଡାକିବା ପ୍ରାସଙ୍ଗିକ, ଆଉ କାହାକୁ ଶଳା ଉଚ୍ଚାରଣ କଲେ ତାହା ଗାଳି ବା ଅପମାନସୂଚକ। ସେଇଥିପାଇଁ ଔଚିତ୍ୟ ନ ଥାଇ ସ୍ଥଳ ବିଶେଷରେ କେତେକେତେ ଶବ୍ଦ ଅଶ୍ଳୀଳ ମନେ ହୁଅନ୍ତି।
ଯେଉଁ ଶବ୍ଦ ବ୍ୟକ୍ତିଗତ ବା ଘରୋଇ ସ୍ତରରେ ଶ୍ଳାଘ୍ୟ, ସେଇ ଶବ୍ଦ ବା ପଦ ସାଧାରଣରେ ବ୍ୟବହୃତ ହେଲେ ଗର୍ହିତ ମନେ ହୁଏ।
ଶବ୍ଦର ତାତ୍ପର୍ଯ୍ୟ
‘ରାଣ୍ଡୀ’ ଶବ୍ଦଟିକୁ ଏବେ ବିଚାରକୁ ନେବା। ଏହାର ମୂଳ ଶବ୍ଦଟି ‘ରଣ୍ଡ’। ସେଇଥିରୁ ‘ରାଣ୍ଡୀ’। ‘ରାଣ୍ଡ’ ବା ‘ରାଣ୍ଡୀ’ ସମାନ ଅର୍ଥ ବହନ କରନ୍ତି। ବିଶେଷ ଭାବରେ ଏହା ପତିହୀନା ଓ ବିଶେଷ୍ୟ ପଦ ଭାବରେ ଏହା ବିଧବା ନାରୀକୁ ବୁଝାଏ। ତେଣେ ‘ରଣ୍ଡ’ କହିଲେ ତାହା ଧୂର୍ତ୍ତ, ସନ୍ତାନ-ପ୍ରଜନନରେ ଅକ୍ଷମ ପୁରୁଷ, ଏପରିକି ଫଳ, ଫୁଲ ଉତ୍ପାଦନରେ ଅକ୍ଷମ ବୃକ୍ଷକୁ ମଧ୍ୟ ବୁଝାଇଥାଏ। ‘ରଣ୍ଡକ’, ବିଶେଷ୍ୟ ପଦ ଭାବରେ ଅଫଳନ୍ତି ଅର୍ଥାତ୍ ଅଣ୍ଡିରା ଗଛ ବା ଗୁଳ୍ମକୁ ବୁଝାଏ। ପୁନଶ୍ଚ ‘ରଣ୍ଡା’, କହିଲେ ବିଶେଷଣରେ ରାଣ୍ଡ ବା ବନ୍ଧ୍ୟାନାରୀକୁ ମଧ୍ୟ ବୁଝାଏ, ଯାହାର ପ୍ରତିଶବ୍ଦ ହେଉଛି ‘ବାଞ୍ଝ’। ସାହିତ୍ୟରେ ଏ ଶବ୍ଦଟି ବେଶ୍ୟା ଅର୍ଥରେ ବ୍ୟବହୃତ ହେବାର ଦେଖାଯାଏ। ସେଇଥି ପାଇଁ ‘ରାଣ୍ଡୀ’ କହିଲେ ‘ବେଶ୍ୟା’ ବା ‘ଦୋଚାରୁଣୀ’କୁ ମଧ୍ୟ ବୁଝାଏ। ‘ରଣ୍ଡୀବାଜ’କୁ ବିଶେଷରେ ବେଶ୍ୟାରତ ଅର୍ଥରେ କିମ୍ବା ଲମ୍ପଟ ଅର୍ଥରେ ବ୍ୟବହାର କରାଯାଏ।
