ଡାକ୍ତର ଅଭୟ ଦାଶଙ୍କ ଲିମେରିକ୍

ଡା. ଅଭୟ କୁମାର ଦାଶ

:: ମୁଁ ଲିମେରିକ ::

କିଏ? ମୁଁ ଲିମେରିକ ବିଦେଶରୁ ଆସିଛି
ମୋ ଦେଶରେ ସାହିତ୍ୟ କି ଅକାଳ ପଡ଼ିଛି?
ହଁ ଦିଶୁଛି ହୋମ୍ୟୋପ୍ୟାଥି ବଟିକା ପରା
ମୁଁ ଓଟ, ମୋ ପାଟିକୁ ଦେଖାଉଛ ଜିରା
ଆଗରୁ କଣ୍ଟା ବୁଦା କେତେ ଖାଇସାରିଛି ।

:: ବଳଦ ପରାଏ ::

ବଳଦ ପରାଏ ଖଟି ଚାଲି ଥିଲି ପାଞ୍ଚଣ ମାଡ଼ ମୁଁ ସହିଛି
ଶେଷ ଜୀବନରେ ରହିଗଲା ଯାହା ସମ୍ଭାଳିବା କଷ୍ଟ ହେଉଛି
ଘରପରିବାର ଟିକସ ଦପ୍ତର
ଚୋର ଓ ତଷ୍କର ସଭିଙ୍କ ନଜର
“ଥୋଇଲାଧନ ତୋ ଖଣ୍ଟଖାଇବେ ରେ” ସେକଥାକୁ ଭୁଲିଯାଇଛି।

:: ନିତେଇ ଧୋବଣୀ ::

ନିତେଇ ଧୋବଣୀ ପାଲଖଣ୍ଡେ ଟାଣି କରୁଥିଲା ଲୁଗା ଇସ୍ତିରି
ସ୍ୱାମୀ ସୁଖ କେବେ ପାଇନି ଜୀବନେ ବୟସ ହେଲାଣି ସତୁରି
କମିଟି ବାଲାଏ ଆସିଗଲେ ଆଖି ତରାଟି
ନେଇ ଗଲେ ସବୁ ଛିଣ୍ଡେଇଦେଲେ ତା ପାଲଟି
ସର୍କାରି ଯାଗା ସେ, ନିତେଇକୁ ତଡି ଘେରେଇ ନେଲେଣି ମନ୍ତିରି।

:: ଲିମେରିକ ମୋର ::

ଲିମେରିକ ମୋର ବିଦେଶିନୀ ବୋହୂ ନୁଆହୋଇ ଏବେ ଆସିଛି
ତାହା ସହ ମୋର ପରିଚୟ ନୁଆ ସବୁ ନୁଆ ନୁଆ ଲାଗୁଛି
ମୋ ଘର ଚଳଣି ଶିଖିବ
ସମସ୍ତ ଙ୍କ ମନ ତୋଷିବ
ହସକାନ୍ଦ ସହ ବ୍ୟଙ୍ଗ ବିଦ୍ରୁପରେ ଭାଗନେବ ବୋଲି ଭାବୁଛି।

:: କରୋନା ଋତୁରେ ଶ୍ରମିକ ::

କରୋନା ଋତୁରେ ଶ୍ରମିକଙ୍କ ରାଲି ଚାଲିଥିଲା ରାଜପଥରେ
ସକାଳେ ମାଉଁସ ରାତିରେ ଚିକିନ ଦିଅ ଟଙ୍କା ଦିଦି ହଜାରେ
ଆମେ ଓଡ଼ିଆ ପ୍ରବାସୀ ଶ୍ରମିକ
ଆମ ଷ୍ଟାଟସ୍ କୁ ତ ଟିକେ ଦେଖ
ଆସିଅଛୁ ଆମେ ମୁମ୍ବାଇ ଚେନ୍ନାଇ ସୁରତରୁ ରେଳ ଗାଡ଼ିରେ ।

:: କ୍ଷମତା ::

କ୍ଷମତାର ହୁଏ ଅପବ୍ୟବହାର ମିଳାମିଶା ସରକାର
ବୁଦ୍ଧିଜୀବୀଙ୍କର ବୁଦ୍ଧିହଜିଯାଏ ଦେଖିଦେଲେ କାରବାର
ଅପମିଶ୍ରଣ ସାଙ୍ଗରେ ଦୁନିଆ ଚାଲିଛି
ନିର୍ବାଚନରେ କିଏ ଜିତେ କିଏ ହାରିଛି
ଅପମିଶ୍ରିତ ସମ୍ବାଦକୁ ନେଇ ଢୋଲ ପିଟନ୍ତି ପତ୍ରକାର।

:: ରାଜନେତା ::

