ଅକବି କବି ସମସ୍ତେ ଶୁଣ

କେତେକ ହୃଦୟରେ ଯଦି ଗୋଟିଏ ଯୋଡ଼ିଏ ଭୋଲ୍ଟର କୁରୁଳିଆ ଭାବନା ଉଦ୍ରେକ କରାଇ ପାରିବି, ତାହେଲେ ମୋର ଏ ପ୍ରୟାସ ସଫଳ ହେଲା ବୋଲି ଭାବିବି।

ଡ. ଉମାକାନ୍ତ ମିଶ୍ର

ପୁରା କବିନାଂ ଗଣନା ପ୍ରସଙ୍ଗେ……। ଏକଥାଟି ଆପଣ ନିଶ୍ଚିତ ଜାଣିଥିବେ। ଭୋଜ ରାଜାଙ୍କ ଦରବାରରେ ଥରେ ଉତ୍ତମ କବିମାନଙ୍କର ଗଣନା ଆରମ୍ଭ ହେଲା। ନବରତ୍ନମାନଙ୍କ ମଧ୍ୟରେ ସରସ୍ୱତୀଙ୍କର ବରପୁତ୍ର କାଳିଦାସ ବିରାଜମାନ। ତେଣୁ ଗଣନା ତାଙ୍କରିଠାରୁ ହିଁ ଆରମ୍ଭ କରାଗଲା। ତା’ପରେ ତ ସବୁ ଅସୁବିଧା ହୋଇଗଲା। ମହାମନ୍ତ୍ରୀ ଗଣନା ଆରମ୍ଭ କରି ହାତର କାଣିଆଙ୍ଗୁଠିଟାରୁ ଆରମ୍ଭ କରି କହିଲେ -ଏକ, କାଳିଦାସ। ତା’ପରେ ସବୁ ଚୁପ୍ ଚାପ୍। ସମସ୍ତେ ପରସ୍ପର – ମୁହଁକୁ ଚାହିଁ ନୀରବ ରହିଥାନ୍ତିା ଆରେ, କାଳିଦାସଙ୍କ ନାଁ ପରେ ଆଉ କାହାରି ନାଁ ଶୁଭିବ! ସତରେ ତାହାଙ୍କ ସମକକ୍ଷ କବି ଆଉ କେହି ସାରା ଭାରତରେ ନ ଥିଲେ। ଏବେ କରିବେ କ’ଣ ?
ମହାମନ୍ତ୍ରୀ ଅଗତ୍ୟା ମହାରାଜଙ୍କୁ ନିବେଦନ କରି କହିଲେ, ବର୍ତ୍ତମାନ ପାଇଁ କବିଗଣନା ଏଇଠି ସ୍ଥଗିତ ରହୁା କାଳିଦାସଙ୍କ ପରି ଆଉ କେହି ସମକକ୍ଷ କବି ମିଳିଲେ ଗଣନାରେ ଆଗେଇବାକୁ ପରାମର୍ଶ ଦେଲେ। କିନ୍ତୁ କାଳିଦାସଙ୍କ ନାଁ’ର ଗଣନା କାଣି ଆଙ୍ଗୁଠିରୁ ହୋଇଥିବାରୁ, ତା’ପର ଆଙ୍ଗୁଠିର ନାମ ଅନାମିକା ରଖାଯାଉ, ଯେ ପର୍ଯ୍ୟନ୍ତ ଏହି ଦ୍ୱିତୀୟ ଆଙ୍ଗୁଠିକୁ କୌଣସି ନାମ ଦିଆଯାଉନାହିଁ। ଏହା ଆଜି ମଧ୍ୟ ଅନାମିକା ନାମରେ ନାମିତ ହୋଇ ରହିଛି ତଥା ସେହି ମହିମାମଣ୍ଡିତ କବି କୁଳମଣି କାଳିଦାସଙ୍କ ଇତିହାସ ସ୍ମରଣ କରାଇ ଦେଉଛି। ଯାବତ୍ ଚନ୍ଦ୍ରାର୍କେ ଏହି ପରି ହିଁ ଥାଉ।

ବ୍ରହ୍ମା ବିଳିବିଳେଇଲେ ବେଦ
