- ସାର୍, ଆଜି ସେ ନ ଆସିବାର ଆଉ ଗୋଟିଏ କ’ଣ କାରଣ ଥାଇପାରେ? ତାର ତ ଗୋଟିଏ ବୋଲି ସ୍କୁଲ ପୋଷାକ। ସେଇଟିକୁ ଆଜି ଧୋଇ ସଫା କରିଥିବ।
ନନ୍ଦିପୁର ଗାଁ ମୁଣ୍ଡରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ସ୍କୁଲ କାନ୍ଥରେ ନାନା ଚିତ୍ର। ପାଚେରିରେ ବି। ଫାଟକ ଦି ପାଖରେ ଦୁଇଟା ଦେବଦାରୁ ଗଛ। ଦେବଦାରୁ ଗଛର ଟିକିଏ ଛଡାରେ ବାଁ କଡରେ ଗୋଟାଏ ବଡ କରଞ୍ଜ ଗଛ। ହାଡାଣ କଡରେ ଗୋଟାଏ କୃଷ୍ଣଚୂଡା। ଆଜି ସେ କୃଷ୍ଣଚୂଡା ଗଛରେ ଫୁଲ ଭର୍ତ୍ତି। ସେ କରଞ୍ଜ ଗଛରେ କଅଁଳିଆ ପତ୍ର ଭର୍ତ୍ତି। ଦେବଦାରୁ ଗଛ ଖୁସିରେ ଦୋହଲୁଥାନ୍ତି।
କରୋନା ଯୋଗୁଁ ଦି ବର୍ଷ ସ୍କୁଲ ବନ୍ଦ ଥିଲା। ଆଜି ନଅଟା ବେଳେ ଫାଟକ ଖୋଲିଲା। ପିଲାମାନେ ଆସିବାକୁ ଆରମ୍ଭ କଲେ। କରଞ୍ଜ ଗଛର ଗୁଣ୍ଡୁଚିଟି ସେମାନଙ୍କ ଅନେଇ ରହିଲା।
କୁକୁରଟିଏ, ତା ନାଁ ହିରୋ (ପିଲାମାନେ ତାକୁ ଏଇ ନାଁରେ ଡାକନ୍ତି), ଆସି ତା ଜାଗାରେ ପହଞ୍ôଚଗଲା। ତା’ ଜାଗା ହେଉଛି କୃଷ୍ଣଚୂଡା ମୂଳ। ସେଇଠି ଜଣେ ମୁଢ଼ିବିକାଳି ଗୋଟାଏ ଗୋଲେଇ ବେତବେଞ୍ଚ ଉପରେ ତାଙ୍କ ମୁଢ଼ି ପାଛିଆ ରଖି ଠିଆ ହୁଅନ୍ତି। ସେ ଆସନ୍ତି ନଈ ସେପାରି ଗାଆଁରୁ। ସେ ଗାଆଁ ସ୍କୁଲରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଅଛି। ଚତୁର୍ଥ ଶ୍ରେଣୀରୁ ପିଲାମାନେ ସେଠୁଁ ଆସି ଏଠି ପଢ଼ନ୍ତି। ପିଲାମାନେ ତାଙ୍କ ଠୁଁ ଖେଳ ଛୁଟିରେ ମୁଢ଼ି ଖାଆନ୍ତି। ହିରୋକୁ ମୁଠାଏ ଦିଅନ୍ତି। ସେ ଦି ବର୍ଷ ହେଲା ଦେଖା ନ ଥିଲା। ଆଜି ଆସି ପହଞ୍ଚି ଯାଇଚି। ସତରେ, କୁକୁରଙ୍କ ବୁଦ୍ଧିକୁ ମାନିବାକୁ ପଡିବ।
