ତା’ ନ ହେଲେ ଉମେଶ ବାବୁ ମୋ ପାଖରେ ଆସି ପହଞ୍ଚିବା, କାହ୍ନୁଚରଣଙ୍କ ବହି ଛାପିବାପାଇଁ ପ୍ରସ୍ତାବ ଦେବା ଓ ଅଧ୍ୟାପକ ବିଶ୍ୱରଂଜନ ଏ ସବୁର ସୂତ୍ରଧର ସାଜିବା, ଏହା କ’ଣ ସମ୍ଭବ?
କାହ୍ନୁଚରଣ ଏବେ ବି ଜୀବିତ !
୨୦୨୪ ମସିହା, ଜୁଲାଇ ମାସର ଘଟଣା। ପାଞ୍ଚ ଦିନ ପରେ ବ୍ୟବସାୟ କାମରେ ମୁଁ ବାହାରକୁ ଯାଇ ଆସି ପହଞ୍ଚିଥାଏ ଅଫିସରେ।
: “ବିପିନ୍, ଟେବୁଲ ଉପରେ କ’ଣ ବହି ରଖା ହେଇଛି?”
: “ସାର୍ କଟକରୁ କିଏ ଉମେଶ ବାବୁ ଆସିଥିଲେ, ଆପଣଙ୍କ ସହିତ ଦେଖା କରିବାପାଇଁ। ସିଏ ବହି ଦେଇକି ଯାଇଛନ୍ତି।”
ଟେବୁଲ ଉପରେ ରଖାହୋଇଥାଏ, ଚାରି ଖଣ୍ଡ ବହି ଓ ଗୋଟେ ଚିରୁକୁଟି। ସେଥିରେ ଲେଖା ହୋଇଥିଲା, ଉମେଶ ପ୍ରସାଦ ସାହୁ, କଟକ ଓ ମୋବାଇଲ ନମ୍ବର। ମୁଁ ଚିରୁକୁଟିରେ ଥିବା ଫୋନ ନମ୍ବରରେ ଫୋନ କଲି।
: “ଆଜ୍ଞା ନମସ୍କାର। ମୁଁ ବିଜୟ ବାବୁ କହୁଥିଲି, ବି କେ ପବ୍ଲିକେସନରୁ। ଆପଣ ଅଫିସ ଆସିଥିଲେ, କିଛି ବହି ଦେଇକି ଯାଇଛନ୍ତି। କ’ଣ କାମ ଥିଲା?”
: “ନା, କିଛି କାମ ନ ଥିଲା। ମୁଁ ଯାଇଥିଲି ଆପଣଙ୍କୁ ଟିକେ କୁଣ୍ଢେଇବାକୁ।”
: “ମାନେ!”
: “ଆପଣ ପ୍ରକାଶିତ କରିଥିବା କିଛି ବହିଗୁଡିକ ଦେଖିଲି। ଭାରି ଭଲ ଲାଗିଲା। ସେଥିପାଇଁ ଯାଇଥିଲି, ଅପଣଙ୍କୁ ଟିକେ ଦେଖା କରିବାପାଇଁ। ଆପଣଙ୍କ ଷ୍ଟାଫ କହିଲେ, ଆପଣ ବ୍ୟବସାୟ କାମରେ ବାହାରକୁ ଯାଇଛନ୍ତି। ସେଥିପାଇଁ ମୁଁ ଆପଣଙ୍କୁ ଫୋନ ନ କରି ଚାଲି ଆସିଲି।”
: “ଏବେ ମୁଁ ଭୁବନେଶ୍ୱରରେ ଅଛି। ଆପଣ ଚାହିଁଲେ ଆସିପାରିବେ। କିନ୍ତୁ ଆପଣଙ୍କ ପରିଚୟଟା ଦେଲେନି।”
: “ସୋମବାର ଦିନ ସକାଳେ ୯.୩୦ ସମୟରେ ଆପଣଙ୍କ ପାଖରେ ପହଞ୍ଚିବି। ଗଲେ କଥା ହବା।”
ଲୋକଟିର କଥାବାର୍ତ୍ତା ମତେ ଟିକେ କେମିତି କେମିତି ଲାଗିଲା। ନିଜର ପରିଚୟ ଦେଲାନି ଅଥଚ କହିଲା, ଆପଣଙ୍କୁ କୁଣ୍ଢେଇବାକୁ ଯାଇଥିଲି।
ଦୁଇ ଦିନ ଗଲା। ସୋମବାର ସକାଳ ଠିକ ୯.୩୦ ମିନିଟରେ କଲିଂ ବେଲ ବାଜିଲା। ମୁଁ ଆସି ଗେଟ ଖୋଲିଲି।
: “ଆଜ୍ଞା, ଉମେଶ ବାବୁ?”
