ଜୀବନ୍ତ ଟାଇପରାଇଟର

ହିମାଦ୍ରୀ ତନୟା ମିଶ୍ର

ନିର୍ଜନ ଇଲାକାରେ କାଁ ଭାଁ କେଉଁଠି ଘରମାନଙ୍କରେ ଆଲୁଅ ଜଳୁଛି ଲାଗୁଚି ଯେମିତି ଆକାଶର ଛବି ଏଇ ମାଟି ଉପରେ ପଡିଛି ତାରା ଫୁଟିବା ପରି.. ସବୁ ତାରାଙ୍କ ଭିତରେ ଜହ୍ନଟି ଯେମିତି ବର୍ଣ୍ଣାଳି ରହୁଥିବା ତା’ର ଘରଟି.. ଆଲୋକମାଳାରେ ସୁସଜ୍ଜିତ ଚାରିଆଡ ଆଚ୍ଛାଦିତ କରିଛି ସାତରଙ୍ଗୀ ଇନ୍ଦ୍ରଧନୁ ପରି ଯଦିଓ ରାତି କଟିନି… ବର୍ଣ୍ଣାଳି ବାଲକୋନୀରେ ଥାଇ ଏ ସବୁ ନିଜ ଭିତରେ ଅନୁଭବ କରୁଛି… ସମସ୍ତେ ଶୋଇଗଲେଣି ଧୀରେ ଧୀରେ ଜଳିଥିବା ବତୀ ଲିଭିବାକୁ ଲାଗିଲାଣି… ନୂଆ କରି ଆସିଥିବା ଏଇ ନିଛାଟିଆ ପରିବେଶ ଭାରି ଡର ଲାଗେ ତାକୁ ରାତିର ନିର୍ଜନତା ଦେଖି ଛାତକୁ ବି ଯାଏନା ସେ… ହେଲେ ଆଜି କିନ୍ତୁ ବର୍ଣ୍ଣାଳିକୁ ଭୟ କି ସଂଶୟ ଆସିନି ମନରେ.. ବୋଉ କଥା ତାର ଭାରି ମନେ ପଡିଛି.. ଖୋଜୁଛି ଆକାଶ ଛାତିରେ ବୋଉର ଉପସ୍ଥିତି କେଉଁଠି କାଳେ ଦେଖିପାରିବ ସେ କେମିତି ଅଛି.. ବଡ଼ ଘରେ ବାହା ଦେବା ପାଇଁ କେତେ କଳ୍ପନା ଜଳ୍ପନା ଥିଲା ତା’ର..ସବୁ ଇଚ୍ଛା ତା’ର ପୂରଣ ହେଇଛି…ହେଲେ ତା ସରଳ ମନ କଣ ବଡ଼ ଘର ବଡ଼ ଗୁମର କଥା ବୁଝିପାରି ଥିଲା!!!

