ଡିଜିଟାଲ ଭାରତ ଓ ଓଡ଼ିଆ ସାହିତ୍ୟ

  • ବର୍ତ୍ତମାନ ଯୁଗରେ ଡିଜିଟାଲ ଇଣ୍ଡିଆ ମିଶନ ମାଧ୍ୟମରେ ମୋବାଇଲ ସଂଯୋଗକୁ ସହଜ ପ୍ରବେଶ ଏବଂ ଇଣ୍ଟରନେଟ୍‌କୁ ସର୍ବସାଧାରଣ ପ୍ରବେଶ ସମ୍ଭବ ହୋଇଛି।
Udaya Nath Sahoo
ପ୍ରଫେସର ଉଦୟନାଥ ସାହୁ

ଆଜି ଆମେ ଏକବିଂଶ ଶତାବ୍ଦୀର ତୃତୀୟ ଦଶକରେ ପାଦ ଦେଇଛେ। ଏହା ମଧ୍ୟରେ ସମଗ୍ର ବିଶ୍ୱରେ ଏକ ବିରାଟ ପରିବର୍ତ୍ତନ ଆସିଛି। ୨୦୨୦ ମସିହାରେ ସମଗ୍ର ବିଶ୍ୱ କରୋନା ମହାମାରୀ ଦ୍ୱାରା ଆକ୍ରାନ୍ତ ହୋଇ ମୁକ୍ତି ପାଇଁ ପଥ ଅନ୍ୱେଷଣ କରୁଛି। ଯେପରି ଯୁଗ ବଦଳିଛି, ସେହିପରି ମଣିଷର ରୁଚି ମଧ୍ୟ ବଦଳିଛି। ଆଜି ମଣିଷ ନିଜକୁ ଏକ ନଷ୍ଟ ପୃଥିବୀର ଧୂସର ଅପରାହ୍ନରେ ଆବିଷ୍କାର କରୁଛି। କ୍ଲାନ୍ତି, ହତାଶା, ବିପଦ ଆଜି ମଣିଷର ପ୍ରତିଟି ମୁହୂର୍ତ୍ତକୁ ଧୂସର କରି ଦେଇଛି। ତଥାପି ମଣିଷ ଆଜି କିଛି ଆଶା, ଆଶ୍ୱାସନା, ବିଶ୍ୱାସ, ଅନୁରାଗ, ଆଗ୍ରହ, ଆଲୋକ ଓ ଉଲ୍ଲାସର ଏକ ପ୍ରତ୍ୟୟମୟ ତଟିନୀର ସନ୍ଧାନରେ ରହିଛି। ଏହି ଯେଉଁ ସଂଗ୍ରାମ ଚାଲିଛି, ତାହା ମଣିଷ ସହିତ ଏକ ଅଦୃଶ୍ୟ ଭୂତାଣୁର।

ଡିଜିଟାଲ ଭାରତ ଏକ ଆହ୍ୱାନ- ଏହା ଏପରି ଏକ କାର୍ଯ୍ୟକ୍ରମ ଯାହାଦ୍ୱାରା ଭାରତକୁ ଡିଜିଟାଲ ସଶକ୍ତିକୃତ ସମାଜ ଓ ଜ୍ଞାନ ଅର୍ଥନୀତିରେ ରୂପାନ୍ତରିତ କରାଯାଇ ପାରିବ। ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଦ୍ୱାରା ଜୁଲାଇ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା। ଏହାର ନଅଗୋଟି ସ୍ତମ୍ଭ ରହିଥିଲେ ହେଁ ପ୍ରମୁଖ ଲକ୍ଷ୍ୟ ହେଉଛି ତିନିଗୋଟି। ଯଥା: (୧) ପ୍ରତ୍ୟେକ ନାଗରିକ ବ୍ୟବହାର ପାଇଁ ଡିଜିଟାଲ ଭିତ୍ତିଭୂମି। (୨) ଚାହିଦା ଅନୁସାରେ ପ୍ରଶାସନ ଓ ସେବା। (୩) ନାଗରିକ ମାନଙ୍କର ଡିଜିଟାଲ ସଶକ୍ତିକରଣ। ପ୍ରତ୍ୟେକ ନାଗରିକର ବ୍ୟବହାର ନିମିତ୍ତ ଡିଜିଟାଲ ଭିତ୍ତିଭୂମି ମଧ୍ୟରେ ଯେଉଁଗୁଡିକ ଅନ୍ତର୍ଭୁକ୍ତ, ସେଗୁଡିକ ହେଲା- (କ) ନାଗରିକମାନଙ୍କୁ ସେବା ପ୍ରଦାନ କରିବାରେ ଉଚ୍ଚଗତି ସମ୍ପନ୍ନ ଇଣ୍ଟରନେଟର ଉପଲବ୍ଧ (ଖ) ପ୍ରତ୍ୟେକ ନାଗରିକଙ୍କୁ ସ୍ୱତନ୍ତ୍ର, ଆଜୀବନ ଓ ସଠିକ୍ ନିରୂପିତ ହୋଇପାରୁଥିବା ଡିଜିଟାଲ ପରିଚୟ ପ୍ରଦାନ (ଗ) ଅନ୍‌ଲାଇନ୍ ଓ ମୋବାଇଲ ପ୍ଲାଟଫର୍ମରେ ଠିକ୍ ସମୟରେ ସେବାର ଉପଲବ୍‌ଧତା (ଘ) ସାର୍ବଜନୀନ ଡିଜିଟାଲ ସାକ୍ଷରତା (ଙ) ଭାରତୀୟ ଭାଷାମାନଙ୍କରେ ଡିଜିଟାଲ ସମ୍ବଳ ଓ ସେବାର ଉପଲବ୍‌ଧତା ଓ (ଚ) ଗ୍ଲୋବାଲ ବା ବିଶ୍ୱସ୍ତରୀୟ ସୂଚନା ପ୍ରଦାନ।

