ପୁନଶ୍ଚ ’ଅମଡ଼ାବାଟ’

ଭାରତୀୟ ପାଠକମାନଙ୍କ ନିକଟରେ ଏହି ପୁସ୍ତକଟି ପହଞ୍ଚାଇବା ଥିଲା ମୋ ବୋଉ ପ୍ରତି ମୋର ଶ୍ରଦ୍ଧାଞ୍ଜଳି।

ମାନସ ରଂଜନ ମହାପାତ୍ର

ମୁଁ ଯେତେବେଳେ ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ (ଏନ୍.ବି.ଟି)ର ଓଡ଼ିଆ ସମ୍ପାଦକ ଭାବରେ ଦାୟିତ୍ୱ ଗ୍ରହଣ କଲି, ସେତେବେଳେ ମୁଁ ଜଣେ ଉଦୀୟମାନ ଲେଖକ ଭାବେ ପରିଚୟ ପାଇସାରିଥିଲି। ପ୍ରଥମ ସାକ୍ଷାତ ସମୟରେ ଏନ୍.ବି.ଟିର ତତ୍କାଳୀନ ନିର୍ଦ୍ଦେଶକ ଅରବିନ୍ଦ କୁମାର ମୋତେ କହିଥିଲେ, “ଆପଣ ଏପରି ଏକ ବୃତ୍ତିରେ ଯୋଗ ଦେଇଛନ୍ତି ଯେଉଁଥିପାଇଁ ୨୪ ଘଣ୍ଟାର ସଂପୃକ୍ତି ଆବଶ୍ୟକ।” ମୁଁ ତାହା ହିଁ କରିଥିଲି। ମୋର ଲେଖାଲେଖିକୁ ଭୁଲିଯାଇ ଲେଖକ ତିଆରି କରିଥିଲି, ଓଡ଼ିଆ ଭାଷାରେ ଶ୍ରେଷ୍ଠ ପୁସ୍ତକମାନ ପ୍ରକାଶ କରିବାକୁ ଚେଷ୍ଟା କରିଥିଲି।

