ଜଗତ ନାଥ ପ୍ରଭୁ ଜଗନ୍ନାଥ ହେ
ଜଗତ ନାଥ ପ୍ରଭୁ ଜଗନ୍ନାଥ…
ପତିତପାବନ ହରି ଏ ଭବରୁ ଦେବେ ତାରି
ଅପଲକ ଚକା ଆଖି, ଡାକୁଥାନ୍ତି ବାହୁ ଟେକି
ଓଠରେ ଅଳପ ହସ, ଦୟା ଜରଜର ମୁଖ,
ଦୀନଜନେ ଚାହିଁଛନ୍ତି ବାଟ ହେ… ।।
ଦେଉଳେ ନ ଲାଗେ ମନ, ଛାଡ଼ି ରତ୍ନ ସିଂହାସନ
ରୁଚେନା ଛପନ ଭୋଗ, ଦୀପଧୂପ ଭୋଗରାଗ
ଭକତର ସ୍ନେହ ଘାରେ , ଡାକ ଶୁଭେ ବାରେ ବାରେ
ଆସ ସାଇଁ କରିବା ମିଶି ଯାତ ହେ … ।।
ବଡ଼ ଦେଉଳୁ ବାହାରି, ଭକତ ଭୀଡ଼ରେ ଘେରି
ଦେଶେ ଦେଶେ ନଗରରେ, ବୁଲିବେ ଆଜି ଠାକୁରେ
ନିଜ ରଚିଲା ସଂସାରେ, ଟଣା ହେବେ ମାୟା ଡୋରେ
ସଜବାଜ ହେଲାଣି ତିନି ରଥ ହେ … ।।
ବିଶିଷ୍ଟ ଧର୍ମଗୁରୁ ମାତା ଅମୃତାନନ୍ଦମୟୀ (ଆମ୍ମା)ଙ୍କ ବ୍ୟକ୍ତିଗତ ଅନୁରୋଧ କ୍ରମେ କବୟତ୍ରୀ ଏହି ଜଣାଣଟି ଲେଖିଥିଲେ, ଯାହାକି ସ୍ୱୟଂ ଆମ୍ମାଙ୍କ କଣ୍ଠରେ ସ୍ଵରବଦ୍ଧ ହୋଇଛି।