‘ରାଣ୍ଡ’, ‘ରାଣ୍ଡୀ’ ଶବ୍ଦ ଆପେ ଅଶ୍ଳୀଳ ନୁହେଁ। ତାହା ପ୍ରୟୋଗ ଅନୁସାରେ ଅଶ୍ଳୀଳ ପାଲଟେ। ଗାଆଁ ଗହଳରେ ‘ରାଣ୍ଡ’, ‘ଆଣ୍ଠୁକୁଡ଼ା’ ଭଳି ଶବ୍ଦଗୁଡିକୁ ଲୋକେ ଅନାୟାସରେ ବ୍ୟବହାର କରନ୍ତି। ବିପତ୍ନୀକ ପୁରୁଷକୁ ‘ରାଣ୍ଡୁରା’ ଓ ବିଧବା ବିବାହକାରୀଙ୍କୁ ‘ରାଣ୍ଡୁଆ’ ଅଭିହିତ କରିବା ଗୋଟିଏ ସାଧାରଣ ପ୍ରୟୋଗ। ଦେଶଜ ପ୍ରୟୋଗରେ ସ୍ତ୍ରୀ ହରେଇଥିବା ପୁରୁଷକୁ ‘ରାଣ୍ଡୁଳା’ ମଧ୍ୟ କୁହାଯାଏ। ସାଧାରଣ ଲୋକେ ଅନେକ ସମୟରେ ଯାହାର ଯେଉଁକଥାରେ ପ୍ରବେଶ ଅନାବଶ୍ୟକ ବା ଅଯଥାର୍ଥ ସେଠାରେ କହନ୍ତି- “ରାଣ୍ଡର ଆଇଁଷ ଚିନ୍ତା”। ଏଠାରେ ‘ରାଣ୍ଡ’ ଶବ୍ଦରେ ସାମାନ୍ୟ ବି ଅଶ୍ଳୀଳତା ପ୍ରକାଶ ପାଏ ନାହିଁ। ପୁଣି କଥାଏ ଅଛି, ‘ତଣ୍ଡି ଦୁଃଖୀରଙ୍କି ଅରକ୍ଷିତ ରାଣ୍ଡ’। ଏଠାରେ ‘ରାଣ୍ଡ’ କହିଲେ ଅସହାୟା ନାରୀ। ଏଇ ଧରାଯାଉ ‘ରାଣ୍ଡ ଉପରେ ଷଣ୍ଢ ସାଜିବା’ କଥା। ଜଣେ ଅସହାୟ ବ୍ୟକ୍ତି ଉପରେ କେହି ଅଯଥାର୍ଥ ବଳପ୍ରୟୋଗ କଲେ ବା ଧମକ ଦେଲେ ଏ ରୂଢ଼ିଟି ବ୍ୟବହୃତ ହୁଏ। ପିତାମାତା, ଜ୍ଞାତିକୁଟୁମ୍ବହୀନ ବିଧବା ନାରୀକୁ ‘ରାଣ୍ଡ ଛେଉଣ୍ଡ’ ମଧ୍ୟ କୁହାଯାଏ। ପେଟରେ ପିଲାଥାଇ କେହି ବିଧବା ହୋଇଗଲେ ଗାଉଁଲି ଭାଷାରେ ତା’ଙ୍କୁ କହନ୍ତି ‘ପେଟରାଣ୍ଡ’। କୌଣସି ବିଧବା ନାରୀର ଏକମାତ୍ର ଅଲିଅଳ ସନ୍ତାନକୁ ବିଶେଷ କରି ପୁତ୍ରକୁ କୁହାଯାଏ ‘ରାଣ୍ଡଘର ପଥୁରି’।
