ଇସଲାମ ଧର୍ମାବଲମ୍ବୀ ସ୍ରଷ୍ଟାଙ୍କ କଲମରେ ସମକାଳୀନ ଓଡ଼ିଆ ସାହିତ୍ୟ

ଆଧୁନିକ ଓଡ଼ିଆ ସାହିତ୍ୟରେ ଅନେକ ଇସଲାମ ଧର୍ମାବଲମ୍ବୀ ଲେଖକ ନିଜ ଲେଖାର ନିଜର ଛାପ ଛାଡ଼ିବାରେ ସଫଳ ହୋଇଛନ୍ତି।

ଡ. ପ୍ରତୀଚୀ ନନ୍ଦ

ଧର୍ମକୁ ନେଇ ସାହିତ୍ୟ କେବେ ବନ୍ଧା ପଡ଼ିନାହିଁ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସାହିତ୍ୟ ଯୁଗଯୁଗ ଧରି ଉନ୍ନତ ଚେତନାକୁ ଗର୍ଭସ୍ଥ କରି ଆଗେଇ ଚାଲିଛି। ସାମାଜିକ ତଥା ଧର୍ମୀୟ ବନ୍ଧବାଡ଼କୁ ଖାତିର ନକରି ଚେତନା ଓ ଭକ୍ତି ଯେ ଆଧାର ଖୋଜି ନିଏ ନିଜପାଇଁ; ଏହାହିଁ ସୃଷ୍ଟିର ଆକସ୍ମିକତାକୁ ପ୍ରତୀକିତ କରେ। ଭକ୍ତକବି ସାଲବେଗଙ୍କୁ ଆଜି କିଏ ବା ନ ଜାଣେ? ଯାହାଙ୍କ ପାଇଁ ଅଟକିଯାଇଥିଲା ବଡ଼ଦିଅଁଙ୍କ ନନ୍ଦିଘୋଷ। ତାଙ୍କ ଭଜନରେ ଥିବା ଶ୍ରଦ୍ଧାଭାବତଲ୍ଲିନତା କାହାକୁ ବା ଗଦ୍‌ଗଦ୍ ନକରିଛି ! ତାଙ୍କ ଭାଷାରେ-
“ଜୀବନରେ ଥିବି ଯେବେ ଯିବି ବୃନ୍ଦାବନ
ଦର୍ଶନ କରିବି ଯାଇ ଶ୍ରୀମଧୁସୂଦନ”
+ + +
ରାଧାକୃଷ୍ଣ ବେନି ଭିନ୍ନ ନୋହେ କୁଞ୍ଜବନ
କହେ ସାଲବେଗ ହୀନ ଜାତିରେ ଯବନ।”
‘ଅଣସର ଘରେ ଥିଲ’, ‘ଆହେ ନୀଳାଚଳବାସୀ’, ‘ଏକା ତୋ ଭକତ ଜୀବନ’, ‘କାହା ପାଇଁ ଚକାଡୋଳା’, ‘କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ’, ‘ଚାଲ ସଖି ଆମ୍ଭେ ଦର୍ଶନ କରିବା’, ‘ଜଗନ୍ନାଥ ହେ କିଛି ମାଗୁନାହିଁ ତୋତେ’, ‘ଜଗବନ୍ଧୁ ହେ ଗୋସାଇଁ’, ‘ବୃନ୍ଦାବନେ ବଂଶୀ କେ ବଜାଇଲା’ ପରି ଭଜନ ଓ ପଦ୍ୟାବଳୀ କୋଟି ପ୍ରାଣରେ ଝଙ୍କୃତ ହେଉଛି।
ସେହି କ୍ରମରେ ଆଧୁନିକ ଓଡ଼ିଆ ସାହିତ୍ୟରେ ଅସରଫ ଅଲୀଖାନ୍‌, ମୌଲବୀ ରହେମତ୍ ଅଲୀ ରହେମତ୍‌, ମୌଲବି ଶେଖ୍ ମନସୁର, ଅବଦୁଲ ଅଜିଜ୍ ଖାଁ, ଏମ୍‌. ଏ. ସମଦ, କୁମାର ହସନ୍‌, ଏମ୍‌.ଏ. ଆହାଦ୍‌, ଡ଼କ୍ଟର ହୁସେନ ରବି ଗାନ୍ଧୀଙ୍କ ପରି ପାରଦର୍ଶୀ ଲେଖକମାନେ କାବ୍ୟ, କବିତା, ପ୍ରବନ୍ଧ, ସ୍ତମ୍ଭଲିଖନ, ଅନୁବାଦ, ଗଳ୍ପ, ଉପନ୍ୟାସ ଆଦି ସାହିତ୍ୟର ନାନାବିଧ ସୋପାନରେ ନିଜର ଛାପ ଛାଡ଼ିବାରେ ସଫଳ ହୋଇଛନ୍ତି। ସେହି ସଫଳ ବ୍ୟକ୍ତିତ୍ୱମାନଙ୍କର ସୃଜନ ଓ ଜୀବନକୁ ନେଇ ଓଡ଼ିଆ ସାହିତ୍ୟରେ କଳାବିଭୂଷଣ ଉପାଧି ନିମନ୍ତେ ଗବେଷଣାତ୍ମକ ନିବନ୍ଧ ମଧ୍ୟ ପ୍ରସ୍ତୁତ ହୋଇଛି। ଏ ଦିଗରେ ପ୍ରଥମ ପ୍ରୟାସ କରିଥିଲେ ଡ. କୃଷ୍ଣଚରଣ ବେହେରା। ତାଙ୍କରି ପଦାଙ୍କ ଅନୁସରଣ କରି ପ୍ରାୟ ପଚାଶରୁ ଊର୍ଦ୍ଧ୍ୱ ଇସ୍‌ଲାମ ଲେଖକଙ୍କ ସାରସ୍ୱତ ଅବଦାନକୁ ନେଇ ଉମେଶ ପତ୍ରୀ ରଚନା କରିଥିଲେ ‘ଓଡ଼ିଆ ସାହିତ୍ୟକୁ ମୁସଲମାନ ସାହିତ୍ୟିକଙ୍କ ଅବଦାନ ଓ ଅନ୍ୟାନ୍ୟ ପ୍ରବନ୍ଧ’। ଏହାର ପରବର୍ତ୍ତୀ ସମୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଡ଼କ୍ଟର ମହମ୍ମଦ ଆୟୁବ ପିଏଚଡ଼ି ନିମନ୍ତେ ଗବେଷଣାର ବିଷୟବସ୍ତୁ ଭାବରେ ‘ମୁସଲମାନ ସାରସ୍ୱତ ସାଧକ ଓ ଓଡ଼ିଆ ସାହିତ୍ୟ’ ଶୀର୍ଷକରେ ଓଡ଼ିଆ ଲେଖୁଥିବା ମୁସଲମାନ ସ୍ରଷ୍ଟାଙ୍କ ସଂପର୍କରେ ଅନେକ ତଥ୍ୟ ଉପରେ ଆଲୋକପାତ କରିଛନ୍ତି।

ସକ୍ରିୟ ସାଧକ
ସାଂପ୍ରତିକ ସମୟରେ ସକ୍ରିୟ ଭାବରେ ଓଡ଼ିଆ ସାହିତ୍ୟ ସାଧନା କରୁଥିବା ଇସଲାମ ଲେଖକଙ୍କ ମଧ୍ୟରୁ ଅବୁଜଫର ଫଜଲ ହକ (ନିଜ ଅଞ୍ଚଳରେ କୁନା ସାର୍ ଭାବରେ ପରିଚିତ) ହେଉଛନ୍ତି ଅନ୍ୟତମ। ସେ ୧୯୩୯ ମସିହାରେ ନୂଆଖାଇରେ ଜନ୍ମଗ୍ରହଣ କରିଥିଲେ। ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରୁ ତାଙ୍କର ସାହିତ୍ୟ ପ୍ରତିରୁଚି ଥିଲା। ‘ଶିକ୍ଷା ପ୍ରଦୀପ’, ‘ଜୀବନରଙ୍ଗ’, ‘ଉତ୍କଳ ସାହିତ୍ୟ’, ‘ଗଳ୍ପଝର’, ‘ପୌରୁଷ’, ‘ଆଲୋକ’ ଆଦି ପତ୍ରିକାରେ ତାଙ୍କର ମୌଳିକ ତଥା ଅନୂଦିତ ଗଳ୍ପଗୁଡ଼ିକ ପ୍ରକାଶ ପାଉଥିଲା। ସେ ବୃତ୍ତିରେ ଜଣେ ବିରିଷ୍ଠ ଶିକ୍ଷକ ହୋଇଥିଲେ ହେଁ ସାହିତ୍ୟ କ୍ଷେତ୍ରରେ ସେ ଏକାଧାରରେ ଥିଲେ ଜଣେ ଶିଶୁ ସାହିତ୍ୟିକ, ଗୀତିକବି, ଗାଳ୍ପିକ, ଗଜଲକାର, ସ୍ତମ୍ଭକାର, ଅନୁବାଦକ, ସଂକଳକ ତଥା ସଂପାଦକ। ସୁଖ- ଦୁଃଖ, ପ୍ରେମ-ପ୍ରଣୟ, ଆଧ୍ୟାତ୍ମିକତା, ବିପ୍ଲବ-ବିଦ୍ରୋହ ପରି ପ୍ରତିଟି ଉପାଦାନକୁ ନେଇ ସେ ସାହିତ୍ୟରେ ରୂପାୟିତ କରିଛନ୍ତି। ଗଳ୍ପ ସଂକଳନ ‘ତୁଳସୀ’ , କବିତା ସଂକଳନ ‘ଚତୁର୍ଦ୍ଧା’ ସ୍ତମ୍ଭ ସାହିତ୍ୟ ‘କଥା ଓ ବ୍ୟଥା’, ଗଜଲମାଳା ‘ଶ୍ରାବଣୀ’, ଛଅଗୋଟି ବୈଦେଶିକ କାହାଣୀ, ତିନୋଟି ଜୀବନୀ ପୁସ୍ତକ, ଅନୁବାଦ ନାଟକ ‘ଦରଜା ଖୋଲିଦିଅ’ ଅନୂଦିତ ଗଳ୍ପ ସଂକଳନ ‘ପଂଜୁରୀ ଓ ପଦ୍ମ’, ଧର୍ମଗ୍ରନ୍ଥ ‘ଇସଲାମ୍ ଏକ ପରିଚୟ’ ଆଦି ପୁସ୍ତକଗୁଡ଼ିକ ଅବୁଫଜର ଫଜଲ ହକଙ୍କ ଦ୍ୱାରା ଲିଖିତ ଯାହାଙ୍କୁ ଆମେ ଜଫର ଅକବରୀ ଭାବରେ ଜାଣୁ। କ୍ରୁଷ୍ଣାୟନ, ପଲ୍ଲୀଭାରତ ସାରସ୍ୱତ ସାଂସ୍କୃତିକ ପରିଷଦ, କଟକ ସଦର ସ୍ୱାଭିମାନ ମଞ୍ଚପରି ସାହିତ୍ୟ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ତାଙ୍କର ସାରସ୍ୱତ ସାଧନା ପାଇଁ ୨୦୦୫ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଛନ୍ତି।
ସାଂପ୍ରତିକ ସମୟର ଜଣେ ପ୍ରତିଭାବାନ କବି ଜହିରୁଦ୍ଦିନ ଖାଁ, ଖୋର୍ଦ୍ଧା ନିକଟସ୍ଥ ମାଣିକଗୋଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ସର୍ବମୋଟ ତିନିଗୋଟି କାବ୍ୟରଚନା କରିଛନ୍ତି। ‘ଝରଣା’, ‘ଶ୍ରାବଣ’ ଓ ‘ବୈଦେହୀ’। ତନ୍ମଧ୍ୟରୁ ଝରଣା କାବ୍ୟଟି ୧୯୮୩ ମସିହାରେ ପ୍ରକାଶିତ। କଳାହାଣ୍ଡି ଜିଲ୍ଲାର ମାଟି-ପାଣି-ପବନ ଓ ପ୍ରକୃତିକୁ ପାଥେୟ କରି ଉଭୟ ଉପେନ୍ଦ୍ର ଭଞ୍ଜ ଓ ରାଧାନାଥ ରାୟଙ୍କ ମିଶ୍ରିତ ଶୈଳୀରେ ଗଢ଼ିଛନ୍ତି ଅନେକ କାବ୍ୟ କଳିକା। କନ୍ଧଯୁଗଳ ଝର ଓ ଫୁଲରୀର ପ୍ରେମ-ପ୍ରଣୟ-ମୃତ୍ୟୁକୁ ନେଇ ଏଗାରଟି ସର୍ଗରେ କାବ୍ୟ ପରିମଣ୍ଡିତ। ତାଙ୍କର ସମକାଳୀନ କାବ୍ୟକାର ତଥା ୧୯୪୬ ମସିହା ମାର୍ଚ୍ଚ ଆଠରେ ଜନ୍ମ ଗ୍ରହଣ କରିଥିବା ଗୈାନ୍ତିଆ ଜମିଉଲ୍ଲାଙ୍କ କଥା ଏହି ଅବସରରେ ସ୍ମରଣ କରାଯାଇପାରେ। ପ୍ରେମ ବିପ୍ଲବର ମିଶ୍ରିତ ରାଗରେ ଝଙ୍କୃତ ତାଙ୍କର କାବ୍ୟ ମଧ୍ୟ ବେଶ ପାଠକୀୟ ଆଦୃତି ଲାଭ କରିଥିଲା।
ଓଡ଼ିଆ ଗଜଲ
ସର୍ବ ପ୍ରଥମେ ଓଡ଼ିଆ ଗଜଲକୁ ଶବ୍ଦରୂପ ଦେଇଥିବା ଗୀତିକାର ହେଉଛନ୍ତି କୁଦରତ୍ ଅଲ୍ଲୀ କୁଦରତ୍। କବିତାରେ ସାମ୍ୟବାଦୀ ଚିନ୍ତା ଚେତନା ନେଇ ଦଳିତ, ଶୋଷିତ, ସର୍ବହରାଙ୍କ ଉଦ୍ଦେଶ୍ୟରେ ଲାଲ ସଲାମ , ଇନକିଲାବ ସ୍ଲୋଗାନ ଦେଇଥିବା ବିଦ୍ରୋହୀ ସମୟକ୍ରମେ ପରିବର୍ତ୍ତିତ ହୋଇଛନ୍ତି ଆଧ୍ୟାତ୍ମିକ ସମର୍ପିତ ଭକ୍ତିଭାବନାର ଆଗ୍ନେୟ ଖଣିଜ ପଦାର୍ଥରେ। ଆତ୍ମୋପଲବ୍ଧିର ଉତ୍ତରଣ ତାଙ୍କୁ ଦିବ୍ୟତା ଓ ବିଭୁ ଚେତନା ଆଡ଼କୁ ପ୍ରବର୍ତ୍ତାଇଛି। ସେ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖ ଜଗତସିଂହପୁର ଓଳପାଟକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସ୍କୁଲ ସାହିତ୍ୟ ଶିକ୍ଷକ ବୀରକିଶୋର ତ୍ରିପାଠୀଙ୍କ ଠାରୁ ପ୍ରେରିତ ହୋଇ ସେ କବିତା ରଚନାରେ ମନୋନିବେଶ କରିଥିଲେ। ଡ. କରାମତ୍‌ଅଲୀ କରାମତଙ୍କ ଆଗ୍ରହ ଓ ପ୍ରୋତ୍ସାହନ କ୍ରମେ ସେ ଓଡ଼ିଆ ଗଜଲ ଲେଖିବା ଆରମ୍ଭ କଲେ। ଊର୍ଦ୍ଦୁ ଗଜଲ ଲେଖକ ଅବଦୁଲ୍ ଲତିଫ ଆରିଫ୍ ସାହେବଙ୍କ ଠାରୁ ଉର୍ଦ୍ଦୁ ଗଜଲ ଲେଖିବାର ରୀତି ଶିକ୍ଷାଲାଭ କରି ଓଡ଼ିଆ ଗଜଲ ରଚନା ଦିଗରେ ପ୍ରବେଶ କରିଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରଚିତ ତାଙ୍କ ଗଜଲର କିଛି ପଂକ୍ତି ହେଉଛି:-
“ଧାଇଁ ଆସିଛି ହେ ପତିତପାବନ
ଦେଖିବା ପାଇଁ ତୋ କଳାବଦନ
ଶ୍ରୀମନ୍ଦିରେ ପାଦ ଥାପିବା ମୋ ମନ
ରତ୍ନ ସିଂହାସନ ଦେଖିବା ମୋ ମନ
ଭକ୍ତ ସାଲବେଗ ସାଜିପାରିବିନି
ଦାସିଆ ପରି ମୁଁ ଡାକିପାରିବିନି।’
ଉଭୟ ମିତ୍ରାକ୍ଷର ଓ ଅମିତ୍ରାକ୍ଷର ଛନ୍ଦରେ ରଚିତ ତାଙ୍କ କବିତା ସଂକଳନ ‘ବିଧି ବିଚିତ୍ରା’, କୋରାନ ଓ ହଦୀଥ୍ ଆଧାରରେ ରଚିତ ‘ମହାପୁରୁଷ ହଜରତ୍ ମହମ୍ମଦ’ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଏତଦ୍‌ଭିନ୍ନ ସେ ଅନୁବାଦ କଳାରେ ଧୂରୀଣ। ଭାଗ୍ୟଲକ୍ଷ୍ମୀ ମିଶ୍ରଙ୍କ ‘ପାନଡାଲା’ ଗଳ୍ପ ସଂକଳନକୁ ସେ ‘ପାନଦାନ୍‌’ ନାମରେ ଊର୍ଦ୍ଦୁ ଅନୁବାଦ କରିଛନ୍ତି। ସେ ଡ. ସୁଶୀଲ ବାହିମାଙ୍କ କବିତା ସଂକଳନ ‘ଶିଉଳି ଫୁଲ’ ଓ ରାମନିବାସ ‘ମାନବ’ଙ୍କ କବିତାକୁ ‘ଶରଶଯ୍ୟା’ ନାଁରେ ଓଡ଼ିଆରେ ଅନୁବାଦ କରିଛନ୍ତି। ଗଜଲ୍ ପାଇଁ ‘ଅକ୍ଷୟ ସମ୍ମାନ’, ବିଭୁ ଜଣାଣ ପାଇଁ ‘ଭକ୍ତ ସାଲବେଗ ସମ୍ମାନ’ ସେ ହାସଲ କରିଛନ୍ତି। ତାଙ୍କ ସମସାମୟିକ ଅନ୍ୟତମ ସକ୍ରିୟ ସାହିତ୍ୟ ଶିଳ୍ପୀ ହେଉଛନ୍ତି ବସିରନ୍ ବିବି। ୧୯୫୦ ମସିହା ଅକ୍ଟୋବର ମାସ ଏକ ତାରିଖରେ ନୟାଗଡ଼ରେ ତାଙ୍କ ଜନ୍ମ। ନୀତିଶିକ୍ଷାମୂଳକ ଓ କୋରାନ୍ ଆଧାରିତ ଗଳ୍ପ ରଚନାରେ ସେ ଥିଲେ ସିଦ୍ଧହସ୍ତା। ତାଙ୍କଦ୍ୱାରା ରଚିତ ଓ ପ୍ରକାଶିତ ପୁସ୍ତକ ହେଉଛି- ‘ଶିଖିବା ପାଇଁ କି ସକାଳଟିଏ’, ‘ମମତାର ମଧୁଝର’, ‘ମିତଙ୍କ ପାଇଁ ଗୀତ’ , ‘ସ୍ୱପ୍ନ ରାଜ୍ୟ ମେନନ୍ ହେ ବୈଜ୍ଞାନିକ’ (ହିନ୍ଦୀ), ‘କୋରାନ ଆଧାରିତ ସାରସ୍ୱତ ଗଳ୍ପଗୁଚ୍ଛ’, ‘ମହାପୁରୁଷଙ୍କ ମହତକଥା’, ‘ଶତାବ୍ଦୀର ଅନ୍ତସ୍ୱର’, ‘ପ୍ରତ୍ୟାଶା’, ‘ସୂର୍ଯ୍ୟୋଦୟ ପଥେ’ ଆଦି ଗଳ୍ପ ସଂକଳନ ତାଙ୍କ ଦ୍ୱାରା ରଚିତ। ନୀତି, ଆଦର୍ଶ, ସଂସ୍କାର, ଉଚିତ୍‌-ଅନୁଚିତ୍ ଆଦି ଶିକ୍ଷଣୀୟ ମାନଦଣ୍ଡ ନେଇ ତାଙ୍କ ଗଳ୍ପ ହୋଇଛି ବଳିଷ୍ଠ।