ଗାଁ ରେ ବିତିଛି ବର୍ଣ୍ଣାଳିର ପିଲାଦିନ..
ଶରଧାରେ ବନି ଡାକନ୍ତି ସମସ୍ତେ..ସବୁ କଥା ବସି ଏକାନ୍ତରେ ଭାବୁଛି.. ମନେପଡିଛି କାଲି ପରି.. ଗାଁ ଚାଟଶାଳୀକୁ ଅଖା ବ୍ୟାଗ ଧରି କାନ୍ଧରେ ଝୁଲେଇ ସାଙ୍ଗମାନଙ୍କ ସହ ପଢିବାକୁ ଗଲାବେଳେ ବୋଉ ମୁଢ଼ିରୁ ଦିପୋଷ ଟିଫିନ ଡ଼ବାରେ ଦେବାକୁ କେବେ ଭୁଲେନା..ବରଷା ହେଲେ ଗାମୁଛା ମୁଣ୍ଡରୁ ଦେହ ଯାଏଁ ଗୁଡ଼େଇ ହୋଇ ଦୁଇପାଖ ଗଡ଼ିଆର ଚଲା ବରଷା ପାଣିରୁ ଛୋଟ କଙ୍କଡ଼ା,, ଛୋଟ କଉମାଛ,, ମୀନ ମାଛ ଧରିବା ବେଳେ ବୋଉର ରାଗ ଚୁଲିର ରଡ଼ ନିଆଁ ପରି କିନ୍ତୁ ବଢିଆ ଝୋଳ କରିଦିଏ ସଂଧ୍ୟା ବୁଡ଼ିଗଲେ..ସବୁଦିନ ବୋଉ ବଡି ସକାଳୁ ଉଠିବ.. ଦାଣ୍ଡ ପହଁରେଇବ..ଫୁଲ ତୋଳିବ.. ଚୁଲି ଲିପିବ.. ଗୁହାଳ ପୋଛିବ..କୁନ୍ଦକୁ ଆଉଁସି ଆଉଁସି ଦାନା ତୋରାଣି ଖୁଆଇବ..କୁନ୍ଦ ଆଗେ ତା ମନ କଥା ସବୁ କହିବ.. କେବେ ଖୁସିରେ ତ କେବେ ପଣତରେ ଆଖିରୁ ଲୁହ ପୋଛି ଦେଇ.. ତା ମା’ ମାନେ ମୋ ଆଈ ଦେଇଥିଲା ତାକୁ ଯୌତୁକରେ.. ମୁଁ ଲୁଚି ଲୁଚି ଶୁଣୁଛି ଜାଣିଲେ ପାଞ୍ଚଣ ଧରି ମୋ ପଛେ ଧାଇଁ ଆସେ ଧରିଦେଇ ମାରେନି ଗେଲା କରି ଦେଇ କହେ ବାପାଙ୍କୁ କିଛି କହିବୁନି ସେ ମନ ଦୁଃଖ କରିବେ ..ଗାଧେଇ ଆସି ରୋଷେଇ ଘରେ ପଶିବ ଯେ ଦୁଇଘଣ୍ଟା ଯାଏଁ କିଛି ଶୁଣିବନି..

ତାକୁ କିଏ ରୋଷେଇ ବତେଇବାର ମୁଁ କେବେ ଦେଖିନି ଶାଗ ଠୁ ମାଛ ଯାଏଁ ସବୁ ସୁନ୍ଦର ଭାବରେ କରିବ.. ବାପା କ’ଣ ଖାଇବେ… ଜେଜେ ଆଉ ମା କ’ଣ ଖାଇବେ.. ଭାଇର ମୋର ସବୁ କଥା ଯେମିତି କେ ନ କହିବା ଆଗରୁ ଘୋଷି ରଖିଥାଏ..କିଏ କେତେ ଖାଇବେ ତାକୁ କହିବାକୁ ପଡ଼େନି ଥରେ କହିଦେଲେ ପୁରା ଜୀବନ ସେ ମନେ ରଖିଦିଏ..ସଂଧ୍ୟା ହେଲେ ଭାଗବତ,, ଗୀତା,, ନୃସିଂହ ପୁରାଣ,, ସ୍ୱର କରି ଆମକୁ ଦିଅଁ ଘରେ ବସି ଶୁଣାଇବ ..କେବେ କେବେ ସୀତାଙ୍କ ବନବାସ..ରାମଙ୍କ ରାଜ୍ୟାଭିଷେକରେ କୁଟିଳା ମଂଥରାର କଥା କହିବ..ସବୁ ତା ପାଟିରେ ଯେମିତି ଶବ୍ଦ ସବୁ ଖଞ୍ଜି ହେଇଛନ୍ତି ଧାଡ଼ିକୁ ଧାଡ଼ି.. ମହାଭାରତ ଯୁଦ୍ଧ କଥା କହି ଡରେଇବ..କେମିତି କଳି କଲେ ସର୍ବନାଶ ହୁଏ ବୁଦ୍ଧିର..ଖୁଦୁରୁକୁଣୀ ଓଷା.. ଜହ୍ନି ଓଷା.. ଦାଣ୍ଡ ପହଁରା ଓଷା.. ସବୁ ଓଷା କରିବାର ଵିଧି ତାକୁ ଜଣା..ଝୋଟି ଚିତାରେ କେହି ପାରିବେନି..