ମୁଁ ଯୋଗ ଦେବା ସମୟରେ ଏନ୍.ବି.ଟିରେ ଓଡ଼ିଆରେ ମାତ୍ର ୭୩ଟି ପୁସ୍ତକ ଥିଲା ଏବଂ ୨୦୦୨ ମସିହାରେ ମୁଁ ଓଡ଼ିଆ ସମ୍ପାଦନା ଛାଡ଼ିବା ବେଳକୁ ତାହା ୩୦୦ରୁ ଅଧିକ ସଂଖ୍ୟାରେ ପହଞ୍ଚିଥିଲା। ୧୧ ବର୍ଷରୁ ଊର୍ଦ୍ଧ୍ଵ ଅବଧି ମଧ୍ୟରେ ୧୦ଟି ଓଡ଼ିଆ ଉପଦେଷ୍ଟା ପ୍ୟାନେଲ ବୈଠକ, ୪ଟି ପୁସ୍ତକ ମେଳା, ପୁସ୍ତକ ଓ ପଠନ ସମ୍ବନ୍ଧୀୟ ୧୦୦ରୁ ଅଧିକ ସାହିତ୍ୟ ସଭା, ସାରା ରାଜ୍ୟରେ ୨ଟି ଭ୍ରାମ୍ୟମାଣ ପୁସ୍ତକ ପ୍ରଦର୍ଶନୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଏନ୍.ବି.ଟି ପାଇଁ ଓଡ଼ିଶାରେ ମୋ ଦ୍ୱାରା ସଂଯୋଜନା କରାଯାଇଥିଲା। ଏହି ପ୍ରକ୍ରିୟା ମଧ୍ୟରେ ମୋ ଭିତରେ ଥିବା ଲେଖକ ଶୀତଳନିଦ୍ରାକୁ ଚାଲିଯାଇଥିଲା। ମୁଁ ପ୍ରଶଂସା ଦାବି କରିବା ପାଇଁ ଏହା ବର୍ଣ୍ଣନା କରୁନାହିଁ, କିନ୍ତୁ ଏହା ହିଁ ମୋର କାହାଣୀ।
ଡିଟିପି ଓଡ଼ିଶାରେ ନୂଆ ଥିଲା, ଏହି ସୁବିଧା ଯୋଗାଉଥିବା ସଂସ୍ଥା ସାରା ରାଜ୍ୟରେ ଅତିବେଶିରେ ଡଜନେ ହେବ ଥିଲେ। ମୁଁ ମୋ ସହକର୍ମୀ ସୁମିତ ଭଟ୍ଟାଚାର୍ଯ୍ୟ ଏବଂ ଏସ୍.କେ. ବଳଙ୍କ ସହ ଡିଟିପି ଫାର୍ମ ଖୋଜିବା କିମ୍ବା ଆମର ବହି ଟାଇପ୍ ସେଟିଂ କରିବା ଏବଂ ଆମର ପ୍ରକାଶନ ବିକ୍ରି ପାଇଁ ଏଜେଣ୍ଟ ନିଯୁକ୍ତ କରିବା ପାଇଁ ସମଗ୍ର ରାଜ୍ୟ ଭ୍ରମଣ କରିଥିଲି। ଡିଟିପିରେ ଆମର ପ୍ରଥମ ଦୁଇଟି ପୁସ୍ତକ ଥିଲା ସଚ୍ଚିଦାନନ୍ଦ ରାଉତରାୟଙ୍କ ’ମଶାଣିର ଫୁଲ ଓ ଅନ୍ୟାନ୍ୟ ଗଳ୍ପ’ ଏବଂ ମନୋଜ ଦାସଙ୍କର ’ମନୋଜ ଦାସଙ୍କ ଗଳ୍ପ’। ଆମର କାର୍ଯ୍ୟ ଥିଲା ସୁମିତ ଟାଇପ ସେଟିଂ ଭାଗ ଦେଖିବେ ଏବଂ ମୁଁ ପ୍ରୁଫ ରିଡ଼ିଂ / ଭାଷା ଭାଗ ଦେଖିବି, ସେହି ଅନୁଯାୟୀ ଅପରେଟର କାମ କରିବ। ୧୯୯୨ ମସିହାରେ ଭୁବନେଶ୍ଵରର ପ୍ରଦର୍ଶନୀ ପଡ଼ିଆରେ ଏନ୍.