ମାଡ଼ ଦୋକାନ

ଏହି ଦୋକାନଟି ଖୋଲିବା ପରେ ଲୋକେ ଏଠାକୁ ଆସି ମାତ୍ର ପାଞ୍ଚଟଙ୍କା ଖର୍ଚ୍ଚକରି ଯନ୍ତ୍ରଣାରୁ ମୁକ୍ତି ପାଉଛନ୍ତି।

ହରେକୃଷ୍ଣ ସାହୁ

ଫୁଟପ୍ୟାଥ୍‌ରେ ଦୋକାନୀମାନେ ଧାଡ଼ି ଧାଡ଼ି ହୋଇ ବସିଛନ୍ତି। ସମସ୍ତଙ୍କ ଦୋକାନରେ ଖଣ୍ଡେ ଖଣ୍ଡେ ଛୋଟ ଟିଣ, କାଠ କିମ୍ବା ପଟିର ବୋର୍ଡ ଲାଗିଛି। ସେଥିରେ ଜିନିଷର ମୂଲ୍ୟ ଲେଖା ଯାଇଛି।
ଅଣ୍ଡା ଗୋଟା ପାଞ୍ଚଟଙ୍କା। ଚାହା ଏକ କପ୍ ପାଞ୍ଚଟଙ୍କା। ଜୋତା ପଲିସ୍ ପାଞ୍ଚଟଙ୍କା। ହସ୍ତରେଖା ବିଶାରଦଙ୍କ ହାତଦେଖା ପାଞ୍ଚଟଙ୍କା। ମକାପୋଡ଼ା ପାଞ୍ଚଟଙ୍କା। କ୍ୟାନନ୍ ଜେରକ୍ସ ପାଞ୍ଚଟଙ୍କା।
ତା’ ମଝିରେ ଗୋଟେ ଦୋକାନ ଅଛି। ମାଡ଼ ଦୋକାନ। ଲେଖାଯାଇଛି, ଚାପୁଡ଼ା ଗୋଟା ପାଞ୍ଚଟଙ୍କା। ସେଇ ଦୋକାନରେ ବହୁତ ଭିଡ଼ ହେଉଛି। ବେପାର ବଢ଼ିଆ ଚାଲିଛି। ଖୁବ ଭିଡ଼ ହେଉଛି । ତେଣୁ ଚାପୁଡ଼ା ଗୋଟାକର ମୂଲ୍ୟ ମାତ୍ର ପାଞ୍ଚଟଙ୍କା କରିଥିବାରୁ ଦୋକାନୀଟି ଏବେ ଅନୁତାପ କରୁଛି। ଭାବୁଛି ଚାପୁଡ଼ାର ମୂଲ୍ୟ ପଚାଶ କି ଶହେଟଙ୍କା କରିଥିଲେ ଭଲ ହୋଇଥାନ୍ତା। ଫୁଟପ୍ୟାଥରେ ଦୋକାନ କଲେ ଏଇଭଳି ଭୁଲ୍ ହୁଏ। ଏଠି ସବୁକିଛିର ଦର ପାଞ୍ଚଟଙ୍କା ଦେଖି ସେ ବି ହରଏକ୍ ମାଲ୍ ଭଳି ସମସ୍ତଙ୍କ ସହିତ ସମାନ କରିବାକୁ ଯାଇ ପାଞ୍ଚଟଙ୍କା କରିଦେଇଥିଲା।
ହେଲେ ସେହି ପାଞ୍ଚଟଙ୍କାରେ ବି ବିଜନେସ୍ ଭଲଅଛି। ଦିନକୁ ଛଅ ସାତଶହ ରୋଜଗାର ହୋଇଯାଉଛି। ସେ ଆକଳନ କରୁଥିଲା ଏ ବିଜନେସ୍‌ର ଭବିଷ୍ୟତ ଉଜ୍ଜଳ। ତେଣୁ ଏବେ ଏମିତି ଚାଲିଥାଉ । ଆଗକୁ ଦେଖିବା କ’ଣ ହେଉଛି। ସେହି ଅନୁଯାୟୀ ପଦକ୍ଷେପ ନେବା।
