ସେତୁ

  • ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯେ ଜଣେ ପୋଖତ ଗଳ୍ପକାର ଏହା ଅନେକଙ୍କୁ ଅଜଣା। ଆସନ୍ତୁ, ତାଙ୍କ କଲମରୁ ପଢିବା ମର୍ମସ୍ପର୍ଶୀ ଗଳ୍ପଟିଏ।
ମୂଳ ରଚନା – ନରେନ୍ଦ୍ର ମୋଦୀ

ଭାଷାନ୍ତର – ଭବାନୀ ଶଙ୍କର ମିଶ୍ର ‘ବିରଂଚି’

ମୂଷଳାଧାର ବର୍ଷାର ଶବ୍ଦ ଝିଙ୍କାରୀ ଏବଂ ବେଙ୍ଗମାନଙ୍କ ରଡ଼ିକୁ ଅଟକାଇ ଦେଉଥିଲା। ସୁରଭି ଭାଉଜ ନିଦକୁ ଅପେକ୍ଷା କରିକରି ଥକି ଯାଇଥିଲେ। ତାଙ୍କ ମନ ମଧ୍ୟ ମରି ଯାଇଥିଲା। ସେ ଯେ କାହାର ପ୍ରତୀକ୍ଷାକରି ଅନିଦ୍ରାଥିଲା ପରି ମଧ୍ୟ ଜଣାପଡୁନଥିଲା।

ସେ ବାରମ୍ବାର ଉଠି ସେତୁ’କୁ ଏକଲୟରେ ଦେଖିଯାଉଥିଲେ। କେବେ ସ୍ନେହରେ ତା ମୁଣ୍ଡକୁ ଆଉଁଷି ଦେଉଥିଲେ ତ କେବେ ତା ଗାଲରେ ଚୁମାଟିଏ ଦେଉଥିଲେ।

ସାରା ରାତିଟି ଏଇପରି ବିତି ଯାଇଥିଲା କିନ୍ତୁ… ନିଦ ଲାଗିଲା ନାହିଁ। ସୁରଭି ଭାଉଜଙ୍କ ପାଇଁ ଦୀର୍ଘ ସମୟଧରି ଶେଯରେ ପଡ଼ି ରହିବା କଠିନ ଥିଲା। ମନ ଅନ୍ୟଆଡ଼େ ଲାଗିଯାଉ ଭାବି ସେ ଗାଧୁଆ ଆଦି କାର୍ଯ୍ୟ ସାରିଦେଲେ। ସମୟ କେତେ ହୋଇଛି ତା’ର ମଧ୍ୟ ଧ୍ୟାନ ନଥିଲା।

ଯେତେବେଳେ ଜୀବନର ଚକ୍ର ସ୍ଥିର ହୋଇଗଲା ସେତେବେଳେ ଘଡ଼ିର କଣ୍ଟା ଚାଲୁ କି ନଚାଲୁ ଏଥିରେ ଫରକ ପଡ଼େନା।

ଜୀବନର ଅନ୍ଧକାରରେ ଉଦ୍‌ବେଳିତ ହୃଦୟକୁ ରାତ୍ରୀର ଅନ୍ଧକାର ଆହୁରି ବ୍ୟାକୁୁଳିତ କରୁଥିଲା। ପ୍ରତ୍ୟେକ କ୍ଷଣ ତାଙ୍କ ପାଇଁ ଅସହ୍ୟ ହୋଇ ଚାଲିଥିଲା। ସେତୁର ଚୁଲବୁଲିଆ କଥା ତାଙ୍କୁ କିଛି ସାହାଯ୍ୟ କରିବ ଭାବି ଶୀଘ୍ର ଉଠାଇଦେଲେ। ସୂର୍ଯ୍ୟର ପ୍ରଥମ କିରଣ ଏହି ପୃଥିବୀକୁ ଅଭିଷେକ କରିବା ପୂର୍ବରୁ ସେତୁ’କୁ ମଧ୍ୟ ଗାଧୋଇଦେଲେ।

ଏ… ସବୁ… ଏ… ତେ… ଶୀଘ୍ର… କାହିଁକି? ସେତୁ ମନରେ ପ୍ରଶ୍ନ ଉଠିଥିଲା। କିନ୍ତୁ ମମ୍ମି ମୌନ ସାଧନାରେ ମଗ୍ନ ଅଛନ୍ତି, ଏପରି ଦେଖି ସେ କିଛି ପଚାରିବାକୁ ସାହସ କରିପାରୁ ନଥିଲା।

ସର୍ବତ୍ର ମୌନର ସାମ୍ରାଜ୍ୟ ଥିଲା। ଏହି ମୌନରେ ପ୍ରଥମ ବର୍ଷାର ଯେଉଁ ସୁଗନ୍ଧ ଥାଏ ତାହା ନଥିଲା। ଶାନ୍ତ ସରୋବରରେ ସୂର୍ଯ୍ୟର ପ୍ରତିବିମ୍ବ ଦ୍ୱାରା ବାତାବରଣରେ ଯେଉଁ ଶାନ୍ତି ଓ ପ୍ରଫୁଲ୍ଲତା ଜନ୍ମ ନିଅନ୍ତି, ତାହା ମଧ୍ୟ ନଥିଲା।

ଏଠାରେ ତ ଥିଲା – ଗମ୍ଭୀରତା… ବେଦନା… ଶୁଷ୍କତା… ପୀଡ଼ା… ଅଶ୍ରୁ। ମୌନତା ହିଁ ଥିଲା, କିନ୍ତୁ ଶାନ୍ତି ନଥିଲା।

ମୌନ ଥିବାର କାରଣ ସେଠି ଶବ୍ଦ ନଥିଲେ। ଶବ୍ଦର ଅଭାବ… କାହିଁକି ନା ହୃଦୟର ଦ୍ୱନ୍ଦ୍ୱକୁ ଅଭିବ୍ୟକ୍ତ କରିପାରୁଥିବା ସେହି ଚେତନା ହିଁ ଲୁପ୍ତ ହୋଇ ଯାଇଥିଲା। ବେଦନାକୁ ଶବ୍ଦରେ ପ୍ରକଟ ହେବା ଅସହ୍ୟ ହୋଇଗଲେ ମୌନ ମାଡ଼ିଆସେ। ବେଦନା ଅଶୁଭ ସାଗରହୋଇ ଉଚ୍ଛୁଳିପଡ଼େ, ସୁରଭି ଭାଉଜଙ୍କ ସହ ଏହାହିଁ ହୋଇଥିଲା। ସେ ଲୁହକୁ ଅଟକାଇ ପାରିନଥିଲେ। ଦୂରରେ ଲାଗିଥିବା ଦର୍ପଣ ଆଡ଼କୁ ମୁହଁକରି ବାଳ କୁଣ୍ଡାଇ କୁଣ୍ଡାଇ ସେତୁ ପାଖକୁ ଯାଇ ତାକୁ ଛାତିରେ ଭିଡ଼ି ଧରିଲେ। ତାଙ୍କ ଆଖିର ଲୁହ ସେତୁର ଗାଲ ଉପରେ ପଡ଼ିଲା। ସେତୁର ମୁଖର ଲାଲିମା ଉପରେ ପଡ଼ିଥିବା ଅଶ୍ରୁବିନ୍ଦୁ ଯୋଗୁଁ ତା ମୁଖମଣ୍ଡଳଟି କାକର ବିନ୍ଦୁରେ ଭିଜି ଯାଇଥିବା ଗୋଲାପଫୁଲ ପରି ହସି ଉଠିଲା।

ମମ୍ମି ଆଜି ଏପରି କାହିଁକି ଲୁଚୁଛି? ଏହି ପ୍ରଶ୍ନଟି ତା ମନରେ ଉଠିଲା। ଏବଂ ତାକୁ ବିଚଳିତ କରିବାକୁ ଲାଗିଲା। କିନ୍ତୁ ସେ କିଛି ମଧ୍ୟ ପଚାରି ପାରୁନଥିଲା। କାନ୍ଦିବାକୁ ମନ ହେଉଥିଲେ ମଧ୍ୟ ସେ କାନ୍ଦିବି ପାରୁନଥିଲା। ସେ ଭାବୁଥିଲା ତାକୁ ମଧ୍ୟ ମମ୍ମିଙ୍କ ପରି କାନ୍ଦ ଆସିଯାଉ। କିନ୍ତୁ ସେ ଆଶ୍ଚର୍ଯ୍ୟ ହୋଇଗଲା। 