ଏ କାହାଣୀର ସତ୍ୟାସତ୍ୟ ନିରୂପଣ କରିବା ଆମର ସାଧ୍ୟାତୀତ। ତେବେ, ଏହା ସତ୍ୟ ହେଉ ବା ମିଥ୍ୟା, ଏଥିରୁ ଆମେ ଜାଣିପାରୁଛେ ଯେ, ଯେକୌଣସି ଲୋକ କବି ହୋଇପାରେନା, କେବଳ ବ୍ରହ୍ମା ବିଳିବିଳେଇଲେ ହିଁ ବେଦ ହୁଏ। ଏପରି ଆମେ ସବୁ ଶୁଣିଛେ। ଆମେ ତୁମେ ପବିତ୍ର ମନ ଓ ହୃଦୟରେ ଏବଂ ପ୍ରକୃତ ଜ୍ଞାନ ଥାଇ ସୁଦ୍ଧା ଉଚ୍ଚାଟ ସ୍ୱରରେ ମନ୍ତ୍ର ଗାୟନ କଲେ ତାହା କେବେ ହେଲେ ବେଦ ହୋଇପାରିବ ନାହିଁ। ଏଠି କଥା ପଡ଼ିଛି, କଷଟିର ଏବଂ ମାପକାଠିର। ଉତ୍କର୍ଷର ମାନକ ପୁଣି ତ ଗୋଟେ ରହିବା ଦରକାର।
ହେଇ ସେଇ କାଳିଦାସେ ମଧ୍ୟ କ’ଣ କୋଉଠି ଲେଖି ଦେଇଛନ୍ତି ପରା, “ଅରସିକେଷୁ କବିତ୍ୱ ନିବେଦନଂ, ଶିରସି ମାଲିଖ, ମାଲିଖ, ମାଲିଖ”। ଆରେ ବାବା, ୟେ ବଡ଼ ଅଡୁଆ ପାଠ। ରସ କ’ଣ ଏବଂ ରସିକ କିଏ। ଏହାକୁ କିଏ ନିଷ୍ପତ୍ତି କରିବ ? ଯିଏ ତ ରସେଇଲେ, ସିଏ ରସିକ, ଆଉ ସବୁ ପାରୁଡ଼ାପୋକ। ବସନ୍ତ ରତୁ ହେଉ ବା ନ ହେଉ, ରସାଳ ଡାଳେ କଳା ପିକ ଗାଉ ବା ନ ଗାଉ, ଆମେ ତୁମେ କ’ଣ କେବେ ହେଲେ ଏଭଳି ରସେଇ ଯାଉନେ। କଥାରେ ଅଛି, ଯୌବନେ ମର୍କଟୀ ରମ୍ୟା। ଆମର ସେ କାଳର ଯୁବ କବି ଗୀତିକାର ଦି’ଧାଡ଼ି ଲେଖିଥିଲେ ଯୌବନର ଗୁଣ ବର୍ଣ୍ଣନାକରି। “ଯଉବନ ମୁଁ ଯେ ଯଉବନ, ମୁଁ ଯେ ଯୁବତୀ ଚିବୁକ ଚିକ୍କଣ”। ସରିଲା କଥାଗୁଡ଼ାକ ଭାରି ବେକାରିଆ କଥା ବୋଲି ଆପଣମାନେ ଭାବନ୍ତୁ ନାହିଁ। ଆମେମାନେ ସମସ୍ତେ ସେଇ ରସ ରାଜ୍ୟର ପ୍ରଜା ଏବଂ ଯଉବନ ଜଉଘରେ ଆମେ ସମସ୍ତେ ରୁନ୍ଧିହୋଇଛେ। ତେବେ କବିତ୍ୱ ଏବଂ ରସିକତ୍ୱ କେତେ ପାଖାପାଖି, ଏ କଥା ଆମେ ସମସ୍ତେ ଊଣା ଅଧିକେ ଜାଣୁ। ତେଣୁ ସଭିଙ୍କ ତ ମତ ହେଲା ଯେଉଁମାନେ ଯୁବକ, ସେମାନେ ରସିକ ଏବଂ କବି। ଅବଶ୍ୟ କାଳିଦାସଙ୍କ ପରି ହୋଇପାରିବାନି। ତେବେ ଆମେ ନିଜେ ନିଜେ, ନିଜ ଡାଏରୀର ପୃଷ୍ଠାରେ ଜଣେ ଜଣେ ଅଚିହ୍ନା କାଳିଦାସ, ଅଜଣା ମିଲ୍‌ଟନ, ଏବଂ ନିଜ ନିଜ ଗାଧୁଆ ଘରେ ଜଣେ ଜଣେ ଅକ୍ଷୟ ମହାନ୍ତି ଏବଂ ହଁ, ଜଣେ ଜଣେ ଲତା ମଙ୍ଗେସକର ମଧ୍ୟ। ଆଜିକାଲି ଲଙ୍କା ମରିଚ ନାଁରେ ଗୋଟିଏ ରେଡିଓ କେନ୍ଦ୍ରର ଶ୍ରୋତାମାନେ ମଧ୍ୟ ରସିକ, ଭାବୁକ, କବି ଓ ଗାୟକ। ଯଦି କେହି ଏଭଳି ଜଣେ କଳାକାରଙ୍କୁ ବାଟ ଅବାଟରେ ଗାଧୁଆ ଘରେ, ପାଇଖାନା ଘରେ, ସର୍ବସାଧାରଣ ମୁକ୍ତାକାଶ ଶୌଚାଳୟରେ, ଡ୍ରେନ ଭିତରେ ଗୀତ ଗାଇବାର ଶୁଣିପକାନ୍ତି, ତେବେ କାଳିଦାସଙ୍କ ମାପକାଠିରେ ତାଙ୍କୁ ଦୟାକରି ମାପିବାକୁ ଚେଷ୍ଟା କରନ୍ତୁ ନାହିଁ। କାଦୁଅକୁ ଯିବେ କିଆଁ, ଆଉ ଗୋଡ଼ ଧୋଇବେ କିଆଁ ? କବି ତା’ କବିତାକୁ ଧରି ଲଟପଟ ହେଉଥାଉ।
କବିର ରସିକତ୍ୱ
ବର୍ତ୍ତମାନ ଅନ୍ୟ ପଟେ ଥିବା ବିଷୟକୁ ଆସିବା। କବି ଓ କବିତା, ଏହା ରସିକତ୍ୱର ପରିଚାୟକ ନିଶ୍ଚୟ- କାଳିଦାସୀୟ ହେଉ ଅବା ଦେବଦାସୀୟ। ତେବେ ଆଜି ଯୁଗରେ କବି ଓ କବିତାର ଆବଶ୍ୟକତା ଅଛି କି ନାହିଁ ? ଆଗରୁ ମଣିଷ ସମାଜରେ ଏମାନଙ୍କର ଆବଶ୍ୟକତା ଥିଲା କି ନାହିଁ। ବଡ଼ ବିବାଦୀୟ ପ୍ରଶ୍ନ ସତେ। ହଇହେ, ଆମର ବାଲ୍ମିକୀ, କାଳିଦାସ, ଜୟଦେବ, ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ, ଯଦୁମଣି, ରାଧାନାଥ, ଗଡ଼ନାୟକ, ନୀଳକଣ୍ଠ, ଗୋପବନ୍ଧୁ, ମାନସିଂହ, ରମାକାନ୍ତ, ଗୁରୁ ମହାନ୍ତି, ସୀତାକାନ୍ତ, ସଚ୍ଚି ରାଉତରାୟ, ଗୋଦାବରୀଶ ଦ୍ୱୟ, ହରିହର ମିଶ୍ର, ଅମରେଶ, ଯଦୁନାଥ, ପାଟ୍ଟଶାଣୀ ପ୍ରମୁଖ ସମସ୍ତେ ଥାଉଁ ଥାଉଁ, କବି ଓ କବିତାର ଆବଶ୍ୟକତା ନାହିଁ ବୋଲି କହିହେବ ନାହିଁ। ଏମାନେ ସମକାଳୀନ ସମାଜକୁ ରସାପ୍ଲୁତ କରିଛନ୍ତି, ଋଦ୍ଧିମନ୍ତ କରିଛନ୍ତି, ଏକଥା ଅନସ୍ୱୀକାର୍ଯ୍ୟ। ଆମ ପୂର୍ବ ରାଷ୍ଟ୍ରପତି ମଧ୍ୟ କବିତା ଲେଖି ଆମ ସମସ୍ତଙ୍କର ମନରେ ରାଷ୍ଟ୍ରୀୟ ଉତ୍କର୍ଷର ବହ୍ନି ଜଳାଇବାକୁ ପ୍ରୟାସ କରିଛନ୍ତି। ତେବେ କବି ଓ କବିତାର ସାର୍ଥକ ଦରଜା କିଏ ସ୍ଥିର କରିବ ? କେଉଁ କବିତା ଓ କବି ସାର୍ଥକ ସୃଷ୍ଟି ଓ ସ୍ରଷ୍ଟା? କବିତା କବି ପାଇଁ ନା ସମାଜ ପାଇଁ? କଳା, ସମାଜ ପାଇଁ ନା ନାହିଁ ? ଇନ୍ଦ୍ରଧନୁ ଆକାଶ ପାଇଁ ନା, ଆକାଶ ଇନ୍ଦ୍ରଧନୁ ପାଇଁ ? ବଡ଼ ଅଡୁଆ ବିଷୟରେ ହାତ ମାରିଦେଇଛି। ଭୁଲ ହୋଇଯାଇଛି ବୋଧହୁଏ; କିନ୍ତୁ ପଛଘୁଞ୍ଚା ନାହିଁ ମୋର ଜାତକେ। ଆଜି ମୋର ଦିନେ ତ, କବିତାର ଦିନେ। ଅନ୍ତତଃ, ଆପଣମାନଙ୍କ ଭିତରୁ, କାଠେଇ ବା ପଥରେଇ ଯାଇଥିବେ। କେତେକ ହୃଦୟରେ ଯଦି ଗୋଟିଏ ଯୋଡ଼ିଏ ଭୋଲ୍ଟର କୁରୁଳିଆ ଭାବନା ଉଦ୍ରେକ କରାଇ ପାରିବି, ତାହାହେଲେ ମୋର ଏ ପ୍ରୟାସ ସଫଳ ହେଲା ବୋଲି ଭାବିବି। ଦେଖାଯାଉ।
କଥାରେ ଅଛି, ‘କବି ତୁଣ୍ଡ, ମେଣ୍ଢା ମୁଣ୍ଡ’। ପୁଣି କୁହାଯାଇଛି, କବିକୁଳ ସଂସାରର ନିୟାମକ, ଯଦିବା ତାଙ୍କୁ ଏଥିପାଇଁ କେହି କେବେ କୃତଜ୍ଞତା ଜଣାଏ ନାହିଁ। ଆହୁରି କଥାଏ ମଧ୍ୟ ଅଛି, କବି ପ୍ରେମିକ ଏବଂ ପାଗଳ, ଏମାନେ ସବୁ ଗୋଟିଏ ଚାଉଳରେ ଗଢ଼ା। ତେବେ କବି କିଏ ଏବଂ କବିତା କ’ଣ ? ଜଣେ ବିଖ୍ୟାତ ଇଂରେଜ କବି କହିଛନ୍ତି କବିତା ହେଉଛି ସୃଜନଶକ୍ତିରେ ଭରପୂର ଭାବପ୍ରବଣତାର ସ୍ୱାଭାବିକ ଉଛୁଳାପଣିଆ। କବିତା ଦରଦୀ ଭାବନାର ଫୁଲତୋଡ଼ା ଏବଂ ବେଳେ ବେଳେ ଉତ୍ତପ୍ତ ଲାଭାର ସ୍ଫୁରଣ। ଜନ୍ମରୁ ସମସ୍ତେ କବି, କିନ୍ତୁ କିଏ ତାକୁ ପ୍ରକାଶ କରିପାରୁଛି ତ ଆଉ କିଏ ପାରୁନାହିଁ। ଯିଏ କବିତା ଶୁଣି ହସି ପାରିଲା, କାନ୍ଦି ପାରିଲା କିମ୍ବା ଉଦ୍‌ବୁଦ୍ଧ ହୋଇ ପାରିଲା, ସିଏ ମଧ୍ୟ କବି। କବିତାକୁ ଆଗ୍ରହ ଓ ଆଗ୍ରହୀର ଆବଶ୍ୟକତା ପଡ଼େ। ଭାବନାକୁ ଭାବଗ୍ରାହୀ ଲୋଡ଼ା। କବିତା ଓ କବିର ଆବଶ୍ୟକତା ନିଶ୍ଚୟ ରହିଛି। କାଳିଦାସ ନ ଥିଲେ ଶକୁନ୍ତଳାର କାହାଣୀ ଏତେ ମର୍ମସ୍ପର୍ଶୀ ହୋଇ ନ ଥାନ୍ତା। ରମାକାନ୍ତଙ୍କ କବିତା ନ ଥିଲେ ଶ୍ରୀରାଧା ଏକ ଲାସ୍ୟ ଓ ରହସ୍ୟମୟୀ ଦୈବୀଶକ୍ତିର ନିକଟବୋଧତା ହୋଇ ନ ଥାନ୍ତା। ବାଲ୍ମୀକିଙ୍କର