: “ଆଜ୍ଞା।”
: “ଆସନ୍ତୁ।”
ଉମେଶ ବାବୁଙ୍କୁ ଭିତରକୁ ଆଣି ବସେଇଲି। ବୟସ ଆନୁମାନିକ ୭୦ ରୁ ୭୫ ହବ। ଡେଙ୍ଗା ଶରୀର, ହସ ହସ ମୁହଁ ଓ କିଛି ଦାନ୍ତ ଗଳି ପଡିଛି।
: “ହଉ। ଆଗ କୁଣ୍ଢେଇ ଦିଅନ୍ତୁ, ତା’ପରେ କଥା ହବା।”
ଉମେଶ ବାବୁ ହସିଦେଲେ ଓ ଆମେ କୁଣ୍ଢା କୁଣ୍ଢି ହେଲୁ। ଚା ପିଉ ପିଉ ମୁଁ ପଚାରିଲି, “ଏବେ ଆପଣଙ୍କ ପରିଚୟ ଦିଅନ୍ତୁ।”
: “ଆମର ମଧ୍ୟ କଟକରେ ‘ରାଷ୍ଟ୍ରଭାଷା’ ନାଁ ରେ ଏକ ପ୍ରକାଶନ ସଂସ୍ଥା ଅଛି । ଯାହା ମୋ ବାପା ଗୋପୀନାଥ ନନ୍ଦଶର୍ମା ଆରମ୍ଭ କରିଥିଲେ। ଛାଡ଼ନ୍ତୁ ସେ କଥା। କିନ୍ତୁ ଆପଣ ଏ ବୟସରେ ଏତେ ସୁନ୍ଦର ବହି କରୁଛନ୍ତି, ଦେଖିକି ଖୁସି ଲାଗିଲା। ସେଥିପାଇଁ ଦେଖା କରିବାକୁ ଚାଲି ଆସିଲି। ଯଦି କିଛି ନ ଭାବିବେ ତେବେ ଗୋଟେ କଥା କହିବି।”
: “କୁହନ୍ତୁ।”
: “ବହିରେ କିନ୍ତୁ ବହୁତ ମୁଦ୍ରଣ ଜନିତ ତ୍ରୁଟି ରହିଛି। ପ୍ରୁଫ୍ କରେକ୍ସନ୍ ଠିକ୍ରେ ହେଇନି।”
: “ଆଜିକାଲି ଭଲ ପ୍ରୁଫ ରିଡର ମିଳୁଛନ୍ତି କୋଉଠି?”
: “ଆପଣ ଯଦି କହିବେ, ମୁଁ ଆପଣଙ୍କ ବହିଗୁଡିକ ପଢ଼ି ପ୍ରୁଫ ରିଡିଙ୍ଗ କରିଦେବି।”
: “ଏଥିରେ କହିବାର କଣ ଅଛି?”
କିଛି ସମୟ କଥା ହେବାପରେ ଉମେଶ ବାବୁ ଯିବାପାଇଁ ବାହାରିଲେ। ମୁଁ ତାଙ୍କ ହାତରେ ଦୁଇ ଚାରି ଖଣ୍ଡ ବହି ଦେଲି। କହିଲି “ଆର ଥରକୁ ଆସିଲା ବେଳକୁ ଦୟାକରି ଏଗୁଡ଼ିକୁ ସଂଶୋଧନ କରିଦେଇଥିବେ।”
ଉମେଶ ବାବୁ କଟକ ଚାଲିଗଲେ। ଚାରି ପାଞ୍ଚ ଦିନ ପରେ ସନ୍ଧ୍ୟାବେଳେ ପୁଣି ଉମେଶ ବାବୁଙ୍କ ଫୋନ ଆସିଲା।
: “ବିଜୟ ବାବୁ କାଲି ଆପଣ ଅଫିସ୍ରେ ଅଛନ୍ତି?”
: “ଆଜ୍ଞା ଅଛି। କେତେ ବେଳେ ଆସିବେ?”
: “କାଲି ସକାଳେ ଯିବି ସେଇ ୯.୩୦ ରେ।”
: “ଠିକ ଅଛି, ଆସନ୍ତୁ।”
ପରଦିନ ସକାଳେ ଠିକ ସମୟରେ ଆସି ପହଞ୍ଚିଗଲେ ଉମେଶ ବାବୁ। “ଆଜ୍ଞା ଟିକେ ଚା ମଗାନ୍ତୁ, ତା’ପରେ କଥା ହବା।” ଚା ଆସିଲା। ଚା ପିଇ ସାରିବା ପରେ ଉମେଶ ବାବୁ ତାଙ୍କ ବ୍ୟାଗରୁ ମୁଁ ଦେଇଥିବା ବହିଗୁଡ଼ିକୁ କାଢ଼ିଲେ। ବହିଗୁଡ଼ିକ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ପ୍ରତ୍ୟେକ ପୃଷ୍ଠାରେ ୨୦ – ୩୦ ନାଲି ଗାର ବାଜିଛି।
ଭୁଲଗୁଡିକ ଏତେ ଟିକିନିକି ଭାବରେ ସେ ଧରିଛନ୍ତି, ଯେ କେହିବି ଦେଖିଲେ ତାଜୁବ ହୋଇଯିବ। କିଛି ସମୟ ପୁଣି ଆଲୋଚନାପରେ ଉମେଶ ବାବୁ ଯିବାପାଇଁ ବାହାରିଲେ।
ମୁଁ ପଚାରିଲି, “ଆଜ୍ଞା କେତେ ଟଙ୍କା ଦେବି?”
: “କି ଟଙ୍କା?”
: “ପ୍ରୁଫ ରିଡିଙ୍ଗ କେତେ ଟଙ୍କା ହେଲା?”
: “ଆପଣ କାହିଁକି ପଇସା ଦେବେ? ଆପଣ ମତେ କହିଥିଲେ କି ପ୍ରୁଫ କରେକ୍ସନ କରିବାପାଇଁ? ମୁଁ ମୋ ତରଫରୁ କହିଥିଲି।”
: “ଠିକ କଥା ଯେ, ମତେ କିନ୍ତୁ ଭଲ ଲାଗିବନି। ଆପଣଙ୍କୁ ଟଙ୍କା ନବାକୁ ପଡିବ।”
: ” ଟଙ୍କା କଥା ଉଠେଇଲେ ମୁଁ ଆଉ ଆସିବିନି। ମୁଁ ଆପଣଙ୍କପାଇଁ କରୁନି। ସାହିତ୍ୟପାଇଁ କରୁଛି।”
ଏତିକି କଥା ଶୁଣିବା ପରେ ଉମେଶ ବାବୁଙ୍କ ପ୍ରତି ଥିବା ସମ୍ମାନ ମୋର ଆହୁରି ବଢ଼ିଯାଇଥିଲା ଓ ତାଙ୍କୁ କହିଲି “ଆଜ୍ଞା ଆର ଜନ୍ମରେ ମୁଁ ଲଙ୍କା ଗଛ ହେଇ ଆପଣଙ୍କ ଋଣ ଶୁଝିବି।”
କିଛି ସମୟ କଥା ହେଲା ପରେ ସେ କହିଲେ, “ବିଜୟ ବାବୁ ଗୋଟେ କଥା କହିବି, ରଖିବେ?”