ରାଜନେତାଙ୍କର ପଇସା ଦେଖି ମୁଁ ସେଥିପାଇଁ ମନବଳାଇ
କୁର୍ତ୍ତା ପାଇଜାମା ସେଟଟି ଆଣିଲି ମୁଁ ଖଦିଭଣ୍ଡାର କୁ ଯାଇ
ବକ୍ତୃତା ଯେତକ ଆଈନାକୁ ଶୁଣାଇଲି
ଵସିବା ହସିବା ଢ଼ଙ୍ଗ ବଦଳାଇ ଦେଲି
ଚାଲୁ ନାହିଁ ଧନ୍ଦା ନାହିଁ ଅନ୍ୟ ଫନ୍ଦା ଚାଲିଛି ଦଳ ବଦଳାଇ।

:: ଯୁଗ ଯୁଗ ଧରି ::

ଯୁଗ ଯୁଗ ଧରି ମନ୍ଥରା ମାନଙ୍କୁ ନିକଟରୁ ଦେଖି ଆସିଛି
ନିଆଁ ନଥାଇ ସେ ଧୁଆଁଉଠେଇବା କେବେଠାରୁ ଦେଖା ଯାଇଛି
ଭୋଟ ସରିଗଲେ ଭାଇଭାଗ କଥା ଉଠାଇ
ମନ୍ଥରା ମାନଙ୍କ ବିଗାଡିବା କାମ ଦେଖାଇ
କେତେ ନିର୍ବାଚନ ଦେଖି ସାରିଲେଣି ନୁଆକଥା ନୁହେଁ ଜାଣିଛି।

:: ପାଠ ::

ପାଠପଢିବା ଯେ କେତେ ଦରକାର ବାପା ଓ ମାଷ୍ଟ୍ରେ ଜାଣନ୍ତି
ପରାଧୀନ ଦେଶେ ଜନମ ତାଙ୍କରି ବୁଦ୍ଧି ଭ୍ରଷ୍ଟ କଥା କହନ୍ତି
ରାଜନେତା ହୋଇ ଗଢ଼ି ଦେବ ଯଦି ସରକାର
ପଇସା ଗଣିବା ଶିଖିଯାଇଥିବା ଦରକାର
କହୁନି ମନରୁ ଦେଖାଯାଇଅଛି ମୋ ଦେଶରେ କେତେ ଅଛନ୍ତି।

  • ଲଘୁ ପଂଚକ ବା ଲିମେରିକ୍ ହେଉଛି ଏକ ପାଞ୍ଚ ଧାଡ଼ିଆ ଲଘୁ କବିତା ଯାହାର ଉନ୍ମେଷ ଇଂରାଜୀ ସାହିତ୍ୟରେ ଉନବିଂଶ ଶତାବ୍ଦୀରେ ଘଟିଥିଲା।
    ସମ୍ପାଦକ


5 thoughts on “ଡାକ୍ତର ଅଭୟ ଦାଶଙ୍କ ଲିମେରିକ୍

  1. ଓଡିଆରେ ଇଂରାଜୀ ର ନୁତନ ପ୍ରୟୋଗ ପାଇଁ ଡାକ୍ତର ଅଭୟ ଦାଶ ଙ୍କୁ ଅଶେଷ ଅଭିନନ୍ଦନ।ପ୍ରୟାସ ଆହୁରି ଆଗକୁ ଜାରି ରହୁ।

  2. ଡା. ଅଭୟ ଦାଶ ଭିନ୍ନ ଭିନ୍ନ ଶୈଳୀ ରେ ଅଗଣିତ କବିତା ରଚନା କରିଛନ୍ତି l ଲିମେରିକ ଶୈଳୀ ବିଦେଶର ଆମଦାନୀ ଓ ଓଡ଼ିଆ କାବ୍ୟ ରଚନାରେ ଏହାର ପ୍ରୟୋଗ ତାଙ୍କ ନୂତନ ପ୍ରୟାସ l ଏ ଶୈଳୀରେ ତାଙ୍କ ରଚିତ କବିତା ଗୁଡିକ ଖିବ ସୁନ୍ଦର ଓ ଉପଭୋଗ୍ୟ ହୋଇଛି ତାଙ୍କୁ ମୋର ବିଶେଷ ଶୁଭକାମନା ତାଙ୍କ ଲେଖନୀରେ ଏ ଶୈଳୀ ଆହୁରି ପରିଧନ୍ୟବାଦ ମାର୍ଜିତ ହେଉ l
    ଧନ୍ୟବାଦ l

  3. ଖୁବ ବଢିଆ ହେଇଚି । ନୂତନ ଢଂଗର ବ୍ୟଙ୍ଗ କବିତା ଜେତିକି ଉପୋଭାଗ୍ୟ ହେଇଚି ସେତିକି ମନକୁ ଛୁଇଁ ଯାଉଛି । ଭାଇନା ନମସ୍କାର । ଭଲ ଲାଗିଲା ।

Leave a Reply

Your email address will not be published. Required fields are marked *