ରାମାୟଣ ନ ଥିଲେ, ବ୍ୟାସଙ୍କର ମହାଭାରତ ଓ ଭଗବଦ୍‌ଗୀତା ନଥିଲେ, ବାଇବେଲ ଓ କୋରାନ୍ ନ ଥିଲେ ମଣିଷ ମନ, ବୁଦ୍ଧି ଓ ହୃଦୟର ବିବର୍ତ୍ତନ ହିଁ ସମ୍ଭବ ହୋଇ ନ ଥାନ୍ତା। ପ୍ରତିଟି ସମୟରେ, ପ୍ରତିଟି ସମାଜରେ ଏପରି ଅନେକ ଚେତନ ଓ ଅବଚେତନର ସ୍ତର ରହିଥାଏ ଯେଉଁଥିରେ ସାମ୍ପ୍ରତିକ ସମାଜର ମୂଳବୀଜ ସଂରକ୍ଷିତ ଥାଏ। ଅବଶ୍ୟ କବିତା ସହିତ ଅନ୍ୟାନ୍ୟ ସାଂସ୍କୃତିକ ଅଭିଲେଖ ଏବଂ ପରିପ୍ରକାଶନ ମଧ୍ୟ ଏଭଳି ଏକ ସାମଗ୍ରିକ ଛନ୍ଦରେ ଛନ୍ଦାୟିତ ହେଉଥାନ୍ତି, ଯାହାକି ବିଭିନ୍ନ ମହାକାବ୍ୟ ଏବଂ ତତ୍କାଳିକ ଗୀତ, କବିତା, କଳାର ଫର୍ଦ୍ଦ ତଥା ସଂଗୀତର ଆଲୋକରେ ବିମ୍ବାୟିତ ହୁଅନ୍ତି, ଆପଣମାନଙ୍କର ରୋମାଞ୍ଚରେ, ପୁଲକରେ ତଥା କୈବଲ୍ୟରେ। ମୁଁ ଜାଣିପାରୁନାହିଁ ମୋର ଏହି ପ୍ରଳାପ ମଧ୍ୟରେ କିଛିଟା ପ୍ରାମାଣିକତାର ଅନୁଭବ ଆପଣ କରିପାରୁଛନ୍ତି ନା ନାହିଁ। କିନ୍ତୁ ସାହିତ୍ୟ ଏବଂ ତହିଁ ମଧ୍ୟରେ ଏକ ଅନୁପମ ଖୁଆଡ଼ କବିତାର ସ୍ଥିତି ଏବଂ ଯଥାର୍ଥତା ବୋଧହୁଏ ମୋ ଭଳି ଅକବି ଦ୍ୱାରା ନିଃସନ୍ଦେହ ଭାବରେ ପ୍ରମାଣିତ ହେବା ସମ୍ଭବ ନୁହେଁ।

ଅଭିବ୍ୟକ୍ତିର ମାଧ୍ୟମ
ଆମ ରାଜ୍ୟର ଜଣେ ବରିଷ୍ଠ ସମାଜସେବୀ ଓ ସାହିତ୍ୟିକଙ୍କୁ କିଛିଦିନ ତଳେ ମୁଁ କଥା ପ୍ରସଙ୍ଗରେ ପଚାରିଲି ଯେ, ଆପଣ ଯେଉଁ କବିତା ଆଦି ଲେଖନ୍ତି, ସେଇଟାର କ’ଣ ପ୍ରାସଙ୍ଗିକତା ଅଛି ଆଜିର ଓଡ଼ିଶା ପାଇଁ? ସେ କହିଲେ ନିଶ୍ଚୟ ଅଛି ଏବଂ ଆଗକୁ ମଧ୍ୟ ରହିବ। ଗୋଟିଏ ସଶକ୍ତ ଅଭିବ୍ୟକ୍ତିର ମାଧ୍ୟମ ଭାବରେ ଏହା କାଳେକାଳେ ବଞ୍ଚି ରହିବ। ଗଣକବି ବୈଷ୍ଣବ ପାଣିଙ୍କୁ ଦେଖୁ ନାହାନ୍ତି ? ସେ କାହିଁକି ରମ୍ୟରଚନାର ସୁଆଙ୍ଗ ସବୁ କହିଥିଲେ? ଆମ ସ୍ୱାଧୀନତା ସଂଗ୍ରାମରେ ଏଭଳି ଶାଣିତ ବ୍ୟଙ୍ଗର ସାହିତ୍ୟିକ ପ୍ରୟୋଗ ନିଶ୍ଚୟ ଜନମାନସକୁ ଉଦ୍‌ବୁଦ୍ଧ କରିଥିଲେ। ସାରା ଭାରତରେ କାହିଁକି ସାରା ବିଶ୍ୱରେ ଏଭଳି କବିତାର ପ୍ରୟୋଗ ଆମେ ଦେଖି ଆସିଛେ। ସଞ୍ଜ ନଇଁ ଆସିଲେ, ଜହ୍ନିଫୁଲିଆ ଆଲୋକ ବିଛାଇ ଜହ୍ନ ଯେବେ ତାଳ ନଡ଼ିଆ ବଣ ଉପରେ ଜ୍ୟୋତ୍ସ୍ନା ବର୍ଷା କରେ ଏବଂ ଶେଫାଳିର ଭୁରୁଭୁରୁ ଗନ୍ଧ ବନରେ ଭାସିଆସେ, ସେତେବେଳେ କବିତା ହୁଏ ! ପ୍ରିୟଜନଠାରୁ କାହିଁ କେତେ ଦୂରରେ, ଯେତେବେଳେ ଜଣେ ନିର୍ଜନ ଦ୍ୱୀପରେ ବିଳାପ କରେ, ସେତେବେଳେ କବିତା ହୁଏ ଅଲିଅଳ ଝିଅ। ସେ ଯେତେବେଳେ ଚିଲିକା ପାରି ଗଡ଼କୁ ଶାଶୁଘର ଯାଏ, ସେତେବେଳେ ବକୁଳବନର କୋକିଳ କବି କବିତା ଲେଖେ ଏବଂ ଏହା ଆଜି ପର୍ଯ୍ୟନ୍ତ କୋଟି କୋଟି ଆଖିପତା ଭିଜାଇ ଚାଲିଛି, ତୁମର ଆମର। ଆଜିର ମାଛ ଘେରିର ପୂତିଗନ୍ଧମୟ ରାଜନୀତିରେ ଚିଲିକାକୁ ମନ ପୂରାଇ ଦେଖିବାକୁ ପୁଣି ତ କବିବର ରାଧାନାଥ କେତେ ବିକଳରେ କବିତାଇ ଥିଲେ ? ରସକଲ୍ଲୋଳର ଦୀନକୃଷ୍ଣ, ବିଦଗ୍ଧଚିନ୍ତାମଣିର ଅଭିମନ୍ୟୁ, ଗୀତ ଗୋବିନ୍ଦର ଜୟଦେବ, କିଶୋର ଚନ୍ଦ୍ରାନନ ଚମ୍ପୂର କବିସୂର୍ଯ୍ୟ, ବାଜିରାଉତର ସଚ୍ଚି ରାଉତରାୟ, କିଏ କହିବ ଏ ସମସ୍ତେ ବାଚାଳ ଓ ଅପ୍ରାସଙ୍ଗିକ? ନା, ନା, ଏହା ଅସମ୍ଭବ। ଆଜିର ଜଗନ୍ନାଥଙ୍କୁ ଜୟଦେବ, କବିସୂର୍ଯ୍ୟ, ସାଲବେଗ, ନିମାଇଁ ହରିଚନ୍ଦନ, ଭିକାରୀ ବଳ ଏବଂ ପ୍ରଫୁଲ୍ଲ କର ଆଦିଙ୍କ ବିନା ହୃଦୟଙ୍ଗମ କରିବା ଅସମ୍ଭବ ଏବଂ ଅପ୍ରାସଙ୍ଗିକ ମଧ୍ୟ। ମୁଁ ତ କହିବି ନୀଳାଦ୍ରି ମହୋଦୟ, ସ୍କନ୍ଦ ପୁରାଣ, ଲକ୍ଷ୍ମୀପୁରାଣଠାରୁ ଆରମ୍ଭକରି ଆକାଶବାଣୀ ଓ ଦୂରଦର୍ଶନ ଆଦିର ରଥଯାତ୍ରା ଓ ବାହୁଡ଼ା ଯାତ୍ରାର ଧାରାବିବରଣୀ ଏପରିକି ସିଂହଦ୍ୱାର ଓ ଶରଧାବାଲିରେ ଭଜନସନ୍ଧ୍ୟା ତଥା ଅସଂଖ୍ୟ କବିତା, ଗୀତିକବିତା, ଭଜନ କ୍ୟାସେଟ ଆଦିର ଏକ ସାମଗ୍ରିକ ଗ.ସା.ଗୁ ଏବଂ ଲ.ସା.ଗୁ ହିଁ ଆମର ଜଗନ୍ନାଥ ଚେତନାର କୁମ୍ଭାରଚକ। ହେଇତ ଶୁଣାଗଲାଣି, ଝୁଲଣ ଯାତ୍ରାରେ ଓଡ଼ିଶୀର ନିନାଦ, ଶ୍ରୀକ୍ଷେତ୍ରର କେଉଁ ଉପାନ୍ତରେ – “ମଲ୍ଲୀମାଳ ଶ୍ୟାମକୁ ଦେବି, ମନ ରସିବି”। ଓହୋ, ସତେ ଯେପରି ଆଦିଶଙ୍କରଙ୍କର କମନୀୟ ପ୍ରାର୍ଥନାର ଏକ ସଦ୍ୟ ସଂସ୍କରଣ – “କଦାଚିତ୍ କାଳିନ୍ଦୀତଟ ବିପିନ ସଂଗୀତ କରବେ”।