: “ହଁ କୁହନ୍ତୁ।”
: ” କାହ୍ନୁବାବୁଙ୍କ ବହି ଆଉ ବଜାରରେ ମିଳୁନି। ଆପଣ ଯଦି ସେ ଦାୟିତ୍ୱ ନେଇ ସେଗୁଡିକୁ ପୁନଃ ମୁଦ୍ରଣ କରନ୍ତେ, ତେବେ ଓଡ଼ିଆ ସାହିତ୍ୟପାଇଁ ଗୋଟେ ବଡ଼ କାମଟେ ହୁଅନ୍ତା।”
: “କିନ୍ତୁ ସେ ମରିବା ତ ୬୦ ବର୍ଷ ହେଇନି। କପି ରାଇଟ ଥିବ।”
: “ଆପଣ ଟିକେ ଅଧ୍ୟାପକ ବିଶ୍ୱରଂଜନଙ୍କ ସାଥିରେ ଯୋଗାଯୋଗ କରନ୍ତୁ। ସେ ତାଙ୍କର ପାରିବାରିକ ବନ୍ଧୁ। ସେ ଚାହିଲେ ହେଇପାରିବ। ପ୍ରୁଫ କନେକ୍ସନ ଦାୟିତ୍ୱ ମୋର।”
: “ରହନ୍ତୁ, ଏବେ କଥା ହେଇଯିବା” କହି ମୁଁ ଅଧ୍ୟାପକ ବିଶ୍ୱରଂଜନଙ୍କୁ ଫୋନ ଲଗେଇଲି।
: “ସାର୍ ନମସ୍କାର।”
: “ହଁ, ବିଜୟ କୁହ।”
: “ସାର, କାଲିର ପୋଗ୍ରାମ କ’ଣ?”
: “କିଛି ନାହିଁ। ଘରେ ଅଛି।”
: “କାଲି ୧୧ ଟାରେ କଟକ ଯିବା।”
: ” କାହିଁକି?”
: “ଉମେଶ ବାବୁ ମୋ ପାଖରେ ବସିଛନ୍ତି। କାଲି ଆମେ ତାଙ୍କ ପାଖକୁ ଯିବା।”
: “ହଉ।”
ଉମେଶ ବାବୁ ମୋ ସହିତ କଥା ହେଇ ବାହାରିଗଲେ।
ତା’ପରଦିନ ସକାଳେ ଆମେ ବାହାରିଲୁ କଟକ। ଉମେଶ ବାବୁଙ୍କ ଘରେ ପହଞ୍ଚି ଆଲୋଚନା ହେଲା। ଅଧ୍ୟାପକ ବିଶ୍ୱରଂଜନ ଖୁସି ହେଇ ଉମେଶ ବାବୁଙ୍କୁ କହିଲେ, “ଭଲ ଲୋକଟାକୁ ଧରିଲ। ମୁଁ ଶାବର୍ଣ୍ଣି ସାଥିରେ କଥା ହଉଚି।” ଶାବର୍ଣ୍ଣି ବାବୁ ହେଉଛନ୍ତି, ସ୍ବଦେଶ ବାବୁଙ୍କ ପୁଅ ତଥା କାହ୍ନୁଚରଣଙ୍କ ନାତି । ଉମେଶ ବାବୁଙ୍କ ସାଥିରେ କଥା ହେଇ ଫେରିଆସିଲୁ ।
ବାଟରେ ଫେରିବା ସମୟରେ ଅଧ୍ୟାପକ କହିଲେ, “ରମାକାନ୍ତ ରଥ ତାଙ୍କ ସମସ୍ତ ମିଟିଂରେ କହନ୍ତି, ସମସ୍ତଙ୍କ କହି ବଜାରରେ ମିଳୁଛି, କିନ୍ତୁ କାହ୍ନୁଚରଣଙ୍କ ବହି ମିଳୁ ନାହିଁ । ଭଲ କାମଟେ ହେଲା ।”