କ୍ଷୀରବାଲା ଲୋକର ଡାକଶୁଣି ସୁରଭି ଭାଉଜ ଆଖି ପୋଛି କ୍ଷୀର ଆଣିବାକୁ ବାହାରକୁ ଗଲେ। ବାହାରକୁ ଆସି ସେ ଦେଖିଲେ, ସାହିର ଆରମ୍ଭରେ କ୍ଷୀରବାଲା ଥିଲା। ନିଜର ବ୍ୟବହାରରେ ସ୍ୱାଭାବିକତା ଏବଂ ସହଜତା ନଥିବା ଅନୁଭବ କରିବା ପରେ ସୁଦ୍ଧା ସେ ସେଥିରେ ପରିବର୍ତ୍ତନ କରି ପାରିନଥିଲେ। ଦୁଆର ନିକଟରେ କ୍ଷୀରବାଲାର ବାଟ ଚାହିଁ ଠିଆ ଠିଆରେ ଜୀବନର ଏକାନ୍ତ ମରୁଭୂମିରେ ବିଚାରର ଜାହାଜ ଚଳାଉଥିଲେ।

କାହିଁକି… ଆଜି… ଏତେ ସକାଳୁ ସକାଳୁ…? କାହିଁକି… କେତେ? ପ୍ରଥମ ପ୍ରଶ୍ନର ଉତ୍ତର ଖୋଜୁଖୋଜୁ ସେଲସ୍‌ମ୍ୟାନ ଢଙ୍ଗରେ କ୍ଷୀରବାଲା ନିଜର ମୂଳପ୍ରଶ୍ନକୁ ଆସିଗଲା। କ୍ଷୀରବାଲାର ପ୍ରଶ୍ନ ଶୁଣି ହିଁ ସୁରଭି ଭାଉଜ ନିଜର ବିଚାର-ତନ୍ଦ୍ରାରୁ ବାହାରକୁ ଆସିପାରିଲେ। 

ଏପରି ତ ସେତୁ’କୁ ଏହିସବୁ ଅଭ୍ୟାସ ଥିଲା, କିନ୍ତୁ ମମ୍ମି ଆଜି ଏତେ ବିଚଳିତ କାହିଁକି, ଏହି ପ୍ରଶ୍ନଟି ତାକୁ ବିଚଳିତ କରୁଥିଲା। ତେଣୁ ସେ ମମ୍ମିର ପଛେପଛେ ରୋଷେଇ ଘରକୁ ଗଲା।

ସେତୁର ଧଳା କୁର୍ତ୍ତା- ପାଇଜାମାରେ କେଉଁଠି ଦାଗ ଲାଗି ନଯାଉ, ଏଣୁ ମମ୍ମି ତାକୁ ବାହାରେ ବସିବାକୁ କହିଲେ। 

ସେ ମମ୍ମି ସାମନାରେ ବସି ପଡ଼ିଲା। ଷ୍ଟୋଭ୍ ଜଳାଇବାରେ ବ୍ୟସ୍ତ ସୁରଭି ଭାଉଜଙ୍କ ଆଖି ପୁଣି ସେତୁ ଉପରେ ପଡ଼ିଲା। ତାଙ୍କ କାମ ବନ୍ଦ ହୋଇଗଲା ଏବଂ ସେ ତାଙ୍କ ହାତରେ ସେତୁର ମୁଣ୍ଡକୁ ଆଉଁସିବା ଆରମ୍ଭ କଲେ। ବର୍ତ୍ତମାନ ସେତୁ ହିଁ ତାଙ୍କର ସମସ୍ତ ପ୍ରବୃତ୍ତିମାନଙ୍କର କେନ୍ଦ୍ର ହୋଇ ଯାଇଥିଲା। ବର୍ତ୍ତମାନ ସୁରଭି ଭାଉଜଙ୍କ ନିଜର ଅନ୍ୟ କିଛି ସ୍ୱପ୍ନ ନଥିଲା। ସ୍ୱପ୍ନକୁ ସାକାର କରିବାର ଭୂତ ତାଙ୍କ ମୁଣ୍ଡରେ ବସି ରହିଥିଲା। ଆଜି ସେହି ଭାବନାଟି ଆହୁରି ତୀବ୍ର ରୂପ ଧାରଣ କରିଥିଲା।

ଷ୍ଟୋଭ୍ ଉପରେ ଫୁଟୁଥିବା କ୍ଷୀର ଯେପରି ଉତୁରି ପାତ୍ର ଉପରକୁ ଆସିଯାଏ ସେହିପରି ସୁରଭି ଭାଉଜଙ୍କ ହୃଦୟ ଭିତରୁ ଉଠି ଆସୁଥିବା ବିଚାର ଏବଂ ଭାବନାଗୁଡ଼ାକ ସେତୁର ଜୀବନ ପର୍ଯ୍ୟନ୍ତ ବିସ୍ତୃତ ହୋଇ ଚାଲିଥିଲା। ସୁରଭି ଭାଉଜ ଭାବନାର ଏପରି ଜାଲରେ ପଡ଼ି ରହିଥିଲେ ଯାହାକୁ ଗତ ବର୍ଷେ ହେବ ସେ କେବେ ମଧ୍ୟ ଅନୁଭବ କରିପାରି ନଥିଲେ। ତାଙ୍କ ହୃଦୟଟା ଇଚ୍ଛା ବା ଅନିଚ୍ଛା ସତ୍ତ୍ୱେ ଅତୀତକୁ ବଳି ଯାଉଥିଲା।

