- ଓଡ଼ିଆ କବିତାର ଧାରା କେଉଁକାଳରୁ ବହି ଚାଲିଛି ଏବଂ ପ୍ରବହମାନ ରହିବ ମଧ୍ୟ। ଆମ କାବ୍ୟ ପରମ୍ପରାର ଉନ୍ମେଷ ଠାରୁ ନେଇ ଆଧୁନିକ ଯୁଗ ପର୍ଯ୍ୟନ୍ତ ସ୍ରଷ୍ଟାମାନଙ୍କ ପ୍ରତି ଏକ ବିହଙ୍ଗମ ଦୃଷ୍ଟି ପ୍ରସ୍ତୁତ କରିଛନ୍ତି କବି ଡ. କୁଳମଣି ଓଝା।
ମୁଖରୁ ମୁଖକୁ ଭାଷା ପ୍ରସରିଲା
କାନରୁ କାନକୁ ଶ୍ରୁତି
କେତେ କେତେ ସୂକ୍ତ, କେତେ ଲୋକଗୀତ
ରହିଗଲା ହୋଇ ଗୀତି।
କେବେ ବା କେଉଁଠି ପଥର ଦେହରେ
ଫୁଟିଲା କବିତା ଫୁଲ
ମନ୍ଦିର କାନ୍ଥରେ ବେଢ଼ା ବିତାନରେ
ଅଭିଲେଖ ଅବିରଳ।
ସହସ୍ର ସହସ୍ର ବର୍ଷ ଇତିହାସ
ଲୋକକବି ଲୋକଗୀତ
ପଚିଶ ଶହ ବର୍ଷ ମୁଗ୍ଧ ଅତୀତ
ଉଡ୍ରଭାଷା ଗୀତେ ଖ୍ୟାତ।
ଅଲିଖିତ ଧାରା ଶ୍ରୁତି ପରମ୍ପରା
ପନ୍ଦର ଶହ ବରଷ
ଲିଖିତ ଧାରାର ଭାଷା-ସାହିତ୍ୟର
ହଜାରେ ବରଷ ଶେଷ।
ଲୋକଗୀତ କବି ଅଜଣା ଅଶୁଣା
ସମାଜ ହିଁ ଗୀତିସ୍ରଷ୍ଟା
ସମାଜରେ ଗୀତ ମୁଖୁଁ ମୁଖେ ବ୍ୟାପ୍ତ
ଜନଗଣ ଶ୍ରୋତା ଦ୍ରଷ୍ଟା।
ବିଦଗ୍ଧ ସାହିତ୍ୟ ହଜାରେ ବରଷ
ଲିଖିତ କବିତା ଧାରା
ଚର୍ଯ୍ୟାଗୀତିକାର ସିଦ୍ଧାଚାର୍ଯ୍ୟଗଣ
ଆଦି ଯୁଗ କବି ପରା।
କାହ୍ନୁପା, ଲୁଇପା, ଶବରୀ, କୃଷ୍ଣପା
ଲେଖି ବୌଦ୍ଧଗାନ ଦୋହା
ନାଥ ସାହିତ୍ୟରେ ବତ୍ସା ଓ ଗୋରେଖ
ଲେଖି ଶୈବଧର୍ମ ଗାହା।
ପଞ୍ଚଦଶ ଶହ ଅବ୍ଦରେ ସାରଳା
ଲେଖିଲେ ‘ମହାଭାରତ’
ବଳରାମ, ଜଗନ୍ନାଥ ଯେ ଅଚ୍ୟୁତ
ଅନନ୍ତ ଓ ଯଶୋବନ୍ତ।
ପଞ୍ଚସଖା ପଞ୍ଚ ତତ୍ତ୍ୱଗୁରୁ ସନ୍ଥ
ରଚିଲେ ପୁରାଣ, ଗୀତା
ପିଣ୍ଡରେ ବ୍ରହ୍ମାଣ୍ଡ-ଷଡ଼ଚକ୍ର ଭେଦ
ଜ୍ଞାନମାର୍ଗୀ ମୋକ୍ଷଦାତା।
କାବ୍ୟଯୁଗ ରୀତି ଅଳଙ୍କାର ରଚି
ଅନୁପ୍ରାସେ ନବ ରସ
ଉପଇନ୍ଦ୍ର, ଦୀନକୃଷ୍ଣ, ଅଭିମନ୍ୟୁ
କବିସୂର୍ଯ୍ୟ, କଳହଂସ।
କେତେ କେତେ କବି ସଂସ୍କୃତ ଆଦର୍ଶେ
ସର୍ଜି କାବ୍ୟ ପରେ କାବ୍ୟ
ଓଡ଼ିଆ ଭାଷାର ଶାସ୍ତ୍ରୀୟ ସମ୍ଭାର
ନୈଷଧ ପରାୟେ ଦିବ୍ୟ।
ପଦାବଳୀ ଧାରା ସ୍ୱଚ୍ଛ ସ୍ରୋତସ୍ୱନୀ
ବହିଲା ଉତ୍କଳ ଧାମେ