: “ଆପଣ ଶାବର୍ଣ୍ଣି ବାବୁଙ୍କ ସାଥିରେ କଥା ହୁଅନ୍ତୁ, ଆମେ ତାଙ୍କୁ ରୟାଲିଟି ଆଡ଼ଭାନ୍ସ ଦେବା, ଆଉ ଶୀଘ୍ର କାମ ଆରମ୍ଭ କରିବା।”
ଏହା ଥିଲା ୨୦୨୪ ମସିହା ଜୁଲାଇ ମାସ ଶେଷ ସପ୍ତାହ କଥା। ଆମେ ଦିନେ ଅଧ୍ୟାପକ ଆଉ ମୁଁ ଯାଇ ପହଞ୍ଚିଲୁ ଶାବର୍ଣ୍ଣି ବାବୁଙ୍କ ଘରେ। ଅଧ୍ୟାପକ ତାଙ୍କୁ ଆଗରୁ ମୋ ବିଷୟରେ ସବୁ କହି ଦେଇଥିଲେ। ମୁଁ ତାଙ୍କୁ ରୟାଲିଟି ବାବଦକୁ ଚେକ୍ ଟି ଦେଲି। ସେ କହିଲେ, “ମୁଁ କୁଆଡ଼େ ଯିବା ଆସିବା କରିପାରୁନି, ଆପଣ ଏବେ କାହ୍ନୁଚରଣଙ୍କ ନାତି ହୋଇ ସେ ଦାୟିତ୍ୱ ତୁଲାନ୍ତୁ। ଆପଣ ତାଙ୍କୁ ବଞ୍ଚେଇ ରଖନ୍ତୁ।”
: “ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ବହି ସବୁ ସୁନ୍ଦର ଭାବରେ ବାହାରିବ ଆଉ ବଜାରରେ ମଧ୍ୟ ମିଳିବ।”
ତାଙ୍କଠାରୁ କିଛି ବହି ଧରି ଆମେ ବାହାରି ଆସିଲୁ। ଯୁଦ୍ଧକାଳୀନ ଭିତ୍ତିରେ ଡିଟିପି ଚାଲିଲା। ଶାବର୍ଣ୍ଣି ବାବୁ ମଝିରେ ମଝିରେ ଫୋନ କରି ପଚାରନ୍ତି, “ଆଜ୍ଞା କାମ କେତେ ବାଟ ଗଲା?” ଓ ମୁଁ ତାଙ୍କୁ ଅପଡେଟ କରାଏ । ଏଭଳି ଭାବରେ ମାସେ ବିତିଗଲା।
୨୩ ସେପ୍ଟେମ୍ବର ୨୦୨୪, ମୁଁ ଗାଡ଼ି ଡ୍ରାଇଭ କରୁଥାଏ। ଶାବର୍ଣ୍ଣି ବାବୁଙ୍କ ଫୋନ ଆସିଲା।
: “ଆଜ୍ଞା କେତେଟା ବହି ଡିଟିପି ହେଲାଣି ?
: “୧୪ ଟା ବହି ଡିଟିପି ସରିଲାଣି। ପ୍ରୁଫ କରେକ୍ସନ ଚାଲିଛି। ବୁଧବାର ଆମେ କଟକ ଯିବୁ।”
: “ଠିକଅଛି।”
୨୪ ସେପ୍ଟେମ୍ବର ୨୦୨୪ (ମଙ୍ଗଳବାର), ଦିନ ୩.୩୦ ମିନିଟରେ ଅଧ୍ୟାପକ ବିଶ୍ୱରଂଜନଙ୍କର ଫୋନ ଆସିଲା।
: “ବିଜୟ କୋଉଠି ଅଛ?”