ଦୁନିଆର ଲୋକଙ୍କ ପାଖରେ ଦୁଃଖ ବହୁତ। ଦୁଃଖଗୁଡ଼ାକୁ ହୃଦୟ ଭିତରେ ଚାପିଧରି ବହୁତ କଷ୍ଟ ପାଉଛନ୍ତି। ତାକୁ ବାହାର କରିବାର କୌଣସି ଉପାୟ ନାହିଁ। କିନ୍ତୁ ଏହି ଦୋକାନଟି ଖୋଲିବା ପରେ ଲୋକେ ଏଠାକୁ ଆସି ମାତ୍ର ପାଞ୍ଚଟଙ୍କା ଖର୍ଚ୍ଚକରି ସେହି ଯନ୍ତ୍ରଣାରୁ ମୁକ୍ତି ପାଉଛନ୍ତି। କିଏ ଉପର ଅଫିସରଙ୍କ ପାଖରୁ ଗାଳି ଖାଇଲା; ଅଫିସରଙ୍କ ମୁହଁରେ ଉତ୍ତର ଦେଇପାରିଲାନି। ଅପମାନକୁ ମନରେ ଚାପି କଷ୍ଟ ପାଇଲା, ସିଏ ଚାଲି ଆସିଲା ଏଠାକୁ। ପାଞ୍ଚଟଙ୍କା ପକାଇଦେଇ ଲୋକଟିର ଗାଲରେ ଚାପୁଡ଼ାଏ ମାରି ସନ୍ତୋଷ ଲାଭକଲା।

କାହାର ଘରେ ଝଗଡ଼ା ହେଲା। ପତ୍ନୀ ଆଉ ପୁତ୍ର ଏଣୁତେଣୁ କହିଲେ। ସେ ବିଚରା ଘରେ ପ୍ରତ୍ୟୁତ୍ତର ଦେଇ ନପାରି ଚାଲିଆସିଲା ଏଠାକୁ। ପାଞ୍ଚଟଙ୍କା ଦେଇ ଚାପୁଡ଼ାଟିଏ ମାରି ମନ ହାଲୁକା କରି ଫେରିଗଲା। କେହି ବାଟରେ ଘାଟରେ ଝଗଡ଼ା କରି ହାରିଲା ତ ଚାଲି ଆସିଲା ଏଠାକୁ। ବିଭିନ୍ନ ଦୁଃଖପାଇଁ ଲୋକ ଏଠାକୁ ଆସୁଥିଲେ। ଲୋକଟାର ଭଲ ଦି ପଇସା ରୋଜଗାର ହେଉଥାଏ। କିଛି ପଇସା ବୁଡ଼ି ଯାଉଥାଏ। ଧରାଯାଉ ସାଙ୍ଗଟିଏ ଆସିଲା ଓ ବେପାର କେମିତି ଚାଲିଛି କହି ପିଠି ଥାପୁଡ଼ାଇ ଦେଲା। ସେଇ ଯେଉଁ ଦି ତିନୋଟି ଚାପୁଡ଼ା ବସିଲା , ସେଥିପାଇଁ କ’ଣ ସାଙ୍ଗଟିକୁ ପଇସା ମାଗିହେବ। ବେଳେବେଳେ ସ୍କୁଲ ଶିକ୍ଷକ ପହଞ୍ଚି ଶ୍ରଦ୍ଧାରେ ପିଠି ଥାପୁଡ଼ାଇ କୁହନ୍ତି, ତୋର ଏତେ ବୁଦ୍ଧି ଯେ ତୁ ଶୂନ୍ୟରୁ ପଇସା ରୋଜଗାର କରୁଛୁ। ତୋ ଭଳି ଛାତ୍ରପାଇଁ ମୁଁ ଗର୍ବିତ।
ଏଇଭଳି ଥାପୁଡ଼ାଇବା ଭିତରେ ଚାରି ପାଞ୍ଚଟି ଚାପୁଡ଼ା ବସି ଯାଉଥିଲା। ସେଥିପାଇଁ ପଇସା ମାଗି ହେଉ ନଥିଲା। ଲୋକାଲ୍ ଟୋକା ବା ଲୋକାଲ୍ ଗୁଣ୍ଡା ବେଳେବେଳେ ଆସୁଥିଲେ। ସେମାନେ ଚାପୁଡ଼ାଟିମାନ ମାରିଲା ବେଳେ କହୁଥିଲେ, କି ବୁଦ୍ଧି ହୋ ତୁମର। ବଢ଼ିଆ ବେପାରଟିଏ ଚଲେଇଦେଲ। ତାଙ୍କଠୁ ପଇସା ମିଳୁ ନଥିଲା।