‘ରାଣ୍ଡସଭା’ ଶବ୍ଦଟିକୁ ଅନୁଧ୍ୟାନ କରିବା ଆବଶ୍ୟକ। ଯେଉଁ ସଭା ଅବ୍ୟବସ୍ଥିତ, ମୁରବି ବା ସଭାପତିହୀନ, ଲଗାମହୀନ, ବେପରୁଆ ପାଟିତୁଣ୍ଡର ସ୍ଥଳରେ ପରିଣତ ହୁଏ ତା’କୁ ମଧ୍ୟ କୁହାଯାଏ ରାଣ୍ଡସଭା, ଅର୍ଥାତ୍ ସ୍ୱାମିତ୍ୱହୀନ ଆଲୋଚନା କ୍ଷେତ୍ର। ଠିକ୍ ସେମିତି ନୀତି ନିୟମ ବହିର୍ଭୂତ, ତରବରିଆ କାର୍ଯ୍ୟ କ୍ଷେତ୍ରରେ କୁହାଯାଏ, “ରାଣ୍ଡବିଭାକୁ କର୍ମ ନାହିଁ, ସମୁଦ୍ର ପ୍ରତିଷ୍ଠାକୁ ପାଠ ନାହିଁ।” ଯେଉଁଠାରେ ନାହିଁ ନାହିଁ ପରେ ଗୋଟିଏ କାର୍ଯ୍ୟ ଖୁବ୍ ବିଳମ୍ବରେ କରାଯାଏ ସେଠାରେ ଉଲୁଗୁଣା ଦେଇ କୁହାଯାଏ, “ରାଣ୍ଡେ ସେଇ ଘଇତା କରନ୍ତି, ବଂଶ ବୁଡ଼େଇ ମାରନ୍ତି।” ଅର୍ଥାତ୍ ଅନେକ କ୍ଷତି ହେଇଗଲା ପରେ ସେଇ କାର୍ଯ୍ୟଟିକୁ ନାହିଁ ନାହିଁ କହି ବହୁ ବିଳମ୍ବରେ କରିବା।
ଅଶ୍ଳୀଳତା ନାହିଁ
ଓଡ଼ିଆରେ ଯେ କଥାଟି ଅଛି, “ରାଣ୍ଡକୁ ଲଗାମ ନାହିଁ କି ଷଣ୍ଢକୁ ପଘା ନାହିଁ”, ଏଥିରେ ଅଶ୍ଳୀଳତା ନାହିଁ। ଓଲଟି ଯେଉଁ କାର୍ଯ୍ୟ ନିୟନ୍ତ୍ରଣବିହୀନ ବା ଅଙ୍କୁଶହୀନ ସେଠାରେ ଏଭଳି ପ୍ରୟୋଗ ଦେଖିବାକୁ ମିଳେ। କୌଣସି ଭୂଷଣହୀନ ବା ଶ୍ରୀହୀନ ହାତକୁ ବି କୁହାଯାଏ “ରାଣ୍ଡହାତ”। ଏଥିରେ ଗାଳି ନାହିଁ କି ଅଶ୍ଳୀଳତା ନାହିଁ।
‘ରାଣ୍ଡ’, ‘ରାଣ୍ଡୀ’ ଶବ୍ଦ କେବଳ ସ୍ୱାମିହୀନତାକୁ ବୁଝାଏ ନାହିଁ, ଶ୍ରୀହୀନତାକୁ ମଧ୍ୟ ବୁଝାଏ। କାରଣ ସ୍ୱାମୀକୁ ସ୍ତ୍ରୀର ଶ୍ରୀ ବା ଶିରୀଭାବରେ ଗ୍ରହଣ କରିବା ଆଧୁନିକ ସମୟରେ ପ୍ରଶ୍ନିଳ ମନେ ହୋଇପାରେ କିନ୍ତୁ ଏହା ଏକ ପାରମ୍ପରିକ କଥା। ସେଥିପାଇଁ ଢଗଟିଏ ଅଛି-