ଖାଇବା ଛୁଟିରେ ପିଲାମାନେ ବାହାରକୁ ବାହାରିଲେ। କେଇ ଜଣ ଫାଟକ ପାଖକୁ ଆସି ମୁଢ଼ିବାଲାକୁ ଖୋଜିଲେ। ଆଶ୍ଚର୍ଯ୍ୟ! ଆଗର ମୁଢ଼ିବାଲା ଆସିନି। ଆଉ ଜଣେ ସେଠି ଠିଆ ହୋଇଚି। ସିଏ ଝିଅଟିଏ। ଭାରି ପତଳା ଚେହେରା। ଝଡିଯାଇଛି। ମୁହଁରେ ମାସ୍କ ପିନ୍ଧିଚି। ଚିହ୍ନା ଚିହ୍ନା ଲାଗିଲା। ପାଖକୁ ଯାଇ ଦେଖିଲେ, ସିଏ ମୁଢ଼ିବାଲାର ଝିଅ କୁମୁଦ। ଭଲ ନାଁ କୁମୁଦିନୀ ଦାସ। ଚତୁର୍ଥ ଶ୍ରେଣୀରେ ପଢ଼େ। ସେମାନେ ଯାଇ ଚତୁର୍ଥ ଶ୍ରେଣୀର ପିଲା କେଇଜଣଙ୍କୁ ଡାକି ଆଣିଲେ- ଦେଖିବ ଆସ, ତମ ଶ୍ରେଣୀର କୁମୁଦିନୀକୁ।
ସେମାନେ ଆସି ଆଶ୍ଚର୍ଯ୍ୟ ହୋଇ ଅନାଇଲେ। ଦେବଦାରୁ ଗଛରେ ବସିଥିବା ବଣିଟି ବି ଅନାଇଲା ଆଶ୍ଚର୍ଯ୍ୟ ହୋଇ। କୁମୁଦିନୀର ଶ୍ରେଣୀର ପିଲାମାନେ ତା’ ପାଖକୁ ଆସି ପଚାରିଲେ- ତୁ କାଇଁକି ଏମିତି ମୁଢ଼ି ବିକୁଚୁ? ତୁ କଣ ଆଉ ସ୍କୁଲକୁ ଆସିବୁନି? ସିଏ କିଛି କହିଲାନାଇଁ। ସେହି ପିଲାମାନେ ଯାଇ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ସବୁ କହିଲେ। ପ୍ରଧାନ ଶିକ୍ଷକ ତା’ ପାଖକୁ ଆସିଲେ। ପଚାରିଲେ- ସିଏ କହିଲା, ମୋ ବାପା କରୋନାରେ ମରିଗଲେ ତ! ମୋ ମା’ କହିଲା, ତୁ ଆଉ ପାଠ ପଢ଼ିପାରିବୁ ନାଇଁ। ଯା’ ତୋ ବାପା ଜାଗାରେ ମୁଢ଼ି ବିକିବୁ। କେତେଜଣ ପିଲା ଏ କଥା ଆଗରୁ ଜାଣିଥିଲେ ତ, ମନେ ନ ଥିଲା। ସେମାନେ ଜଣେ ଆରକୁ ଚାହାଁଚାହିଁ ହେଲେ।
ସବୁ ଶୁଣି ପ୍ରଧାନଶିକ୍ଷକ ଭାରି ଦୁଃଖରେ କହିଲେ- ନାଇଁ ଲୋ ଝିଅ, ତୁ କାଲିଠୁଁ ସ୍କୁଲକୁ ଆସିବୁ। ତୋ ପଢ଼ା ଖର୍ଚ୍ଚ ସ୍କୁଲ ତରଫରୁ ଦିଆଯିବ, ମୁଁ କଥା ଦଉଚି।
କୁମୁଦିନୀ ତା’ ମୁଢ଼ିପାଚିଆ ଧରି ଘରକୁ ବାହାରିଲା। କୃଷ୍ଣଚୂଡା ଗଛ ଡାଳରେ ଗୋଟାଏ ହଳଦୀବସନ୍ତ ଖାଲି ଏ ଡାଳରୁ ସେ ଡାଳକୁ ଡେଇଁବାକୁ ଲାଗିଲା।
ତା’ ପରଦିନ।
ସ୍କୁଲ ଖୋଲୁ ଖୋଲୁ ପ୍ରଧାନଶିକ୍ଷକ ଚତୁର୍ଥ ଶ୍ରେଣୀକୁ ପଶି ଆସିଲେ। ତାଙ୍କୁ ଦେଖି ଶ୍ରେଣୀରେ ବସି ପଢ଼ାଉଥିବା ଶିକ୍ଷକ ଜଣକ ଠିଆ ହୋଇଗଲେ। ପିଲାମାନେ ସମସ୍ତେ ଠିଆ ହୋଇଗଲେ। ପ୍ରଧାନଶିକ୍ଷକ ପଚାରିଲେ- କୁମୁଦିନୀ ଆସିଚି?
ପିଲାମାନେ କହିଲେ – ନାଇଁ।
ପ୍ରଧାନଶିକ୍ଷକ କଣ ଭାବିଲା ଭଳିଆ ହୋଇ କହିଲେ- କଣ ଆସିଲା ନାଇଁ?
ଜଣେ ପିଲା କହିଲା, ସାର୍, ଆଜି ସେ ନ ଆସିବାର ଆଉ ଗୋଟିଏ କ’ଣ କାରଣ ଥାଇପାରେ। ତାର ତ ଗୋଟିଏ ବୋଲି ସ୍କୁଲ ପୋଷାକ। ସେଇଟିକୁ ଆଜି ଧୋଇ ସଫା କରିଥିବ। ମୁଁ ତା ଘରପାଖ ପିଲାକୁ କହୁଚି, କାଲି ତାକୁ ସାଥୀରେ ଧରି ଆସିବ। ପ୍ରଧାନଶିକ୍ଷକ ଫେରିଗଲେ।
ସେଦିନ ଖାଇବା ଛୁଟି। ପିଲାମାନେ ଦେଖିଲେ, କୁମୁଦିନୀ ସେଇଠି, ତା’ ଜାଗାରେ ଆଗଦିନ ଭଳି ମୁଢ଼ି ଧରି ଛିଡା ହୋଇଛି। ସେମାନେ ଯାଇ ଖବରଦେଲେ ପ୍ରଧାନ ଶିକ୍ଷକଙ୍କୁ। ସିଏ ସାଙ୍ଗେ ସାଙ୍ଗେ ଆସିଲେ ଆଉ ପଚାରିଲେ- ତୋ ମା’ କଣ ମୋ କଥା ରଖିଲା ନାହିଁ।
ତାଙ୍କ କଥା ଶୁଣି କୁମୁଦିନୀ ତା’ ଦି ହାତରେ ତା ନିଜ ଦୁଇ କାନକୁ ଧରି ଛିଡାହେଲା। ତା’ ଆଖିରୁ ଲୁହ ବୋହିଯାଉଥାଏ। ଦୀର୍ଘ ନିଃଶ୍ୱାସ ପକାଇ କହିଲା- ମୋ ବୋଉ କହିଲା, ମୁଁ ସିନା ପାଠ ପଢ଼ିବି। ହେଲେ, ଆମେ ଖାଇବୁ କ’ଣ? ତା’ ଦେହ ମୋଟେ ଭଲ ରହୁନି। ବାପା ତ ନାହାନ୍ତି।
ପ୍ରଧାନଶିକ୍ଷକ କିଛି ନ କହି ତା ପାଖରୁ ପଳାଇ ଆସିଲେ।
ତାଙ୍କ ଛାତ୍ରଥିଲେ ଗାଁର ସରପଞ୍ଚ। ତାଙ୍କୁ ଡକାଇଲେ। ତାଙ୍କ ସହିତ କଥା ହେଲେ।
କୁମୁଦିନୀ ମା’ ତ ଅସହାୟ ବିଧବା ଭତ୍ତା ପାଇବା କଥା। କ’ଣ କୋଉଠିଁ ଅସୁବିଧା ହୋଇଚି, ମୁଁ କାଲି ବୁଝିବି- ସରପଞ୍ଚ କହିଲେ। ଦି ଦିନ ପରେ ସରପଞ୍ଚ ସବୁ ଠିକ୍ଠାକ୍ କରି ପ୍ରଧାନଶିକ୍ଷକଙ୍କୁ ଜଣାଇଦେଲେ।
କୁମୁଦିନୀର ମା’ଙ୍କୁ ବି ସବୁ ଖବର ଜଣାଇ ଦିଆଗଲା।
ତା’ ପରଦିନ କୁମୁଦିନୀ ବହିପତ୍ର ଧରି ସ୍କୁଲକୁ ଆସିଲା।