ଗାଁ ଚାଟଶାଳୀ ରୁ କଲେଜ ପଡ଼ିବା କଥା ଭାବିଲେ ଲାଗେ ଯେମିତି ଶୀତଳରେ ଉଷ୍ମତାର ଆବେଗ…ମୁଁ ଧୀରେ ଧୀରେ ପଢ଼ାପଢ଼ିରେ ଭୁଲିଯାଏ ବୋଉ କଥା ଭାବିବାକୁ କିନ୍ତୁ ବୋଉ କେବେ ଭୁଲେନି ମୋ କଥା ବୁଝିବାକୁ… ବୋଉ କେତେ କ୍ଲାସ ଯାଏଁ ପାଠ ପଢିଥିଲା ମୁଁ ପଚାରିନି କେବେ କିନ୍ତୁ ଯାହା ବି ସମସ୍ୟା ଜୀବନରେ ଆସେ ପଚାରିଲେ ଭଲରେ ବୁଝେଇଦେବ…ଜ୍ଞାନରେ ମୋତେ ଲାଗେ ମୋ ବୋଉ ଠୁ ଦୁନିଆଁରେ ଶ୍ରେଷ୍ଠ କିଏ ନାହିଁ… ପଣିକିଆ ଠୁ ସାହିତ୍ୟର ଢ଼ଗଢ଼ମାଳି ପର୍ଯ୍ୟନ୍ତ ସବୁ ଜଣା ତାକୁ…ତଥାପି ମୁଁ ଦେଖିଚି ବାପା ଟିକେ ଟିକେ କଥାରେ ଚିଡିଯାଇ ମୂର୍ଖ ସ୍ତ୍ରୀ ଲୋକ,, କଁ ଟା ଜାଣିଚୁ ଯେ ତତେ କହିବି ମୋ ସମସ୍ୟା..ଯା ମୋ ଆଖିଆଗରୁ ତତେ ଦେଖିଲେ ମୋ ରାଗ ବେଶି ବଢିଯାଉଛି..ମୁଁ ଯେବେ ଠୁଁ ବଡ଼ ହେଲିଣି ଦେଖିଚି ବାପା ବୋଉ ଏକାଠି ଶୋଇବାର କି ବସି କେବେ କଥା ହେବାର..ଏବେ ମୁଁ ବୁଝୁଚି ବୋଉ କେତେ କଷ୍ଟ ତୋ ମନକୁ ଆସୁଥିବ.. କଅଁଳ ଛନଛନ ବୟସରେ ଅକୁହା ଦୁଃଖର କଳା ବାଦଲ ତୋ ଜୀବନରେ ତୁ କେମିତି ସମ୍ଭାଳି ନେଇଥିଲୁ !! ମୁଁ ଦେଖେ ବୋଉ ତୁ ଲୁହ ଛଳ ଛଳ ଆଖିରେ ଚୁଲି ମୁଣ୍ଡକୁ ଯାଇ ବରଡ଼ା ପତ୍ରରୁ ଖଡ଼ିକା ବାହାର କରୁ ସେଇ ଓଦା ଓଦା ଆହତ ମନରେ…

ବାପା କେବେ ବୁଝିପାରନ୍ତିନି ତୋ ମନର କଥା.. ତଥାପି ବାପାଙ୍କର ଟିକେ ଅସୁବିଧା ତୁ ସହିପାରୁନା.. କେମିତି ତୁ ବୁଝିପାରୁ ସଭିଁଙ୍କ ମନର କଥା !!!ମୂର୍ଖ କହୁଥିଲେ ବାପା ହେଲେ ଜେଜେଙ୍କୁ ଔଷଧ ଦିଏ ବୋଉ.. ବାପାଙ୍କୁ ଜର ହେଲେ ଟେମ୍ପରେଚର ମାପେ ବୋଉ.. ବିଲ ବାଡ଼ିର କାମଦାମର ହିସାବ ରଖେ ବୋଉ… ଆମ ଦୁଇଜଣଙ୍କୁ ପ୍ରଥମ ପାଠ ଧରେଇଛି ବୋଉ..ତୋ ମନର କାଗଜରେ ତୁ କେବେ ଲେଖିଲୁନି ରାଗ..ରୋଷ.. ମାନ.. ଅଭିମାନ..ଜୀବନ ସରିବା ଯାଏଁ..ପିଲାବେଳେ ବୁଝିପାରି ନ ଥିଲି.. ବଡ଼ ହେଲାରୁ ବୁଝିଲି ସବୁ ଭିତରେ ତୁ ଖୋଜୁଥିଲୁ ତୋ ପିଲାଙ୍କ ଭବିଷ୍ୟତ ଓ ସମାଜ ଆଖିରେ ଲୋକଙ୍କ ମୁଖରେ ତୋ ନୀରବ ସମ୍ମାନ..