ଭାରତକୁ ଏକ ଡିଜିଟାଲ ଦେଶରେ ପରିଣତ କରିବା ପାଇଁ ଆଇଟି (ସୂଚନା ପ୍ରଯୁକ୍ତି ବିଦ୍ୟା) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଉଦ୍ଦେଶ୍ୟରେ ଭାରତ ସରକାର ବ୍ୟବହାର କରିଥିଲେ; ଯଥା- ଆଇଟି (ଇନ୍‌ଫରମେସନ୍ ଟେକ୍ନୋଲୋଜି) + ଆଇଟି (ଇଣ୍ଡିଆନ୍ ଟ୍ୟାଲେଣ୍ଟ) = ଆଇଟି (ଇଣ୍ଡିଆନ୍ ଟୁମୋରୋ) ଅର୍ଥାତ୍‌- ସୂଚନା ପ୍ରଯୁକ୍ତି ବିଦ୍ୟା + ଭାରତୀୟ ପ୍ରତିଭା = ଭାରତୀୟ ଆସନ୍ତାକାଲି। ଏହା କେବଳ ଏକ ପଦକ୍ଷେପ ନୁହେଁ ବରଂ ଏହା ହିଁ ଦେଶ ପାଇଁ ଏକ ଆବଶ୍ୟକତା। ଆଜି ଆମେ ରହୁଥିବା ଡିଜିଟାଲ ଦୁନିଆ ହେଉଛି ଅନେକ ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟା ଅଗ୍ରଗତିର ଫଳ। ଏହି ନୂତନତ୍ୱ ସାହିତ୍ୟ ଏବଂ ଲେଖା କ୍ଷେତ୍ରରେ ସମସ୍ତଙ୍କୁ ଉତ୍ତମ ଭବିଷ୍ୟତ ପ୍ରଦାନ କରେ। ଆଜି ପ୍ରତ୍ୟେକ ରାଷ୍ଟ୍ର ସମ୍ପୂର୍ଣ୍ଣ ଡିଜିଟାଲଇଲେସନ୍ ହେବାକୁ ଚାହୁଁଛନ୍ତି, ଯାହା ସମାଜକୁ ଏକ ଉନ୍ନତ ଢ଼ଙ୍ଗରେ ସଶକ୍ତ କରିବ।

ପ୍ରତ୍ୟେକ ଜାତି ନିଜର ମାତୃଭୂମି, ମାତୃଭାଷା ଓ ସାହିତ୍ୟକୁ ନେଇ ଗର୍ବକରେ। ଯେଉଁ ଜାତିର ଭାଷା ଓ ସାହିତ୍ୟ ଯେତେ ଉନ୍ନତ ଓ ବ୍ୟାପକ, ସେ ଜାତି ପୃଥିବୀରେ ସେତେ ଉନ୍ନତ ଓ ସମ୍ମାନିତ। ବିଧିବଦ୍ଧ ଭାବରେ ଲିଖିତ ସାହିତ୍ୟ ସୃଷ୍ଟି ହେବା ପୂର୍ବରୁ ଢ଼ଗଢ଼ମାଳି, ନାନା ପ୍ରକାର ଲୋକଗୀତ ବା କାହାଣୀ ପ୍ରଭୃତି ଲୋକମୁଖରେ ପ୍ରଚଳିତ ଥିଲା, ଯାହାକୁ ଆମେ ଲୋକ ସାହିତ୍ୟ ବା କଥିତ ସାହିତ୍ୟ ବା ମୌଖିକ ସାହିତ୍ୟ ବୋଲି କହିଥାଉ। କାଳକ୍ରମେ ଅଭିଲେଖ ସାହିତ୍ୟର ସୃଷ୍ଟି ହେଲା। ଅର୍ଥାତ୍ ରାଜାମାନଙ୍କର ଦାନ ଶାସନପତ୍ର, ରାଜକୀୟ ଘୋଷଣା ପ୍ରଭୃତି ଶିଳାଲେଖ ଓ ତାମ୍ରଫଳକରେ ଲେଖାଗଲା। ଓଡ଼ିଆ ଭାଷାର ସୃଷ୍ଟି ବହୁ ପ୍ରାଚୀନ। ତେବେ ପ୍ରାଚୀନତମ ଲିଖିତ ରୂପର ନମୂନା ରୂପେ ଧଉଳି ଓ ଜଉଗଡରୁ ପ୍ରାପ୍ତ ଖ୍ରୀ.ପୂ ୩ୟ ଶତାବ୍ଦୀର ବ୍ରାହ୍ମୀଲିପିରେ ଖୋଦିତ ଅଶୋକଙ୍କ ଶିଳାଲିପି ଅନୁଶାସନକୁ ଗ୍ରହଣ କରାଯାଇଥାଏ। ସେତେବେଳେ ମଧ୍ୟ ଲେଖିବାର ପ୍ରଧାନ ଉପକରଣ ଥିଲା ତାଳପତ୍ର। କିନ୍ତୁ ତାଳପତ୍ର ସ୍ଥାୟୀ ନୁହେଁ ବୋଲି ଶିଳା-ଲେଖ ଏବଂ ତାମ୍ରଫଳକକୁ ବ୍ୟବହାର କରାଗଲା। ତାପରେ କାଗଜର ବ୍ୟବହାର କରାଗଲା। ଲେଖାଲେଖିର ମୁଖ୍ୟ ମାଧ୍ୟମ ରୂପେ କାଗଜ ହିଁ ପ୍ରମୁଖ ମାଧ୍ୟମ ଅଟେ। ଖ୍ରୀ.ପୂ. ତୃତୀୟ ଶତାବ୍ଦୀରୁ ଆରମ୍ଭ ହୋଇ ପଞ୍ଚଦଶ ଶତାବ୍ଦୀ ମଧ୍ୟରେ ଓଡ଼ିଆ ଲିପି ସଂସ୍କାର ହୋଇଛି। ସେତେବେଳେ ତାଳପତ୍ର ହିଁ ଥିଲା ଲିଖନର ମାଧ୍ୟମ। ଯେଉଁ ସାହିତ୍ୟ ପ୍ରଥମେ କଥିତ ସାହିତ୍ୟ ବା ଲୋକସାହିତ୍ୟ ଥିଲା, ପରବର୍ତ୍ତୀ କାଳରେ ଲିଖିତ ରୂପ ପ୍ରାପ୍ତ ହୋଇ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିଲା। ଅଶୋକଙ୍କ ଶିଳା ଅନୁଶାସନ ଏବଂ ମହାମେଘବାହନ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ ଓଡ଼ିଶାରେ ଖୋଦିତ ଅଭିଲେଖମାନଙ୍କ ମଧ୍ୟରେ ପ୍ରାଚୀନତମ। ତାଳପତ୍ରରେ ଲିଖିତ ଆଦେଶନାମା ବା ସନନ୍ଦାଦିକୁ ପଥର ବା ତାମ୍ରଫଳକରେ ରୂପ ପ୍ରଦାନ କରାଗଲା। ତେବେ ପ୍ରାକ୍ ସାରଳା ସମୟରୁ ଯେଉଁ ଲିଖିତ ରୂପ ପ୍ରକାଶ ଲାଭ କରିଛି, ତାହା ହେଉଛି ସପ୍ତମରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ବୌଦ୍ଧ ସିଦ୍ଧାଚାର୍ଯ୍ୟମାନଙ୍କର ଚର୍ଯ୍ୟା ସାହିତ୍ୟ। ୧୯୦୭ ଖ୍ରୀଷ୍ଟାବ୍ଦରେ ବଙ୍ଗଳାର ପଣ୍ଡିତ ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ ନେପାଳ ଦରବାରର ପୋଥିଶାଳାରୁ ଏହି ପୋଥି ଉଦ୍ଧାର କରି ୧୯୧୬ ଖ୍ରୀଷ୍ଟାବ୍ଦରେ ତାକୁ ସମ୍ପାଦନା କରି ନାମ ରଖିଥିଲେ “ବୌଦ୍ଧଗାନ ଓ ଦୋହା”। ସାରଳା ମହାଭାରତ, ଚଣ୍ଡୀପୁରାଣ ଠାରୁ ଆରମ୍ଭ କରି ଜଗନ୍ନାଥ ଦାସଙ୍କ ଭାଗବତ, ଅଚ୍ୟୁତାନନ୍ଦଙ୍କ ହରିବଂଶ, ବଳରାମ ଦାସଙ୍କ ଜଗମୋହନ ରାମାୟଣ, ଉପେନ୍ଦ୍ର ଭଞ୍ଜଙ୍କ ସମସ୍ତ ସୃଷ୍ଟି ସମ୍ଭାର ପ୍ରଭୃତି ମଧ୍ୟଯୁଗୀୟ ସାହିତ୍ୟ ଗୁଡିକ ତାଳପତ୍ର ପତ୍ରରେ ଖୋଦିତ ହୋଇ ଲେଖାଯାଇଛି। ଏପରିକି ଶ୍ରୀଜଗନ୍ନାଥ ମନ୍ଦିରର ରୀତି-ନୀତି, ସେବା-ପୂଜାବିଧି, ଗଜପତି ମହାରାଜାଙ୍କର ଶାସନ ବିବରଣୀ ପ୍ରଭୃତିରେ ସମୃଦ୍ଧ ‘ମାଦଳା ପାଞ୍ଜି’ ଅଖଣ୍ଡିତ ତାଳପତ୍ରରେ ଲିଖିତ ହେବା ପରେ ଏହାର ଦୁଇ ମୁଣ୍ଡବାନ୍ଧି ରଖାଯାଏ। ଏହି ଆକାର ମର୍ଦ୍ଦଳ ବା ମାଦଳା ଭଳି ପ୍ରତୀୟମାନ ହେଉଥିବାରୁ କେତେକ ସମାଲୋଚକଙ୍କ ମତରେ ‘ମାଦଳା ପାଞ୍ଜି’ ବୋଲି କୁହାଯାଏ।