ବି.ଟି ଦ୍ୱାରା ଆୟୋଜିତ ସର୍ବପ୍ରଥମ ପୁସ୍ତକ ମେଳାରେ ଏହି ପୁସ୍ତକ ଦୁଇଟି ଉନ୍ମୋଚିତ ହେବା ପାଇଁ ଆମେ ଏକ ସପ୍ତାହ ଧରି ଦିନରାତି ପରିଶ୍ରମ କରିଥିଲୁ। ଦୀପାବଳି ଦିନ ହିଁ ମୁଁ ଫାଇନାଲ୍ ପ୍ରିଣ୍ଟ୍ ପାଇ ସନ୍ଧ୍ୟାରେ ଭୁବନେଶ୍ୱରରୁ ପୁରୀ ଆସିଥିଲି। ମୋ ସ୍କୁଟର ହେଡ୍ ଲାଇଟ୍ କାମ କରୁନଥିଲା, ମୋତେ ଏକ କାର୍ ପିଛା ଧରି ଆସିବାକୁ ପଡ଼ିଥିଲା। ଘରେ ମୋର ସ୍ତ୍ରୀ, ୬ ବର୍ଷର ଝିଅ ଓ ୩ ବର୍ଷର ପୁଅ ମୋ ପାଇଁ ଅପେକ୍ଷା କରିଥିଲେ। ବାଟସାରା ବର୍ଷାରେ ଭିଜି ଭିଜି ମୁଁ ସନ୍ଧ୍ୟା ସାଢ଼େ ୭ଟାରେ ପୁରୀରେ ପହଞ୍ଚିଥିଲି।
ଏନ୍.ବି.ଟିର ପ୍ରଯୋଜନା ବିଭାଗକୁ ମୁଁ ପ୍ରିଣ୍ଟ୍ ହସ୍ତାନ୍ତର କରିବା ପରେ ପୁସ୍ତକ ମେଳାର ସଂଯୋଜନା ପାଇଁ ନୂଆଦିଲ୍ଲୀରୁ ଭୁବନେଶ୍ୱର ଫେରିଆସିଲି। ଅରବିନ୍ଦ କୁମାର ମେଳାର ଗୋଟିଏ ଦିନ ପୂର୍ବରୁ ଆସିଲେ। କିନ୍ତୁ ମୋତେ କିଛି କହିଲେ ନାହିଁ। ମୁଁ ଭାବିଲି ଆମର ସମସ୍ତ ପରିଶ୍ରମ ବ୍ୟର୍ଥ ହୋଇଯାଇଛି। ତେବେ ପୁସ୍ତକମେଳା ଉଦ୍ଘାଟନ ପୂର୍ବରୁ ସେ ମୋତେ ରଙ୍ଗିନ କାଗଜରେ ଆବୃତ୍ତ ଦୁଇଟି ପ୍ୟାକେଟ୍ ଦେଇ କହିଲେ, “ଏହା ଆପଣଙ୍କ କଠିନ ପରିଶ୍ରମର ଫଳ। ଆପଣ ଏହାକୁ ମୁଖ୍ୟମନ୍ତ୍ରୀ (ମେଳାର ଉଦ୍ଘାଟକ)ଙ୍କୁ ଉନ୍ମୋଚନ ପାଇଁ ଦେବେ।” ବିଜୁ ପଟ୍ଟନାୟକ ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ।
ଏପରି ଅନେକ ଥର ଆସିଛି ଯେ ଉପଯୁକ୍ତ ପ୍ରଶଂସା ଅଭାବ ସତ୍ତ୍ୱେ ମୁଁ ଅକ୍ଳାନ୍ତ ପରିଶ୍ରମ କରିଛି। ଏଭଳି ଏକ ଘଟଣା ଥିଲା ବସନ୍ତ କୁମାରୀ ପଟ୍ଟନାୟକଙ୍କ ସ୍ମରଣୀୟ କୃତି ’ଅମଡ଼ାବାଟ’ର କପିରାଇଟ ପାଇବା ଏବଂ ଭାରତୀୟ ଭାଷାରେ ପ୍ରକାଶ କରିବା।

