ଆମେରିକାରେ ‘ଛମାଣ ଆଠ ଗୁଣ୍ଠ’ ନାଟକ – ଏକ ଅଭିଜ୍ଞତା

  • କାନାଡ଼ା ଦେଶରେ ଅବସ୍ଥାନ କରୁଥିବା ସୁପରିଚିତ ଓଡ଼ିଆ ବୈଜ୍ଞାନିକ, କବି ତଥା ସାଂସ୍କୃତିକ ବ୍ୟକ୍ତିତ୍ବ ଗଗନ ପାଣିଗ୍ରାହୀ ଆମେରିକାରେ ଏକଦା ଫକୀର ମୋହନଙ୍କ ‘ଛମାଣ ଆଠ ଗୁଣ୍ଠ’ ଉପରେ ଆଧାରିତ ନାଟକଟିଏ ମଞ୍ଚସ୍ଥ କରିବାର ମନୋରମ ଅନୁଭୂତି ଆମ ମଧ୍ୟରେ ବାଣ୍ଟିଛନ୍ତି।
ଗଗନ ପାଣିଗ୍ରାହୀ

ନୂଆ ନୂଆ ଚାକିରୀ ନେଇ ଆମେ ଟରୋଣ୍ଟୋ ସହରକୁ ସ୍ଥାନାନ୍ତରିତ ହେଇଥାଉ। ଏହା ୧୯୯୪ ମସିହାର କଥା। ସେଇ ବର୍ଷ ଆମେରିକାରେ ଥିବା ଓଡିଆ ସଂଗଠନ “ଓଡିଶା ସୋସାଇଟି ଅଫ୍‌ ଆମେରିକାଜ୍‌ (ଓସା)”ର ରଜତ ଜୟନ୍ତୀ ପାଳନର ଉତ୍ସବ। ତାହା ନ୍ୟୁ ଜର୍ସିର ପୋମୋନା ସହରରେ ପାଳନ ହେବାର ସ୍ଥିର ହୋଇଥାଏ। ଏ ଉପଲକ୍ଷେ କାନାଡାର ଅଧିବାସୀ ଶ୍ରୀଗୋପାଳ ବାବୁ (ପ୍ରଫେସର ଶ୍ରୀଗୋପାଳ ମହାନ୍ତି) ଫକୀର ମୋହନଙ୍କର “ଛ ମାଣ ଆଠ ଗୁଣ୍ଠ” ନାଟକ ଟରୋଣ୍ଟୋରେ ବାସ କରୁଥିବା ଓଡିଆମାନଙ୍କୁ ନେଇ ମଞ୍ଚସ୍ଥ କରିବାର ମନସ୍ଥ କଲେ। ଶ୍ରୀଗୋପାଳ ବାବୁ ଜଣେ ନାଟ୍ୟପ୍ରେମୀ। ପ୍ରଥମେ କହୁଥିଲେ ନିଉୟର୍କ କଳାକାର ମାନଙ୍କୁ ନେଇ କରିବେ। କଣ ପୁଣି ଭାବି ତାଙ୍କର ମତ ପରିବର୍ତ୍ତନ କରିଦେଲେ। କଳା ସହିତ ଲୋକଙ୍କୁ ସହଜରେ ସେ ଚିହ୍ନି ପାରନ୍ତି । କେମିତି ଜାଣିଲେ କେଜାଣି, ମୋତେ ଭଗିଆ ଓ ପତ୍ନୀ ସବିତାଙ୍କୁ ସାରିଆ ଭୂମିକାରେ ଅଭିନୟ କରିବାକୁ ମନୋନୀତ କଲେ। ଟରୋଣ୍ଟୋରେ ବାସ କରୁଥିବା ନିରଞ୍ଜନ ଓ ସୁମିତା ତ୍ରିପାଠୀଙ୍କୁ ମଙ୍ଗରାଜ ଓ ଚମ୍ପା ଭୂମିକାରେ ଅଭିନୟ କରିବା ପାଇଁ ଦେଲେ। ଅନ୍ୟାନ୍ୟ ଚରିତ୍ର କେତେଜଣ ଆମେରିକାରୁ ଓ ଆଉ କେତେ ଜଣ ଟରୋଣ୍ଟୋରୁ। ଆମ ସହିତ ବାଲେଶ୍ବର ଯାଇ ନାଟକ ପାଇଁ ବାଲେଶ୍ବର ନୃତ୍ୟ ସଙ୍ଗୀତ କଳାମନ୍ଦିରରୁ ସଙ୍ଗୀତ ବନେଇ ଆଣିଲେ।