କିଛି ଦୁଃଖୀ ଲୋକଙ୍କୁ ପଇସା ଛାଡ଼ିବାକୁ ପଡ଼ୁଥିଲା। କିଏ ଚାପୁଡ଼ାଟି ମାରି ସାରିଲା ପରେ ତିନିଟଙ୍କା କି ଚାରିଟଙ୍କା ପକାଇଦେଇ କହୁଥିଲା, ଭାଇ , ଏତିକି ଥିଲା। ଆଉ ନାହିଁ , ଚଳେଇ ଦିଅ। ପରେ ଟଙ୍କାଟା ଦେଇଦେବି। କିନ୍ତୁ ସେ ଟଙ୍କେ ଦି ଟଙ୍କା ଆଉ ମିଳୁନଥିଲା।
ଯାହାହେଉ ବିଜନେସ୍ ଭଲ ଚାଲିଥିଲା। ମାଡ଼ ଦୋକାନ ଯୋଗୁ ଚାହା ଦୋକାନ , ଜୋତା ପଲିସ ଦୋକାନ, ମକା ଦୋକାନରେ ଭିଡ଼ ହେଉଥିଲା। ତା’ କଡ଼ରେ ଗୋଟେ ପାନଦୋକାନ ବି ଖୋଲି ଯାଇଥିଲା। ମାଡ଼ ଦୋକାନରେ ଭିଡ଼ ଥିଲେ ଲୋକେ ଜୋତା ପଲିସ କରି, ଚାହା ପାନ ଖାଇ ଅପେକ୍ଷା କରୁଥିଲେ। ଦିନକୁ ଦିନ ଦୁନିଆରେ ଦୁଃଖୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥାଏ। ମାଡ଼ ଦୋକାନର ବିଜନେସ୍ ବି ବଢ଼ି ବଢ଼ି ଚାଲିଥାଏ। ଦୋକାନୀଟି ଦେଖିଲା ଦୋକାନକୁ ଆଉ ଟିକିଏ ବଢ଼ାଇବା ଆବଶ୍ୟକ ହେଉଛି। ଫଳରେ ଲୋକଙ୍କୁ ସୁବିଧା ହେବ । ବେଶି ସମୟ ଅପେକ୍ଷା କରିବାକୁ ପଡ଼ିବନାହିଁ।
ତେଣୁ ସେ ଫୁଟପ୍ୟାଥରେ ଯେଉଁଠି ବସୁଥିଲା ସେଠି ଗୋଟେ ସୋରୁମ କରିଦେଲା। ନିଜେ ଗୋଟେ ଏ.ସି. ଚ୍ୟାମ୍ବରରେ ବସିଲା। ନିଜର ପୋଷାକପତ୍ର ବି ବଦଳାଇ ଦେଲା। ଥ୍ରୀ ପିସ୍ ସୁଟ୍ ସହିତ ଟାଏ ପିନ୍ଧିଲା। ଚାପୁଡ଼ା ଗୋଟାକର ମୂଲ୍ୟ ପାଞ୍ଚଟଙ୍କାରୁ ବଢ଼ାଇ ପଚାଶ ଟଙ୍କା କରିଦେଲା। ଏହା ଫଳରେ ବିଜନେସ୍ ଆହୁରି ବଢ଼ିଗଲା। ବଡ଼ ବଡ଼ ଲୋକମାନେ ଆସିବାକୁ ଲଗିଲେ। ମନ୍ତ୍ରୀ, ଏମେଲେଙ୍କଠାରୁ ଅପମାନିତ ହେଉଥିବା ଆଇ.ଏ.ଏସ୍., ଆଇ.ପି.ଏସ୍. ଆସିଲେ। ଚାପୁଡ଼ାମାରି ମନ୍ତ୍ରୀଙ୍କ ଉପରେ ରାଗ ସୁଝାଇଲେ। ଏମ୍.ଏଲ୍.ଏ.ମାନେ ମୂଖ୍ୟମନ୍ତ୍ରୀଙ୍କଠାରୁ ଗାଳିଖାଇ ଆସିଲେ। ଆଠ ଦଶଟା ଚାପୁଡ଼ାମାରି କ୍ରୋଧ ଶାନ୍ତ କରି ଚାରିପାଞ୍ଚଶହ ଟଙ୍କା ଖୁସିରେ ଦେଇଗଲେ।