“ରାଣ୍ଡ ହୋଇ ଦେହକୁ ମଣ୍ଡେ
ରାଜା ହୋଇ ପରଜା ତଣ୍ଡେ
ଗୃହସ୍ଥ ହୋଇ ପତ୍ନୀକୁ ଦଣ୍ଡେ
ସାହୁ ହୋଇ ଖାତକେ ଭଣ୍ଡେ, ସଖୀ ଗୋ ଏ ମନ୍ଦ।”
ଅନୁରୂପ କ୍ରମରେ ଏ ‘ରାଣ୍ଡୀପୁଅ ଅନନ୍ତା’ କଥା। ‘ରାଣ୍ଡୀପୁଅ ଅନନ୍ତା’ ଗୋଟିଏ ଯୌଗିକ ଶବ୍ଦ ପ୍ରୟୋଗ। ଯାହାର ଅର୍ଥ ଦାୟିତ୍ୱହୀନ, ବାରବୁଲା, ଲଗାମ୍ଛଡ଼ା ଉଚ୍ଛୃଙ୍ଖଳ ଯୁବକ। ଏହାର ବ୍ୟବହାର ସାହିତ୍ୟରୁ ଆରମ୍ଭ କରି ସାଧାରଣ କଥାବାର୍ତ୍ତାରେ ମଧ୍ୟ ଦେଖିବାକୁ ମିଳେ। ଭାଷା ଯେତେ ପୁରୁଣା ହୁଏ ସେଥିରେ ରୂଢ଼ି, ରଷିବଚନ, ଲୋକୋକ୍ତି ଆଦିର ବ୍ୟବହାର ଅଧିକ ଦେଖିବାକୁ ମିଳେ, ଯାହା ପ୍ରକୃତରେ ଗୋଟିଏ ଭାଷାର ଗଭୀରତାକୁ ପ୍ରତିପାଦିତ କରେ।
‘ଶବ୍ଦ’ ବିଶେଷ ଭାବରେ ଉଦ୍ଦେଶ୍ୟ ଉପରେ ଆଧାରିତ। କେଉଁ ଅର୍ଥରେ ଶବ୍ଦଟି ପ୍ରୟୋଗ ହୋଇଛି ବା ଗୋଟିଏ ପଦରେ ବ୍ୟବହୃତ ହୋଇଛି ତାହର ବିଚାର ବଡ଼ କଥା।
ଆମ ଓଡ଼ିଆ ଭାଷାର କଥାସମ୍ରାଟ ତଥା ବ୍ୟାସକବି ଫକୀରମୋହନ ସେନାପତି ଯେଉଁ ‘ରାଣ୍ଡୀପୁଅ ଅନନ୍ତା’ ଶୀର୍ଷକ ଗପଟିଏ ଲେଖିଛନ୍ତି, ତାହା ଅଶ୍ଳୀଳତା ଉଦ୍ଦେଶ୍ୟରେ ନୁହେଁ। ଅନନ୍ତା ଭଳି ଏକ ‘ଦାୟିତ୍ୱହୀନ’ ବିଧବାର ପୁତ୍ରକୁ ନାୟକ କରି ସେ ଯେଉଁ ଶେଷ ପରିଣତି ଦେଇଛନ୍ତି ତାହା ଅତ୍ୟନ୍ତ ଭାବଗମ୍ଭୀର ଓ ପ୍ରଶଂସାଯୋଗ୍ୟ। ଫକୀରମୋହନଙ୍କ ଗଳ୍ପଧାରାରେ ସେ ଗଳ୍ପଟି ଏକ ଚମତ୍କାର ସୃଷ୍ଟି। ଶେଷରେ ଅନନ୍ତା ମୁହଁର ଯେ କଥା ‘ପକାଅ ମାଟି’, ‘ପକାଅ ମାଟି’ ତାହା ହିଁ ସମ୍ପୂର୍ଣ୍ଣ ଗଳ୍ପଟିର ଅନ୍ତର୍ଧ୍ବନି।
