ଶରତ ବାବୁ ଝିଅ ବାହାଘର ପାଇଁ ଜ୍ୱାଇଁ ଖୋଜି ଖୋଜି ବ୍ୟସ୍ତ ହୋଇ ପଡିଲେଣି। ମନ ଲାଖି ଜ୍ୱାଇଁଟିଏ ପାଇଁ କେତେ କାହାକୁ ନେହୁରା ହୋଇସାରିଲେଣି। କିନ୍ତୁ ମନଲାଖି ଜ୍ୱାଇଁ ଟିଏ ପାଇବାକୁ ଶରତ ବାବୁ ଯେତିକି ବ୍ୟାକୁଳ ହେଉଛନ୍ତି ସେମିତି ଜ୍ୱାଇଁ ମିଳୁନି। ବନ୍ଧୁ ସାଙ୍ଗ ସାଥି ସମସ୍ତେ ଶରତ ବାବୁଙ୍କ କଥା ଜାଣନ୍ତି। ସେ ପ୍ରଥମେ ନେହୁରା ହୁଅନ୍ତି ସତ କିନ୍ତୁ କିଛି ଅସୁବିଧା ହେଲେ ଯେଉଁ ଲୋକ ବାହାଘର ଠିକ କରିଥିବ ତାକୁ ହିଁ ଦୋଷ ଦିଅନ୍ତି। ତେଣୁ ସମସ୍ତେ ମୁହଁ ରେ ହଁ ହାଁ ମାରିଲେ ମଧ୍ୟ କେହି ସେ ବାହାଘର କଥାରେ ମୁଣ୍ତ ପୁରାନ୍ତି ନାହିଁ।
ଏମିତି କେତେ ଦିନ ବା ଚୁପ ହୋଇ ବସିବେ! କେତେ ବା କାହାକୁ ନେହୁରା ହେବେ! ନିଜେ ଅଣ୍ଟା ଭିଡିଲେ। ଝିଅ ଟି ଡଉଲ ଡାଉଲ ଚେହେରା ସାଙ୍ଗକୁ ଉଚ୍ଚ ଶିକ୍ଷିତ ବି। ତେଣୁ ସେହି ଅନୁସାରେ ଜ୍ୱାଇଁ ଟିଏ ଦରକାର। ନିଜେ ଜ୍ୱାଇଁ ଖୋଜିବାକୁ ବାହାରିଲେ। ସନ୍ଧାନ ପାଇଲେ ଯେ ରାମଚନ୍ଦ୍ର ପୁର ଗ୍ରାମ ରେ ପିଲାଟିଏ ରାଉରକେଲା ରେ ଚାକିରୀ କରୁଛି। ଘର ର ଅବସ୍ଥା ବି ଏତେ ଭଲ ନଥିଲା। ବାପା ମାଆ ସାଧାରଣ ଗରିବ ଚାଷୀ ପରିବାର ଅଳ୍ପ ଶିକ୍ଷିତ। ସେମାନେ ପୁଅର ପାଠ ପଢା ବା ଚାକିରୀ ବିଷୟରେ ବିଶେଷ କିଛି ଜାଣନ୍ତି ନାହିଁ। ତେବେ ପୁଅ କୁ ଡକାଇ ପଚାରିବାରୁ ଜଣାପଡିଲା ପୁଅ ରାଉରକେଲା ରେ ଚିଫ ୱାଟର ସପ୍ଲାଇ ଅଫିସର ଅଛନ୍ତି। ବାସ୍ ଏତିକିରେ ଜ୍ୱାଇଁ ଚୟନ ହୋଇଗଲା। ଏବେ ବହାଘର ଚିନ୍ତା। ଦବା ନବା ଛିଡିଗଲା। ଜ୍ୱାଇଁ ହିଁ ସବୁ ଛିଡେଇଦେଲେ। ବାହାଘର ଦିନ ଧାର୍ଯ୍ୟ ହୋଇଗଲା। ଶରତ ବାବୁ ଗୋଟେ ଅଫିସର ଜ୍ୱାଇଁ ପାଇଥିବାରୁ ମନ କୁଣ୍ଢେମୋଟ। ସବୁ ଆଡେ ଜ୍ୱାଇଁଙ୍କ ବିଷୟ ରେ ଗାଇ ହେଉଥାନ୍ତି। ଯାହାକୁ ଦେଖିଲେ ଜ୍ୱାଇଁ କଥା ଚର୍ଚ୍ଚା। ଏମିତି ହେଉ ହେଉ ଅଫିସ ର କେତେଜଣ ସହକର୍ମୀଙ୍କ ଆଗରେ ବି ଜ୍ୱାଇଁ ଙ୍କ କଥା ବଖାଣି ପକେଇଲେ। ଅବିନାଶ ବାବୁ ଶରତ ବାବୁଙ୍କ ସହକର୍ମୀ ଏବେ ଝିଅ ବାହା କରିଛନ୍ତି। ସିଏ ଶରତ ବାବୁଙ୍କୁ କହିଲେ “ଆପଣ ଜ୍ୱାଇଁ ପୁଅ ବିଷୟ ରେ ଭଲକରି ବୁଝିଛନ୍ତି ତ ଶରତ ବାବୁ”। ଶରତ ବାବୁ ମନେ ମନେ ଭାବିଲେ “ଅବିନାଶ ବାବୁ ତ ସାମାନ୍ୟ ଗ୍ରାମସେବକ ଜ୍ୱାଇଁ କରିଛନ୍ତି। ଅଫିସର ନାଁ ଶୁଣି ମନେ ମନେ ଇର୍ଷା ପରାୟଣ ହୋଇ ଏପରି ବୋଧେ କହୁଛନ୍ତି। ହଉ ଛାଡ ହୋ ଆମ କାମ ଆମେ କରିବା। କାହା କଥାରୁ କଣ ମିଳିବ?”
ଘରକୁ ଫେରି ମଜାରେ ଶ୍ରୀମତୀଙ୍କୁ କହିଲେ “ଜାଣିଛ ଆମେ ଯାହାକୁ ଜ୍ୱାଇଁ କରିବାକୁ ଯାଉଥାଏଁ ସିଏ ଚାହିଁଲେ ରାଉରକେଲା ସହର ରେ ଲୋକେ ପାଣି ଟୋପେ ପିଇବାକୁ ନପାଇ ଛଟପଟ ହେବେ। ମୁଁ କ’ଣ ନିକମା ଜ୍ୱାଇଁ କରିଛି ଜ୍ୱାଇଁ କରିବ ତ ଏମିତି।” ଏ କଥା ଶୁଣି ଶ୍ରୀମତୀଙ୍କ ମନ ଖୁସି ହୋଇଗଲା। ସିଏ ବି ତାଙ୍କ ସାଙ୍ଗ ମହଲ ରେ ଏହି କଥା କୁ ନେଇ ବେସ୍ ଚର୍ଚ୍ଚା କଲେ। ମୋଟା ମୋଟି ଭାବରେ ଶରତ ବାବୁଙ୍କର ଜ୍ୱାଇଁ ପାଇଁ ମନ କୁଣ୍ଢେ ମୋଟ।
