ଫରୁଆ

ପବିତ୍ର ପାଣିଗ୍ରାହୀ

ଅପାବୃତ୍ତା ଉଦାସ ହେଇ ପଡିଲା । ବିଛଣାରେ କର ମୋଡିଲାବେଳେ ଅସ୍ପଷ୍ଟ ସ୍ୱରରେ କହିଲା, “ଆଉଦିନେ ଯଦି ତମକୁ ଡାକିଚି !’
ଅନିମେଷ ଶୋଇଥିଲା । ସେ ସତରେ ଶୋଇଚି ବୋଲି ଅପାବୃତ୍ତାର ବିଶ୍ୱାସ ହେଉ ନଥିଲା ।
ଆପବୃତ୍ତା ଭାବିଲା, ଆଗରୁତ ଏମିତି ନଥିଲା ଅନିମେଷ ! ଫୋନ୍‌ରେ ଗପି ପାରୁଥିଲା ଘଡି ନଦେଖି । ଦେଖା ହେଲେ ଥରେ କଥାର ଖିଅ ଧରେଇଦେଲେ ସିଏ ତା’ର ଲମ୍ବେଇ ଚାଲୁଥିଲା କୁଆଡେ ନାଇଁ କୁଆଡେ । ସେତେବେଳେ ସିଏ ଖାଲି ଚୁପ୍‌ଚାପ୍ ଶୁଣୁଥିଲା । ଆଜିକାଲି କଣ ହେଇଚି କେଜାଣି ତା’ର ! ଏବେ ସିଏ ଅନିମେଷକୁ ଗପିବାକୁ ଅନୁରୋଧ କଲେ ସେ କଥା ବାଁରେଇ କହେ, “ସବୁତ କହିସାରିଚି ତୁମକୁ । ଆଉ ନୂଆକଥା କାଇଁଯେ ! ଏଥର ବରଂ ତମେ କିଛି କୁହ ।’
ତା’ର ବି ଆଉ ଗୋଟେ ଦୁର୍ବଳତା ଥିଲା । ଜହ୍ନଧୁଆ ବିଜନ ସମୁଦ୍ର ବେଳାରେ, ନିଶବ୍‌ଦ ରାତିରେ, ଆକାଶରୁ ରିମ୍‌ଝିମ୍ ବର୍ଷା ଝରୁଥିଲାବେଳେ କିମ୍ବା କାକରଭିଜା ଶୀତୁଆ ସଂଜରେ ତା’ ଛୋଟ ଘରଟିର ପିଣ୍ଡାରେ ପାଖାପାଖି ଦିଟା ଚେୟାର ପକେଇ ଅନିମେଷ ପାଖରେ ଚୁପ୍‌ଚାପ୍ ବସିବାକୁ ନହେଲେ ଏଣୁତେଣୁ ଅଛିଣ୍ଡାଗପର ଖିଅ ଯୋଡ଼ିବାକୁ ତାକୁ ଭାରି ଭଲ ଲାଗୁଥିଲା । ପୁଣି କେବେ ତୋଫା ଜହ୍ନ ରାତିରେ କି କିଟିକିଟି ଅଂଧାରରେ ତାରାଫୁଲଫୁଟା ଆକାଶର ଚାନ୍ଦୁଆ ତଳେ ତାଙ୍କ ବସା ଆଗ ପଡିଆର ଘାସ ଗାଲିଚା ଉପରେ ଖାଲି ପାଦରେ ଭେଡାଟେ ବୁଲି ଆସିବାକୁ ଅନିମେଷ ପାଖେ ଅଳି କରୁଥିଲା କୁନିଝିଅଟେ ପରି । ଅନିମେଷ ତାକୁ ବେଶ୍ ବୁଝୁଥିଲା ଓ ସହଜରେ ରାଜି ବି ହୋଇ ଯାଉଥିଲା ।