ଆମେ ରିହାରସଲ କରିବା ଆରମ୍ଭ କରିଦେଲୁ। ଶ୍ରୀ ଗୋପାଳ ବାବୁ ନିଜେ ନିର୍ଦ୍ଦେଶନା ଦେଲେ। ହେଲେ ଉତ୍ସବ ମଞ୍ଚରେ ନାଟକ ସକାଶେ ଏକ ଘଣ୍ଟା ସମୟ ଦେବାକୁ ରଜତ ଜୟନ୍ତୀର ଆବାହକ ମନୋରଞ୍ଜନ ପଟ୍ଟନାୟକ ମହାଶୟ ପ୍ରଥମେ ଅମଙ୍ଗ ହେଲେ। ତାର କାରଣ କେଉଁ ସ୍ତରରେ ନାଟକକୁ କଳାକାରମାନେ ଅଭିନୟ କରି ଉପସ୍ଥାପନା କରିବେ ତାହା ତାଙ୍କୁ ଅଜଣା ଥିଲା। କଳାକାରମାନଙ୍କର ଦକ୍ଷତା ମଧ୍ୟ ଜଣା ନଥିଲା। ତେଣୁ  ଏହି ନାଟକଟିକୁ କେବଳ ତାଙ୍କରି ସକାଶେ ସମ୍ମିଳନୀ ପୂର୍ବରୁ ଥରେ କାନାଡାର ହାମିଲଟନ ସହରରେ ବିଷୁବ ମିଳନ ଉପଲକ୍ଷେ ମଞ୍ଚସ୍ଥ କରିବାର ସ୍ଥିର କରାହେଲା। ସେ ନିଉୟର୍କରୁ ଆସି ଦେଖିବେ ବୋଲି କହିଲେ। ସ୍କୁଲରେ ପଢୁଥିବା ବେଳେ ମୁଁ “ଦେଖିଲେ ଜାଣିବେ” ନାଟକରେ ନାରୀ ଭୂମିକା ନେଇ ଅଭିନୟ କରିଥିଲି। ବାଣୀବିହାରରେ ଛାତ୍ର ଥିବା ବେଳେ ପ୍ରାଣୀ ବିଜ୍ଞାନ ବିଭାଗ ତରଫରୁ ତିନି ତିନି ଥର ନାଟକରେ ଅଭିନୟ କରିଛି। ରବିନ୍ଦ୍ର ମଣ୍ଡପ ସହିତ ନାଟକରେ ଜଡିତ ଥିବା ଲେଖକ ଓ ନିର୍ଦ୍ଦେଶକ ଆମକୁ ଆସି ନିର୍ଦ୍ଦେଶନା ଦେଇଥିଲେ। ସବିତା ମଧ୍ୟ ବାଲେଶ୍ବର ନୃତ୍ୟ ସଙ୍ଗୀତ କଳାମନ୍ଦିରରେ ଅନେକ ନାଟକ ଓ ଗୀତିନାଟ୍ୟରେ ଅଭିନୟ କରିଥାନ୍ତି। ତଥାପି ଏହା ଶୁଣି ଆମ ମାନଙ୍କର ଭାଳେଣି ପଡିଲା। ଭଲ ହେଲେ ସୁଯୋଗ ମିଳିବ ରଜତ ଜୟନ୍ତୀରେ ଅଭିନୟ କରିବା ପାଇଁ, ମନ୍ଦ ହେଲେ ନାହିଁ। ରାତି ଦିନ ପରିଶ୍ରମ କରି ହାମିଲଟନରେ ମଞ୍ଚସ୍ଥ କଲୁ। ମନୋରଞ୍ଜନ ବାବୁ ଏକୁଟିଆ ଆସିଲେ ନିୟୁୟର୍କରୁ କେବଳ ନାଟକଟିକୁ ଦେଖିବା ପାଇଁ। ନାଟକ ଦେଖି ସେ ଅତ୍ୟନ୍ତ ପ୍ରୀତ ହେଲେ ଓ ରଜତ ଜୟନ୍ତୀରେ ମଞ୍ଚସ୍ଥ କରିବାକୁ ଆମକୁ ଅନୁମତି ମିଳିଗଲା।  

ସମସ୍ତ ଯୋଜନା ପରେ ଆମେ ସପରିବାର ଟରୋଣ୍ଟୋରୁ ନିଉ ଜର୍ସିର ପୋମୋନା ସହରରେ ପହଞ୍ଚିଲୁ। ରଜନ୍ତ ଜୟନ୍ତୀର ଉତ୍ସବ ଆରମ୍ଭ ହେଲା। ଶ୍ରୀଯୁକ୍ତ ଲଳିତ ମାନସିଁ ମୁଖ୍ୟ ଅତିଥି ଓ ବକ୍ତା ହିସାବରେ ଯୋଗ ଦେଇଥାନ୍ତି। ଉତ୍ସବର ଶେଷ ରାତିରେ ନାଟକର ପରିବେଷଣ। ବିଖ୍ୟାତ ଚିତ୍ର ଶିଳ୍ପୀ ପ୍ରଫୁଲ୍ଲ ମହାନ୍ତି ମଞ୍ଚସଜ୍ଜାର ଦାୟିତ୍ବରେ ଥାଆନ୍ତି। ଯଦିଓ କୌଣସି କାରଣରୁ ନାଟକ ପରିବେଷଣରେ ବିଳମ୍ବ ଘଟିଲା ତଥାପି ଆମେ ବହୁତ ଉତ୍ସାହ ଉଦ୍ଦୀପନାର ସହିତ ନାଟକଟି ରଜତ ଜୟନ୍ତୀ ମଞ୍ଚରେ ପରିବେଷଣ କଲୁ।

ନାଟକ ସମାପ୍ତି ପରେ ଦର୍ଶକମାନଙ୍କର ଭୁରି ଭୁରି ପ୍ରଶଂସା। ସମସ୍ତଙ୍କର କହିବା ଅନୁସାରେ ଏହା ଏକ ସଫଳ ପ୍ରକଳ୍ପ। ‘ଓସା’ ତରଫରୁ ସମଗ୍ର ଉତ୍ତର ଆମେରିକାରେ ପ୍ରଥମ କରି ସଂପୂର୍ଣ୍ଣ ଓଡିଆ ନାଟକ ମଞ୍ଚସ୍ଥ, ସେ ପୁଣି ଆଞ୍ଚଳିକ କଳାକାର ମାନଙ୍କୁ ନେଇ। ନାଟକଟି ଦେଖିବାକୁ ଯେଉଁମାନେ ସୁଯୋଗ ପାଇଥିଲେ ସେମାନେ ପ୍ରଶଂସା ପୂର୍ବକ ନାଟକଟି ବିଷୟରେ ଏ ପର୍ଯ୍ୟନ୍ତ ଚର୍ଚ୍ଚା କରନ୍ତି  ଏବଂ ସେମାନଙ୍କ ଆଖି ଆଗରେ ଆମେ ଦୁଇଜଣ ସବୁଦିନ ପାଇଁ “ଭଗିଆ” ଓ “ସାରିଆ” ହେଇ ରହିଗଲୁ। ଏହା ଥିଲା ‘ଓସା’ ମଞ୍ଚରେ ଆମର ପ୍ରଥମ ଅଭିନୟ। ସେହି ଦର୍ଶକମାନଙ୍କ ମଧ୍ୟରୁ ଅନେକେ ଏ ମରସଂସାରରୁ ବିଦାୟ ନେଲେଣି। ଦୀର୍ଘ ଛବିଶ ବର୍ଷ ପରେ ବି ଚଉଦ ଜୁଲାଇ ୨୦୨୦ରେ ବୋଷ୍ଟନର ଭାଷାବିତ୍‌, କଳା ଓ ସାହିତ୍ୟ ପ୍ରେମୀ ଶ୍ରୀ ବିଜୟ ମିଶ୍ର ସେଇ ମଞ୍ଚସ୍ଥ ହୋଇଥିବା “ଛ ମାଣ ଆଠଗୁଣ୍ଠ” ଉପରେ ନିମ୍ନ ଲିଖିତ ମନ୍ତବ୍ୟ ଲେଖିଛନ୍ତି ‘ଓସା’ର ସମ୍ବାଦ ସରବରାହ ଇଲେକ୍‌ଟ୍ରୋନିକ “ଓସାନେଟ” ଗ୍ରୁପ୍‌ ମାଧ୍ୟମରେ:  

“I should also mention the tremendous artistic work shown by Srigopal babu through his recreation of chhamaNaathagunTha for the stage.  This happened in 1994 after ten years of the first milestone.  That we can do professional play through our local talents was not conceived earlier.  Every person who played a role in that play did phenomenally well.  The stage was well done, the lighting was excellent.  I did know that Srigopal babu had interest in the arts, but that production was stunning.  Gagan and Sabita both excelled in the principal roles in the play.  The event was celebrating the 150th birth anniversary of novelist Sri Fakirmohan Senapati and locally we had the twenty fifth anniversary of OSA.” 

ପୁଣି ଥରେ ୨୦୧୦ ମସିହାରେ ‘ଓସା’ର ଆଞ୍ଚଳିକ ନାଟକ ଉତ୍ସବରେ ଛମାଣ ଆଠଗୁଣ୍ଠ ନାଟକ ଟରୋଣ୍ଟୋରେ ମଞ୍ଚସ୍ଥ କରାହେଲା ଯେଉଁଥିରେ କି ଜୀବନଜିତ୍‌ ଓ ସସ୍ମିତା ତ୍ରିପାଠୀ ମଙ୍ଗରାଜ ଓ ଚମ୍ପା ଭୂମିକାରେ ଅଭିନୟ କରିଥିଲେ। ସନା ଦେଉରି ହିସାବରେ ପରାଶର ମିଶ୍ର ଓ ଗୋବିନ୍ଦା ବାରିକ ହିସାବରେ ଅବନୀ ପଟ୍ଟନାୟକ ଅଭିନୟ କଲେ। ମୁଁ ସେଥିରେ ନିର୍ଦ୍ଦେଶନା ଦେଲି ଓ ମଞ୍ଚ ସଜ୍ଜା କଲି। ପୁଅ ସୋମନ ଆଲୋକ ଓ ସଙ୍ଗୀତ ପରିଚାଳନାରେ ରହିଲା। ଏହା ମଧ୍ୟ ବହୁତ ସଫଳ ଓ ପ୍ରଶଂସନୀୟ ହୋଇଥିଲା। କେତେ ଜଣ ଆଜିକାଲିର ଇଂରାଜୀ ମାଧ୍ୟମରେ ପାଠ ପଢୁଆ ଆସି କହିଲେ ଏମିତି ବି ବଳିଷ୍ଠ ଉପନ୍ୟାସ ଓ ନାଟକ ଓଡିଆରେ ଅଛି! ଆମେ ଆଶ୍ଚର୍ଯ୍ୟ ହେଲୁ ଶୁଣି।

କିଛି ବର୍ଷ ବିତିଗଲା ୟା ଭିତରେ। ବହୁ ଝଡଝଞ୍ଜା ଅତିକ୍ରମ କରି ‘ଓସା’ର ବୋଇତ ସମୟର ସ୍ରୋତରେ ଭାସି ଭାସି ଆସି ପଚାଶ ବର୍ଷରେ ପଦାର୍ପଣ କଲା। ନ୍ୟୁଜର୍ସିର ଆଟଲାଣ୍ଟିକ ସିଟିରେ ୨୦୧୯ ମସିହାରେ ସୂବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ହେବ ବୋଲି ସ୍ଥିର ହେଲା। ‘ଓସା’ର ସବୁଠାରୁ ପୂରାତନ ଏବଂ ବଡ ଚାପ୍ଟର ନିଉୟର୍କ ନିଉଜର୍ସି। ସେଠାକାର ସଭ୍ୟ ଓ କର୍ମକର୍ତ୍ତା ମାନେ ଆଗେଇ ଆସିଲେ ଏ ଗୁରୁଦାୟିତ୍ବ ବହନ କରିବା ପାଇଁ। ଆବାହକ ହେଲେ ଡକ୍ଟର ଉମା ବଲ୍ଲଭ ମିଶ୍ର, ଯାହାଙ୍କୁ କି ଆମେ ଉମା ଭାଇନା ବୋଲି ସମ୍ବୋଧନ କରୁ। ତାଙ୍କ ସହିତ ୨୦୧୮ ଡେଟ୍ରୋଏଟ୍‌ ସମ୍ମିଳନୀ ବେଳେ କଥା ହେଉଥିବା ବେଳେ ସେ କହିଲେ, “ଗଗନ, ତମେ ଆଉ ସବିତା ଯେଉଁ ପଚିଶ ବର୍ଷ ତଳେ ନାଟକଟି କରିଥିଲ ନା ସେମିତି ଆଉ ହେଇ ପାରିନି କେବେ। ଯେଉଁମାନେ ଦେଖିଥିଲେ ସେଥିରୁ ଅଧା ଗଲେଣି, ଆଉ ଆମେ ଅଧା ଅଛେ।” ଏହା ଶୁଣି ମୋ ମନକୁ କଣ ଆସିଲା କେଜାଣି ମୁଁ କହିଦେଲି, “ଯଦି ଚାହିଁବେ ଏବେ ବି ହେଇ ପାରିବ, ଅସମ୍ଭବ କଣ?” କହି ଦବା ପରେ ମୋ ମନ ଭିତରେ ବାଜିଗଲା ସେଇ ପ୍ରଥମ ଦୃଶ୍ୟ ଗୀତର ମନ ମତାଣିଆ ମଧୁର ସ୍ବର “ତୁ ମୋର ଚାନ୍ଦ ବଦନୀ, ହସିଦେଲେ ଖସେ ମୁକୁତା ମଣି ମୋ ସାରିଆ ଲୋ।” ସଙ୍ଗେ ସଙ୍ଗେ ଉମା ଭାଇନା କହିଲେ, “କରିପାରିବ ଯଦି କର, ପଚିଶ ବର୍ଷରେ ହେଇଥିଲା, ପଚାଶ ବର୍ଷରେ ପୁଣି ହବ?” 

କହି ତ ଦେଲି, ଅଭିନୟ କରିବ କିଏ? ସେଇଠୁ ପାଖରୁ ଚାଲିଲା ଯୋଜନା। ସଂଧ୍ୟା ବେଳେ ଯାଉଥିଲି ବସ୍‌ରେ ଫୋର୍ଡ ସେଣ୍ଟର ଫର୍‌ ପର୍‌ଫର୍ମିଂ ଆର୍ଟ୍ସରୁ ହୋଟେଲକୁ ଫେରି। ବସ୍‌ ଭିତରେ ଦେଖା ହେଲା ୱାସିଂଟନ ଡିସିର ଅଞ୍ଜନା ଚୌଧୁରୀଙ୍କ ସହିତ। ସେ ନାଟକ କରିବାକୁ ଅତି ପସନ୍ଦ କରନ୍ତି। ମୋତେ ସେ “ଭାଇନା” ବୋଲି ସମ୍ବୋଧନ କରନ୍ତି। କହିଲି, “ଅଞ୍ଜନା, ଗୋଟିଏ ଅନୁରୋଧ ରଖିବ?” ସେ କହିଲେ, “ଇଏ ଗୋଟେ କଥା ଭାଇନା, ଆପଣ କହିବେ, ଆଉ ମୁଁ ରଖିବିନି? କଣ କହୁ ନାହାନ୍ତି।” ମୁଁ କହିଲି, “ଛମାଣ ଆଠଗୁଣ୍ଠ ନାଟକ କାନାଡା ସହିତ ମିଶି ୱାସିଂଟନ କରିବାକୁ ରାଜି ହବ? ରଜତ ଜୟନ୍ତୀରେ ହେଇଥିଲା, ସୂବର୍ଣ୍ଣ ଜୟନ୍ତୀରେ ହବ। ରାଜି ହେବେ ଲୋକେ ତମ ୱାସିଂଟନରୁ?” ସଙ୍ଗେ ସଙ୍ଗେ ସେ କହି ଉଠିଲେ, “ହେବେନି କାହିଁକି, ଆପଣ କହିଲେ ନିଶ୍ଚୟ ରାଜିହେବେ। ମୁଁ ରାଜି କରେଇବି, କେତେ ଜଣ ଦରକାର?” ମୁଁ କହିଲି, “ଅତି କମ୍‌ରେ ଛଅ ଜଣ”। “ମିଳି ଯିବେ ଭାଇନା, ମୋ ଉପରେ ଛାଡି ଦିଅନ୍ତୁ”, ଏତକ କହି ସେ ତାଙ୍କ ରୁମ ଆଡକୁ ମୁହେଁଇଲେ। ମୁଁ  “ପରେ କଥା ହେବା” କହି ମୋ ରୁମକୁ ଚାଲିଗଲି। ରୁମରେ ପତ୍ନୀ ସବିତା ପହଞ୍ଚି ସାରିଥିଲେ।  ତାଙ୍କୁ ୟା ଭିତରେ ଘଟିଯାଇଥିବା ସମସ୍ତ କଥୋପକଥନ ବିଷୟରେ ଅବଗତ କରେଇଲି। ସେ ଏତେ ଶୀଘ୍ର କୌଣସି ଥିରେ ଖୁସି ହେଇ ଯାଆନ୍ତିନି। କହିଲେ, “କାମ ପଡିବ, କରିବା ଯଦି ମନ ଦେଇ କରିବା, କରି ପାରିଲେ ଭଲ ହୁଅନ୍ତା, ଉମା ଭାଇନା ସତରେ ରାଜି ତ?” ମୁଁ କହିଲି, “ ମୁଁ ତାଙ୍କୁ ଭଲକରି ପଚାରିଚି, ସେ ରାଜି।” ଡେଟ୍ରୋଏଟ୍‌ ସହରରେ ସମ୍ମିଳନୀ ସରିଲା ଓ ଆମେ ଟରୋଣ୍ଟୋ ଫେରି ଆସିଲୁ। 

