- ଆଉ, ଆପଣ ବି ସାବଧାନ ଥିବେ, ମହିଳାମାନଙ୍କୁ ଯଦି ଆଉ କେବେ କଣେଇ କରି ଚାହିଁଛନ୍ତି !
ଥରେ ଜଣେ ଭଦ୍ରମହିଳାଙ୍କ ସହ ଆମର ସାକ୍ଷାତ ହେଲା, କେଉଁ ଏକ ବ୍ୟଙ୍ଗ କବି ସମ୍ମିଳନୀର ସଭାସ୍ଥଳରେ। ବୋଧହୁଏ ଏକଲା ଆସିଥିଲେ ! ସଂଯୋଗ କ୍ରମେ ତାଙ୍କ ସିଟ୍ ମୋ ପାଖରେ ପଡିଥିଲା। ଟିକିଏ ଦୋ ଦୋ ଚିହ୍ନା ଲାଗୁଥିଲେ। କେମିତି ପଚାରିବି? କାଳେ ରଙ୍ଗ ନମ୍ବର ହୋଇଯିବ? ସନ୍ଦେହରେ ଘାଣ୍ଟି ହେଉଥାଏ। ଢଙ୍ଗରୁ ଜଣାଯାଉଥାଏ ମାଡାମ୍ ଓକିଲ ବୋଧହୁଏ? ହଁ ! ଇଏତ ସିଏ! ୟାଙ୍କୁ ଆମେ କଳିଙ୍ଗ ଟିଭି, ଓଟିଭି ରେ ଦେଖିଥିବା ମନେହେଉଛି! ହୋଇପାରନ୍ତି ପ୍ରଭାସିନୀ ପଟ୍ଟନାୟକ? ସିନିୟର ଆଡଭୋକେଟ୍। ଭାରି କୁହାଳିଆ, ଏଇ ଘରଭଙ୍ଗା କେଶ୍ ଉପରେ ତାଙ୍କର ବହୁତ ନଲେଜ, ବହୁତ ଦକ୍ଷତା। ଭଲରେ ଚାଲୁଥିବା ଘରକୁ ଡିରେଲ୍ କରିଦେବା ଓ ଡିରେଲ୍ ହୋଇପଡ଼ିଥିବା ଘରକୁ ଲାଇନ୍ ଉପରକୁ ଆଣିବା ତାଙ୍କଠାରୁ କିଏ ଶିଖିବ ସିନା! ତାଙ୍କ ପାଖରେ ବସି ନିଜକୁ କୃତାର୍ଥ ମନେ କରୁଥିଲି ମନେ ମନେ। ସିଏ ଖାଲି ରେଷ୍ଟଲେସ୍ ହେଉଥାଆନ୍ତି। ଆମେ ବି ଟିକିଏ କଣେଇ କରି ଚାହୁଁଥାଉ, ତାଙ୍କ ଆଡେ। ଏ ଅଭ୍ୟାସଟା ଆମର ଆଜି ନୁହେଁ! ମେଡିକାଲ କଲେଜ,ଫାଷ୍ଟ ଇଅରରୁ। ଆମ ଆନାଟୋମି ପ୍ରଫେସର ଜମା ଆମକୁ ଝିଅମାନଙ୍କ ସାଙ୍ଗରେ ମିଶାଇ ଦେଉ ନଥିଲେ। ଆମେ ଖାଲି ଡାକୁଥାଉ, ଏ ବୁଢାଠାରୁ କେଉଁ ଦିନ ପିଛା ଛାଡିବ? ସେ ଯାହାହେଉ କେମିତି ବିତିଗଲା ସେଦିନ, ଆମେ ଜାଣିଛୁ! ଆଜି ଆମେ ଆସି ଅଧା କ’ଣ, ତିନି ପାଆ ଉପରେ ପହଞ୍ଚିଲେଣି, ସେଦିନ ସବୁ ଆମ ପିଛା ଛାଡୁନାହାନ୍ତି। କଣ କରିବା। କେହିଜଣେ ମହିଳା ଦେଖାହେଲେ ମନରେ ଜାଗରିତ ହୋଇଯାଏ ସେସବୁ କଥା।
ସେ ପ୍ରଭାସିନୀ ମାଡାମ ଜଣେ ଫୁଲଟାଇମ୍ ଲୟର୍ ହୋଇଥିବାରୁ ତାଙ୍କର ଘର କେବେଠାରୁ ଭାଙ୍ଗି ସାରିଛି ,ଏକଥା ଆମ କାନକୁ ଆସିଛି। ମନ ହେଉଥାଏ, ପଚାରି ଦେବିକି? ଆପଣ ବ୍ୟଙ୍ଗ କବି ସମ୍ମିଳନୀକୁ ଏମିତି ସବୁବେଳେ ଆସନ୍ତି କି? ବ୍ୟଙ୍ଗ କବିତା ଆପଣଙ୍କୁ କେମିତି ଲାଗେ? “ଲଙ୍କାରେ ହରି ଶବ୍ଦ?” ଇଏ ଓଡିଶା ଆଜ୍ଞା! ବ୍ୟଙ୍ଗ ! ସାବଧାନ ! ହାଣ୍ଡଲ୍ ଉଇଥ୍ କେୟାର ! ଆମ ଓଡ଼ିଆମାନେ କାନ୍ଦଣାରେ ସିନା ପୋଷ୍ଟ୍ ଗ୍ରାଜୁଏଟ୍। କିନ୍ତୁ ବ୍ୟଙ୍ଗରସକୁ ଗ୍ରହଣ କରିବାରେ ଶୂନ। ସେତେବେଳକୁ ପ୍ରଭାସିନୀ ମାଡାମଙ୍କ ସହ ଟିକିଏ ମାଗ୍ନେଟିକ୍ ଫିଲ୍ଡ୍ ଡେଭଲପ କଲାଭଳି ଲାଗୁଥାଏ। ଟି ବ୍ରେକ୍ ରେ ସାହସ ସଞ୍ଚୟ କରି ପଚାରିବାରୁ ମ୍ୟାଡାମଙ୍କ ମତ ବିନିମୟ କରି କିଛିଟା ଜ୍ଞାନ ବର୍ଦ୍ଧନ ହେଲା।
“ଆଛା ସେ ସୁରେନ୍ଦ୍ର ଶର୍ମା କଣ ଆସିନାହାନ୍ତି? ଆଉ ସେ ଜ୍ଞାନ ହୋତା?”