ଏହିପରି ଭାବେ ବିଭାଘର ଦିନ ଆସିଲା। ଜାକ ଜମକରେ ବର ବରଯାତ୍ର ନେଇ ଯଥା ସମୟ ରେ ପହଞ୍ଚିଲେ। ବାଟ ବରଣ ସାଙ୍ଗକୁ ବିବାହ ବିଧି ସରିଲା। ଭୋଜି ଭାତ ରେ ଢେର ସାରା ପଇସା ଖର୍ଚ୍ଚ ହେଲା । ଭୋଜି ଖାଇ ଲୋକମାନେ ବହୁତ ପ୍ରଶଂସା କଲେ। ଗଲାବେଳେ କେତେ ଜଣ ସ୍ତ୍ରୀଲୋକ କଥା ହେଉଥିବାର ଶୁଣାଗଲା ଯେ ଝିଅକୁ ଚାହିଁ ଜ୍ୱାଇଁ ହେଲାନି। ହଅ ଚେହେରା ରେ କଣ ଅଛି। ଯେତେ ହେଲେ ଅଫିସର ଜ୍ୱାଇଁ ନା ଉ।
ବାହାଘର ସାରି ବର କନ୍ୟା ତାଙ୍କ ଘରକୁ ବାହୁଡିଗଲେ। କିଛିଦିନ ପରେ ଜ୍ୱାଇଁ ତାଙ୍କ କର୍ମସ୍ଥଳୀ କୁ ଗଲେ ପରେ ସବୁ ସୁବିଧା କରି ନିଜ ସ୍ତ୍ରୀ କୁ ସଙ୍ଗରେ ନେଇ ରାଉରକେଲା ଯିବେ ବୋଲି ଘରେ କହିଦେଇ ଗଲେ। ବୋହୁ ଶାଶୁ ଶ୍ୱଶୁରଙ୍କ ପାଖରେ ରହିଲା। କିଛିଦିନ ପରେ ଜ୍ୱାଇଁ ରାଉରକେଲା ରୁ ଆସି ପହଞ୍ଚିଲେ। ଘରଦ୍ୱାର ଠିକ କରି ଆସି ନିଜ ସ୍ତ୍ରୀକୁ ସାଙ୍ଗରେ ନେଇ ଯିବାକୁ ବାହାରିଲେ। ଘରୁ ଗଲାବେଳେ ମାଆ ପୁଅକୁ କହିଲେ ଯେ “ଯୋଉ ସବୁ ଜିନିଷ ତୋ ଶ୍ୱଶୁର ଘରୁ ଆଣିଛୁ ତାକୁ ସାଙ୍ଗରେ ନେଇ ଯାଆ। କାରଣ ସେ ସବୁର ବ୍ୟବହାର ଆମକୁ ଆସିବନି। ସେ ସବୁ ଏଠି ରହିଲେ ଖରାପ ହୋଇଯିବ କାହିଁକି ତାକୁ ତୁ ସାଙ୍ଗରେ ନେଇଯାଆ।” ପୁଅ ଥ ଥ ମ ମ ହୋଇ ସେ ସବୁ ଜିନିଷ କୁ ସାଙ୍ଗରେ ନେଇ ରାଉରକେଲା ଯିବାକୁ ବାଧ୍ୟ ହେଲା। ଏଥିପାଇ ଗୋଟିଏ ବାର ଚକିଆ ଟ୍ରକ ଡାକି ସବୁ ଜିନିଷ ପତ୍ର ଲଦି ନିଜ ସ୍ତ୍ରୀ କୁ ସେଥିରେ ବସାଇ ନିଜେ ବସି ରାଉରକରଲା ବାହାରି ଗଲେ।
ଏ କଥା ଶୁଣି ଶରତ ବାବୁ ଓ ତାଙ୍କ ସ୍ତ୍ରୀ ବହୁତ ଖୁସି ହେଲେ। ପୁଣି ଥରେ ଏହି କଥାର ଚର୍ଚ୍ଚା ଢେର ଦିନ ଯାଏ ଚାଲିଲା। ଶରତ ବାବୁ ଗାଇ ବୁଲିଲେ ଚାରି ଆଡେ ତାଙ୍କ ଜ୍ୱାଇଁ ଙ୍କ କଥା। ଏମିତି କିଛି ଦିନ ବିତିଗଲା।