ଟରୋଣ୍ଟୋ ଆସିବା ମାତ୍ରେ ମୁଁ କଳାକାର ସନ୍ଧାନରେ ଲାଗିଗଲି। ଅବଶ୍ୟ କେତେ କଳାକାର ମୋ ଆଖି ସାମନାରେ ଅନେକ ଦିନରୁ ଥାଆନ୍ତି। ମଙ୍ଗରାଜ ଭୂମିକାରେ ତନ୍ମୟ ପଣ୍ତା। ଦେଖିବାକୁ ବେଶ ଡେଙ୍ଗା, ଜମିଦାର ଭଳିଆ ଚେହେରା ଓ ଚାଲି ପୁଣି ସେଇ ଠାଣିରେ, ଆଉ ତା ସାଙ୍ଗକୁ ତାଙ୍କର ଲମ୍ବା କେଶ ଆହୁରି ମାନୁଥାଏ। ଚମ୍ପା ଭୂମିକାରେ ଟରୋଣ୍ଟୋର ନିବେଦିତା ପଟ୍ଟନାୟକ। ଆଗରୁ ଆମ ସହିତ ଅଭିନୟ କରିଥାନ୍ତି। ଯାହା ଶିଖେଇଲେ ଶୀଘ୍ର ଶିଖିଯାଇ ପାରନ୍ତି ଓ ଭଲ ଅଭିନୟ ବି କରି ପାରନ୍ତି। ଆଉ ଦୁଇଜଣ ରହିଲେ ସନା ଦେଉରୀ ଓ ଗୋବିନ୍ଦା ବାରିକ। ସେ ଦୁଇଟି ଭୂମିକାରେ ଯଥାକ୍ରମେ ରହିଲେ ପ୍ରଶାନ୍ତ ଭୂୟାଁ ଓ ଗୋପାଳ ରାଓ। ଏ ଦୁଇ ଜଣଙ୍କର ଅଭିନୟ ବି ବେଶ୍‌ ଭଲ। ଆମେ ସ୍ବାମୀ ସ୍ତ୍ରୀ ଦୁଇଜଣ ଯେଉଁ ଭଗିଆ ସାରିଆକୁ ସେଇ ଭଗିଆ ସାରିଆ। ଏଥର ଦୁଇ ଜଣ ମିଶି ନିର୍ଦ୍ଦେଶନା ଦେଲୁ। କଳାକାର ହିସାବରେ କାହାରିକୁ ବାଛିବାର ନାହିଁ। ବହୁତ ଆଗରୁ ସମସ୍ତଙ୍କୁ ସ୍କ୍ରିପ୍ଟ ଦେଇ ଦିଆଗଲା । ଅପ୍ରେଲ ମାସରୁ ଆରମ୍ଭ ହେଲା ରିହାରସଲ୍‌, ଦୀର୍ଘ ତିନିମାସ ଧରି ଚାଲିଲା ଘମାଘୋଟ ରିହରସଲ୍‌। ସାଉଣ୍ଡ ଓ ଲାଇଟରେ ରହିଲେ ପଣ୍ଡା ଭଉଣୀ ଦ୍ବୟ, ସୃଷ୍ଟି ଓ ସୃଜନୀ। ଝିଅ ଇନିକା ଓ ସ୍ରିଜା ନୃତ୍ୟରେ। ୱାସିଂଟନ କଳାକାର ମାନଙ୍କ ସହିତ ରିହାରସଲ ମଧ୍ୟ ଅନେକ ଥର ହେଲା। ସୂବର୍ଣ୍ଣ ଜୟନ୍ତୀର ଉତ୍ସବ। ଶୁଣିଲୁ ଜୀବନରେ ଥରେ ଦେଖିବାର ସୁଯୋଗ ଏମିତି ଆସେ। ଅନେକ ଯାକ ଜମକରେ ହେଉଛି। ସ୍ବେଚ୍ଛାସେବୀମାନେ ଜୋରସୋରରେ ମନପ୍ରାଣ ଦେଇ ଲାଗିପଡିଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ସହିତ ଦୁଇଥର କଥା ହେଇ ମୁଁ ଆମର ସମସ୍ତ ଲାଇଟ, ସାଉଣ୍ଡ, ପ୍ରପ୍‌ ଓ ଷ୍ଟେଜର ଆବଶ୍ୟକତା ତାଙ୍କୁ ଜଣେଇ ଦେଇ ନିର୍ଭୟରେ ରହିଲି। 