ଗୌରହରି, ବନମାଳୀ, ସାଲବେଗ
ସନ୍ଥ ଭୀମ ଭୋଇ ନାମେ।
ଆଧୁନିକତାର ଭାବ ଓ ଭାଷାର
ନବୀନ ଯୁଗ ସାହିତ୍ୟ
କବିବର, ବ୍ୟାସକବି, ଭକ୍ତକବି
ରଚିଗଲେ ନିତ୍ୟ ସତ୍ୟ।
ଗଙ୍ଗାଧର, ନନ୍ଦକିଶୋର, କୁନ୍ତଳା,
ମାନସିଂହ ମାୟାଧର
ଆଧୁନିକ କାବ୍ୟ କବିତା ସର୍ଜିଲେ
ଶୁଭେ ସତ୍ୟବାଦୀ ସ୍ୱର।
ଗୋପବନ୍ଧୁ, ନୀଳକଣ୍ଠ, କୃପାସିନ୍ଧୁ
ଗୋଦାବରୀଶ, ‘ଆଚାର୍ଯ୍ୟ’
ଉତ୍କଳ ସଂସ୍କୃତି, କଳା ଓ ସ୍ଥାପତ୍ୟେ
ଉଇଁଲା କବିତା ସୂର୍ଯ୍ୟ।
ସବୁଜ କବିତା ପ୍ରଣୟର ଗୀତା
ତରୁଣ ପ୍ରାଣ ସ୍ପନ୍ଦନେ
ଅନ୍ନଦା, ବୈକୁଣ୍ଠ, କାଳିନ୍ଦୀ ଚରଣ
ଗମିଲେ କଳ୍ପନା ବନେ।
ସାମ୍ୟବାଦୀ ସ୍ରୋତେ ମାଟି ମଣିଷର
ଉଜ୍ଜ୍ୱଳି ଉଠିଲା ମୁଖ
ରଘୁନାଥ, ସଚ୍ଚିଦାନନ୍ଦ, ଅନନ୍ତ
ମନମୋହନ ପ୍ରମୁଖ।
ମହାପାତ୍ର ଗୋଦାବରୀଶ ରଚିଲେ
କବିତା ‘ଉଠ କଙ୍କାଳ’
ପଦ୍ମ, ରାଧାମୋହନ, କୁଞ୍ଜବିହାରୀ,
ଲକ୍ଷ୍ମୀକାନ୍ତ ଶବ୍ଦମାଳ।
ସ୍ୱାଧୀନତା ସୂର୍ଯ୍ୟ ଉଇଁଲା ଉତ୍କଳେ
କବିତାର ଜୟଘୋଷ
ସଚ୍ଚି ରାଉତରାୟ ଭାବରେ ଭାଷାରେ
ସର୍ଜିଲେ ନବୀନ ଯଶ।
ଗୁରୁପ୍ରସାଦ ଓ ଭାନୁଜୀ, ବିନୋଦ
ବେଣୁଧର, ରମାକାନ୍ତ
ନିଃସଙ୍ଗତା ଆଉ ମୃତ୍ୟୁର କବିତା
ରଚିଗଲେ ସୀତାକାନ୍ତ।
ଜୟନ୍ତ, ଦୀପକ, ସୌଭାଗ୍ୟ, ରାଜେନ୍ଦ୍ର,
ପ୍ରତିଭା ରଚିଲେ କାବ୍ୟ
ଶରତ, ସରୋଜ ସେ କମଳାକାନ୍ତ,
ରବି ସିଂହ କାବ୍ୟ ନବ୍ୟ।
ବ୍ରହ୍ମାନନ୍ଦ, ହରିହର ଓ ସୌରୀନ୍ଦ୍ର,
ନୃସିଂହ ଯେ ଜଗନ୍ନାଥ
ବିଭୁଦତ୍ତ ମିଶ୍ର, ପ୍ରମୋଦ, ପ୍ରସନ୍ନ
ପାଟ୍ଟଶାଣୀ, ବ୍ରଜନାଥ।
ବଂଶୀଧର, ହରପ୍ରସାଦ, ଦିଲୀପ,
ଶୈଳଜ ସର୍ଜିଲେ ମାଳା
ଗିରିଜା, ଅପର୍ଣ୍ଣା, ରବିଗାନ୍ଧୀ ତୁଲେ
ମନୋରମା, ଗିରିଵାଳା।
ବ୍ରହ୍ମୋତ୍ରୀ, ଅମିୟବାଳା, ନିତ୍ୟାନନ୍ଦ
ସତ୍ୟ ନାରାୟଣ ନନ୍ଦ
ପୂର୍ବ ସୂରୀ ନିର୍ମଳା, ବିଦ୍ୟୁତ୍ ପ୍ରଭା
କବିତାରେ ମକରନ୍ଦ।
ଦେବଦାସ, ଫନୀ, ହୃଷୀ ଓ ଶତ୍ରୁଘ୍ନ,
ପରିଚ୍ଛା ପଟ୍ଟନାୟକ
ଆଶୁତୋଷ, ଅମରେଶ ଓ ସୁନୀଲ,
କବି ବିପିନ ନାୟକ।