ଦିନେ ଡାକବାଲା (ସେତେବେଳେ ମୋବାଇଲି ର ପ୍ରସାର ହୋଇ ନଥାଏ) ଗୋଟିଏ ଅନ୍ତରଦେଶୀୟ ପତ୍ର ଆଣି ଶରତ ବାବୁଙ୍କୁ ଦେଲା। ଚିଠିର ଠିକଣା ରୁ ଶରତ ବାବୁ ବୁଝିଲେ ଯେ ଚିଠି ଟି ରାଉରକେଲା ରୁ ଝିଅ ଦେଇଛି। ନିଶ୍ଚୟ କିଛି ଭଲ ଖବର ଥିବ ଭାବି ଚିଠି ଟି ନିଜ ପକେଟ ରେ ରଖିଲେ। ଘରକୁ ଗଲେ ସ୍ୱାମୀ ସ୍ତ୍ରୀ ଦୁଇଜଣ ମିଶି ଚିଠି ଟି ପଢି ଦୁଇଜଣ ଯାକ ଏକାଥରେ ଖୁସି ହେବେ। ଆଗୁଆ ସେ ସବୁ ଶରତ ବାବୁ ଜାଣିଗଲେ କଥା ଟା ପାଣିଚିଆ ହୋଇଝିବ ଭାବି ରଖିଦେଲେ।
ସେଦିନ ସନ୍ଧ୍ୟାରେ ଅଫିସ ରୁ ଘରକୁ ଫେରି ଆଗ ନିଜ ନିତ୍ୟ କର୍ମ ସାରିଲେ। ଶ୍ରୀମତୀ ଚା ଜଳଖିଆ ଆଣି ପାଖରେ ବସିଲେ ଉଭୟେ ମହା ମଉଜ ରେ ଚା ଜଳଖିଆ ଖାଇସାରି ଖୁସି ଗପରେ ମତିଥାନ୍ତି। ଶରତବାବୁଙ୍କ ମନେ ପଡିଗଲା ଝିଅ ର ଚିଠି କଥା। ନିଶ୍ଚୟ କିଛି ଭଲ ଖବର ଥିବ ଭାବି ପକେଟରୁ ଚିଠି ଟି କାଢି ଶ୍ରୀମତୀଙ୍କ ହାତକୁ ବଢେଇ ଦେଲେ। ଶ୍ରୀମତୀ ଚିଠି ଟି ଖୋଲି ପଢିଲେ। କିଛି ବୁଝି ନପାରୁବାରୁ ଶରତ ବାବୁଙ୍କ ହାତ କୁ ଚିଠିଟି ବଢେଇ ଦେଲେ। ଚିଠି ପଢି ଶରତ ବାବୁ ଆବା କାବା ହୋଇଗଲେ। କଣ କରିବେ କିଛି ବୁଝିପାରିଲେ ନାହିଁ।
ଏତେ ବଡ ଅନ୍ତର୍ଦେଶୀୟ ପତ୍ର ରେ କେବଳ ଚାରି ଧାଡି ର ଚିଠି ଟିଏ। ଲେଖାଥିଲା :-
ବାପା,
ଜାଣିବ। ବାହାଘର ତ କରିଦେଲ ଝିଅ ରାଉରକେଲା ରେ କେମିତି ଅଛି , ଆସି ଦେଖିଯାଅ। ନିଜ ଆଖିରେ ନଦେଖିଲେ ବିଶ୍ୱାସ କରି ପାରିବନି। ତେଣୁ ଝିଅ କୁ ଦେଖିବାକୁ ଇଚ୍ଛା ଥିଲେ ଆସି ଦେଖିଯାଅ। ଇତି।
ତୁମର ଝିଅ
ବାସନ୍ତୀ