କ୍ଷଣରେ ସେତୁ ଓ କ୍ଷଣରେ ସୋହନର ସ୍ମୃତି। ସ୍ମୃତିରେ ଫସି ରହିଥିବା ସୁରଭି ଭାଉଜକୁ ସୋହନର ଏହି ବାକ୍ୟଟି ବାରମ୍ବାର ମନେ ପଡୁଥିଲା-

“ସୁରଭି ତୁ ଜାଣିଛୁ କି ନିଜର ଏହି ଯୁବରାଜର ନାମ ମୋତେ କାହିଁକି ଭଲଲାଗେ?” ଏବଂ ଯେଉଁ ପ୍ରଶଂସାତ୍ମକ ଭାବରେ ସୋହନ ସ୍ୱୟଂ ହିଁ ନିଜ ପ୍ରଶ୍ପର ଉତ୍ତର ଦିଅନ୍ତି, ସେହି ମୁହଁଟି ସୁରଭି ଭାଉଜଙ୍କ ଆଖି ଆଗରେ ଭାସିଉଠେ।

“ଏଥିପାଇଁ ନୁହେଁ ଯେ ଏହା ତୋର ଆଉ ମୋର ସ୍ୱପ୍ନକୁ ପୂରଣ କରିବାର ସେତୁ ଅଟେ…। ସୁରଭି ମୋର ଅଭିଳାଷ ଅଛି ଯେ, ସେ ନିଜର ଭବ୍ୟ ଅତୀତ ଏବଂ ଉଜ୍ଜ୍ୱଳ ଭବିଷ୍ୟତକୁ ଯୋଡୁଥିବା ପୀଢ଼ିର ପ୍ରତୀକ ରୂପୀ ସମର୍ଥ ସେତୁ ହେଉ… ଏଣୁ ସେତୁ… ସେତୁକୁ … ମୋତେ ଭାରି ପ୍ରିୟଲାଗେ।”

ସୁରଭିକୁ ମନେ ହେଉଥିଲା ସୋହନର ଏହି ବାକ୍ୟ ଭିତରେ ବହୁତ ବଡ଼ ଦାୟିତ୍ୱ ଲୁଚି ରହିଛି।

ଆଉ ସୋହନ ମଧ୍ୟ ଏପରି ଭବ୍ୟ ଭୂତକାଳ ଏବଂ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନନେଇ ବଞ୍ଚିଥିଲା ନା! ସୁରଭି ଭାଉଜଙ୍କ ମନ ଉପରେ ସୋହନର ଅଳିକ ଜୀବନର ଅଲିଭା ଛାପ ପଡ଼ି ଯାଇଥିଲା।

ନାହିଁ… ନାହିଁ… ସେ ଖାଲି ଜୀଇଁ ହିଁ ନଥିଲା। ଏଥିପାଇଁ ମରି ମଧ୍ୟ ଥିଲା… ଆଉ ନିଜ ସ୍ୱପ୍ନ ପାଇଁ ନୁହେଁ… ଆଦର୍ଶ ପାଇଁ…।

