- ଆହା ! ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଗାଇଡ଼ ବହିଟିଏ ମିଳିଯାଆନ୍ତା କି ! ଏହି ମର୍ମରେ ଲେଖକ ପ୍ରସ୍ତୁତ କରିଛନ୍ତି ଏକ ଶାଣିତ ବ୍ୟଙ୍ଗ।
ମୋ ମୁଣ୍ଡରେ ସାହିତ୍ୟ ନିଶା ଟା ଚଢ଼ି ଯାଇଛି ଯେ ଛାଡ଼ିବା ନାଁ ଧରୁନାହିଁ। ଶୟନେ ସ୍ୱପନେ ଜାଗରଣେ ସେହି ଗୋଟିଏ ଚିନ୍ତା , କେମିତି ଏକାଡେମୀ ଆୱାର୍ଡ଼ ଟାଏ ମିଳିଯାଆନ୍ତା ନାହିଁ ! ରିସର୍ଚ୍ଚ କରି ଚାଲିଛି। ଯେଉଁମାନେ ଆଗରୁ ପାଇଛନ୍ତି ତାଙ୍କର ବହି ସବୁ ଯେତେ ପାରେ ପଢ଼ିବାକୁ ଚେଷ୍ଟା କରିଚାଲିଛି। ମନେ ଅଛି ଆମେ ମାଟ୍ରିକ ପରୀକ୍ଷାରେ ପାଶ୍ କଲା ପୁର୍ବରୁ ଦଶବର୍ଷର ପ୍ରଶ୍ନୋତ୍ତର ସମ୍ବଳିତ ଟେଷ୍ଟ ପେପର ପଢ଼ି ପ୍ରାକ୍ଟିସ କରୁଥିଲେ। କି ବହି ର ସାହାଯ୍ୟ ନେବାକୁ ହେଉଥିଲା। ସେ ବହିର ଲେଖକଙ୍କ ନାମ ଥାଏ ‘ବାଏ ଆନ୍ ଏକ୍ସପେରିଏନ୍ସଡ଼ ଟିଚର’। ତା’ପରେ ଆସିଲେ ବାଵା ବୈଦ୍ୟନାଥ ପାଢ଼ୀ । ପରମାନନ୍ଦ ଖଣ୍ଡେଇ ଆଦି । ସାହିତ୍ୟ ଏକାଡେମୀର ସେପରି କିଛି ବହି ଅଛି କି? ପଚାରିଲେ କେହି କହନ୍ତି ନାହିଁ । କାହାକୁ ପଚାରିବା? ସେଇ ଅଫିସ ପାଖରେ ଲହର ପହର ହେଉଥାଏ। ଭାବୁଥାଏ ଟ୍ରାନ୍ସପୋର୍ଟ ଅଫିସ ଭଳି ଏଠି କେହି ମିଳିଯାଆନ୍ତେ ନାହିଁ ? ମାନେ କନସଲ୍ଟାଣ୍ଟ। ସେମିତି ତ କାହିଁ କେହି ଦିଶୁ ନାହାନ୍ତି। ବାଣୀତୀର୍ଥ, ଏ ସେସବୁ ଚିନ୍ତା କଲେ ପାପ ଲାଗିବ। ସେଇଥିରୁ ପାଇବାର ଅଦମ୍ୟ ଇଛା ମୋତେ କଲବଲ କରୁଥାଏ। କୁଆଡେ ଯିବି , କିଏ କହିବ? ବଡ଼ବଡ଼ ଲେଖକଗୁଡା ଭାରି ମନୁଆ। ଭାରି ମୁଡି, ତାଙ୍କ ଭିତରେ ଅନେକ ଭାରି ପାୱାରଫୁଲ୍ ତାଙ୍କ ପାଖରେ ଆମେ ଠିଆ ହୋଇ ପାରିବୁ ନାହିଁ।
ଅଧ୍ୟବସାୟ , ସାଧନା କଠୋର ସାଧନାର କିଛି ବିକଳ୍ପ ନାହିଁ, ବହୁତ ଥର ଶୁଣିଛୁ। ବଡ ବଡ଼ ଲେଖକଙ୍କର କୃତିମାନଙ୍କୁ ପଢିଛି ଯେ ନ ପଢ଼ିବା ସମାନ। କିଛି ବୁଝିପାରେ ନାହିଁ। ସମସ୍ତେ କହିଛନ୍ତି, ମୁଁ ବି ତାଙ୍କୁ ଭଲ ଲେଖକ ବୋଲି କହେ। ଏଇଟା ସତକଥା କହୁଛି। ମୁଁ ମୋ ରିସର୍ଚ ରୁ ଯେତିକି ଜାଣିଲି ଏମିତି ସାହିତ୍ୟ ସୃଜନ କର ଯେ ଯେମିତି ସମସ୍ତେ ବୁଝିପାରିବେ ନାହିଁ। ସତ କହିଲେ ଭଞ୍ଜଙ୍କୁ କେତେ ଜଣ ବୁଝିଛନ୍ତି? କେତେ ଜଣ ପଢ଼ିଛନ୍ତି, କେତେଜଣ ତାଙ୍କର ସବୁ କାବ୍ୟର ନାଁ ଜାଣନ୍ତି? ଗୋଟିଏ ଭଲକାମ କରିଥିଲେ ତାଙ୍କର ଗୋଟିଏ ଅଭିଧାନ ନିଜେ ତିଆରି କରିଦେଇଥିଲେ। ମୋ ପାଖରେ ସାବିତ୍ରୀ, ଅମୃତ ଫଳ, ଶ୍ରୀ ରାଧା ଅଛି, ସତକହୁଛି ମୁଁ ବୁଝି ପାରି ନାହିଁ । ଶ୍ରୀ ମା ବି ସେହି କଥା କହିଛନ୍ତି ସାବିତ୍ରୀ କୁ ନେଇ। ମୁଁ ବା କି ଛାର !