ମୁଁ ସିନା ଏତେ ରସିକ ଶେଖର ଚୂଡ଼ାମଣି ପାଲଟିଛି। ଶୁଣନ୍ତୁ ଆମ ଘରଣୀଙ୍କ ମନ୍ତବ୍ୟ। “କ’ଣ ହେ ଏସବୁ ପାଗଳାମି”। ଭଞ୍ଜ, ରାଧାନାଥ, ସୀତାକାନ୍ତ ଯଦି ନ ଥାନ୍ତେ ତେବେ ଓଡ଼ିଶାର କ’ଣ ଭାସିଯାଇଥାନ୍ତା। ସେସବୁ ଥାଉ ଥାଉ ତ ଆମେ “ଯେଉଁ ତିମିରେ କି ସେଇ ତିମିରେ”। ଜୟଦେବ ତ ସିଧା ଗୋଟିଏ ଭଜନ ଲେଖିଥିଲେ ଯାଇଥାନ୍ତା, ତା’ ଭିତରେ ରାଧାଙ୍କ ରୂପ ବର୍ଣ୍ଣନା ଏବଂ ବସନ୍ତ ରାସ, ୟେ ସବୁର କ’ଣ ଆବଶ୍ୟକତା ଥିଲା ! ତା’ଛଡା ଆଜିକାଲି ଯେଉଁ ସବୁ ଅବୋଧ୍ୟ, ଅଭଦ୍ର ତଥା ଅପ୍ରାସଙ୍ଗିକ କବିତା ଲେଖାହେଉଛି, ତା’ର କ’ଣ ମୂଲ୍ୟ ଅଛି କହିଲେ?
ପ୍ରତି ଦଶହରାରେ ମୋଟା ମୋଟା ସାହିତ୍ୟ ପତ୍ରିକାରେ ୫୦, ୬୦ ପୃଷ୍ଠାର କବିତା ବିଭାଗ କିଏ ପଢୁଛି, ସେଇ ଫଟା ରସିକଙ୍କୁ ଛାଡ଼ିଦେଲେ ? ଆମର କବିତା ଫବିତା କିଛି ଲୋଡ଼ାନାହିଁ , ବୁଝିଲେ। ସେଇ ପୁରୁଣା ପୁରାଣ କେତେଟା ଆଉ ଭଜନ ଆଦି ଯଥେଷ୍ଟ। ତୁମର ସେ ୧୫ ବର୍ଷ ତଳର ଜୀବନବୀମା ଡାଏରୀରେ ତୁମେ ଯେଉଁ ସଙ୍ଗିନୀଙ୍କର ରୂପଗୁଣ ବର୍ଣ୍ଣନା କରିଛ, ତାକୁ ଠୁଙ୍ଗାବାଲାକୁ ବିକ୍ରିକଲେ, ଟଙ୍କା କେତେଟା ମିଳିବ। କବିତା ସପକ୍ଷରେ ତର୍କ କରି ଏତେ ସମୟ ଏବଂ ଶକ୍ତି ନଷ୍ଟ କରିବାର ଆବଶ୍ୟକତା ନାହିଁ। ମୋ ମତରେ, ଯେତେସବୁ ଅଭଦ୍ର ଫଟାରସିକ ହିଁ ଶବ୍ଦର ଏଭଳି ଇନ୍ଦ୍ରଜାଲ ସୃଷ୍ଟି କରି ସେମାନଙ୍କର ଚାରିତ୍ରିକ ଏବଂ ବୈଚାରିକ ସ୍ଖଳନର ନିର୍ଲଜ୍ଜ ଓକିଲାତି କରିବାକୁ ଅପଚେଷ୍ଟା ଚଳାଇ ଆସିଛନ୍ତି। ତୁମର ଏବେ ବୟସ ଆସି ହେଲାଣି, ଏଥର ଭଜନ କୀର୍ତ୍ତନ କର ଏବଂ ରାମନାମ ଜପକର। ଆଉ ଦିନେ ମୋ ଆଗରେ ଏଇ ଯୁବତୀ “ଚିବୁକ ଚିକ୍କଣ” କବିତା କଥା ପକାଇବ ନାହିଁ।