: ” ସାର୍ ଅଫିସରେ।”
: “ଶାବର୍ଣ୍ଣି ଚାଲିଗଲା।”
: “ମାନେ!”
: “ମୁଁ ମାଡାମଙ୍କୁ ଧରି ଆଉ ଟିକେ ପରେ କଟକ ବାହାରିବି। ହସ୍ପିଟାଲରୁ ଡେଡ଼ ବଡ଼ି ନେଇକି ସେମାନେ ଘରକୁ ଆସିବେ। ତମେ ଆସିକି ପହଂଚ।”
ମୁଁ କିଛି ସମୟପାଇଁ ସ୍ଥାଣୁ ପାଲଟି ଯାଇଥାଏ। ଲୋକଟା କାଲି ମୋ ସାଥିରେ କଥା ହେଲା ଅଥଚ ଆଜି ଚାଲିଗଲା! ସବୁବେଳେ କାମ କେତେ ବାଟ ଗଲା ପଚାରୁଥାନ୍ତି, ଅଥଚ ବହି ବାହରିବାଟା ଦେଖି ପାରିବେ ନାହିଁ।
ସାତଟା ସମୟରେ ମୁଁ ଯାଇ ପହଞ୍ଚିଲି କଟକରେ। ଅଧ୍ୟାପକ ଓ ନେତାଜୀ ଭାଇ ସେଠି ଥିଲେ। ଆମେ ସେଠି ଠିଆ ହୋଇ କଥା ହେଉଥିବା ସମୟରେ ଅଧ୍ୟାପକ କହିଲେ, “କାହ୍ନୁବାବୁ ଏବେ ବି ଜୀବିତ। ଶାବର୍ଣ୍ଣି ତା ଦାୟିତ୍ୱ ଆପଣଙ୍କୁ ଦେଇ ଚାଲିଗଲା।
ସତରେ କାହ୍ନୁ ମହାନ୍ତି ଏବେ ବି ଜୀବିତ ! ହଁ, ତା’ ନ ହେଲେ ଉମେଶ ବାବୁ ମୋ ପାଖରେ ଆସି ପହଞ୍ଚିବା, କାହ୍ନୁଚରଣଙ୍କ ବହି ଛାପିବାପାଇଁ ପ୍ରସ୍ତାବ ଦେବା ଓ ଅଧ୍ୟାପକ ବିଶ୍ୱରଂଜନ ଏ ସବୁର ସୂତ୍ରଧର ସାଜିବା, ଏହା କ’ଣ ସମ୍ଭବ?
ଅନୁଭୂତିଟି ଖୁବ୍ ସୁନ୍ଦର ହୋଇଛି।
ଉପନ୍ୟାସ ପଢ଼ିବା ପରି ଲାଗିଲା। ସତରେ ମୋ ପାଇଁ ତ ବର୍ତ୍ତମାନ ମଧ୍ୟ କାହ୍ନୁଚରଣ ଜୀବିତ ମୋ ବହି ଥାକରେ ।
ଧନ୍ୟବାଦ 🙏🙏
ପ୍ରକୃତରେ ଅନୁଭୂତି ଅତି ସୁନ୍ଦର ଲାଗିଲା।ମନେହେଲା ସତେ ଯେପରି ଏ ସବୁ ମୋ ଆଖି ଆଗରେ ଘଟି ଚାଲିଛି। କାହ୍ନୁ ଚରଣ ଏବେବି ଅନେକଙ୍କ ପାଖରେ ବିଶେଷଭାଵରେ
ଓଡ଼ିଆ ସାହତ୍ୟିକମାନଙ୍କର ମନରେ।
ଧନ୍ୟବାଦ 🙏🙏
ଖୁବ୍ ମର୍ମସ୍ପର୍ଶୀ ହେଇଛି ଲେଖାଟି !