ସୁଖ ପାଇଁ ନୁହେଁ, ସେବା ପାଇଁ…।

କର୍ତ୍ତବ୍ୟ ପାଳନ କରିବାର ଲାଳସା ହିଁ ତାର ଜୀବନ ପ୍ରଦୀପକୁ ଲିଭାଇ ଦେଇଥିଲା।

ସୋହନର ଜୀବନର ମହାନତାକୁ ମନେପକାଇ ସୁରଭି ଭାଉଜଙ୍କ ଜୀବନକୁ ଅନ୍ଧକାର କରିଦେଇଥିବା ସେହି ଦୁର୍ଘଣାଟି ସ୍ମରଣ ହୋଇଗଲା। ଠିକ୍ ବର୍ଷକତଳେ ଆଜିର ହିଁ ଦିନରେ। ତାହା ଗୁରୁ ପୂର୍ଣ୍ଣିମା ହିଁ ଥିଲା। ସୋହନ ଯାହାଙ୍କ ସାନ୍ନିଧ୍ୟରେ ଜୀବନର ଆଦର୍ଶକୁ ପାଳନ କରିଥିଲା, ତାଙ୍କ ପାଖରେ ଗୁରୁପୂଜନ ପାଇଁ ଶୁଭ୍ରବସ୍ତ୍ର ପିନ୍ଧି ଯିବାକୁ ପ୍ରସ୍ତୁତ ହୋଇଥିଲା। ସୁରଭି ଆଉ ସେତୁ ତାକୁ ଦ୍ୱାରଯାଏ ଛାଡ଼ିବାକୁ ଆସିଥିଲେ। ଏବଂ ସେତେବେଳେ ମନ୍ଦିର ନିକଟରୁ ଅଚାନକ ଚିତ୍କାର ଶୁଭିଲା। ସୋହନ ଭୁଲିଗଲା ସେ କେଉଁ କାମରେ ଯାଉଥିଲା ଏବଂ ତତ୍‌କ୍ଷଣାତ୍ କିଛି ନଭାବି ଚିତ୍କାର ଶବ୍ଦ ଆସୁଥିବା ଦିଗ ଆଡ଼କୁ ଦୌଡ଼ିଲା। 

ମନ୍ଦିରରେ ପ୍ରବଳ ଭିଡ଼ ଜମିଥିଲା। ଗୁରୁଙ୍କ ଆଶୀର୍ବାଦ ନେବା ପାଇଁ ଆଖପାଖରୁ ଅନେକ ଲୋକ ଏକତ୍ର ହୋଇଥିଲେ। ଅନେକ ବର୍ଷର ଏହି ଜରାଜୀର୍ଣ୍ଣ ମନ୍ଦିରରେ ଗୁରୁଙ୍କ ଦର୍ଶନ ପାଇଁ ବିଶାଳ କାଷ୍ଠ ମଣ୍ଡପଟିଏ ତିଆରି ହୋଇଥିଲା। ଆଉ ସେହି କାଠମଣ୍ଡପଟି ଲୋକଙ୍କ ଭିଡ଼ର ଭାର ସମ୍ଭାଳି ନପାରି ମଡ଼ମାଡ଼ ହୋଇ ଭାଙ୍ଗି ଯାଇଥିଲା…। ସହସ୍ର ଲୋକେ ଚିତ୍କାରକରି ଉଠିଥିଲେ। ସେହି ଚିତ୍କାର ବନ୍ଦହେବା ପୂର୍ବରୁ ସୋହନ ଭିଡ଼ ଭିତରେ ଧସି-ପଶି ଭଗ୍ନ ମଣ୍ଡପ ପାଖରେ ପହଞ୍ଚିଗଲା, ଯେଉଁଠି ହଜାର ହଜାର ଲୋକ ଚାପିହୋଇ ରହିଥିଲେ। କେତେକଙ୍କୁ ଆଘାତ୍ ଲାଗିଥିଲା ତ କେତେ ଭିଡ଼ ମଧ୍ୟରେ ଦଳି ଚକଟି ହୋଇ ଯାଉଥିଲେ। ସୋହନ ଯେତେ ଜଣଙ୍କୁ ବଞ୍ଚାଇ ପାରିବା କଥା ସେମାନଙ୍କୁ ବଞ୍ଚାଇବାକୁ ପ୍ରଚେଷ୍ଟା କଲା। ଅନ୍ୟମାନେ ମଧ୍ୟ ସୋହନର ଏହି କାର୍ଯ୍ୟରେ ସହାୟତା କଲେ, କିନ୍ତୁ ଭିଡ଼ ଭିତରେ ସମସ୍ତଙ୍କୁ ନିଜ ଜୀବନ ହିଁ ପ୍ରିୟ ଥିଲା। ଯାହାକୁ ଯେଉଁଆଡ଼େ ବାଟ ମିଳିଲା ସେପଟେ ବାହାରି ଯିବାକୁ ସେ ଚେଷ୍ଟାକଲା। କିଛିଲୋକ ଜୀବନ ବଞ୍ଚାଇବା ପାଇଁ ବାରଣ୍ଡାକୁ ଡେଇଁବା ପାଇଁ ଛାତ ଉପରକୁ ଚଢ଼ିଗଲେ। ଛାତ ଉପରେ ବହୁତ ଭିଡ଼ ହୋଇଗଲା। ଜର୍ଜରିତ ମନ୍ଦିରର ଛାତଟି ଏତେ ଭାର ସମ୍ଭାଳି ପାରନ୍ତା କିପରି? ଶହ ଶହ ଲୋକଙ୍କ ସହିତ ଛାତଟି ଭାଙ୍ଗି ପଡ଼ିଗଲା। ଛାତର ଗୋଟିଏ ପାଖ ସେବା କାର୍ଯ୍ୟରେ ଲାଗିଥିବା ସୋହନର ମୁଣ୍ଡରେ ଆସି ବାଜିଲା। ସୋହନ ମୂର୍ଚ୍ଛା ହୋଇଗଲା। ଲୋକଙ୍କଠାରୁ ଶୁଣିଥିବା ସେହି ବୃତ୍ତାନ୍ତଟି ଆଜି ପୁଣି ମନେ ପଡ଼ିଯାଇଥିଲା।