ବାପା ଗାଁ ଖଣ୍ଡିକରେ ଥିଲେ ଭଲ ଗଣିତ ଶିକ୍ଷକ.. ଭାରି ନାଁ ଥିଲା ତାଙ୍କର..କୁନ ମିଶ୍ରେ କହିଲେ ସହଜରେ ଲୋକ ଚିହ୍ନନ୍ତି ତାଙ୍କୁ.. କେତେ ଲୋକ ଙ୍କର ଉପକାର ସେ କରିଛନ୍ତି ତାଙ୍କର ଅବର୍ତ୍ତମାନରେ କୋକେଇରେ ଶୋଭାଯାତ୍ରା କରି ନେବା ବେଳେ ଜାଣିଲି.. ହେଲେ ବୋଉ କିନ୍ତୁ ସାରା ଜୀବନ,, ଜୀବନର ଗଣିତ କଷି କଷି କିଛି ପାଇଲାନି…ଏମିତି ଭାବୁ ଭାବୁ ସବୁ କଥା ରାତି ପାହି ପାହି ଆସୁଛି …ଠିକ ଏତିକି ବେଳେ ଘର ଭିତରୁ ବିନୟ ଡାକିଲେ ଆରେ ବିନୁ କୁଆଡ଼େ ଅଛ ପାଣି ଟିକେ ଦେଲ ଝିଅକୁ ଶୋଷ କରୁଛି ଆଉ ମୋ ପାଇଁ ଟିକେ ଆଣିଦେବ…ବ୍ୟସ୍ତ ହୋଇ ଦୌଡ଼ି ଗଲା ବର୍ଣ୍ଣାଳି..ଦେଖିଲା ବେଳକୁ ଦୁଇଜଣଯାକ ଖୁଵ ସୁନ୍ଦର ଗାଢ଼ ନିଦରେ ଶୋଇଛନ୍ତି… ବର୍ଣ୍ଣାଳି ମନେ ମନେ ହସିଲା ନିଜକୁ କହୁଥିଲା ବୋଉ ପରି ମୁଁ ବି ଜୀବନ୍ତ ଟାଇପ ରାଇଟର ହେଇଗଲିଣି,, ଆ ଭିତରେ କେତେବେଳେ ଜାଣିପାରିଲିନି.. କୁଆ କା କା କରିଛି ବର୍ଣ୍ଣାଳି ଶଶୁରଙ୍କୁ ଚା ଦେବା ପାଇଁ ରୋଷେଇ ଘରକୁ ଚାଲିଯାଇଛି..ଘର ସାମ୍ନା ବଗିଚାରେ ଫୁଲମାନେ ସୁଲୁସୁଲିଆ ପବନରେ ଧୀରେ ଧୀରେ ବେକ ହଲେଇ ବର୍ଣ୍ଣାଳିକୁ ଖୋଜିଲେଣି..ପାରାମାନେ ଛାତ ଉପରେ ଆସି ଦାନା ଖାଇବା ପାଇଁ ଅପେକ୍ଷା କଲେଣି…

One thought on “ଜୀବନ୍ତ ଟାଇପରାଇଟର

  1. ଜୟ ଜଗନ୍ନାଥ । ମା ଠାରୁ ଦୁନିଆରେ କିଏ ବଡ ନାହିଁ । ସେଇଠି ପାଇଁ କଥାରେ ଅଛି ମା ଋଣ କିଏ ସୁଝିଛି ନା ସୁଝିବ ।

Leave a Reply

Your email address will not be published. Required fields are marked *