ନିଜର ସମସ୍ତ ଆବଶ୍ୟକୀୟ ସରଞ୍ଜାମ ଧରି ଆମେ ଆଟଲାଣ୍ଟିକ ସିଟିର “ହାରାସ ହୋଟେଲ”ରେ ନିର୍ଦ୍ଧାରିତ ସମୟ ଅନୁଯାୟୀ ହାଜର ହେଲୁ। ସେଠାରେ ପହଞ୍ଚି ପ୍ରଥମେ ଗଲି ଅଭିନୟ ମଞ୍ଚ ଦେଖିବାକୁ। ମଞ୍ଚ ଦେଖିବା ମାତ୍ରେ ବୁଝିଗଲି ନାଟକ ପାଇଁ ମଞ୍ଚ ଆଦୌ ଅନୁକୂଳ ନୁହଁ। ଦ୍ବିତୀୟରେ ଯେଉଁମାନେ ଲାଇଟ ଏବଂ ସାଉଣ୍ଡ ଦାୟିତ୍ବରେ ସେମାନଙ୍କ ପାଖରେ ଆମ ନାଟକର ଆବଶ୍ୟକ ଅନୁଯାୟୀ କୌଣସି ତଥ୍ୟ ପହଞ୍ଚି ପାରିନି। ପୁଣି ସାଂସ୍କୃତିକ କମିଟି ତରଫରୁ ଆମ ପାଖରୁ ଆଉଥରେ ନେବାକୁ ମଧ୍ୟ କେହି ସେଠାରେ ମହଜୁଦ ନାହାନ୍ତି। ଆମକୁ ଆଗରୁ ପ୍ରତିଶ୍ରୁତି ଦେଇଥିବା ଅନୁସାରେ ପ୍ରପ ମଧ୍ୟ ଯୋଗାଡ କରାଯାଇ ପାରିନାହିଁ। ଏଇ ଅବସ୍ଥାରେ କେମିତି ଯେ ନାଟକ ମଞ୍ଚସ୍ଥ  ସମ୍ଭବ ହେବ ଭାବି ପାରିଲିନି। ନା ଉଇଙ୍ଗିସ୍‌, ନା ସ୍କ୍ରିନ, କିଛି ନଥାଏ। ମଞ୍ଚ ସାମନାରେ ବିରାଟ ବିରାଟ ସାଉଣ୍ଡ ସିଷ୍ଟମ ଦୃଷ୍ଟି ଅବରୋଧ କରିବା ପାଇଁ ମୁଣ୍ଡ ଟେକି ରହିଥାନ୍ତି। ମନେ ପକେଇଲି ପଚିଶ ବର୍ଷକୁ ମଞ୍ଚକୁ। ମନ ଦୁଃଖ ହେଲା। ନିଜର ସଂଗଠନ, ନିଜ ଘର କଥା, କାହାକୁ କହିବା, କାହା ଆଗରେ ଅଭିଯୋଗ କରିବା? ତେଣୁ କିଛି କାହାରିକୁ ନକହି, ସବୁ ସହି ଯାଇ ମନରେ ସାହସ ବାନ୍ଧି ନାଟକ ଯେପରି ହେଲେ ମଞ୍ଚସ୍ଥ କରିବୁ ସେଇ ବିଶ୍ବାସ ନେଇ ରହିଲୁ। ୱାସିଂଟନ କଳାକାରମାନଙ୍କ ସହିତ ମିଳି ସଂପୂର୍ଣ୍ଣ ରିହାରସଲ ପୂର୍ବ ରାତ୍ରିରେ ସଫଳ ରହିଲା।