ବଜ୍ର ପଡ଼ିଲାପରି ସମାଚାରଟି ସୁରଭି ଭାଉଜଙ୍କ କାନରେ ପଡ଼ିଲା। ସେତୁକୁ କାଖେଇ ସେ ମନ୍ଦିରରେ ଯାଇ ପହଞ୍ଚିଲା। ଭଙ୍ଗାରୁଜା କାଠ-ମାଟି ତଳୁ ବାହାରକରି ଅଣାଯାଇଥିବା ସୋହନର ମୃତଦେହ ପାଖରେ ପହଞ୍ଚିଲେ। ତା’ର ମୁଖମଣ୍ଡଳରେ କର୍ତ୍ତବ୍ୟ ନିର୍ବାହକରିବାର ସନ୍ତୋଷ ବାରି ହୋଇପଡୁଥିଲା। ସୁରଭି ଭାଉଜ ଅବାକ୍‌ହୋଇ ଠିଆ ହୋଇଥିଲେ। ଏହି ଗଭୀର ଆଘାତ ତାଙ୍କ ହୃଦୟକୁ ସ୍ତବ୍ଧ କରିଦେଇଥିଲା। ଅଶ୍ରୁ ବୋହିବା ଦୁଷ୍କର ହୋଇଯାଇଥିଲା। ସୁରଭି ଭାଉଜଙ୍କ ହୃଦୟ କହୁଥିଲା- ସୋହନ ସମାଜର ଭାବନା ସହିତ ଜୀଉଁଥିଲା ଏବଂ ଶେଷରେ ତାହାରି ପାଇଁ ମୃତ୍ୟୁଲାଭ ମଧ୍ୟ କଲା।

ବର୍ତ୍ତମାନ ସୋହନ ନଥିଲା, ଆଉ ସୋହନର ସ୍ୱପ୍ନକୁ ସାକାର କରିବା ପାଇଁ ହିଁ ଜନ୍ମିଥିଲା ସେହି ସ୍ୱପ୍ନ ଅର୍ଥାତ୍ ସେତୁ… ସୋହନର ଜୀବନର ଅନ୍ତିମ ପୃଷ୍ଠା ସେତୁର ନାମ ସ୍ମରଣ ସହିତ ହିଁ ସମ୍ପୂର୍ଣ୍ଣ ହେଉଥାଏ। ସୁରଭି ଭାଉଜ ପ୍ରକୃତିସ୍ଥ ହୋଇ ସାରିଥିଲେ।

ସୁରଭି ଭାଉଜ ସେତୁ ହାତରେ ଛୋଟ କଳସଟିଏ ମଗାଇ ଆଣିଥିଲେ। ଏହି ଛୋଟିଆ କଳସିଟି ପ୍ରାୟ ବର୍ଷେହେଲା ତା’ର ସାଙ୍ଗରେ ଥିଲା। ମମ୍ମି ପ୍ରତିଦିନ ସେଥିରେ ପକାଇବା ପାଇଁ ପାଞ୍ଚ/ଦଶ ପଇସା ଦିଅନ୍ତି। ଶିଶୁ ସେତୁକୁ ଦିନେ ସେ ବୁଝାଇଲେ ଯେ ଏହି ପଇସା ତୋ ପାପାଙ୍କ ପାଖକୁ ପହଁଞ୍ଚାଇବାର ଅଛି। ଏହାପରଠାରୁ ସେତୁର ଏହି ପଇସା ଖର୍ଚ୍ଚ କରିବାକୁ କେବେବି ମନ ହୋଇନଥିଲା। କୌଣସି ସ୍ୱଜନ-ପରିଜନ ତା’ହାତରେ ଟଙ୍କେ/ଦି’ଟଙ୍କା ଧରାଇଗଲେ ତାହାକୁ ମଧ୍ୟ ସେତୁ ନିଜେ ସେହି ସରାଗାତରେ ପକାଇ ଦେଉଥିଲା।

ସରାଗାତଟି ସୁରଭି ଭାଉଜଙ୍କ ହାତରେ ଦେବାବେଳେ ସେତୁର ମୁଖରୁ ସହଜ ଭାବରେ ବାହାରିଗଲା- ‘ଆଜି ଏସବୁ ପାପାଙ୍କ ପାଖକୁ ପଠାଯିବ କି?’  