ବୁଝିପାରେ ନାହିଁ, ତା ମାନେ କଣ ସାହିତ୍ୟ ଏହି ବଡ଼ବଡିଆଙ୍କ କବଳାୟିତ ହୋଇ ରହିଯିବ? ଆମେ ସାହିତ୍ୟକୁ ନେଇ ସାଧାରଣ ଲୋକଙ୍କ ପାଖରେ ଛାଡ଼ି ପାରିବା ନାହିଁ? ଭାବି ଭାବି ନିଦ ହଜିଗଲାଣି। ମୋତେ ଗୋଟାଏ ସ୍ତରରେ ପହଞ୍ଚିବା ପାଇଁ କେହି କନସଲଟାନସି ର ସାହାଯ୍ୟ ଦରକାର ବୋଲି ଭାବୁଛି। ଭାବିଲି ଗୋଟାଏ ଫାଟ ପୁରେଇ ଦେବିକି? ସାଧାରଣ ଲୋକଙ୍କ ପାଇଁ ଓ ଅସାଧାରଣଙ୍କ ପାଇଁ ମାନେ ‘କମନ ମ୍ୟାନ୍ ଲିଟରେଚର’ ଆଉ ‘ଇଲିଟିଷ୍ଟ୍ ଲିଟରେଚର’। କାମ ଚାଲିଛି ସେ ଦିଗରେ । ଆଜିକାଲି ନାନା ପ୍ରକାର ସାହିତ୍ୟର ନାଁ ଶୁଭୁଛି ବୈଷ୍ଣବ ସାହିତ୍ୟ, ଶିଶୁ ସାହିତ୍ୟ, ନାରୀ ସାହିତ୍ୟ, ଦଳିତ ସାହିତ୍ୟ, ମାଓବାଦୀ ସାହିତ୍ୟ ଆଦି। ସେ ସବୁ ଦେଖି ମୁଁ ଭାବିଲି ସରଳ ସାହିତ୍ୟ ପାଇଁ ଅପେକ୍ଷା ରହିଲା। ପଲ୍ଲୀ ସାହିତ୍ୟ ନଥିଲେ ନନ୍ଦକିଶୋର ବଳଙ୍କୁ ପଲ୍ଲୀ କବି କାହିଁକି କହିଛନ୍ତି? ଏ ଦିଗରେ କିଛି କରାଯାଇ ପାରେ। ସମ୍ଭାବନା ଅଛି। ଭୁବନେଶ୍ୱର ଡେଇଁବା ଦରକାର ନାହିଁ । ବାଣୀବିହାର ଠାରୁ ରମାଦେବୀ ପର୍ଯ୍ୟନ୍ତ ବୁଲିଗଲେ ହେଲା। ଛାତ୍ର ନେତା ମାନଙ୍କ ମୁଣ୍ଡରେ ପୁରେଇ ଦେଲେ ଜାଣ ହୋଇଗଲା।
ସୁନ୍ଦର ବ୍ୟଙ୍ଗ କାହାଣୀ !
ବହୁତ ବଢିଆ।
ସୁନ୍ଦର ଉପସ୍ଥାପନା। ଜୟ ଜଗନ୍ନାଥ।
ସାହିତ୍ୟର ଫାଟ କେବେ ଚମତ୍କାର ନୁହେଁ ସତେ !
ବ୍ୟଙ୍ଗ ଭିତରେ ନିଛକ ସତ୍ୟ କଥା ର ସୁନ୍ଦର ଉପସ୍ଥାପନା। ସାହିତ୍ୟ ର ନାଟକ ଠାରୁ କବିତା ଓ ଲେଖା ସବୁ ଥିରେ ପାରଙ୍ଗମ। ନାଟକ “କୋଣାର୍କ ବିକ୍ରି ହେବ” ତାଙ୍କର ଏତେ ଏତେ ପ୍ରସିଦ୍ଧ ଯେ ତାଙ୍କ ନାଟକ ଟି ଚୋରି ହୋଇ ଅନ୍ୟ ଜଣକ ନାମରେ ମଞ୍ଚସ୍ଥ ହୋଇଛି। ଧନ୍ୟବାଦ ଅଭୟ ଦାଶ।
Very enjoyable reading. Congratulations to the writer.
ନିଖୁଣ ବ୍ୟଙ୍ଗାତ୍ମକ ରଚନାଟିଏ ।
ମୋ ମତରେ, ସତ୍ୟ ଘଟଣା, ନିଛକ ଭାଵନା କୁ ବୁଲାଇ ବଙ୍କାଇ କରି ଲେଖିବାର ସୁଯୋଗ ପ୍ରଦାନ କରେ ଏହିଭଳି ବ୍ୟଙ୍ଗାତ୍ମକ ସାହିତ୍ୟ । ଲେଖକ ଡାକ୍ତର ଶ୍ରୀ ଅଭୟ କୁମାର ଦାଶ ମହାଶୟଙ୍କ ର ଲେଖାରେ ଏହା ସୁସ୍ପଷ୍ଟ । ବହୁତ ବହୁତ ଧନ୍ୟବାଦ ।