ଚିଠି ପଢି ସ୍ୱାମୀ ସ୍ତ୍ରୀ ଭଲ କି ମନ୍ଦ କିଛି ବୁଝିପାରିଲେନି। ଅଗତ୍ୟା ଶରତ ବାବୁ ଘଟଣା କଣ ବୁଝିବାକୁ ବସ ଚଢି ଭୁବନେଶ୍ୱର ରୁ ରାଉରକେଲା ବାହାରିଲେ। ସକାଳୁ ସକାଳୁ ବସ ଟି ନେଇ ରାଉରକେଲା ରେ ପହଞ୍ଚାଇଦେଲା। ନିକଟରେ ଥିବା ଏକ ଜଳଖିଆ ଦୋକାନ ରେ ନିଜର ଅାସବାଵ ପତ୍ର ରଖି, ନିଜର ନିତ୍ୟ କର୍ମ ସାରିଲେ ଦୋକାନ ରୁ କିଛି ଜଳଖିଆ ପତ୍ର ଖାଇ ଜ୍ୱାଇଁ କୁ ଖୋଜି ବାହାରିଲେ। ରାଉରକେଲା ସାରା ସମସ୍ତ ଆଞ୍ଚଳ ବୁଲି ବୁଲି ୱାଟର ସପ୍ଲାଇ ଅଫିସ ଖୋଜିଲେ। ଯୋଉଠି ଯାହାଜୁ ପଚାରିଲେ ସେମାବେ ଏମିତି ଅଫିସ ରାଉରକେଲା ରେ ନଥିବା କହିଲେ। ଜ୍ୱାଇଁ ଙ୍କ ନାମ ବି ପଚାରିଲେ। ସୁରେନ୍ଦ୍ର କୁମାର ରାଉତ ରାୟ ଚିଫ ୱାଟର ସପ୍ଲାଇ ଅଫିସର ଅଛନ୍ତି ବୋଲି ପଚାରିଲେ। କିନ୍ତୁ ଦିନ ସାରା ପରିଶ୍ରମ କରି ଝିଅ ଜ୍ୱଇଁଙ୍କ ସନ୍ଧାନ ପାଇଲେ ନାହିଁ। ଅଗତ୍ୟା ନିରୁପାୟ ହୋଇ ବସଷ୍ଟାଣ୍ତକୁ ଫେରିଲେ। ପୂର୍ବ ହୋଟେଲ ରେ ଜ୍ୱାଇଁଙ୍କ ବିଷୟ ରେ ପଚାରିଲେ। ହୋଟେଲ ମାଲିକ ବି ଏ ସବୁର କିଛି ବି ସନ୍ଧାନ କହିପାରିଲେନି। କେବଳ ଏତିକି କହିଲେ ଯେ “ଯିଏ ଯିଏ ନୂଆ ହୋଇ ରାଉରକେଲା ଆସି ଏଇଠି ବସ ରୁ ଓହ୍ଲାନ୍ତି ସେ ଅବଶ୍ଯ ଏଇଠି ତାଙ୍କର ସକାଳ ନିତ୍ୟକର୍ମ ସାରି ଜଳଖିଆ ହଉ କି ମଧ୍ୟାହ୍ନ ଭୋଜନ ହେଉ ଖାଇ ତାଙ୍କ କାମରେ ସେମାନେ ଯାଆନ୍ତି। ଆଉ ଅସୁବିଧା ହେଲେ ଏଇଠି ଆମ ପାଖରେ ରାତି ବିତାଇ ଥାନ୍ତି। ତେବେ ସୁରେନ୍ଦ୍ର ରାଉତ ରୟ ନା ଶୁଣିଲା ପରି ଲାଗୁଛି। କେମିତି ପିଲା ଟିଏ ଆପଣଙ୍କ ଜ୍ୱାଇଁ କହିଲେ?”