ପ୍ରଥମତଃ ଚୀନରେ ଇଷ୍ଟର୍ଣ୍ଣ ହାନ୍ (୨୫-୨୨୦ ସିଇ)ଙ୍କ ସମୟରେ କାଗଜ ପ୍ରସ୍ତୁତ ହୋଇଥିଲା ଏବଂ ଅଷ୍ଟମ ଶତାବ୍ଦୀରେ ଏହା ଇସ୍‌ଲାମିକ ସାମ୍ରାଜ୍ୟରେ ପ୍ରଚଳିତ ହେଲା। ଇଂରାଜୀ ପେପର ଶବ୍ଦଟି ପ୍ରାଚୀନ ଗ୍ରୀକ୍ ଶବ୍ଦ ପେପିରସ୍‌ରୁ ଆସିଛି। ଭାରତରେ କାଶ୍ମୀରରେ ସୁଲତାନ ଜାଇନୁଲ୍ ଆବେଦିନ୍ (ଶାହୀଖାନ୍‌-୧୪୧୭-୬୭ ଖ୍ରୀଷ୍ଟାବ୍ଦ)ଙ୍କ ଦ୍ୱାରା କାଗଜ ପ୍ରସ୍ତୁତ କରାଯାଇଥିଲା। ଶିଳାଖଣ୍ଡ, ବିଭିନ୍ନ ଧାତବ ପଦାର୍ଥ, ଯଥା- ସୁନା, ରୂପା, ପିତଳ, ବ୍ରୋଞ୍ଜ, ଲୌହ, ତମ୍ବା ପ୍ରଭୃତି ମୃତ୍ତିକା, ଟେରାକୋଟା, ତାଳପତ୍ର, ଚମଡା, କନା ଇତ୍ୟାଦି ଲିଖନ ମାଧ୍ୟମରୂପେ ପ୍ରାଚୀନ ଭାରତରେ ବ୍ୟବହୃତ ହେଉଥିଲା। କିନ୍ତୁ କାଗଜର ବହୁଳ ବ୍ୟବହାର ଏହି ଲିଖନ ଧାରାକୁ ବଦଳାଇ ଦେଲା। 