ଏହି ପ୍ରଶ୍ନର କୌଣସି ଉତ୍ତର ସୁରଭି ଭାଉଜଙ୍କ ପାଖରେ ନଥିଲା। କେବଳ ଲୋତକଭରା ଆଖିକୋଣରୁ ବେଦନା ହିଁ ପ୍ରକଟିତ ହେଉଥିଲା। ସେ ଶିଶୁ ସେତୁ ହାତରେ ସରାଗାତକୁ ଫୁଲମାଳରେ ସଜାଇଲେ ଏବଂ ଦୁବ-ଚାଉଳରେ ଅଭିଷେକ କରାଇଲେ। ସୁରଭି ଭାଉଜ ନିଜର ଥରୁଥିବା ହାତକୁ ସମ୍ଭାଳିବା ପାଇଁ ସେତୁର ହାତକୁ ଧରି ରହିଥିଲେ। ତା’ର ଛୋଟିଆ ଆଙ୍ଗୁଠିଗୁଡ଼ିକୁ ଧରି ସିକ୍ତ ରୋଲି(ହଳଦୀ, ଚାଉଳ ଚୂର୍ଣ୍ଣ)ରେ କଳସର ମୁଖରେ ବନ୍ଧାଥିବା ଶ୍ୱେତବସ୍ତ୍ର ଉପରେ ଲେଖାଇଲେ- ‘ରାଷ୍ଟ୍ରାୟ ସ୍ୱାହା, ରାଷ୍ଟ୍ରାୟ ଇଦଂ ନ ମମ।’ ଏହା ସୋହନର ପ୍ରିୟ ମନ୍ତ୍ର ଥିଲା। ଏହାକୁ ହିଁ ସେ ଜୀବନର ଆଧାର ବୋଲି ମାନି ନେଇଥିଲା। ସୁରଭି ଭାଉଜଙ୍କ ମନରେ ସନ୍ତୋଷ ଥିଲା ଯେ ସେ ସୋହନର ଧନ ସେତୁକୁ ଗତ ବର୍ଷେହେଲା ସଂସ୍କାରିତ କରି ସୋହନର ଆଦର୍ଶକୁ ହିଁ ପାଳନ କରୁଛନ୍ତି।

ସେତୁକୁ ସାଥିରେ ନେଇ  ସୁରଭି ଭାଉଜ ଗାଁ ମୁଣ୍ଡରେ ପହଞ୍ଚିଲେ। ଦୂରରେ ଥିବା ଗୋଟିଏ କୁଡ଼ିଆ ଆଡ଼କୁ ପାଦ ବଢ଼ାଇବାକୁ ଯାଉଥିବା ବେଳେ ହଠାତ୍ ସେତୁ ଆଶ୍ଚର୍ଯ୍ୟ ହୋଇ ପଚାରିଲା- ‘କ’ଣ ପାପା ଏଇଠି ଅଛନ୍ତି? ତୁ କହୁଥିଲୁ ଯେ ଆମେ ଏହି ପଇସା ପାପାଙ୍କୁ ଦେବାକୁ ଯାଉଛେ!’ 

ନାହିଁ, ଏଠାରେ ତୋ ପାପାଙ୍କର ଭଙ୍ଗାସ୍ୱପ୍ନସବୁ ବିଛେଇହୋଇ ପଡ଼ିରହିଛନ୍ତିି। ସେହି ସ୍ୱପ୍ନ ସହିତ ତୋତେ ପରିଚୟ କରାଇବାକୁ ପଡ଼ିବ। ସେତୁକୁ କେତେ ବୁଝା ପଡ଼ିଥିବ, ଏହି ବିଷୟରେ ବିନା ଭାବି ହିଁ ନିଜ ହୃଦୟର ବିଚାର ମନ୍ଥନକୁ ପ୍ରକଟ କରିଦେଇଥିଲେ। 