ସେଦିନ ଖାଇବା ଛୁଟିରେ ଦେଖାଗଲା ଆଗ ମୁଢ଼ି ବିକା ଜାଗାରେ ଆଉ ବୟସ୍କ ଲୋକ ଠିଆ ହୋଇ ମୁଢ଼ି ବିକୁଚି। କୁକୁରଟି ତା’ ପାଖରେ ଶୋଇଛି। ଉପରକୁ ଅନାଇ ବେଳେବେଳେ ଭୁକୁଚି। ଚଢ଼େଇ ଦିଟା ଫାଟକର ଏ ଦେବଦାରୁରୁ ସେ ଦେବଦାରୁକୁ ଖାଲି ଉଡୁଛନ୍ତି। ତାଙ୍କ ଡେଣାରେ ସେମାନେ ସତେ କି ତାଳି ମାରୁଛନ୍ତି। ଦେବଦାରୁ ଦିଟା ସେମାନଙ୍କ ମୁଣ୍ଡକୁ ବେଶି ଜୋରେ ହଲାଉଛନ୍ତି, ଦୋଳ ମେଳଣରେ ନାଚୁଥିବା ଦିଟା ଷଣ୍ଢ ଭଳି।
- ‘ସାହିତ୍ୟ ଚର୍ଚ୍ଚା ‘, ମୁଦ୍ରିତ ସଂସ୍କରଣର ଜୁନ, ୨୦୨୨ ସଂଖ୍ୟାରେ ପ୍ରକାଶିତ।
ଅତି ସୁନ୍ଦର।
ସ ହିତ ଯାହା ସାହିତ୍ୟ, ଅର୍ଥାତ୍ ସମାଜକୁ ଏକ ଭଲ ବାର୍ତ୍ତା ସାହିତ୍ୟ ହିଁ ଦେଇଥାଏ ସେହି କ୍ରମରେ ଡ. ସାମଲଙ୍କ ଦ୍ବାରା ରଚିତ ଗଳ୍ପଟି ସାମ୍ପ୍ରତିକ ସମୟକୁ ନେଇ ବେଶ୍ ଚମତ୍କାର ହୋଇଛି। ସବୁଠାରୁ ବଡ଼ କଥା ହେଉଛି ଗଳ୍ପରେ ଥିବା ବର୍ଣ୍ଣନା। ଲେଖକ ଯେଉଁଭଳି ବର୍ଣ୍ଣନା ଦେଇଛନ୍ତି ତାହା ପଢ଼ିବା ପରେ ପାଠକକୁ ଘଟଣାଟି ଜୀବନ୍ତ ଭଳି ଲାଗୁଛି। ସେଥିପାଇଁ ଲେଖକଙ୍କୁ ଆଊ ଥରେ ଧନ୍ୟବାଦ। ମୋ ମତରେ ଗଳ୍ପର ଶୀର୍ଷକ କୁମୁଦିନି ଦେଇଥିଲେ ଭଲ ହୋଇଥାନ୍ତା ବର୍ତ୍ତମାନର ଶୀର୍ଷକ ବି ମନ୍ଦ ନୁହେଁ।
ସୃଜନମନସ୍କ ଲେଖକ ଯାହା ଭଲ ଭାବିଛନ୍ତି ତାହା କରିଛନ୍ତି ଆମେ କେବଳ ପାଠକଭାବେ ଯାହା ମତାମତ ଦେଉଛୁ।
ଡକ୍ଟର ସାମଲଙ୍କ ଲେଖାର ପାଠକ, ପ୍ରକାଶକ,ମୁଦ୍ରାକର ଭାବେ ମୁଁ ଅନେକ କବିତା ଓ ଗଳ୍ପ ପଢ଼ିଛି। ତାଙ୍କ ଶିଶୁ ସାହିତ୍ୟ ମଧ୍ୟରେ ବଡ଼ମାନଙ୍କ ପାଇଁ ବାର୍ତ୍ତା ରହିଛି। ଦୀର୍ଘ ୩୭ ବର୍ଷର ପୁରୁଣା ସମ୍ପର୍କ ମଧ୍ୟରେ ଲକ୍ଷ୍ୟ କରିଛି ବାରମ୍ବାର ପରୀକ୍ଷା ନିରୀକ୍ଷା। ପିଲାଙ୍କ ପାଇଁ ଲେଖିବା ବେଳେ ରଚନା କେତେ ସଫଳ ହେବ ସେଥିପ୍ରତି ଦୃଷ୍ଟି ରଖିଥାଆନ୍ତି । ବିଶ୍ୱ ଶିଶୁ ସାହିତ୍ୟ ତୁଳନାରେ ତାଙ୍କ ଶିଶୁ ଗଳ୍ପ କୋୖଣସି ଗୁଣରେ କମ୍ ନୁହେଁ।
ସମସାମୟିକ ଗଳ୍ପ । ଅତି ସୁନ୍ଦର ଲେଖା ଓ ବାର୍ତ୍ତା ।