କିନ୍ତୁ ବର୍ତ୍ତମାନ ଯୁଗରେ ଡିଜିଟାଲ ଇଣ୍ଡିଆ ମିଶନ ମାଧ୍ୟମରେ ମୋବାଇଲ ସଂଯୋଗକୁ ସହଜ ପ୍ରବେଶ ଏବଂ ଇଣ୍ଟରନେଟ୍‌କୁ ସର୍ବସାଧାରଣ ପ୍ରବେଶ ସମ୍ଭବ ହୋଇଛି। ଆମର ସାହିତ୍ୟ ଆଜି ବିଭିନ୍ନ ପ୍ରକାରରେ ପ୍ରକାଶିତ ହେଉଛି। ସେଗୁଡିକ ହେଲା- ଫେସ୍‌ବୁକ୍ ସାହିତ୍ୟ, ହ୍ୱାଟ୍‌ସଆପ୍ ଗ୍ରୁପ୍ ସାହିତ୍ୟ, ମେସେଞ୍ଜର ସାହିତ୍ୟ ପ୍ରଭୃତି। ସାହିତ୍ୟ ପତ୍ରିକା ମଧ୍ୟ ଇ-ଜର୍ଣ୍ଣାଲ୍ ଏବଂ ଖବରକାଗଜ ଇ-ନ୍ୟୁଜ୍‌ପେପର ରୂପେ ପ୍ରକାଶିତ ହେଉଛି। ସାହିତ୍ୟର ଉନ୍ନତି ନିମିତ୍ତ ଏସବୁ ମାଧ୍ୟମରେ ବିଭିନ୍ନ ଚର୍ଚ୍ଚା ମଧ୍ୟ ହେଉଛି। ବିଭିନ୍ନ ପ୍ରକାର ଗୋଷ୍ଠୀ ସୃଷ୍ଟି ହୋଇ ସାହିତ୍ୟର ପ୍ରଗତି ରଥକୁ ଆଗକୁ ଆଗକୁ ଟାଣି ନେଉଛନ୍ତି ସାହିତ୍ୟିକମାନେ। ଯଥା- ସାହିତ୍ୟ ଚର୍ଚ୍ଚା, ସାହିତ୍ୟ ଓ ସର୍ଜନ, ମୋ ଲେଖା, ନବଦିଗନ୍ତ ସାହିତ୍ୟ ପରିବାର, ମନ୍ଥନ ସାହିତ୍ୟ ସଂସଦ, ପ୍ରିୟପତ୍ର, ବଣମଲ୍ଲୀ, କବିତା ଡଟ୍ କମ୍‌, ଓଡ଼ିଆ ସାହିତ୍ୟ ଟୁଙ୍ଗି, ପ୍ରାଚୀନ ସାହିତ୍ୟ, କବି ଓ କବିତା, ସାହିତ୍ୟ ଖବର, ସାହିତ୍ୟ ଫର୍ଦ୍ଦ, ସାହିତ୍ୟ କଥା, ଓଡ଼ିଆ ସାହିତ୍ୟ ଚର୍ଚ୍ଚା, ଓଡ଼ିଆ ଗପ ଓ କବିତା ଏବଂ ଓଡ଼ିଆ କବିତା ପ୍ରଭୃତି।

