- ଜୀବଦ୍ଦଶାରେ ଲେଖକଟିଏ ପାଏନାହିଁ ସ୍ବୀକୃତି। ଅଥଚ ମରଣୋପରାନ୍ତେ ତା’ଉପରେ ସଭିଏଁ ଢାଳିଦିଅନ୍ତି ଅଜସ୍ର ସମ୍ମାନ ଓ ଶ୍ରଦ୍ଧାଞ୍ଜଳି। ଏହି ଅଜବ ବିଡ଼ମ୍ବନାକୁ ନିଜ କବିତାରେ ଉପସ୍ଥାପନ କରିଛନ୍ତି ବର୍ଷୀୟାନ୍ ସାହିତ୍ୟିକ ଓ ଭାଷାବିତ୍ ପ୍ରଫୁଲ୍ଲ କୁମାର ତ୍ରିପାଠୀ ।
କବି ଜିଇଁଥିଲେ ସଭିଏଁ ନିରବ
ମଲା ପରେ ହେଉଁ ମୁଖର
ପ୍ରଶଂସାରେ ପୋତିଦେଇ ଲେଖକଂକୁ
ଦେଖାଉଁ ଆମ ସଂସ୍କାର
କିଏ ଶିଖାଇଲା କେବେ ଆମକୁ
ପ୍ରୀତି ଲୁଚାଇବା ରୀତି
କବି, କଳାକାର ଅନାଦର ସହି
ଏଠି ଜୀବନ ବିତାଂତି
କ୍ଷମତାଧାରୀଂକୁ ଏବେ ବି ମିଳୁଛି
ଅତ୍ୟଧିକ ମାନ, ଯଶ
ରାଜତଂତ୍ରର କୌଣସି ପ୍ରଭାବ
ହୋଇନି ଏଯାଏଁ ନାଶ
ଜୀବନ ଯେଉଁଠି ଉପେକ୍ଷଣୀୟ
ମରଣ ବଂଦନୀୟ
କଳା, ସଂସ୍କୃତି, ସାହିତ୍ୟ ଓ ଭାଷା
ହୁଅଂତି କ୍ରଂଦନୀୟ
ଜୀବିତ ସାହିତ୍ୟ ସାଧକଂକ ପ୍ରତି
ଲୋଡ଼ା ଏବେ ଟିକେ ଧ୍ୟାନ
ସମର୍ଥ ଲୋକଂକୁ ଶ୍ରଦ୍ଧା ଜଣାଇଲେ
କମେନି କାହା ସମ୍ମାନ
ନେତା, ଅଭିନେତା, ଖେଳାଳି ମାନଂକୁ
ଦେଉଛୁଁ ଧନ ଓ ମାନ
ଶିଳ୍ପୀ, ବିଜ୍ଞାନୀ, ଗବେଷକଗଣ
ଏ ମାଟିରେ ଏବେ ନ୍ୟୂନ
ଜୀବିତ ଲୋକଂକୁ ନଗଣ୍ୟ ମଣିଲେ
ଯାହା ହୁଏ ତାହା ଦିଶେ
ବୁଝି ଜାଣି ସୁଦ୍ଧା ସମସ୍ତ ବିଷୟ
ଚେତନା ମନେ ନ ପଶେ
ମରଣୋପରାଂତ ସ୍ମରଣ ପର୍ବରେ
କହି ମନଗଢ଼ା କଥା
ପ୍ରଶଂସକମାନେ ଲୁଚାଇ ରଖଂତି
ଜୀବନର ବାସ୍ତବତା
ମରଣ ସତରେ ବଢ଼ାଇଦିଏ କି
ଅକ୍ଷରକୃତିର ମହତ୍ତ୍ୱ ?
ଜୀବନ ସହିତ ଏଠି ତ ପାଠକ
ହୁଅଂତିନାହିଁ ଜଡ଼ିତ !
କ୍ଷମତା-ବିହୀନ ନିଃସଂଗ ସାଧକ
ଏଠି ସଦା ଉପେକ୍ଷିତ
ମରଣ ପରେ ହିଁ ସାହିତ୍ୟରେ ହୁଏ
ବଡ଼ପଣ ଆରୋପିତ
Beautiful.
ଏହି ଉଚ୍ଚକୋଟୀର କବିତାର ପଟ୍ଟାନ୍ତର ନାହିଁ। ବାସ୍ତବରେ ଏବେକାର ପ୍ରତିଭାଧର ବ୍ୟକ୍ତି ବୃନ୍ଦ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ସତ୍ତ୍ୱେ ଆମ ସମାଜ ସେଥିପ୍ରତି ମୁଣ୍ଡ ଖେଳାଇବା ପାଇଁ ଅନୁଚିତ ବୋଧ କରେ।ଏ କଥା ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ତ୍ରିପାଠୀ ମହୋଦୟ ଅଭିନବ ଶୈଳୀରେ ଚିତ୍ରଣ କରିଛନ୍ତି। ତାଙ୍କୁ ମୋର ପ୍ରଣାମ ଜଣାଉଛି ।
ଜୟ ଜଗନ୍ନାଥ। ସୁନ୍ଦର କବିତା।
ବାସ୍ତବିକ ସମାଜର ଚିତ୍ର ଓ ଚିନ୍ତନ ପ୍ରତିଫଳିତ।
ସୁନ୍ଦର କବିତା।