କୁଡ଼ିଆରେ ରହୁଥିବା ଲୋକଙ୍କର ସବୁଠୁ ବେଶୀ ଧ୍ୟାନ ସୁରଭି ଭାଉଜଙ୍କ ଆଡ଼କୁ ଥିଲା। ଏଠାକୁ ତାଙ୍କର ପ୍ରଥମ ଆଗମନ ନଥିଲା। କିନ୍ତୁ ସେତୁର ଆସିବାଟା ସେମାନଙ୍କ ପାଇଁ ପ୍ରତୀକ୍ଷାର କାରଣ ହୋଇଯାଇଥିଲା। 

ସୁରଭି ଭାଉଜଙ୍କ ପାଦ ଦ୍ୱାର ନିକଟରେ ଠିଆ ହୋଇଥିବା ଦୁଇଟି ପିଲାଙ୍କ ନିକଟରେ ଆସି ଅଟକିଗଲା। ପୁଅ ଦୁଇଟିର ମୁହଁରେ କୌଣସି ନିଜ ଲୋକଙ୍କ ସହ ମିଶିବାର ଖୁସିଥିଲା।

ସୋହନ ସହିତ ଅନେକଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ଏହି ଦୁଇଟି ପିଲାଙ୍କର ମାଆ-ବାପା ମଧ୍ୟ ଥିଲେ। ସୋହନର ମୃତଦେହ ମିଳିଲା। ତା ହାତ ସହିତ ଏହି ପିଲା ଦୁହିଁଙ୍କ ବାପାର ହାତ ମିଶିଥିଲା। ସେହି ନିର୍ଜୀବ ବନ୍ଧନକୁ ସୁରଭି ଭାଉଜ ସୋହନର ଅଧୁରା ଓ ଅନ୍ତିମ କର୍ତ୍ତବ୍ୟ ମାନି ସେହି ଅଭାଗା ବାପାର ଏହି ଦୁଇ ସନ୍ତାନଙ୍କ ହାତ ନିଜେ ଧରି ନେଇଥିଲେ। ଅନେକ ଥର ଏହି ଦୁଇପୁଅ ସୁରଭି ଭାଉଜଙ୍କ ଘରକୁ ଆସନ୍ତି। ଏଣୁ ସେ ଦୁହେଁ ସେତୁ ସହ ମଧ୍ୟ ପରିଚିତ ଥିଲେ।

ସେତୁ ସହ ଆଖି ମିଶିବା ମାତ୍ରେ ତିନିଜଣଙ୍କ ମୁହଁରେ ହସ ଖେଳିଗଲା। ସୁରଭି ଭାଉଜ କହିବା ଫଳରେ ସେତୁ ସେ ଦୁହିଁଙ୍କ ମଥାରେ ତିଳକ ଲଗାଇଲା। ଆଉ ବିଳମ୍ବ ନକରି ସେ ମମ୍ମି ହାତରୁ ସରାଗାତଟି ନେଇ ଦୁହିଁଙ୍କ ହାତକୁ ବଢ଼ାଇଦେଲା। ହଁ ଏହା ଅତି ସହଜ ଭାବରେ ହୋଇଗଲା…।

ଦୁଇ ଶିଶୁଙ୍କ ଆଖିରେ ଲୁହଦେଖି ସେତୁ ମଧ୍ୟ କାନ୍ଦି ପକାଇଲା। ସକାଳୁ ତାକୁ କାନ୍ଦ ଲାଗୁଥିଲା କିନ୍ତୁ କାନ୍ଦି ପାରିନଥିଲା। ଆଉ ଏଠାରେ ଲୁହ ହିଁ ବନ୍ଦ ହେଉନଥିଲା।

ସକାଳଠାରୁ କାନ୍ଦୁଥିବା ସୁରଭି ଭାଉଜଙ୍କ ମୁଖମଣ୍ଡଳରେ କିନ୍ତୁ ଆତ୍ମସନ୍ତୋଷର ଖୁସି ଚମକି ଉଠୁଥିଲା। 

  • ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମୁଦ୍ରିତ ସଂସ୍କରଣ, ଅକ୍ଟୋବେର ୨୦୨୧ ସଂଖ୍ୟାରେ ପ୍ରକାଶିତ।

5 thoughts on “ସେତୁ

  1. ବାସ୍ତବରେ ଲେଖାଟି ଚମତ୍କାର ହୋଇଛି। 👌👌👌👌

  2. ଧନ୍ୟବାଦ ମାନ୍ୟବର। ପ୍ରଣାମ।

  3. ମର୍ମସ୍ପର୍ଶୀ ଲେଖା ଟିଏ । ଗଳ୍ପ ହେଲେ ବି ସତ୍ୟ ପରି ଲାଗିଲା ।

Leave a Reply

Your email address will not be published. Required fields are marked *