ଏହାଦ୍ୱାରା ସାହିତ୍ୟିକ ବନ୍ଧୁମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ସମ୍ଭବ ହୋଇପାରିଛି। ସମସ୍ତ ସାହିତ୍ୟ ମନସ୍କ ବନ୍ଧୁମାନଙ୍କୁ ଏଥିରେ ଯୋଗଦେବା ନିମିତ୍ତ ଆହ୍ୱାନ କରାଯାଉଛି। ଏଥିରେ ଅନୁବାଦ ସାହିତ୍ୟ, କବିତା, କ୍ଷୁଦ୍ରଗଳ୍ପ, ଗୀତି କବିତା, ଚିତ୍ରରେ ସାହିତ୍ୟ, ପୁରାତନ ସାହିତ୍ୟ, ପୁସ୍ତକ ସମୀକ୍ଷା, ପ୍ରବନ୍ଧ, ମିନିଗଳ୍ପ, ଲଳିତ ନିବଦ୍ଧ, ଶିଶୁ ସାହିତ୍ୟ, ସମାଲୋଚନା, ସାହିତ୍ୟ ସମାଚାର ପ୍ରଭୃତି ସୁନ୍ଦର ସଂପାଦନା ହୋଇ ସମ୍ପାଦନକୀୟ ପୃଷ୍ଠା ସହ ପ୍ରକାଶିତ ହେଉଛି। ଫଳରେ ପୃଥିବୀର କୋଣ ଅନୁକୋଣରେ ଖୁବ୍ କମ୍ ସମୟ ମଧ୍ୟରେ ଥିବା ପାଠକମାନଙ୍କ ନିକଟରେ ଏହା ପହଂଚି ପାରୁଛି ଏବଂ ବିଶେଷ ଆଦୃତ ମଧ୍ୟ ହେଉଛି। ଏହା ହିଁ ହେଉଛି ଆଜିର ଡିଜିଟାଲ ଦୁନିଆରେ ସାହିତ୍ୟର ବିକଶିତ ରୂପ। ଏହି ଇ-ପତ୍ରିକା ବା ଅନ୍‌ଲାଇନ୍ ସାହିତ୍ୟ ପତ୍ରିକା ସାହିତ୍ୟର ଭବିଷ୍ୟତ ଓ ଲେଖକମାନଙ୍କ ପାଇଁ କେବଳ ଏକ ଉତ୍ସାହ, କିନ୍ତୁ ପାଠକମାନଙ୍କ ଦ୍ୱାରା ଅବହେଳିତ ହୋଇପାରେ। ତଥାପି ଗୁଗୁଲ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ରାଗାନ୍ ଆନନ୍ଦନ୍ କହିଛନ୍ତି ଯେ- “ଏନାବଲିଂ କଣ୍ଟେଣ୍ଟ କଞ୍ଜପ୍‌ସନ ଇନ୍ ଲୋକାଲ୍ ଇଣ୍ଡିଆନ୍ ଲାଙ୍ଗୁଏଜ୍ କ୍ୟାନ ଗ୍ରେଟ୍‌ଲି ପୁସ୍ ଦି ଇଣ୍ଟରନେଟ୍ କଞ୍ଜପ୍‌ସନ ଅପ୍‌”। ଅନ୍‌ଲାଇନ୍ ପତ୍ରିକା, ଯେଉଁଠାରେ ଖର୍ଚ୍ଚ କମ୍ ଏବଂ ଉତ୍ପାଦନ ବହୁତ ସରଳ ହୋଇପାରେ, ଯାହାକୁ ପାଠକ ଏବଂ ଲେଖକ ଉଭୟେ ଆବଶ୍ୟକ କରନ୍ତି; ଏହାକୁ ସାହିତ୍ୟିକ ଇକୋସିଷ୍ଟମ (ଲିଟେରେଲାରୀ ଇକୋସିଷ୍ଟମ) କୁହାଯାଇପାରେ। ଏହାଦ୍ୱାରା ସମସ୍ତେ ପରସ୍ପର ସହିତ ସଂଶ୍ଲିଷ୍ଟ ହୋଇପାରିବେ, ନିଜର ଅନୁଭୂତିକୁ ବାଣ୍ଟି ପାରିବେ।

ଏକବିଂଶ ଶତାବ୍ଦୀର ଜଗତୀକରଣ ପର୍ଯ୍ୟାୟରେ ଅନୁବାଦ, ଭାବ-ଭାଷା ଓ ସାହିତ୍ୟର ଆଦାନପ୍ରଦାନ ତଥା ପ୍ରସାର ପାଇଁ ଅପରିହାର୍ଯ୍ୟ। ପ୍ରତ୍ୟେକ ସ୍ତରରେ କମ୍ପ୍ୟୁଟରର ବ୍ୟବହାର କରାଯାଉଛି। ଫଳରେ ଆଧୁନିକ ଯୁଗରେ ବିଜ୍ଞାନର ଅଗ୍ରଗତି ସହ ତାଳଦେଇ ଏହି ଅନୁବାଦ କାର୍ଯ୍ୟ କମ୍ପ୍ୟୁଟର ମାଧ୍ୟମରେ ସମ୍ଭବ ହୋଇପାରିଛି। ଏହାଦ୍ୱାରା ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ସ୍ୱୟଂକ୍ରିୟ ଅନୁବାଦ କାର୍ଯ୍ୟ ସହିତ ଅନୁବାଦ ଭାଷାରେ ସମାର୍ଥବୋଧକ ଶବ୍ଦ, ଆବଶ୍ୟକ ନୂତନ ଶବ୍ଦ ତଥା ଶବ୍ଦାବଳୀର ସଂଗଠନ ଭଳି କାର୍ଯ୍ୟ ମଧ୍ୟ କରାଯାଇଥାଏ। ଏହି ଯାନ୍ତ୍ରିକ ଅନୁବାଦ (ମେସିନ୍ ଟ୍ରାନ୍ସଲେସନ) ଲୋକମାନଙ୍କୁ ସ୍ୱୟଂକ୍ରିୟ ଅନୁବାଦ କାର୍ଯ୍ୟରେ ଅଶେଷ ସହାୟକ ହେବ। ଫଳରେ ଲୋକମାନେ ନିଜ ଭାଷାର ଅଭିବୃଦ୍ଧି ସହ, ଆନ୍ତର୍ଜାତିକ କ୍ଷେତ୍ରରେ ଯୋଗାଯୋଗ ଓ ଆଦାନ ପ୍ରଦାନର କ୍ଷେତ୍ରକୁ ବିକଶିତ କରିପାରିବେ। ଏହାଦ୍ୱାରା ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ବିଶେଷ ଉନ୍ନତି ସାଧିତ ହେବା ସହିତ ରାଜନୀତି, ଅର୍ଥନୀତି, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଶୀଘ୍ର ତଥ୍ୟର ଆଦାନ ପ୍ରଦାନ କରିବା ସହିତ ସମ୍ପର୍କ ବୃଦ୍ଧି ହୋଇପାରିବ।