ରୋଜଗାର ବୃଦ୍ଧିକୁ ସମ୍ଭାଳିବା ପାଇଁ ଦୋକାନୀଟି ଦେହ ହାତରେ ଜଡ଼ାତେଲ, ମହାମାଶ ତୈଳ ଅଥବା ଅନ୍ୟକିଛି ଉପକାରୀ ଆୟୁର୍ବେଦ ତୈଳ ବୋଳିହୋଇ ଆସିଲା। ଏହା ଫଳରେ ତା’ ଦେହର ମସାଜ୍ କାମଟି ମଧ୍ୟ ସମ୍ପାଦିତ ହୋଇଗଲା।
ଦାରିଦ୍ର୍ୟ , ବେକାରୀ ଓ ଖାଦ୍ୟାଭାବଠାରୁ ବୋଧହୁଏ ସଂସାରରେ ଦୁଃଖୀଙ୍କ ସଂଖ୍ୟା ଅଧିକ ଥିଲା। ତେଣୁ ମାଡ଼ ଦୋକାନର ବିଜନେସ୍ ବଢ଼ି ବଢ଼ି ଚାଲିଲା। ସାଧାରଣ ଜନତାଙ୍କ ଦାବି ଅନୁଯାୟୀ ଲୋକଟି ମାଡ଼ ଦୋକାନର ବ୍ରାଞ୍ଚ ଖୋଲିବାକୁ ବାଧ୍ୟ ହେଲା। ଫ୍ରାଞ୍ଚାଇଜ୍ ନେଇ ବିଭିନ୍ନ ଉଦ୍ୟୋଗୀମାନେ ବଡ଼ ବଡ଼ ସହରରେ ବ୍ରାଞ୍ଚମାନ ଖୋଲିଲେ।
ବିଜନେସ୍‌ରେ ଏପରି ବିସ୍ଫୋରଣ ଦେଖି ମାଡ଼ ଦୋକାନୀଟି ଦରବୃଦ୍ଧି କରିଦେଲା। ମାଡ଼ଗୋଟା ପାଞ୍ଚଶହ ଟଙ୍କା। ତେବେବି ବିଜନେସ୍ ଚାଲିଲା। ବଢ଼ିଲା। ବିଦେଶୀ ବ୍ୟବସାୟୀମାନେ ଏଥିରେ ପୁଞ୍ଜିନିବେଶ କରିବାପାଇଁ ଆଗ୍ରହୀ ହେଲେ। ୱାର୍ଲଡ୍ ହେଲଥ୍ ଅର୍ଗାନାଇଜେସନ୍ ଓ ବିଶ୍ୱ ବାଣିଜ୍ୟ ସଂସ୍ଥା ଏହା ଉପରେ ଗବେଷଣା କରି ଜଣାଇଦେଲେ, ଏହି ବିଜନେସ୍ ବ୍ଲଡ୍ ପ୍ରେସର୍ , ହୃଦାଘାତ ଓ ଆତ୍ମହତ୍ୟା ପ୍ରବଣତା ହ୍ରାସ କରିବାରେ ସହାୟକ ହେଉଛି। ତେଣୁ ଏହି ବିଜନେସ୍‌ର ଭବିଷ୍ୟତ ଉଜ୍ଜଳ।
ମାଡ଼ମୂଲ୍ୟ ପାଞ୍ଚଶହ ଟଙ୍କାକୁ ବୃଦ୍ଧି ପାଇବା ଯୋଗୁ ଗରିବ ଓ ମଧ୍ୟବିତ୍ତ ଦୁଃଖିମାନେ ଖର୍ଚ୍ଚ କରିବାପାଇଁ ସମର୍ଥ ହେଲେନାହିଁ । ଲୋକେ ଅସନ୍ତୋଷ ପ୍ରକାଶ କଲେ। ଫଳରେ ଗୁମୁରି ଗୁମୁରି ରହିଥିବା ଏହି ଅସନ୍ତୋଷ ଦିନେ ଆନ୍ଦୋଳନର ରୂପ ନେଲା। ଲୋକେ ପ୍ରଶ୍ନ କଲେ – ସାମାନ୍ୟ ଚାପୁଡ଼ାଟିଏ ପାଇଁ କାହିଁକି ଆପଣ ପାଞ୍ଚଶହ ଟଙ୍କା ଦାବି କରୁଛନ୍ତି ?