ତହିଁ ପରଦିନ ରାତି ୧୦:୩୦ ରେ ଆରମ୍ଭ ହେଲା ସେଇ କାଳଜୟୀ ନାଟକ ଯାହାକି ପଚିଶ ବର୍ଷ ତଳେ ହେଇଥିଲା ଏଇ ‘ଓସା’ ମଞ୍ଚରେ। ମଞ୍ଚ ଆଗରେ ଉତ୍ସୁକ ଦର୍ଶକ ମାନଙ୍କର ଖଚା ଖଚ୍‌ ଭିଡ। ଏତେ ବାଧାବିଘ୍ନକୁ ଏଡେଇ ବାଜି ଉଠିଲା ପ୍ରଥମ ଦୃଶ୍ୟର ସେଇ ଲାଳିତ୍ୟ ସ୍ବର, “ତୁ ମୋର ଚାନ୍ଦ ବଦନୀ, ହସି ଦେଲେ ଖସେ ମୁକୁତା ମଣି, ମୋ ସାରିଆ ଲୋ।” ଲୋମ ମୂଳ ମୋର ଟାଙ୍କୁରୀ ଉଠିଲା। ସମସ୍ତ କଳାକାର ସଜାଗ। ଅନେକ ଉତ୍ସାହ ଓ ଉଦ୍ଦୀପନାର ସହିତ କଳାକାରମାନେ ନାଟକ ପରିବେଷଣ କଲେ । ଏକ ଘଣ୍ଟା ସାତ ମିନିଟ ପରେ ନାଟକର ସମାପ୍ତି। କର ତାଳିରେ ଭରି ଉଠିଲା ଓସା ସୂବର୍ଣ୍ଣ ଜୟନ୍ତୀ ମହୋତ୍ସବର ମଞ୍ଚ। ସଫଳ ହେଲା ନାଟକ ଛମାଣ ଆଠଗୁଣ୍ଠ। ଅନେକେ ଧାଇଁ ଆସିଲେ ଆମ ମାନଙ୍କୁ ଶୁଭେଚ୍ଛା ଜଣେଇବାକୁ। ଗ୍ରୀନ ରୁମ୍‌ ଭରିଗଲା ଉତ୍ସାହୀ ଦର୍ଶକମାନଙ୍କ ଉପସ୍ଥିତିରେ। କରିଡୋରରେ ଗଲାବେଳେ ବି ଅନେକ ଦର୍ଶକ ଶୁଭେଚ୍ଛା ଜଣେଇଲେ। ଶେଷକୁ ଜଣେ କେହି ଦୌଡି ଆସି କହିଲେ, “ଆଜ୍ଞା, ଆପଣ ଦୁଇଜଣ ଭଗିଆ ସାରିଆ ଭୂମିକାରେ ଅଭିନୟ କରୁଥିଲେ ନା? ମୁଁ କେବଳ ଆପଣଙ୍କୁ କହିବାକୁ ଦଉଡି ଆସିଲି। ଅତି ସୁନ୍ଦର ହେଇଥିଲା ଆଜ୍ଞା ନାଟକଟି। ସମସ୍ତଙ୍କର ଅଭିନୟ ଏକଦମ ନିଖୁଣ। ଏପରି ଆଉ ଓଡିଶାରେ ବି ଦେଖିବାକୁ ମିଳିବା ବିରଳ, ଆଜ୍ଞା।” ଆମେ ଆଶ୍ଚର୍ଯ୍ୟ ହୋଇ ଧନ୍ୟବାଦ କହିଲୁ। ପରେ ଜଣା ପଡିଲା ସେ ଭଦ୍ରବ୍ୟକ୍ତି ଜଣକ ଆମର ବନ୍ଧୁ ଚନ୍ଦନ ପ୍ରତିହାରିଙ୍କ ପିତା ଯିଏକି ଓଡିଶାରୁ ଆମେରିକା ପୁଅ ଘରକୁ ଆସିଛନ୍ତି। ଚିହ୍ନା ଅଚିହ୍ନା ଅଗଣିତ ଦର୍ଶକ ମାନଙ୍କର ଭୁରି ଭୁରି ପ୍ରଶଂସା ଶୁଣିବାକୁ ମିଳିଲା। ଇମେଲ ମାଧ୍ୟମରେ ମଧ୍ୟ ମେସେଜ ସବୁ ଆସିବାକୁ ଲାଗିଲା। କେବଳ ଆମର ନୁହଁ, ଚମ୍ପା, ମଙ୍ଗରାଜ, ସନା ଦେହୁରି ଓ ଗୋବିନ୍ଦା ବାରିକ ସମସ୍ତଙ୍କର ଭୁରି ଭୁରି ପ୍ରଶଂସା। ମନକୁ ଆସିଲା ଏତେ ଅବ୍ୟବସ୍ଥା ଭିତରେ ବି ନାଟକ ମଞ୍ଚସ୍ଥ ହେଇ ପାରିଲା ଓ ଲୋକେ ପସନ୍ଦ କଲେ, ଏଇୟା ବଡ କଥା।  ଆମର ଶ୍ରମ ସାର୍ଥକ ହେଲା। ଏତେ ମାସର ପରିଶ୍ରମ ଯେତେ ସବୁ ଭୁଲିଗଲୁ। ଏ ଥିଲା ଫକୀର ମୋହନଙ୍କ କାହାଣୀକୁ ଅମର ରଖିବାର ଓ ପ୍ରସାର କରିବାର ଆମର ଏକ ମାତ୍ର ପ୍ରୟାସ। 

ଛ ମାଣ ଆଠଗୁଣ୍ଠ ନାଟକ ଆମେରିକାରେ ଚାରି ଥର ପରିବେଷଣ ସରିଛି। ‘ଓସା’ର ପୂର୍ବତନ ସଭାପତି ପ୍ରତାପ ଦାସଙ୍କ ଭଳି କିଛି ଉଦ୍ୟୋକ୍ତା ଆମ ଦଳକୁ ଭାରତ ନେଇ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ କରେଇବାର ଯୋଜନା ଆଣିଥିଲେ, ହେଲେ ଏ ପର୍ଯ୍ୟନ୍ତ ଏହା ସଫଳ ହେଇ ପାରିନି। ସେ ଆଶା ଏବେ ବି ମନରେ ଅଛି। ସମ୍ଭବ ହେବ କି ନହେବ ଆମେ ଜାଣିନୁ।

14 thoughts on “ଆମେରିକାରେ ‘ଛମାଣ ଆଠ ଗୁଣ୍ଠ’ ନାଟକ – ଏକ ଅଭିଜ୍ଞତା

  1. ଜୟ ଜଗନ୍ନାଥ। ସୁଦୂର ଆମେରିକାରେ ଓଡିଆ ନାଟକଟିଏ ସୁନ୍ଦର ଭାବେ ମଂଚସ୍ଥ କରିବାର ଏହା ଏକ ପ୍ରେରଣାପ୍ରଦ ଅନୁଭୂତି। ଲେଖକଙ୍କୁ ଅଭିନନ୍ଦନ।

  2. Great to learn that Odia sensibility and nuances could be portrayed by the Odias through the action drama, though residing outside the country. Hats off to you all.