“ନାଁ ଦୁହେଁ ଆସିନାହାନ୍ତି। ଆପଣ କଣ ତାଙ୍କର ପ୍ରଶଂସକ? ଫ୍ୟାନ୍?”
“ନାଁ ! ସେ ଦିହେଁ ମିଳିଗଲେ ତାଙ୍କୁ କଞ୍ଚା ଚୋବାଇ ଦିଅନ୍ତି ! କଣକରି ପାଇଛନ୍ତି କି? କଥା କଥାରେ ପତ୍ନୀଙ୍କୁ ନେଇ ବ୍ୟଙ୍ଗ! ସୁରେନ୍ଦ୍ର ଶର୍ମା ପତ୍ନୀ କୁ ସୃପଣଖା କହିବେ, ଅଳ୍ପ ବୁଦ୍ଧିର ଚିତ୍ରଣ କରିବେ ଭରା ସଭାରେ, ଆଉ ଆମେ ଚୁପ୍ ବସିବୁ! ତା ଦେଖା ଦେଖି ଏ ଜ୍ଞାନ ହୋତା ! ସେଦିନ ସାବିତ୍ରୀ ଅମାବାସ୍ୟା ପୁର୍ବ ଦିନ କଣ ନାହିଁ କଣ କହିଗଲେ, ପତ୍ନୀ ମାନଙ୍କୁ ନେଇ! ତାଙ୍କ ପଛକୁ ହିନ୍ଦୀ ସାହିତ୍ୟରେ ଅନେକ ଆସିଗଲେଣି! ସେଠି ଚଳୁଥିବ ! ଏ ବୀର ଭୁମି ଉତ୍କଳରେ କଦାପି ଏମନ୍ତ ବ୍ୟଙ୍ଗକୁ ଉଧେଇବାକୁ ଦିଆଯିବନାହିଁ ! ଏ ଭୁମି ଚଣ୍ଡାଶୋକକୁ ଧର୍ମାଶୋକ କରି ଦୁନିଆ ଆଗରେ ଛାଡି ଦେଇଛି, କଣ ମିଛରେ? ଅଶୋକକୁ କଳିଙ୍ଗ ର ସେ ବୃଦ୍ଧା ଟି କଣ ଜୋକ୍ ଶୁଣାଇଥିଲା ନାଁ କାନ୍ଦ? ସେ ଦୁହିଁଙ୍କୁ କହିଦେବେ ପ୍ରଭାସିନୀ ପଟ୍ଟନାୟକ କହିଛି, କୋର୍ଟରେ ଦେଖାହେବ। ଆଉ, ଆପଣ ବି ସାବଧାନ ଥିବେ, ମହିଳାମାନଙ୍କୁ ଯଦି ଆଉ କେବେ କଣେଇ କରି ଚାହିଁଛନ୍ତି!”
“ନାହିଁ ଆଜ୍ଞା ! ମୁଁ ସେମିତି ଲୋକ ନୁହେଁ ! ଆପଣ ନୀହାର ବାବୁଙ୍କୁ ପଚାରୁନାହାନ୍ତି! “
ଓହୋ! ଜୀବନ ରହିଗଲା! ଭାଗ୍ୟକୁ ଏକୁଟିଆ ଆସିଥିଲି! ହ..ଉ ଆଜ୍ଞା! ଦେଖା ହେବ ! ନହେଲେ ଭଲ ! ନମସ୍କାର । ଆଉ ଦିନେ? ଓଡିଶାରେ ବ୍ୟଙ୍ଗ? ଘରେ ବସି, ସେ ଖୁସୱନ୍ତ ସିଂ ଜୋକ୍ ପଢିବି ପଛେ ! ନାହିଁ ରେ ବାବା, ଓଡିଶାରେ ମୁଁ ଆଉ ସେ ବ୍ୟଙ୍ଗରସର ନାଁ ଧରିବି ନାହିଁ!
Very nice. Enjoyed
ଅଭୟ ଦାଶଙ୍କ ସବୁ ବିଷୟରେ ଦଖଲ ଅଛି।ସାମାନ୍ୟ କଥାକୁ ନେଇ ହାସ୍ୟ ବ୍ୟଙ୍ଗ ସୃଷ୍ଟି କରିବାର କଳା ତାଙ୍କୁ ଭଲ ଭାବରେ ଜଣା।
ତାଙ୍କ କଲମରୁ ଏମିତି ଲେଖା ଝରୁଥାଉ।