ଏହି ସମୟରେ ମହମ୍ମଦ ହଜରତ୍‌ଙ୍କ ଗୁଣଗାନ ପୂର୍ବକ ମିତ୍ରାକ୍ଷର ଛନ୍ଦରେ କବିତା ରଚନା କରି ବେଶ୍ ଚର୍ଚ୍ଚିତ ହୋଇଥିଲେ କବି ମୁବାରକ ହୁସେନ ‘ସଲାମତ’। ସେ ୧୯୫୭ ମସିହା ଫେବୃଆରୀ ୨୫ ତାରିଖରେ କଟକସ୍ଥ ରଘୁନାଥପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଈଶ୍ୱର ବିଶ୍ୱାସ, ଭକ୍ତି ସାବଲୀଳ ଶବ୍ଦରେ ଝରିଆସିଛି କବିତା ହୋଇ। ଏହାର ନିଦର୍ଶନ ‘ତୁମେ ହିଁ ଈଶ୍ୱରଆଲ୍ଲା’ କବିତାରେ ଦେଖାଯାଇପାରେ।
ସଂପ୍ରତି ରେଭେନ୍ସା ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗରେ ସହକାରୀ ଅଧ୍ୟାପିକା ଭାବେ ନିଯୁକ୍ତ ଥିବା ଅଂଜୁମନ ଆରା ନିଜ ବ୍ୟସ୍ତବହୁଳ ଜୀବନଜୀବିକା ଭିତରେ ସାହିତ୍ୟକୁ ଜାବୁଡ଼ି ରଖିପାରିଛନ୍ତି ନିଜ ଭାବନାର ଶବ୍ଦରାଜିରେ। ସେ ଏକାଧାରରେ କବୀ, ପ୍ରାବନ୍ଧିକା ଓ ଅନୁବାଦିକା। ତାଙ୍କର ସମ୍ବେଦନଶୀଳ ହୃଦୟ ଓ ବ୍ୟକ୍ତିତ୍ୱ ହେତୁ ସମାଜରେ ଘଟୁଥିବା ଅନ୍ୟାୟ, ଅତ୍ୟାଚାର, ଶୋଷଣ, ପଶୁହତ୍ୟା ପରି ଅନେକ ଅସହ୍ୟ ଉପାଦାନ ମୁଣ୍ଡ ଟେକିଛି ତାଙ୍କ କବିତାରେ। ସେ ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ରଚନା କରିଛନ୍ତି ସାହିତ୍ୟ ସୌଧ। ଅନେକ ହିନ୍ଦୀ ପତ୍ରିକାରେ ତାଙ୍କ ରଚିତ ଗବେଷଣାତ୍ମକ ନିବନ୍ଧ ଓ ଗଳ୍ପ ପ୍ରକାଶ ପାଇଛି। ଏହି ସ୍ରଷ୍ଟା ଜନ୍ମଲାଭ କରନ୍ତି ଫେବ୍ରୁଆରୀ ୩୦ , ୧୯୬୫ ମସିହା କଟକ ଜିଲ୍ଲାରେ। ସେ ଦ୍ୱିତୀୟ ସାଲବେଗ ଭାବେ ଓଡ଼ିଶା ପୁରପଲ୍ଲୀରେ ପରିଚିତ ମହମ୍ମଦ ସିକନ୍ଦର ଆଲାମଙ୍କ ଝିଆରୀ। ଉପଯୁକ୍ତ ଦାୟାଦ ଭାବେ ଶିକ୍ଷା କ୍ଷେତ୍ରରେ ‘ମାଟିମଟାଳ’ ମୂଳ ଉପନ୍ୟାସ ଓ ଏହାର ହିନ୍ଦୀ ଅନୁବାଦ: ତୁଳନାତ୍ମକ ଅଧ୍ୟୟନରେ ଏମ୍‌.ଫିଲ୍‌, ‘ମହାଦେବୀ ବର୍ମା ଓ କୁନ୍ତଳା କୁମାରୀ ସାବତ: ତୁଳନାତ୍ମକ ଅଧ୍ୟୟନ’ ସନ୍ଦର୍ଭ ରଚନା କରି ଜେ.ଏନ୍‌.ୟୁ.ରୁ ପିଏଚ୍‌.ଡି ଲାଭ କରିଥିଲେ। ସେ ‘ଭଲପାଇବା’, ‘ପ୍ରେମ’,‘ସ୍ୱଚ୍ଛ ଅର୍ଜନ’, ‘ପ୍ରଭାବିତ କରିଛି’, ‘ବିଶ୍ୱକର୍ମା’ ଆଦି କବିତାରେ ତାଙ୍କ ପ୍ରତିଭାର ନିଦର୍ଶନ ଦେଖିବାକୁ ମିଳେ। ସାରସ୍ୱତ ସାଧନା ପାଇଁ ସେ ସ୍ୱାଗତିକା ସମ୍ମାନ, ସାହାଣ ମେଳା ସମ୍ମାନ, ରାଜଭାଷା ସମ୍ମାନ, ଫକୀରମୋହନ ସେନାପତି ସମ୍ମାନ ଓ ଅରୁଣପ୍ରଭା ସମ୍ମାନର ଅଧିକାରୀ ହୋଇଥିଲେ।