ଅର୍ଚ୍ଚନା, ରଞ୍ଜିତା, ମିଶ୍ର ସଂଘମିତ୍ରା
ଅଜୟ ସ୍ୱାଇଁଙ୍କ ଗୀତ
ସରୋଜିନୀ, ଅନ୍ନପୂର୍ଣ୍ଣା, ପ୍ରବାସିନୀ,
ପ୍ରଶାନ୍ତ ମହାନ୍ତି ଖ୍ୟାତ।
ପ୍ରସନ୍ନ ମହାନ୍ତି, ପ୍ରଦ୍ୟୁମ୍ନ କେଶରୀ
ମମତା, ଦେବୀପ୍ରସନ୍ନ
ସଉଭାଗ୍ୟବନ୍ତ, ସୂର୍ଯ୍ୟ ଓ ରକ୍ଷକ,
କ୍ଷୀରୋଦ କାବ୍ୟ କାନନ।
ଅପର୍ଣ୍ଣା ମହାନ୍ତି, କବି ଜୟସିଂହ,
ସୁଚେତା, ଜୟନ୍ତୀ ରଥ
ଗଜାନନ, ଇନ୍ଦ୍ରସିଂହ, ହିରଣ୍ମୟୀ
କବିତାର ଭିନ୍ନ ଅର୍ଥ।
କେଦାର, ମାନସ, ପ୍ରତିଭା ପରିଡ଼ା
ଅଖିଳ, ଭାରତ ମାଝୀ
ଶ୍ୟାମବାବୁ, ମନୋରଞ୍ଜନ, ଲେନିନ୍,
ଲେଖିଲେ ଶବଦ ଖୋଜି।
କୁଳମଣି, ରାଜକିଶୋର, ଚିନ୍ମୟ,
ସୁରେଶ ଯେ ସଦାଶିବ
ଦିଲୀପ କୁମାର, ଶରତ, ସୁଶାନ୍ତ
ଅଞ୍ଜଳି ଶବ୍ଦାର୍ଥେ ଭାବ।
ରାମକୃଷ୍ଣ, ନିତ୍ୟାନନ୍ଦ ଓ ନରେନ୍ଦ୍ର,
ପ୍ରୀତିଧାରା, ସୁଧା ଦାଶ
ରବି ଶତପଥୀ, ନମିତା, ସୁଦାମ,
ବ୍ରହ୍ମପୁତ୍ର ଶବ୍ଦାଭାଷ।
ଓଡ଼ିଆ କବିତା କାନନେ ଫୁଟିଛି
ଜାତି ଜାତି ନାନା ଫୁଲ
କାବ୍ୟର ପସରା-କବି ପରମ୍ପରା
ଜଗତେ ଅତୁଲ୍ୟ ମୂଲ।
- ଓଡ଼ିଆ କାବ୍ୟ ପରମ୍ପରାର ଆହୁରି ଶତାଧିକ ମୂର୍ଦ୍ଧନ୍ୟ କବି ଓ ସହସ୍ରାଧିକ ନବୀନ କାବ୍ୟ ପ୍ରତିଭାଙ୍କ ପ୍ରତି ଏ କବିର ଯଥେଷ୍ଟ ସମ୍ମାନ ଓ ଭଲ ପାଇବା ରହିଛି, ରହିଥିବ ମଧ୍ୟ। ମାତ୍ର କବିତାର କ୍ଷୁଦ୍ର କଳେବର ମଧ୍ୟରେ ସମସ୍ତଙ୍କୁ ସଂଯୋଜିତ କରିବା ଆୟାସର ଊର୍ଦ୍ଧ୍ଵରେ। ବାଦ୍ ପଡ଼ିଥିବା କାବ୍ୟ ପ୍ରତିଭାଗଣ ଭୁଲ୍ ବୁଝିବେ ନାହିଁ।
Well composed.
ଅତି ସୁନ୍ଦର କବିତା। ଜୟ ଜଗନ୍ନାଥ।
ଓଡ଼ିଆ କବିତାର ଏହି ଜୟଯାତ୍ରା ଚିରଜୀବି ହେଉ।
କବିଙ୍କ ମର୍ମ ଜଡ଼ଠୁଁ ସଜୀବ ଯାଏ ସ୍ପର୍ଶ କରିଛି ବୋଲି ଜୀବନ୍ତ ହୋଇଉଠିଛି ଏ କବିତା। ଜଗନ୍ନାଥ କୃପା କରନ୍ତୁ ତାଙ୍କ ଲେଖନୀ ଆହୁରି ବଳିଷ୍ଠ ହୋଇଉଠୁ।
ଅତି ସୁନ୍ଦର କବିତାଟିଏ ପଢି ଖୁସି ହେଲି କବି ଓ ସାହିତ୍ୟ ଚର୍ଚ୍ଚାକୁ ଧନ୍ୟବାଦ
ସୁନ୍ଦର କବିତା l ନମସ୍କାର ସାର l