ସତରେ କାହ୍ନୁଚରଣ ଜୀବିତ ! ଏହି ଘଟଣାକ୍ରମ ସଂଯୋଗ ବୋଲି ଅନେକେ କହିପାରନ୍ତି। କିନ୍ତୁ, ଏହା ଓଡ଼ିଆ ସାରସ୍ୱତ ଚେତନାର ସାମୁହିକ ନିର୍ଦ୍ଦେଶ ବୋଲି ମୁଁ ଭାବୁଛି। ପ୍ରକାଶକ ମହାପାତ୍ର ବାବୁ ସେହି ନିର୍ଦ୍ଦେଶ ପାଳନ କରି ଗୋଟିଏ ବହୁତ ବଡ ଜାତୀୟ କର୍ତ୍ତବ୍ୟ ନିର୍ବାହ କରିଛନ୍ତି। ଅଧ୍ୟାପକ ବିଶ୍ୱରଂଜନ ମଧ୍ୟ ଏହି ପବିତ୍ର କାର୍ଯ୍ୟର ସୂତ୍ରଧର ହୋଇଥିବାରୁ, ସେ ଆମ ସମସ୍ତଙ୍କ ସମ୍ମାନାସ୍ପଦ !
ଜୟ ଜଗନ୍ନାଥ !
ଓଡ଼ିଆ ଉପନ୍ୟାସ ସାହିତ୍ୟର ଜଣେ ପ୍ରମୁଖ ଏବଂ ସମ୍ଭବତଃ ଅଧ୍ୟାବଧି ଜଣେ ଶ୍ରେଷ୍ଠ ଲେଖକଭାବେ ପରିଚିତ କାହ୍ନୁଚରଣ ମହାନ୍ତିଙ୍କ ୨୦ଟି ଉପନ୍ୟାସ ଏକାସଙ୍ଗରେ ନିକଟରେ ବି କେ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ହୋଇଛି ଏହା ବୋଧହୁଏ କୌଣସି ଓଡ଼ିଆ ଉପନ୍ୟାସକାରଙ୍କ ପାଇଁ ଏକ ବିରଳ ଘଟଣା ଏହିଭଳି ମହତ ଉଦ୍ୟମରେ ସହଯୋଗୀ ହୋଇଥିବା ଶ୍ରୀ ମହାପାତ୍ରଙ୍କ ସମେତ ଉମେଶ ବାବୁ ଏବଂ ଅଧ୍ୟାପକ ବିଶ୍ବରଞ୍ଜନଙ୍କ ସମେତ ଅନ୍ୟ ଯେଉଁମାନେ ଏହି କାର୍ଯ୍ୟ ସହିତ ପରୋକ୍ଷ ବା ପ୍ରତ୍ୟକ୍ଷଭାବେ ଜଡ଼ିତ ସେମାନେ ମଧ୍ୟ ଧନ୍ୟବାଦର ପାତ୍ର କିଛି ଉଦ୍ୟମୀ ବ୍ୟକ୍ତିଙ୍କ ଦ୍ବାରା ଏହିଭଳି ଉଦ୍ୟମ ନିଶ୍ଚିତଭାବେ ଆସନ୍ତା ଦିନରେ ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ଏକ ସଫଳ ଓ ସୁନ୍ଦର ଅଭିଯାନ ଆସନ୍ତା ଦିନରେ ଏହିଭଳି ଅଭିଯାନ ଜାରି ରହିବ ବୋଲି ଆଶା ରଖିପାରିବା ସର୍ବଶେଷରେ ଏହିଭଳି ଏକ ଚମତ୍କାର ଘଟଣାକୁ ସାହିତ୍ୟ ଚର୍ଚ୍ଚା ପରିବାର ଲୋକଲୋଚନକୁ ଆଣିବା ମଧ୍ୟ ଧନ୍ୟବାଦର ପାତ୍ର