ଦ୍ୱିଭାଷିକ ପତ୍ରିକା
ଏହି ସମୟର ଅନ୍ୟତମ ଶବ୍ଦଶିଳ୍ପୀ କବି ଇନାୟତ୍ ଅଲ୍ଲୀ ଖାନ୍। ସେ ବହୁ ପ୍ରତିଭାର ଅଧିକାରୀ ଓ ଉଦ୍‌ଯୋଗୀ ସାଧକ। ଅନେକ ପ୍ରତିକୂଳତାର ଶିକାର ହୋଇ ପ୍ରକାଶିତ କରିଛନ୍ତି ଊର୍ଦ୍ଦୁ ଓଡ଼ିଆ ଦ୍ୱିଭାଷିକ ପତ୍ରିକା ‘ଅପନା ତର୍ଜୁମାନ’, ସମାନ ନାଁରେ ଟିଭି ଚ୍ୟାନେଲ ଆଉ ‘ସାହିତ୍ୟ ତର୍ଜୁମାନ’ ନାମରେ ୟୁଟୁବ ଚ୍ୟାନେଲରେ ପାକ୍ଷିକ କବିତା ଆସର ସେ ନିୟମିତ ପ୍ରସାର କରୁଥିଲେ।

ସେ ଥିଲେ ଜଣେ ଦକ୍ଷ ସଂପାଦକ, ସଂକଳକ ଅନୁବାଦକ ଓ ଭିନ୍ନ ସୁରଭିର ଗଜଲକାର। ୨୦୧୯ ସମିହା ଡିସେମ୍ବର ୨୭ରେ ପ୍ରକାଶ ପାଇଥିଲା ତାଙ୍କ ରଚିତ ଗଜଲ୍ ଆଉ ଗୀତର ସଂକଳନ ‘ଜୀବନ ଗୀତି’। ଏହାପରେ ‘ଶବ୍ଦ ଜୁଆର’, ‘ଶବ୍ଦ ତୁମେ’, ‘ବିପ୍ଲବ ସ୍ୱର’ ଆଦି ଗଜଲ ଓ ଗୀତିକବିତା ସଂକଳନ ପ୍ରକାଶ କରି ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି। କବି ପ୍ରଶାନ୍ତ ଦାସଙ୍କ “ଜରି ଗୋଟାଇବା ଝିଅ’ର ହିନ୍ଦୀ ଅନୁବାଦ, ବାଲେଶ୍ୱରର ଦଶ ସଫଳ ବ୍ୟକ୍ତିତ୍ୱଙ୍କ ଜୀବନୀକୁ ନେଇ ‘ପ୍ରେରଣାର ସ୍ରୋତ’, ବାଲେଶ୍ୱରର କୋଡ଼ିଏ କବିଙ୍କ ପରିଚୟ ସହ ପାଞ୍ଚୋଟି ଲେଖାଏଁ କବିତା ନେଇ ‘କବି ଓ କବିତା’ ସଂକଳନ ପ୍ରକାଶିତ କରିଛନ୍ତି। ତାଙ୍କର ଜନ୍ମ ମେ ୧୧ ତାରିଖ ୧୯୬୫ ମସିହାରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ହୋଇଥିଲା। କରୋନା ପ୍ରତିକୂଳତାରେ ପଛରେ ପଡ଼ିଯାଇଥିଲେ ବି ସାହିତ୍ୟକୁ ଅଗ୍ରପୂଜ୍ୟ କରି ରଖିଛନ୍ତି ସେ ଆଜୀବନ।
ଓଡ଼ିଆ ଗଜଲ୍ ଏକାଡେମୀର ପ୍ରତିଷ୍ଠାତା ଡ.ଅହମ୍ମଦ ଆୟୁବ ଖାନ୍‌ଙ୍କର ଜନ୍ମ ହୁଏ ୧୯୬୫ ମସିହା ଜୁନ୍ ୨୮ ତାରିଖରେ। ସେ ଜଣେ ଜ୍ୟୋତିର୍ମାନ ଗବେଷକ, ଗଜଲକାର ଓ ଗାଳ୍ପିକ। ତାଙ୍କ ରଚିତ ଉପାଦେୟ ଆଲୋଚନା ଗ୍ରନ୍ଥଗୁଡ଼ିକ ହେଉଛି ‘ଊର୍ଦ୍ଦୁ ଗଜଲ ଛାୟାରେ ଅକ୍ଷୟ ମହାନ୍ତିଙ୍କ ଗଜଲ’, ‘ଓଡ଼ିଆ ଗଜଲର ସଂକ୍ଷିପ୍ତ ଇତିହାସ’, ‘ଓଡ଼ିଆ ସାହିତ୍ୟରେ ମୁସଲମାନ ସାରସ୍ୱତ ସାଧକ’ (ପିଏଚଡି ନିବନ୍ଧ) ‘ଓଡିଶାରେ ଉର୍ଦ୍ଦୁ ସାହିତ୍ୟର ଇତିହାସ’, ‘ଉର୍ଦ୍ଦୁ ସାହିତ୍ୟରେ ଅଣଉର୍ଦ୍ଦୁଭାଷୀ ସାରସ୍ୱତ ସାଧକ’, ମୁସଲମାନ ଲେଖଙ୍କ କୃତିରେ ଜଗନ୍ନାଥ ଚେତନା ସଂପର୍କିତ ପୁସ୍ତକ ‘ଓଡ଼ିଆ ସାହିତ୍ୟରେ ମୁସଲମାନ କୃତି’ ମହମ୍ମଦ ଆୟୁବଙ୍କୁ ସ୍ୱତନ୍ତ୍ର ସମ୍ମାନର ଅଧିକାରୀ କରାଇଛି। ଏତଦବତୀତ ସ୍ୱତନ୍ତ୍ର ‘କାବୁଲିଶୈଳୀ’ରେ ରଚିତ ‘ଗଜଲମାଳା’ ଓ ‘ଇଣ୍ଟରଭ୍ୟୁ’, ‘ଅଦିନିଆ ଶ୍ରାବଣୀର ଶେଷ ଅଭିଳାଷ’, ‘ଉତ୍ସର୍ଗ’,‘ପ୍ରୀତିଶବ୍ଦ’ ଆଦି ଗଳ୍ପର ସମାହାର ‘ସ୍ମୃତିଲହରୀ’ ସଂକଳନର ପ୍ରଭାବକୁ ଅସ୍ୱୀକାର କରାଯାଇ ନପାରେ।
ବେଧଡ଼କ ଶବ୍ଦ ବିନ୍ଧାଣି
ଜଣେ ବେଧଡ଼କ ଅସ୍ଥିର ଶବ୍ଦ ବିନ୍ଧାଣି ହେଉଛନ୍ତି କବି, ଗାଳ୍ପିକ, ସମୀକ୍ଷକ, ଅନୁବାଦକ, ନାଟ୍ୟକାର, ‘ନନସେନ୍ସ୍’ ସାହିତ୍ୟ ଲେଖକ ଜାକୀର ଖାନ୍। ମୈାଳିକତା ଓ ସ୍ୱତନ୍ତ୍ରତାକୁ ବଜାୟ ରଖିବାକୁ ସେ ନୂତନ ଚିନ୍ତନ, ନୂତନ ପରିପ୍ରକାଶ ଶୈଳୀ, କଥାବସ୍ତୁ ଓ ଗଠନ ବିନ୍ୟାସ ଦୃଷ୍ଟିରୁ ନାନା ପରୀକ୍ଷା ନିରୀକ୍ଷା କରିଚାଲିଛନ୍ତି। ବିନ୍ଦାସ ଶବ୍ଦ ପ୍ରୟୋଗରେ ନିଚ୍ଛକ ମନୋଭାବକୁ ସାହିତ୍ୟ ରୂପ ଦେବାରେ ସେ ପ୍ରବୀଣ। କବିତାରେ ପ୍ରେମ, ବିଦ୍ରୋହ, ସମବେଦନା ତଥା ଜୀବଜନ୍ତୁ ଆଦି ମାନବ ଓ ମାନବେତର ଚରିତ୍ରକୁ ନେଇ କବିତା ବିନ୍ୟାସ କରିଥିଲା ବେଳେ ଗଳ୍ପରେ ଭୈାତିକ ଠାରୁ ମାନବୀୟ ଚରିତ୍ର ଚିତ୍ରିତ ହୋଇଛନ୍ତି। ସେ ନିଜର ସାହିତ୍ୟକୁ ଯଥାର୍ଥ ନ୍ୟାୟ ଦେବା ପାଇଁ ନିଚ୍ଛକ ଭାବେ ସାହିତ୍ୟରେ ପରିପ୍ରକାଶ କରନ୍ତି ଗାଳି ଓ ତାଳିକୁ ଭ୍ରୂକ୍ଷେପ ନକରି। ତାଙ୍କ ପ୍ରକାଶିତ କବିତା ସଂକଳନ ଭିତରେ- ‘ନନ୍ଦନକାନନ’, ‘ଖଇରୀ’, ‘ଦେଖିବା କ’ଣ ହୋଇଛି’, ଗଳ୍ପସଂକଳନ- ‘ସମୁଦ୍ର କୂଳରେ ଦୁଇଜଣ ଦୁଇଥର’, ନାଟକ ‘ଜାରଜ’ ମଧ୍ୟ ପ୍ରକାଶିତ। ତାଙ୍କର ଆସନ୍ନ ପ୍ରକାଶିତ ହେବାକୁ ଥିବା ଗଳ୍ପ ପାଣ୍ଡୁଲିପି ହେଉଛି ‘ସାଦାପୃଷ୍ଠାର ଜାଗାସବୁ’। ଏତଦ୍‌ବ୍ୟତୀତ ସେ ବିଜୟ ପଣ୍ଡିତଙ୍କ ହିନ୍ଦୀ ନାଟକକୁ ‘ପୂର୍ଣ୍ଣ ପୁରୁଷ’ ନାମରେ ଏବଂ ମୋଲିଏରଙ୍କ ନାଟକକୁ ‘ଗୋବର୍ଦ୍ଧନ ଓରଫ ଗୋବରା କାମ୍ପି’ ନାମରେ ଅନୁବାଦ କରିଛନ୍ତି। ଖବରକାଗଜରେ ପ୍ରକାଶିତ ସମୀକ୍ଷା ଓ ‘ଫମାଲୋଚନା’ ତାଂକ ବ୍ୟକ୍ତିତ୍ୱକୁ ଅଧିକ ପ୍ରତିଭାଦୀପ୍ତ କରେ।
