କବିତାର ଏକ ଛନ୍ଦମୁକ୍ତ ସ୍ବରୂପ ଆମ ସାହିତ୍ୟରେ ପ୍ରବେଶ କଲା ବିଶେଷତଃ ଆଧୁନିକ କାଳରେ। ଟି.ଏସ୍.ଏଲିଅଟଙ୍କ କବିତାରେ ଅନୁପ୍ରାଣିତ ହୋଇ ଶ୍ରୀ ସଚ୍ଚି ରାଉତରା ଓଡିଆ କବିତାକୁ ମିତ୍ରାକ୍ଷର ଛନ୍ଦର ବନ୍ଧନରୁ ମୁକ୍ତ କରିବାରେ ପ୍ରମୁଖ ଭୂମିକା ନେଲେ। ତାହା ପରେପରେ ଆଧୁନିକ ବା ଉତ୍ତର-ଆଧୁନିକ କବିତା ନାମରେ ଯାହାବି ରଚିତ ହେଲା ସେଥିରୁ ଅଧିକାଂଶ ‘ଫ୍ରି ଭର୍ସ’ ବା ମୁକ୍ତ ଛନ୍ଦକୁ ଆପଣେଇ ନେଲେ।
ଅବଶ୍ୟ ଏହା ସଂପୂର୍ଣ୍ଣ ନୂଆ ନ ଥିଲା। କାରଣ ଏମିତି ମୁକ୍ତ ଛନ୍ଦର ପ୍ରୟୋଗ ଗଦ୍ୟ କବିତା ଆକାରରେ ଓଡ଼ିଆରେ ପୂର୍ବରୁ ବି ହୋଇସାରିଥିଲା। କିନ୍ତୁ ଆଧୁନିକ ଯୁଗରେ ଛନ୍ଦ ଓ ମିତ୍ରାକ୍ଷର ଏତେ ମାତ୍ରାରେ ବର୍ଜିତ ହେଲା ଯେ ରାଗ ଓ ଛନ୍ଦାଶ୍ରିତ କବିତା କଦବା କେଉଁଠି ଲେଖାଗଲେ ତତ୍ ପ୍ରତି ନାସିକା କୁଂଚନ କରାଯାଇ ତାହାକୁ ପଶ୍ଚାତଗାମୀ ଅବା ରୀତିଯୁଗୀୟ ରଚନାର ଆଖ୍ୟା ଦିଆଗଲା। ଏହି ଆଳରେ କେତେକେ ମଧ୍ୟ ଯାହିତାହି ଗଦ୍ୟପ୍ରତିମ କେଇଧାଡି ଲେଖି ତାହାକୁ କବିତାର ପଦବାଚ୍ୟ କରିବାରେ ଲାଗିଲେ। ଆଙ୍ଗିକରେ ନ ହେଲେ ବି ଆଧୁନିକ କବିତାରେ ଅନ୍ତତଃ ଆତ୍ମିକ ଛନ୍ଦ ଯେ ଏକାନ୍ତ ଅପରିହାର୍ଯ୍ୟ ସେ କଥା ବି ଭୁଲିଗଲେ।
ଆଶ୍ବାସନାର ବିଷୟ ଯେ ଆଜି ଓଡ଼ିଆ କବିତା ସେ ବିଡ଼ମ୍ବନାରୁ ମୁକୁଳିବାକୁ ଯାଉଛି, ଏବଂ କବିତାର ବିବର୍ତ୍ତନ ଚକ୍ରାକାରରେ ଘୁରି ପୁଣି ପୂର୍ବ ସ୍ଥିତିକୁ ଫେରିବାକୁବସିଛି। କାରଣ ଆମେ ଲକ୍ଷ୍ୟ କଲୁଣି ଯେ ବର୍ତ୍ତମାନ ନୂଆ ପିଢିର କବିମାନେ କବିତା ରଚନା କରିବା ବେଳେ ଛନ୍ଦ ଓ ଲାଳିତ୍ୟ ପ୍ରତି ଅନୁଗତ ହେବା ଆରମ୍ଭ କରିଛନ୍ତି। ଆମ ଚାରିପାଖର ପତ୍ର ପତ୍ରିକା ଓ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ସୃଷ୍ଟି ସମ୍ଭାରକୁ ଲକ୍ଷ୍ୟ କଲେ ତାହାହିଁ ପ୍ରତୀତ ହୁଏ।
ପୁଣି ଫେରିଛି ଆଙ୍ଗିକର ସୌନ୍ଦର୍ଯ୍ୟ। ପୁଣି ଦିଶୁଛି କବିତାର ପଂକ୍ତିଗୁଡିକରେ ଅନ୍ତିମ ବର୍ଣ୍ଣ ର ମେଳ। ସୁଖପାଠ୍ୟ ଓ ମନଛୁଆଁ ହେଉଛି କବିତା। କିନ୍ତୁ ସତର୍କ ରହିବାକୁ ହେବ। କେବଳ ପଦକୁ ପଦ ଯାନ୍ତ୍ରିକ ଭାବେ ମିତ୍ରାକ୍ଷର ମେଳ ଘଟାଇ କେହି ଯେମିତି ଯେ କୌଣସି ଭାବ ବିହୀନ ଉଦଗାରକୁ ମଧ୍ୟ କବିତା ନାମରେ ଥୋଇନଦିଅନ୍ତି!
– ସମ୍ପାଦକ
Free verse can be more rhythmic, more resonant…the art is mutilated in Odia poetry
…
.