ଭାରତ ଏକ ବହୁଭାଷୀୟ ରାଷ୍ଟ୍ର। ଏଠାକାର ଲୋକମାନେ ଭାଷା ତଥା ଆଞ୍ଚଳିକ ଭାଷା ମାଧ୍ୟମରେ ଭାବର ଆଦାନ ପ୍ରଦାନ କରିଥାନ୍ତି। ବିଶ୍ୱର ବିରାଟ ସାହିତ୍ୟ ଭଣ୍ଡାରର ରତ୍ନ ଆହରଣ କରିବା ପାଇଁ ଅନୁବାଦ ହିଁ ପ୍ରକୃଷ୍ଟ ମାଧ୍ୟମ। ଏହି ଅନୁବାଦ ଦ୍ୱାରା ସାହିତ୍ୟ ଓ ଜୀବନ ସମୃଦ୍ଧ ହୁଏ। ତେଣୁ ସାହିତ୍ୟ, ବିଜ୍ଞାନ, ବାଣିଜ୍ୟ, ସାମ୍ବାଦିକତା ଭଳି ବିଭନ୍ନ କ୍ଷେତ୍ରରେ ଯାନ୍ତ୍ରିକ ଅନୁବାଦ (ମେସିନ ଟ୍ରାନ୍ସଲେସନ)ର ଆବଶ୍ୟକତା ଅନୁଭବ କରାଯାଇଥାଏ। କିନ୍ତୁ ଭାରତରେ ଏହାର ଉଦ୍ଭବ ଅତି ନିକଟରେ ହୋଇଛି। ଭାରତ ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ଟିଡିଆଇଏଲ୍ (ଟେକ୍ନୋଲୋଜି ଡେଭଲପ୍‌ମେଣ୍ଟ ଫର୍ ଇଣ୍ଡଆନ୍ ଲାଙ୍ଗୁଏଜ୍‌) ମଧ୍ୟ ଏହାର ଗବେଷଣା ନିମିତ୍ତ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଅଛନ୍ତି। ଏହି ବହୁଭାଷୀୟ ରାଷ୍ଟ୍ରରେ ଯାନ୍ତ୍ରିକ ଅନୁବାଦ (ମେସିନ ଟ୍ରାନ୍ସଲେସନ)ର ଆବଶ୍ୟକତା ନିହାତି ଅନୁଭବ କରାଯାଉଛି। ଏହାର ତିନୋଟି କ୍ଷେତ୍ର ରହିଛି ଯଥା :- (୧) ଆର୍‌ଏମ୍‌ଟି- (ରୁଲ୍ ବେସ୍‌ଡ ମେସିନ ଟ୍ୟାନ୍ସଲେସନ- ନିୟମ ଅନୁଯାୟୀ ଯାନ୍ତ୍ରିକ ଉପକରଣ ମାଧ୍ୟମରେ ଅନୁବାଦ।) (୨) ଏସ୍‌ବିଏମ୍‌ଟି (ଷ୍ଟାଟିସିକାଲ ବେସ୍‌ଡ ମେସିନ ଟ୍ରାନ୍ସଲେସନ- ବିଶ୍ଳେଷଣ ଓ ପରିସଂଖ୍ୟାନ ମାଧ୍ୟମରେ ଅନୁବାଦ।) (୩) ଇବିଏମ୍‌ଟି- (ଏକ୍ସଜାମ୍ପଲ ବେସ୍‌ଡ ମେସିନ ଟ୍ରାନ୍ସଲେସନ- ପୂର୍ବରୁ ଅନୁବାଦ କରାଯାଇଥିବା ଉଦାହରଣ ମାଧ୍ୟମରେ ଅନୁବାଦ।) ଏହି ପ୍ରକ୍ରିୟା ବିକାଶର ପରିସର ଗୁଡିକ ହେଉଛି : (୧) ମୂଳ ଉତ୍ସରୁ ଅନ୍ୟ ଭାଷାକୁ ଅନୁବାଦ (୨) ଶବ୍ଦ ବିଜ୍ଞାନ ମାଧ୍ୟମରେ ବିଶ୍ଳେଷଣ (୩) ଶବ୍ଦର ପ୍ରକାର ଭେଦ ଅନୁସାରେ ଚିହ୍ନଟିକରଣ (୪) ଶବ୍ଦର ବ୍ୟାଖ୍ୟାକରଣ (୫) ଶବ୍ଦର ଉତ୍ପତ୍ତିକରଣ (୬) ଶବ୍ଦର ଶୁଦ୍ଧିକରଣ ଓ ବିଶ୍ଳେଷଣ।

