ଶ୍ରୀ ଜଗନ୍ନାଥଙ୍କ ଅପୂର୍ବ ମହିମା ସଂପର୍କିତ ୧୨୫ଟି ତତ୍ତ୍ବ ଓ ଭାବ ସମୃଦ୍ଧ ରଚନାକୁ ନେଇ ପ୍ରସ୍ତୁତ ଏହି ଅନବଦ୍ୟ ସଂକଳନ। ୭୬୭ ପୃଷ୍ଠା ସମ୍ବଳିତ ଏହି ବୃହଦାକାର ପୁସ୍ତକଟି ଯଥା ସମୟରେ ସଂପାଦନା ଓ ସଂକଳନ ପୂର୍ବକ ଶ୍ରୀ ଗୁଣ୍ଡିଚା ଅବସରରେ ପ୍ରକାଶ କରିବାରେ ସମର୍ଥ ହୋଇଥିବାରୁ ଶ୍ରୀ ପୀତବାସ ରାଉତରାୟ ଧନ୍ୟବାଦାର୍ହ।
ପୁସ୍ତକଟିରେ ସନ୍ନିବେଶିତ ଲେଖାଗୁଡିକୁ ଆଲୋଚ୍ୟ ବିଷୟବସ୍ତୁ ତଥା ଲେଖକଙ୍କ ପରିଚିତିର ଆଧାରରେ ବର୍ଗୀକରଣ କରାଯାଇଛି, ଯଥା: ‘ଶ୍ରୀ ଜଗନ୍ନାଥ ଚେତନା ଚିନ୍ତନ’, ‘ତିନି ଦିବଂଗତ ମନ୍ତ୍ରୀଙ୍କ ଶ୍ରୀ ଜଗନ୍ନାଥ ପ୍ରେମ ନିଦର୍ଶନ’, ‘ଚାରିଜଣ ସଂପାଦକଙ୍କ ଶ୍ରୀ ଜଗନ୍ନାଥ ବନ୍ଦନା ଗାନ’ ଏବଂ ‘କାଳିଆ ବଳିଆଙ୍କ ବାଇଶି ପାହାଚର ଅର୍ଜନ’ ଆଦି। ପୁସ୍ତକଟିର ଅନ୍ୟତମ ବିଶେଷତ୍ବ ସ୍ବରୂପ ଏଥିରେ ୨୦ ଜଣ ବିଶିଷ୍ଟ ଚିତ୍ରଶିଳ୍ପୀଙ୍କ ଦ୍ବାରା ଦାରୁଚକି ବା କାଷ୍ଠ ଫଳକ ଉପରେ ଅଙ୍କିତ ଚିତ୍ରକଳାର ରଙ୍ଗୀନ କ୍ରୋଡ଼ପତ୍ର ମଧ୍ୟ ସ୍ଥାନ ପାଇଛି।
ପ୍ରାରମ୍ଭରେ ‘ବ୍ରହ୍ମଦାରୁ ସ୍ମରାମି…’ ଶୀର୍ଷକ ଲେଖାଟିରେ ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ରୀ ବଳଦେବ ମହାରଥା ନିଜ ଦ୍ବାରା ଅଙ୍କିତ ପ୍ରଚ୍ଛଦ ଚିତ୍ରଟି ସଂପର୍କରେ ବିଶଦ ଭାବରେ ଆଲୋକପାତ କରିଛନ୍ତି। ତା’ଙ୍କ ଭାଷାରେ, “ଚିତ୍ରର ଆଧାର କେବଳ ହିଁ ଚିତ୍ର, ଠିକ୍ ସେହିପରି ଚିତ୍ର କଳ୍ପନା। ସେ ଚିତ୍ର ବାସ୍ତବ ହେଉ ଅବା କଳ୍ପନା ପ୍ରସୂତ, ମାତ୍ର ଚିତ୍ର ପ୍ରତି ଷୋଳଅଣା ବିଶ୍ବାସ ରହିବାର ଅତିନ୍ଦ୍ରୀୟ ଭାବାବେଗ ମଧ୍ୟ ଏକ ସୂକ୍ଷ୍ମ ଆଚରଣ ବିଧିରେ ମାର୍ଜିତ ହୁଏ ସେତେବେଳେ। ତା’ପରେ ସେ ଚିତ୍ର ଦିବ୍ୟତ୍ବ ପ୍ରାପ୍ତ ହୁଏ।”
ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କ ‘ହେ ଚକା ନୟନ’ ଶୀର୍ଷକ ପ୍ରବନ୍ଧଟି ଏଥିରେ ସଙ୍କଳିତ ଅନ୍ୟତମ ପ୍ରଣିଧାନଯୋଗ୍ୟ ରଚନା। ଜଗନ୍ନାଥ ତତ୍ତ୍ବାନୁଭୂତିର ଏକ ଅନ୍ତରଙ୍ଗ ପରିପ୍ରକାଶ ଏଥିରେ ପରିଗୋଚର ହୁଏ। ତା’ଙ୍କ ଦୃଷ୍ଟିରେ ମହାପ୍ରଭୁ ସାମାନ୍ୟ ଠାକୁର ନୁହନ୍ତି; ସେ ଠାକୁରଙ୍କ ଠାକୁର; ଅବତାର ନୁହନ୍ତି ଅବତାରୀ: ସକଳ ପ୍ରକାଶର ଉତ୍ସ।