ମୋ ବୋଉ ଏବଂ ଖୁଡ଼ୀ ସିନେମା ଦେଖିବାକୁ ଭଲ ପାଉଥିଲେ। ପିଲାଦିନେ ସିନେମା ଦେଖିବାରେ ମୁଁ ନିଶ୍ଚୟ ସେମାନଙ୍କ ସହ ଶତକ ହାସଲ କରିଥିବି। ବୋଉ ସହ ମୁଁ ଅନେକଥର ଦେଖିଥିବା ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ଥିଲା ’ଅମଡ଼ାବାଟ’। ମୋ ବୋଉ ସେହି ଫିଲ୍ମର ‘ଜୀବନ ଯମୁନାରେ ଜୁଆର ଉଠେରେ’ ଗୀତଟି ବହୁସମୟରେ ଗାଉଥିଲା।
ମୁଁ ବସନ୍ତ କୁମାରୀ ପଟ୍ଟନାୟକଙ୍କୁ ଚିଠି ଲେଖିଲି, କିନ୍ତୁ ମାସ ମାସ ଧରି କୌଣସି ପ୍ରତିକ୍ରିୟା ମିଳିଲା ନାହିଁ। ଦିନେ ମୁଁ ଢେଙ୍କାନାଳ ମହାବିଦ୍ୟାଳୟର ତତ୍କାଳୀନ ଉପାଧ୍ୟକ୍ଷ ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସଙ୍କୁ ଏ ବିଷୟରେ କହିଲି। ଆମେ ପରସ୍ପରକୁ ଏସ୍.ସି.ଇ.ଆର୍.ଟିରେ ଚାକିରି ଦିନରୁ ଜାଣିଥିଲୁ।
“ଓଃ, ଏକଥା ତୁମେ ମୋତେ କାହିଁକି ଆଗରୁ କହିଲ ନାହିଁ ! ମାଉସୀ ମନାକଲେ କି?” ସେ ପଚାରିଲେ।
“ମାଉସୀ ! ସେ କ’ଣ ଆପଣଙ୍କର ମାଉସୀ?” ମୁଁ ପଚାରିଲି।
“ସେ ମୋ ପତ୍ନୀଙ୍କ ମାଉସୀ।” ସେ ଉତ୍ତର ଦେଲେ।
ମୁଁ ତାଙ୍କୁ ମୋର ଆଗ୍ରହ ଏବଂ ଦୁଃଖ ବିଷୟରେ କହିଲି। ମୁଁ ଏହି ପୁସ୍ତକ ସହିତ ଭାବନାତ୍ମକ ଭାବରେ ଜଡ଼ିତ ଥିଲି ଏବଂ ଏହାକୁ ଓଡ଼ିଆରେ ପୁନଃମୁଦ୍ରଣ କରି ସମସ୍ତ ଭାରତୀୟ ଭାଷାରେ ପ୍ରକାଶ କରିବାକୁ ଚାହୁଁଥିଲି।
ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ ବସନ୍ତ କୁମାରୀ ପଟ୍ଟନାୟକଙ୍କୁ ଏ ପ୍ରସଙ୍ଗରେ କହିବା ପରେ ସବୁକିଛି ସହଜ ହୋଇଗଲା। ବୋଧହୁଏ ସେ ତାଙ୍କ ଜ୍ୱାଇଁଙ୍କୁ ‘ନା’ କହିପାରିଲେ ନାହିଁ। ବାସ୍ତବରେ ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସଙ୍କ ପତ୍ନୀ ଶ୍ରୀମତୀ ଦାସ ଯିଏକି ସ୍ଵୟଂ ଜଣେ ଲେଖିକା ବି ଥିଲେ, ସେ ଏ ବାବଦରେ ଯଥାସମ୍ଭବ ଚେଷ୍ଟା କରିଥିଲେ ଏବଂ ତାଙ୍କ ମାଉସୀଙ୍କୁ ଅନୁମତି ଦେବାକୁ ରାଜି କରାଇଥିଲେ।
ମୁଁ ବସନ୍ତ କୁମାରୀ ପଟ୍ଟନାୟକଙ୍କ ସହ କଥା ହେବାବେଳେ ସେ କହିଥିଲେ, “ମୁଁ କିନ୍ତୁ ଗୋଟିଏ ସର୍ତ୍ତରେ ଅନୁମତି ଦେବି।” ପ୍ରସିଦ୍ଧ ଲେଖକ ଶ୍ରୀ ରାଜକିଶୋର ପଟ୍ଟନାୟକଙ୍କ ଭଉଣୀ ବସନ୍ତ କୁମାରୀଙ୍କର ଆଉ ଦୁଇଜଣ ଭାଇ ଥିଲେ ଯେଉଁମାନେ ବିଦେଶରେ ରହୁଥିଲେ । ଉଭୟ ବିଦେଶବାସିନ୍ଦା ଭାଇ ଏବଂ ବସନ୍ତ କୁମାରୀ ଅବିବାହିତ ଥିଲେ ଏବଂ ଜେ. କୃଷ୍ଣମୂର୍ତ୍ତିଙ୍କ ଚିନ୍ତାଧାରାକୁ ପ୍ରକାଶ ଏବଂ ପ୍ରଚାର କରିବା ପାଇଁ ସେମାନଙ୍କର ସମୟ ଏବଂ ଅର୍ଥ ଉତ୍ସର୍ଗ କରିଥିଲେ ।
“ସର୍ତ୍ତଟି କ’ଣ?” ମୁଁ ପଚାରିଲି।
“ଏନ୍.ବି.ଟି ମୋତେ ନୁହେଁ, ବରଂ କୃଷ୍ଣମୂର୍ତ୍ତି ଫାଉଣ୍ଡେସନକୁ ରୟାଲଟି ପ୍ରଦାନ କରିବ।” ସେ ଉତ୍ତର ଦେଲେ।
“ସତ୍ୟ ହେଉଛି ଏକ ଅସୀମ ମାର୍ଗ।” ଜେ କୃଷ୍ଣମୂର୍ତ୍ତିଙ୍କ ଏହି ବାଣୀ ମୋ ମସ୍ତିଷ୍କରେ ଗୁଞ୍ଜରିତ ହେଲା।
ତାଙ୍କ ସର୍ତ୍ତରେ ରାଜି ହୋଇ ପୁସ୍ତକ ପ୍ରକାଶ ପାଇଥିଲା। ବୋଉ ଆଉ ନଥିଲା। ପୁସ୍ତକ ଉନ୍ମୋଚନ ହେବା ଦିନ ମୁଁ ସାରା ରାତି କାନ୍ଦିଥିଲି। ଭାରତୀୟ ପାଠକମାନଙ୍କ ନିକଟରେ ଏହି ପୁସ୍ତକଟି ପହଞ୍ଚାଇବା ଥିଲା ମୋ ବୋଉ ପ୍ରତି ମୋର ଶ୍ରଦ୍ଧାଞ୍ଜଳି।