ଉଭୟ ଭାଷାର ବ୍ୟାକରଣ ଓ ଭାଷାତତ୍ତ୍ୱକୁ ତୁଳନା କରି ବିଭିନ୍ନ ସୂତ୍ର ନିରୂପଣ କରାଯାଏ। ଏହି ପ୍ରକ୍ରିୟାରେ ଶବ୍ଦର ବ୍ୟୁତ୍ପତ୍ତିକରଣ ବିଶ୍ଳେଷଣ, ପ୍ରକାରଭେଦ ଅନୁସାରେ ଶବ୍ଦ ସଂଯୋଜନା, ଶବ୍ଦ ଉତ୍ପତ୍ତିକରଣ ଆଜି କରାଯାଇଥାଏ। ମୂଳ ଭାଷାକୁ କମ୍ପ୍ୟୁଟର ମାଧ୍ୟମରେ ଅନୁଦିତ କରାଯିବା ପରେ ଜଣାପଡେ ଯେ, ଏହା ପୂର୍ବରୁ ସତେ ଅନୁବାଦ କରାଯାଇଛି, କିନ୍ତୁ ପ୍ରକୃତରେ ତାହା ନୁହେଁ, ଏହାର ସଫଳତା ପଛରେ ଅନେକ ଉଦ୍ୟମ ଲୁଚି ରହିଛି। ଏଦିଗରେ ଗୁଗୁଲ ଦ୍ୱାରା ସହଜରେ କିପରି ଅନୁବାଦ କରାଯାଇପାରିବ, ସେଥିପାଇଁ ବହୁ ପଦକ୍ଷେପ ନିଆଯାଇଛି ଏବଂ ସଫଳ ମଧ୍ୟ ହୋଇଛି। ଓଡ଼ିଆ ଭାଷା ଓ ସାହିତ୍ୟର ଯଥେଷ୍ଟ ଉନ୍ନତି ମଧ୍ୟ ସାଧିତ ହୋଇଛି। ଅବଶ୍ୟ ଯାନ୍ତ୍ରିକ ଅନୁବାଦ ଦ୍ୱାରା ସାହିତ୍ୟିକ ଅନୁବାଦ ସେତେ ସଫଳ ନ ହୋଇପାରେ। ଡିଜିଟାଲ ଇଣ୍ଡିଆ ଡିଜିଟାଲ ସଂସ୍କୃତି କିମ୍ବା ଡିଜିଟାଲ ମାନବିକତା ଅନ୍ତର୍ଭୁକ୍ତ କରେ ନାହିଁ। କିନ୍ତୁ ଏହା ସହିତ ସାହିତ୍ୟ ପ୍ରକାଶନ ଏବଂ ଲେଖା ପାଇଁ ୱେବ୍‌କୁ ଏକ ମାଧ୍ୟମ ଭାବରେ ବ୍ୟବହାର କରିବାର ଲୋକପ୍ରିୟତା ବଢ଼ିବାରେ ଲାଗିଛି।

One thought on “ଡିଜିଟାଲ ଭାରତ ଓ ଓଡ଼ିଆ ସାହିତ୍ୟ

  1. ବହୁତ ସୁନ୍ଦର ଭାବରେ ଡିଜିଟାଲ ଇଣ୍ଡିଆ ମିଶନ୍ ଏବଂ ଏ ଦିଗରେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ହୋଇଥିବା ସାମଗ୍ରୀକ ପ୍ରଗତି ବିଷୟରେ ତଥ୍ୟ ଭିତ୍ତିକ ଉପସ୍ଥାପନା କରାଯାଇଛି। ଲେଖକଙ୍କୁ ସାଧୁବାଦ ଏବଂ ସାହିତ୍ୟ ଚର୍ଚ୍ଚାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା।

Leave a Reply

Your email address will not be published. Required fields are marked *