‘ରାଣ୍ଡ’ ବା ‘ରାଣ୍ଡୀ’ ଭଳି ଶବ୍ଦ ଅଶ୍ଳୀଳ ନୁହେଁ। ପ୍ରୟୋଗ ଅନୁସାରେ ତା’କୁ କଦର୍ଥ କରି ବ୍ୟବହାର କଲେ ତାହା ଅଶ୍ଳୀଳ ହେବାକୁ ବାଧ୍ୟ। ପୁନଶ୍ଚ ଜଣେ ସ୍ରଷ୍ଟା ସେଭଳି ରୁଢ଼ିର ପ୍ରୟୋଗ କରି ଅଭିବ୍ୟକ୍ତିର ତୀକ୍ଷ୍ଣତା ଓ ମହନୀୟତା ପ୍ରତିପାଦିତ କରିବାକୁ ଚାହିଲେ ବା କଲେ ଆମେ ସେ କଥାକୁ ପ୍ରଶ୍ନ କରିବା ଅପ୍ରାସଙ୍ଗିକ ଓ ଅବିଧି।
ପ୍ରୟୋଗ କରି ଜାଣିଲେ ସବୁ ଶବ୍ଦ ସୁନ୍ଦର।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
‘ରାଣ୍ଡୀପୁଅ ଅନନ୍ତା’ ଆଲୋଚନାଟି ବହୁସ୍ତରୀୟ ଗଭୀରତା ଓ ବିସ୍ତୃତି ଯୋଗୁଁ ଉଲ୍ଲେଖନୀୟ ଉଦାହରଣ ପାଲଟିଯାଇଛି। ସାବାସି ଦେଉଛିଁ ‘ଦାଶ ବେନ୍ହୁର୍’ ନାମଧାରୀ ଆମର ପ୍ରିୟ ଜିତୁ ବାବୁଂକୁ।
ବହୁତ ସୁନ୍ଦର ଉପସ୍ଥାପନା। ପଢିକି ଖୁସି ହେଲି। “ରାଣ୍ଡୀପୁଅ”ର ପ୍ରକୃତ ଅର୍ଥକୁ ଲୋକଙ୍କ ପାଖରେ ପହଞ୍ଚାଇବାର ପ୍ରଚେଷ୍ଟା ଅଭିନନ୍ଦନ ଯୋଗ୍ୟ। ଧନ୍ୟବାଦ ଆଜ୍ଞା।
ଦାଶ୍ ବେନହୁର୍ ସାର୍,
ଆପଣଙ୍କ ଚମତ୍କାର ଆଲୋଚନାଟିକୁ ପଢ଼ିବା ପରେ ମନେହେଲା, ଗୋଟେ ଶବ୍ଦକୁ କେହିଜଣେ ବା କେତେଜଣ ସେମାନଂକ ନିଜ ପ୍ରକାରେ ବୁଝିବା ଅଥବା ଭିନ୍ନପ୍ରକାରେ ବୁଝିବା ଫଳରେ, କେତେ ବିଚଳିତ ହେଇପଡ଼ିଛନ୍ତି ଆପଣ।
ଆପଣ କେତେ ଗଭୀର ଭାବରେ ଆହତ ହେଇଛନ୍ତି!!