ଦୋକାନୀ କହିଲା – ଚାପୁଡ଼ାଟି କେବଳ ଶରୀରକୁ କଷ୍ଟ ଦିଏନାହିଁ। ଏହାଦ୍ୱାରା ମୋର ସମ୍ମାନ ମଧ୍ୟ ହାନୀ ହେଉଛି। ତେଣୁ ମୋର ହୃତ ସମ୍ମାନ ବଦଳରେ ମୁଁ ପାଞ୍ଚଶହ ଟଙ୍କା ନେବାକୁ ବାଧ୍ୟ ହେଉଛି।
ଲୋକେ କହିଲେ – ତୁମ ସମ୍ମାନର ମୂଲ୍ୟ ପାଞ୍ଚଶହ ଟଙ୍କା ?
— ହଁ । ସେଥିରେ ସନ୍ଦେହ କରିବାର କ’ଣ ଅଛି ?
— ରେଟ୍ କମ କରିବନାହିଁ ?
— ନା।
— ହୋଉ , ତୁମ ସମ୍ମାନ କଥା ଏବେ ଆମେ ବୁଝି ଦେଉଛୁ।
ତା’ପରେ ଆରମ୍ଭ ହେଲା ଜୋରଦାର ଆନ୍ଦୋଳନ। ମାଡ଼ ଦୋକାନ ଆଗରେ କିଛି ଲୋକ ରିଲେ ଅନଶନରେ ବସିଲେ। ବହୁସଂଖ୍ୟାର ଲୋକ ହାତରେ ପ୍ଲାକାର୍ଡ ଧରି ,ସ୍ଲୋଗାନ୍ ଦେଇ ସହର ପରିକ୍ରମା କଲେ। କହିଲେ- ସୁପ୍ରିମ୍ କୋର୍ଟ ଅପମାନିତ ହୋଇଥିବା ଲୋକଙ୍କୁ ସାଙ୍କେତିକ କ୍ଷତିପୂରଣ ବାବଦରେ ଏକଟଙ୍କା ଦେଉଥିବା ବେଳେ ତୁମେ କେଉଁ ଗାଇର ଗୋବର ଯେ ମାତ୍ର ଚାପୁଡ଼ାଏ ପାଇଁ ପାଞ୍ଚଶହ ଟଙ୍କା ଦାବି କରୁଛ। ତୁମର ଏ ମନମୁଖୀ ଚଳିବ ନାହିଁ । ଯଦି ଚଳିବ , ତେବେ ନିଆଁ ଜଳିବ।
ଅନଶନ ଓ ଆନ୍ଦୋଳନ ଚାଲିଲା। ଅନଶନକାରୀମାନେ ଦୋକାନ ବନ୍ଦ କରିଦେଲେ। ବିଜନେସ୍ ବନ୍ଦ ହେଲା। ରୋଜଗାର ବନ୍ଦ ହେଲା। ତା’ପରେ ଯାଇ ମାଡ଼ ଦୋକାନୀଟି ଚେତିଲା।
ସୋରୁମ୍ ଭିତରୁ ଦୁଇହାତ ଜୋଡ଼ି ବାହାରିଲା। ଅନଶନକାରୀଙ୍କ ଆଗରେ କମଳା ରସର ଗ୍ଲାସ୍ ରଖି କହିଲା- ଆଜିଠାରୁ ମୋର ଚାପୁଡ଼ାର ମୁଲ୍ୟ ଏକଟଙ୍କା ହେଲା। ଦୟାକରି କମଳା ରସ ପିଅନ୍ତୁ , ଅନଶନ ଭଙ୍ଗ ଓ ଆନ୍ଦୋଳନ ବନ୍ଦ କରନ୍ତୁ।

One thought on “ମାଡ଼ ଦୋକାନ

  1. ମୋ ପ୍ରିୟ ଲେଖକ ଙ୍କ ଲେଖା ଖୁବ୍ ଭଲ ଲାଗିଲା

Leave a Reply

Your email address will not be published. Required fields are marked *