ଶରତ ବାବୁ ଜ୍ୱାଇଁ ଙ୍କ ରୂପ ବର୍ଣ୍ଣନା କରିବାରୁ ,ଦୋକାନୀ ଶରତ ବାବୁଙ୍କୁ କହିଲେ “ଠିକ ଚିହ୍ନିଗଲି। ଆପଣ ଆଜି ରାତିକ ଏଇଠି ଶୋଇ ଯାଆନ୍ତୁ। କାଲି ସକାଳେ ଆପଣ ଜ୍ୱାଇଁଙ୍କୁ ପାଇଯିବେ।”
ଶରତ ବାବୁ ବାଧ୍ୟ ହୋଇ ସେହି ହୋଟେଲ ର ବେଞ୍ଚ ଉପରେ ଶୋଇ ରାତି ବିତାଇଲେ। ନାନାଦି ଚିନ୍ତା ଭିତରେ ତାଙ୍କୁ ଆଉ ନିଦ ହେଲାନି। ଭୋର ରୁ ଉଠି ନିଜ ନିତ୍ୟକର୍ମ ଶେଷ କରି ହୋଟେଲ ରୁ ଟିକିଏ ଚା ପିଇ ହୋଟେଲର ଗୋଟିଏ ଚଉକି ଉପରେ ବସିଛନ୍ତି , ଦେଖୁଲେ କିଛି ଦୂରେ ପଞ୍ଝାଏ ଲୋକ ଏକାଠି ହେଲେ। ସେମାନଙ୍କ ମଧ୍ୟରେ ତାଙ୍କ ଜ୍ୱାଇଁ ପରି ଦିଶୁଥିବା ଗୋଟିଏ ପିଲା ସେମାନଙ୍କ ନେତା ପରି କାମ ର ବରାଦ କଲେ। ସମସ୍ତଙ୍କୁ କାମ ବରାଦ ଦେଲେ ସଙ୍ଗେସଙ୍ଗେ ସମସ୍ତେ ପାଣି ଭାର ବୁହା ବାହୁଙ୍ଗି ଆଉ ଟିଣ ବାହାର କଲେ। ନିଜ ନିଜ କାମ ରେ ଲାଗିଗଲେ। ନିଜେ ଜ୍ୱାଇଁ ପରି ଦିଶୁଥିବା ପିଲାଟି ବାହୁଙ୍ଗିରେ ପାଣିଭାର ଧରି ଶରତ ବାବୁ ବସିଥିବା ଦୋକାନ ଆଡକୁ ଆସିଲା। ନିକଟ ହେବାରୁ ଶରତ ବାବୁ ସେହି ପିଲାଟିକୁ ନିଜର ଜ୍ୱାଇଁ ବୋଲି ଚିହ୍ନି ପାରିଲେ। କିନ୍ତୁ କିଛି ନକହି ଚୁପ୍ ଚାପ ବସିରହିଲେ। ଜ୍ୱାଇଁ ହୋଟେଲ ରେ ପହଞ୍ଚି ପାଣି ଭାରଟି ଥୋଇବାକୁ ଯାଉଛନ୍ତି ଶ୍ୱଶୁର ଉପରେ ଦୃଷ୍ଟି ପଡିଲା। ଲାଜ ରେ ସେ ପାଣି ଭାର ଟି ଥୋଇଦେଇ ଡିଆଁ ମାରି ପଳେଇବାକୁ ଉଦ୍ୟତ ହେଲା ବେଳକୁ ହୋଟେଲ ମାଲିକ ସୁରିଆ କୁ ଧରିପକାଇ ପଚାରିଲେ” ଆରେ ସୁରିଆ କୁଆଡେ ଡିଆଁ ମାରି ପଳଉଚୁ। ଏ ବାବୁଙ୍କୁ ଚିହ୍ନିଛୁ? ତୋତେ ସେ କାଲିଠୁ ଖୋଜୁଛନ୍ତି ତୁ ପଳଉଚୁ କୁଅଡେ।”
ଅଗତ୍ୟା ସୁରିଆ ଅସୁବିଧାରେ ପଡି ଶ୍ୱଶୁରଙ୍କୁ ଗୋଟେ ବଡ ଦଣ୍ତବତ ପକେଇ ସାଙ୍ଗରେ ନେଇ ତାଙ୍କ ଝିଅ ପାଖକୁ ଗଲା। ଶ୍ୱଶୁରଙ୍କୁ ଘରେ ଛାଡି ସୁରିଆ ତା ନିଜ କାମରେ ଗଲା। ଶରତ ବାବୁ ଦେଖିଲେ ଘରେ ସ୍ଥାନାଭାବ ରୁ ଜିନିଷ ଗୁଡିକ ଖୋଳ ରେ ପଶି ସେମିତି ଥୁଆ ହୋଇଛି।
ଏବେ ଶରତ ବାବୁଙ୍କର ଅବିନାଶ ବାବୁଙ୍କ କଥା ମନେ ପଡିଲା। ଜ୍ୱାଇଁ କୁ ବୁଝାଇ ଝିଅ କୁ ସାଙ୍ଗରେ ଆଣି ନିଜ ଘରକୁ ଫେରିଲେ।
Jay Jagannath. It is a beautiful story.