ଓଡିଶାର ଚାରିଜଣ ସ୍ବନାମଧନ୍ୟ ସଂପାଦକ ଶ୍ରୀ ସାତକଡି ହୋତା, ଶ୍ରୀ ସୌମ୍ୟ ରଂଜନ ପଟ୍ଟନାୟକ, ଶ୍ରୀ ମନୋଜ କୁମାର ମହାପାତ୍ର ଓ ଶ୍ରୀ ଜୟାଶୀଷ ରାୟଙ୍କ ରଚନା ମଧ୍ୟ ପୁସ୍ତକଟିକୁ ତଥ୍ୟ ସମୃଦ୍ଧ କରିବାରେ ସହାୟକ ହୋଇଛି। ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ନିଜ ବାସ୍ତବ ଜୀବନର ଏକ ଦିବ୍ୟାନୁଭୂତି ବର୍ଣ୍ଣନା କରି ଶ୍ରୀ ଜଗନ୍ନାଥଙ୍କ ଅପୂର୍ବ ଲୀଳା ପ୍ରତିପାଦନ କରିଛନ୍ତି।
କେତେକ ଦିବଂଗତ ରଚନାକାରଙ୍କ ଅନନ୍ୟ କୃତି ମଧ୍ୟ ସଂକଳନଟିର ଗରିମା ବୃଦ୍ଧି କରିଛି। ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ସୁରେନ୍ଦ୍ର ମହାନ୍ତି, ଶରତ କୁମାର କର ଓ ଶେଖ୍ ମତଲୁବ ଅଲ୍ଲୀଙ୍କ ପରି ବରେଣ୍ୟ ସ୍ରଷ୍ଟା।
ନବୀନ ଓ ପ୍ରବୀଣ ଉଭୟ ଶ୍ରେଣୀର ରଚନାକାରଙ୍କ ସ୍ବାକ୍ଷର ବହନ କରେ ପୁସ୍ତକଟି। ଶ୍ରୀ ଜଗନ୍ନାଥଙ୍କ ଅଲୌକିକ ଅନୁଭୂତି ଓ ତାତ୍ତ୍ବିକ ବିଶ୍ଳେଷଣ ଉଭୟ ମଧ୍ଯରେ ଭାରସାମ୍ୟ ରକ୍ଷାକରାଯାଇ ରଚନାଗୁଡିକ ଚୟନ କରାଯାଇଥିବା ଦେଖିବାକୁ ମିଳେ। ସର୍ବୋପରି ଭକ୍ତ ଓ ପାଠକଙ୍କ ମଧ୍ଯରେ ଜଗନ୍ନାଥ ଭାବଧାରାର ପରିସ୍ଫୁଟନ ଓ ପ୍ରସାରଣ ହେତୁ ସଂକଳନଟି ଏକ ବିଶେଷ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ପରି ମନେ ହୁଏ।
ଅବଶ୍ୟ ଏ ଧରଣର ଜଗନ୍ନାଥ ତତ୍ତ୍ବକୈନ୍ଦ୍ରିକ ସଂକଳନର ପରିକଳ୍ପନାକୁ ରୂପ ଦେବାରେ ଶ୍ରୀ ପୀତବାସ ରାଉତରାୟ ଅନେକ ପୂର୍ବରୁ ହିଁ ସିଦ୍ଧହସ୍ତ। କାରଣ ଏଥିପୂର୍ବରୁ ସେ ୨୦୦୬ ମସିହାରୁ ଅଦ୍ୟାବଧି ପ୍ରାୟ ୨୦ଗୋଟି ସମ ପର୍ଯ୍ୟାୟର ମନୋରମ ସଂକଳନ ପ୍ରକାଶ କରିସାରିଛନ୍ତି। ଆଶାକରାଯାଏ ଯେ ସମୀକ୍ଷିତ ପୁସ୍ତକଟିର ଅନୁକ୍ରମରେ ଆଗାମୀ ଦିନରେ ସେ ଏହିଭଳି ଆହୁରି ଅନେକ ମୂଲ୍ୟବାନ ସଂକଳନମାନ ପାଠକଙ୍କୁ ଉପହାର ଦେବାରେ ସକ୍ଷମ ହେବେ।
ନିହାର ଶତପଥୀ