  3. ବହୁତ ସୁନ୍ଦର ଭାବେ ବ୍ୟାଖାନ କରିଛନ୍ତି ନାଟକ ବିଷୟ l ନ ଦେଖିଲେ ବି ମୁଁ ନାଟକଟିକୁ ଦେଖିଲି ତୁମ କଲମ ମାଧ୍ୟମରେ l ଏଇଟା ହେଉଛି ଜଣେ ପୋଖତ ଲେଖକଙ୍କର ଯାଦୁକରୀ ଲେଖାର କାରଶାଦୀ l ଅନେକ ଶୁଭେଚ୍ଛା l

  4. We need to cherish those moods, moments and memories of life time. It’s awesome that both Gagan Bhai and Sabita Apa could perform and be part of such a legendary play on both historic occasions of OSA. God Bless.

    1. Thank you Sanjib Babu for your appreciation. Met with you in Chicago OSA convention, do you remember?

  5. ଦୀନବନ୍ଧୁ ଶ୍ରୀପଲ୍ଲବ, ସମ୍ପାଦକ, ଉତ୍କଳ ସମ୍ମିଳନୀ, ଗଞ୍ଜାମ। says:

    ସମସ୍ତ ବିଷୟ ପଢି ଏ ନାଟୁଆ ଆଖିରେ ଲୁହ ଭରିଗଲା । ସୁଦୂର ଆମେରିକାରେ ଓଡ଼ିଆ ନାଟକ !!! ସମସ୍ତ କର୍ମକର୍ତ୍ତା କଳାକାର ମାନେ ପେଶାଦାର ନ ହୋଇ ମଧ୍ୟ ଆମେରିକା ଭଳି ସଂପର୍ଣ ସ୍ଥାନରେ ଓଡ଼ିଆ ନାଟକ ପୁଣି ଛ ମାଣ ଆଠଗୁଣ୍ଠ ସଂପୂର୍ଣ୍ଣ ଗ୍ରାମ୍ୟ ପରିବେଶ ଏବଂ ମାନ୍ଧାତା ଅମଳର କାହାଣୀ କୁ ଅତ୍ୟାଧୁନିକ ସଭ୍ୟ ସମାଜରେ ଲୋକ ଗ୍ରହଣ କରି ପ୍ରଶଂସାରେ ଶତମୁଖ ହେବା ନିଶ୍ଚିତ ଭାବରେ ଗର୍ବ ଓ ଗୌରବର ବିଷୟ। ମୁଁ ଭାବୁଛି କାଳେ ସ୍ବୟଂ ଫକିର ମୋହନ ସେଠାକୁ ଯାଇ ସଫଳ କରାଇ ଦେଇ ନାହାନ୍ତି ତ? ସେହି ଯୁଗଜନ୍ମା କାଳଜୟୀ ସ୍ରଷ୍ଟା ଫକିର ମୋହନ ସେନାପତିଙ୍କ ପଦାରବିନ୍ଦରେ କୋଟି କୋଟି ପ୍ରଣାମ ଏବଂ ଗଗନ ବାବୁଙ୍କ ସମେତ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶତଶତ ପ୍ରଣାମ।: ଦୀନବନ୍ଧୁ ଶ୍ରୀପଲ୍ଲବ, ସମ୍ପାଦକ, ଉତ୍କଳ ସମ୍ମିଳନୀ, ଗଞ୍ଜାମ ଜିଲ୍ଲା।

    1. ଆପଣଙ୍କ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ, ନମସ୍କାର

  6. ବ୍ଯାସକବି ଫକିର ମୋହନ ସେନାପତିଙ୍କ ରଚନା ଉପରେ ଆଧାରିତ ‐ଛମାଣ ଆଠ ଗୁଣ୍ଠ ରେ ଅଭିନୟ କରିଥିବା ସମସ୍ତ କଳାାକାର, ନିର୍ଦ୍ଦେଶକ ଓ ଆୟୋଜକଙ୍କୁ ଆନ୍ତରିକ ଶୁଭେଛା।

  7. Many many thanks to Sahitya Charcha for delivering such a unique feature towards promotion of Odia language outside Odisha as well as outside India !

  8. Congratulations for staging this ever hit drama four times in USA/Canada. I wish and wait for the day, when you will stage this drama in Rabindra Mandap. Thanks

  9. ODIA UPANYASAKU BIDESHARE PRACHARITA PRASARITA KARIBA BAHUT BADA KATHA. EPARI UDYAM JARIRAHU. DHANYABAD

  10. Dear Gagan babu:
    I did not watch the 1st staging of the drama nor the 25th of the drama, because that is the one OSA I missed after many years, due sickness of my wife Lila(who is no more). However we watched it’s staging in California in 2017 RDF, which was a super presentation – with superior acting & direction by Priyadarshi Das and his North California team. Unfortunately there was an emergency fire alarm maloperation – leading to a hall evacuation by the Fire department before completion of the drama. This was the RDF, where a team lead by Seema Choudhury undertook a trip from Portland, OR the longest trip to participate in a RDF.

Leave a Reply

Your email address will not be published. Required fields are marked *