କେତେବଡ଼ ଅସରାଟେ ସତେ ପକାଇଦେଲ ! ଘଡ଼ଘଡ଼ି ଚଡ଼ଚଡ଼ି ଏବଂ ବିଜୁଳିର ବିରାଟ ର‌୍ୟାଲି, ମୋ କାନ ଭିତର ଦେଇ ଚାଲିଗଲା। ଥୟଧର ଭୁଲାମନ। ଅନେକଙ୍କ ଜୀବନରେ ମଧ୍ୟ ଏହା ଘଟୁଥିବ। ତୁମେ କିଛି ନୂଆ ନୁହଁ। ବିଷାଦ ମଧ୍ୟ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଆଦିକବି ବାଲ୍ମିକୀ ମଧ୍ୟ ବିଶ୍ୱର ପ୍ରଥମ କବିତା ପଙ୍‌କ୍ତି ରଚନା କରିଥିଲେ ବିଷାଦରୁ। ତେବେ ଏଭଳି ଏକ ସାହିତ୍ୟିକ ମହାବାତ୍ୟା ପରେ ମୋର ଅକବିପଣିଆ କୁଆଡ଼େ ଏକଦମ୍ ଉଡ଼ିଗଲା ଏବଂ ମୁଁ ଦୁଇ ଚାରିପଦ କବିତା ଲେଖିବାକୁ, ସତେ ଯେପରି ବାଧ୍ୟ ହୋଇଗଲିା
ଅକବି କବି ସମସ୍ତେ ଶୁଣ,
କବିତା ରାଣୀ କିମିଆଁ ଗୁଣ।
ଜହ୍ନ ରାତିରେ ଇନ୍ଦ୍ରଧନୁ,
ରଙ୍ଗାଇଦିଏ ତନୁ ଅତନୁ।
ନୀଳ ମେଘରେ ଛନ୍ଦ ଫସଲ,
ନୀଳ ଢେଉରେ ନିଆଳି ଫୁଲ।
ମନ ମିତର ପୀରତି ଜାଲେ,
ବଜାଏ ବେଣୁ କଦମ୍ବ ମୂଳେ।
କାଳେ ଅକାଳେ ସଞ୍ଜ ସକାଳେ,
ହାତରେ ଧରି ଗଜରା ମାଳେ।
କଲମ ଚୁମି କବିତା ଲେଖ,
ଦେଖିବ କେତେ ଲାଗିବ ସୁଖ।
ପଡ଼ିଲେ ପଡୁ ଉଷୁମ ଗାଳି,
ପ୍ରିୟା ପଦୁଅଁ ଓଠରୁ ଝରି।
ଅକବି କବି ସମସ୍ତେ ଶୁଣ,
କାନରେ ଦେଇ ସୈନ୍ଧବ ଲୁଣ!

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଫେବ୍ରୁଆରି ୨୦୨୫ ସଂଖ୍ୟାରେ ପ୍ରକାଶିତ।)

One thought on “ଅକବି କବି ସମସ୍ତେ ଶୁଣ

  1. ଅତି ଚମତ୍କାର ରମ୍ୟ ରଚନା। ଉମାକାନ୍ତ ମିଶ୍ରଙ୍କ ଏହି ରମ୍ୟ ରଚନାରେ ଓଡ଼ିଆ ସାହିତ୍ୟର ଦିଗ୍ଗଜ ରଚନାକରଙ୍କ ରଚନାକୁ ଆଲୋଚନାକୁ ନିଆଯାଇ ରଚନା କରାଯାଇଛି। ସେ ଆଧୁନିକ କବି ହୁଅନ୍ତୁ ବା ପ୍ରାଚୀନ….

Leave a Reply

Your email address will not be published. Required fields are marked *