ଶବ୍ଦ କହେ କମ୍, ଶୁଭେ ବୋଧେ ବେଶୀ ।
ତାକୁ ବୁଝିହୁଏ ତ, ତା’ଠାରୁ ଆହୁରି ବେଶି ପ୍ରକାରେ।
ଶବ୍ଦ ଯେହେତୁ ଠିକ୍ ସେଇଆ ନୁହେଁ, ଯାହା ତା’ ନିଜକୁ ବୁଝେଇବାକୁ ଚାହିଁଥାଏ, ତା’ର ଅର୍ଥ ହେଉ ବା କଦର୍ଥ ହେଉ, ତା’ର ଦାୟିତ୍ବ, ମୋ ମତରେ, କହିବା ଲୋକ ଠାରୁ, ଶୁଣିବା ଲୋକର ବେଶି।
ଶବ୍ଦ ର ପ୍ରକୃତ ମାଲିକ, ନିଶ୍ଚିତ ଭାବରେ ଶୁଣିବା ଲୋକଟି। ବୁଝିବା ଲୋକଟି।
କହିଦେବାପରେ, ମାଲିକାନା ଚାଲିଯାଏ ଶୁଣିବା ଲୋକ ପାଖକୁ। ତାକୁ ନେଇ ସେ, କ’ଣ ବୁଝିବ, କ’ଣ କରିବ, ଏକଥା ତା ନିଜ ଉପରେ ନିର୍ଭର କରେ।
କୌଣସି ବି କଥାର ପ୍ରକୃତ ମାଲିକାନା ଥାଏ ତା’ ପାଖରେ, ଯିଏ ତାକୁ ତା’ ନିଜ ଇଛା ଅନୁସାରେ ବ୍ଯବହାର କରିପାରେ, ଯିଏ ତାକୁ ବଦଳେଇ ଦେଇପାରେ, ଯିଏ ତାକୁ ଅନ୍ଯ କାହାକୁ ଦେଇ ଦେଇପାରେ, ଯିଏ ତାକୁ ନଷ୍ଟ ବି କରି ଦେଇପାରେ।
କଥାରେ ହେଉ ବା ଲେଖାରେ ହେଉ, ଶବ୍ଦ ଓ ଶବ୍ଦ-ବ୍ଯବହାର ବି ସେମିତି ଅଭାବିତ ମାଲିକାନାର ଅଦ୍ଭୁତ ନିୟମ ସବୁକୁ ମାନିଥାଏ ଏବଂ ମାନିଆସିଛି।
ଶ୍ଳୀଳତା/ ଅଶ୍ଳୀଳତା କୁ ନେଇ ସାମାଜିକ ଆଦର ବା ବ୍ଯକ୍ତିଗତ ଆପତ୍ତି, ମୁଖ୍ଯତଃ ନାରୀକୈନ୍ଦ୍ରିକ। ଅର୍ଥାତ୍, ଯେଉଁ କଥା କହିଲେ ନାରୀର ଅବମାନନା ହେବାର ଅଥବା ନାରୀ ଅପମାନିତ ହେବାର , ଆଶଂକା ଅଳ୍ପ ଟିକେ ବି ରହିଯାଏ, ତାହାହିଁ ବୋଧେ ଅଶ୍ଳୀଳ।
ତାହାହିଁ ଅକଥ୍ଯ ଓ ଅଶ୍ରାବ୍ୟ।
ତେବେ, ବହୁପ୍ରଚଳନ ଅନେକ ଶବ୍ଦକୁ ଏ’ପ୍ରକାରର ଅସମର୍ଥିତ ଆକ୍ଷେପ ବା ଆକ୍ଷେପର ଇଙ୍ଗିତ ଅଥବା ନ୍ଯୁନତମ ଆଶଂକାରୁ ମୁକ୍ତ କରିସାରିଛି।
ମୁକ୍ତ କରି ଆସିଛି ଓ ଆସୁଛି।
ତା’ ନହେଲେ, ଓଡ଼ିଆର ଯେ କୌଣସି କ୍ରିୟାଶବ୍ଦକୁ ଜୋର୍ ଦେଇ, ଟିକେ କୌତୁକର କଣ୍ଠ ରେ କୌଣସି ନାରୀକୁ କହିଲେ, ତାକୁ ଯେ ଅଶ୍ଳୀଳ ନ ଶୁଭିବ, ଏ’ କଥା ମୁଁ ଭାବିପାରୁନି।