ଏକବିଂଶ ଶତାବ୍ଦୀରେ କଲମ ଚାଳନା କରୁଥିବା ଅସୀମ ସମ୍ଭାବନାର ସାରସ୍ୱତ ସାଧକ ହେଉଛନ୍ତି କବି ତଫିଜୁଲ୍ ହୁସେନ୍। ସେ ୧୯୭୩ ମସିହା ମେ ୧୫ ତାରିଖରେ ସମ୍ବଲପୁର ଚିପିଲିମା ଠାରେ ଜନ୍ମଗ୍ରହଣ କରିଥିଲେ। ସାହିତ୍ୟରେ ରୁଚି ହେତୁ କବିତାରେ କଲମଚାଳନା ସହ ‘କଲମ ପରିବାର ଅନୁଷ୍ଠାନ’ ସହ ଯୋଡ଼ି ହୋଇ ନୂତନ କବିମାନଙ୍କୁ ମଞ୍ଚ ପ୍ରଦାନର ସୁଯୋଗ ଦେଉଛନ୍ତି। ତାଂକ ସଂପାଦନାରେ ‘କଲମ ଇ-ସାହିତ୍ୟ ପତ୍ରିକା’ ପାକ୍ଷିକ ପ୍ରକାଶିତ ହେଉଛି। ତାଙ୍କର ଏଯାବତ୍ କୌଣସି ପୁସ୍ତକ ପ୍ରକାଶିତ ନ ହୋଇ ବି ରଚିତ କବିତାଗୁଡିକ ସମ୍ଭ୍ରାନ୍ତ ପତ୍ରିକାରେ ପୃଷ୍ଠାମଣ୍ଡନ କରି ପାଠକୀୟ ଆଦୃତି ଲାଭ କରିଛି। ତାଙ୍କ ରଚିତ କବିତା ଭିତରେ ‘ମୁକ୍ତିର ପଥ’, ‘ଭୋକର ଭୂଗୋଳ’, ‘କର୍ମଫଳ’ ଆଦି ଉଲ୍ଲେଖଯୋଗ୍ୟ।
‘ମୁଁ ତ ସବୁଦେଇଛି ତୁମକୁ
ତାକୁ ସାଇତି ରଖିବା ଦାୟିତ୍ୱ ତୁମର
କିଛିତ କର୍ତ୍ତବ୍ୟ ପାଳନ କର
ହଁ ଏହି ଚିତ୍କାର ସେପାଖରେ
ରହିଛି ମୋକ୍ଷ ଦ୍ୱାର
ଯାହା ସର୍ବଦା ଉନ୍ମୁକ୍ତ
ସେ ପଥ ଲଭିବା ପାଇଁ
କେବଳ ସତକର୍ମ ହିଁ ଅଟେ ଆଧାର।’
(ମୁକ୍ତିରପଥ, ତଫିଜୁଲ୍ ହୁସେନ୍‌)
ଉତ୍ତରଣ, କର୍ମକର୍ତ୍ତବ୍ୟ ଓ ବିଭୁ ଚେତନାରେ ସିକ୍ତ କବିତାଗୁଡ଼ିକ ପାଠକ ହୃଦୟ ତରଳାଇବାର କ୍ଷମତା ରଖେ।
ସାହିତ୍ୟ କେବଳ ସତକୁ ଆପଣାଏ। ସାହିତ୍ୟରେ ଜାତି କ’ଣ, ଧର୍ମ କ’ଣ ? ହିନ୍ଦୁ ହେଉ ଅବା ମୁସଲମାନ, ସାହିତ୍ୟ କାହାର ଏକଛତ୍ର ବ୍ୟାପାର ନୁହେଁ। ଏକବିଂଶ ଶତାବ୍ଦୀରେ ମୁସଲମାନ ଯୁବପିଢିଙ୍କ ଅଧିକା ଆଗମନ ସହ ସାହିତ୍ୟ ବଳିଷ୍ଠ ରୂପ ନେଉ। ଏହାଦ୍ୱାରା କେବଳ ପାରସ୍ପରିକ ସୈାହାର୍ଦ୍ଦ୍ୟ ଯେ ରହିବ ତା’ନୁହେଁ, ବରଂ ଓଡ଼ିଆ ଭାଷାର ଭଣ୍ଡାର ମଧ୍ୟ ବିସ୍ତାରିତ, ପରିପୁଷ୍ଟ ହେବ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମାର୍ଚ୍ଚ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )

One thought on “ଇସଲାମ ଧର୍ମାବଲମ୍ବୀ ସ୍ରଷ୍ଟାଙ୍କ କଲମରେ ସମକାଳୀନ ଓଡ଼ିଆ ସାହିତ୍ୟ

  1. ପଢ଼ିଲି ପତ୍ରିକାରେ। ବହୁତ ଜ୍ଞାନବନ୍ତ ଲେଖା।

Leave a Reply

Your email address will not be published. Required fields are marked *