4 thoughts on “ପୁନଶ୍ଚ ’ଅମଡ଼ାବାଟ’

  1. ମାନସ ବାବୁଙ୍କ ଉଦ୍ୟମ ଓ କ୍ରିୟାଶୀଳତା ଖୁବ୍ ପ୍ରଶଂସନୀୟ । ଏମିତି ଉଦ୍ୟମ କରାଗଲେ ବହୁ ବିସ୍ଗତି ଗର୍ଭକୁ ଚାଲିଯାଉଥିବା ଅମୂଲ୍ୟ ଭାଷା ସମ୍ପଦର ପୁନରୁତ୍ଥାନ ହୋଇପାରନ୍ତା।

  2. ଶ୍ରୀ ମାନସ ରଞ୍ଜନ ମହାପାତ୍ର ମହାଶୟ ,
    ପ୍ରଣାମ ଘେନ ହେ ପ୍ରଣମ୍ୟ।

    ସାହିତ୍ୟ ଚର୍ଚ୍ଚା ପତ୍ରିକାର ସମ୍ପାଦକ ମହାଶୟ ଆପଣଙ୍କର ଏହି ଅଭୁଲା ଅବଦାନ ‘ ପୁନଶ୍ଚ ଅମଡ଼ା ବାଟ ‘କୁ ଓଡ଼ିଆ ସାହିତ୍ୟ ଅନୁରାଗୀଙ୍କ ପାଇଁ
    ଅପଢ଼ା ,ଅଜଣା ବାଟରେ ଆଣି ରଖିଥିବାରୁ ବିନମ୍ର କୃତଜ୍ଞତା ଜଣାଉଛୁ।
    ଉଦ୍ୟମ ଅବ୍ୟାହତ ରହିଥାଉ……

    1. ବହୁତ ସୁନ୍ଦର ଆପଣଙ୍କ ମନ୍ତବ୍ୟ।
      “ଅମଡ଼ା ବାଟ” NBT ଦ୍ୱାରା ପ୍ରକାଶିତ ହୋଇଛି ଜାଣି ଭାରି ଗର୍ବ ଲାଗୁଛି। ବସନ୍ତ କୁମାରୀ ପଟ୍ଟନାୟକଙ୍କ ଭଳି ମହିୟସୀ ମା’ଙ୍କୁ ଭେଟିବା ତାଙ୍କର ଅମୂଲ୍ୟ ସର୍ତ୍ତ ମାନିବା ମାନସ ବାବୁଙ୍କର ଏକ ସ୍ମରଣୀୟ ଅନୁଭୂତି ନିଶ୍ଚୟ। ସବୁଠୁ ଭଲ ଲାଗିଲା, “ଜୀବନ ଯମୁନାରେ ଜୁଆର ଉଠେରେ… ” ଆମ ସମୟର ଚିର ସବୁଜ ଭାବ ପୂର୍ଣ୍ଣ ସଂଗୀତକୁ ମନେ ପକାଇଦେବା। 🌹🙏

  3. ଓଡ଼ିଆ ବହିର ପ୍ରଚାର ପ୍ରସାର ଦିଗରେ ଶ୍ରୀ ମହାପାତ୍ରଙ୍କ ଉଦ୍ୟମ ନିଶ୍ଚିତ ପ୍ରଶଂସନୀୟ।
    ଲେଖାଟି ଭଲ ଲାଗିଲା।

Leave a Reply

Your email address will not be published. Required fields are marked *