ଅନ୍ଯ ହଜାରେ କି ତା’ ଠାରୁ ଅଧିକ ବିଶେଷ୍ୟ କି ବିଶେଷଣ କି କ୍ରିୟା- ବିଶେଷଣ, ଏପରିକି ସର୍ବନାମ ପଦର ଅଶ୍ଳୀଳ ଅର୍ଥ ବାହାରି ସାରିଥିବା କଥା, ଆମେ ପ୍ରାୟ ସମସ୍ତେ ଜାଣିଛେ।
ରକ୍ଷା ହେଇଛି, ନାରୀମାନେ ପୁରୁଷଙ୍କ ତୁଳନାରେ ଅନେକ ଶବ୍ଦକୁ ସେମିତି ଓ ସେତେବେଶୀ “ଖରାପ” ବୋଲି ଭାବିପାରନ୍ତି ନାହିଁ।
କାରଣ, ପୁରୁଷଙ୍କ ମନ ପରି, ନାରୀମାନଂକର ମନ ସେତେଟା କଦର୍ଥ କରିବାକୁ ବୋଧହୁଏ ଭଲ ପାଏନା।
ଏ’କଥା ମୋର ବ୍ଯକ୍ତିଗତ ଧାରଣା।
ଆପଣ ଦେଖିବେ, ନାରୀର ” ଅଶ୍ଳୀଳ ଶବ୍ଦକୋଷ” ର
ପୃଷ୍ଠା ସଂଖା ବହୁତ କମ୍।
ପୃଷ୍ଠେ ଦି’ପୃଷ୍ଠା ହେବ କି ନାହିଁ, ସଂଦେହ!
ପୁରୁଷ ର ସେଇ ଶବ୍ଦକୋଷ ବିପୁଳ ଓ ବ୍ଯାପକ।
ତେଣୁ, ସାର୍, ଯିଏ ଯେମିତି ବୁଝୁଛି ବା ବୁଝିଛି , ତାକୁ ତା’ର ନୂଆ ଅର୍ଥ-ମାଲିକାନା ରେ ରହିବାକୁ ଛାଡ଼ିଦେବା ବୋଧେ ବେଶି ଠିକ୍ ହେବ।
ଆପଣଂକୁ କୋଟିଏ ଥର ନମସ୍କାର କରୁଛି।
ସ୍ନେହର
ଶ୍ଯାମା
ପ୍ରକୃତରେ ଦାଶ ବେନହୁରଙ୍କ ଲେଖା ଖୁବ୍ ପ୍ରାସଙ୍ଗିକ ବୋଲି ମନେହୁଏ।ଓଡ଼ିଆରେ ବହୁ ଶବ୍ଦ ଅଛି ଯାହାର ଅର୍ଥ ବିଭିନ୍ନ ପ୍ରକାରର ହୋଇପାରେ ଏବଂ ତାହା ତାହାର ପ୍ରୟୋଗ ଉପରେ ନିର୍ଭର କରିଥାଏ। କେବଳ ଶ୍ଲୀଳ ଅଶ୍ଲୀଳ ନୁହଁ ଆହୁରି ଅନେକ ଅରୁଚିକର ଅର୍ଥ ବି ବାହାରିଥାଏ। ସବୁକିଛି ପ୍ରୟୋଗ ଉପରେ ନିର୍ଭର କରିଥାଏ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଅତି ସୁନ୍ଦର ଭାବେ ଏ ଲେଖାଟିକୁ ଦାଶ ବେନହୁର ସାର୍ ପ୍ରତିପାଦିତ କରିଛନ୍ତି, ଏହାକୁ ଠିକ୍ ଭାବେ ପଢି ହୃଦୟଙ୍ଗମ କରିପାରିଲେ କାହାରି ମନରେ କୌଣସି ସନ୍ଦେହ ବା ଦ୍ବିଧା ରହିବ ନାହିଁ ବୋଲି ମୋର ଦୃଢ ବିଶ୍ୱାସ 🙏🙏