ଅପାବୃତ୍ତା ମନକୁ ମନ କହିଲା, କଣ ହେଇଚି କେଜାଣି ତା’ର ! ଏମିତି କେମିତି ଚୁପ୍ ରହି ପାରୁଚି କଥା କୁହା ହୃଦୟର ପ୍ରଗଳ୍‌ଭ ମଣିଷଟା ! ତା’ର ମନେ ପଡିଗଲା ଛୋଟ ଗପଟିଏ । କେବେ ଥରେ ତାକୁ କହିଥିଲା ଅନିମେଷ – ଫାଲ୍‌ଗୁନର ଏକ ମନମତାଣିଆ ପୁନେଇଁ ରାତି । ସ୍ୱାମୀ ସ୍ତ୍ରୀ ଦୁହେଁ ଶୋଇଥିଲେ ବିଛଣାରେ । ଖୋଲା ଝରକା ବାଟେ ଜହ୍ନ ପତ୍ନୀଙ୍କୁ ଆନମନା କଲା । ଗପିବାକୁ ଖୁବ୍ ଇଚ୍ଛା ହେଲା ସ୍ୱାମୀଙ୍କ ସହ । ଅଫିସ ଫେରନ୍ତା କ୍ଳାନ୍ତ ସ୍ୱାମୀ କିନ୍ତୁ ଶୋଇଥିଲେ ନିଘୋଡ ନିଦରେ । ସ୍ୱାମୀଙ୍କୁ କୁତୁକୁତୁ କରି ସ୍ତ୍ରୀ ଉଠେଇଲେ “ଏଇ ! ଦେଖନା, ବାହାରେ କି ସୁନ୍ଦର ଜହ୍ନରାତି । ଚାଲନା, ଟିକେ ବାହାରକୁ ଯିବା ।’ ସ୍ୱାମୀ କର ମୋଡି କହିଲେ, “ହେଃ… ଶୋଇ ପଡିମ । ସକାଳୁ ଉଠି ଜହ୍ନ ଦେଖିଲେ ହେବନି !’ କଥାଟା ମନେପକେଇ ହସିଲା ସିନା ଅପାବୃତ୍ତା, ତା’ ଭିତରୁ କିନ୍ତୁ କୋହଟେ ଉବୁକି ଆସିଲା । ଆଉ କେବେବି ଗପିବା କଥା ଅନିମେଷକୁ କହିବନି ବୋଲି ଭାବିଲା ତ’ ଆଖି କୋଣରେ ଜକେଇ ଆସିଲା ଦି’ ଟୋପା ଲୁହ ।
ଅନିମେଷ କିନ୍ତୁ ଶୋଇ ନଥିଲା । ଆଖିରେ ଖୁଂଦି ହୋଇ ଆସୁଥିବା ନିଦକୁ ଘଉଡେଇ ସାରି ଶୋଇ ପଡିଥିବାର ଛଳନା କରୁଥିଲା ଯାହା । କର ଲେଉଟାଇ ଅପାବୃତ୍ତା ମୁହଁରେ ହାତ ବୁଲେଇ ଆଣିଲାତ ସିଏ ଝରି ପଡିଲା ଶାଢ଼ିପିନ୍ଧା ମେଘଖଣ୍ଡେ ଭଳି । ଅନିମେଷ କହିଲା- “ସତରେ କଣ ରାଗିଗଲ ଅପୁ ! ମୁଁ ଶୋଇ ନଥିଲି ମ ! ଏଇ, କଣ କହୁଥିଲ ଏଥର କୁହ ।’ ହେଲେ ଅପାବୃତ୍ତା ଥିଲା ଚୁପ୍ ।
ଅନିମେଷ କିଛିକ୍ଷଣ ନିରବ ରହିଲା ପରେ ସିଏ କହିଲା – “ତମ କାମ, ତମ ସାଂଗ, ତମ ନିଦତ ତମ ପାଇଁ ବଡ । ମୁଁ ତମର କିଏ କି !’
ଅନିମେଷ କହିଲା – “ନାଇଁମ ଅପୁ ! ମୋ ସୁନାଟା ପରା । ଅସଲ କଥା ହେଲା, ସବୁକଥା କହିସାରିଲା ପରେ ଆଉ ବାକିି କଣ ଅଛି ଯେ କହିବାକୁ ! ତମେ ବୁଝୁନ କାଇଁକି ଯେ ବୟସ ବଢ଼ିବା ସଂଗେସଂଗେ ମନ ବି ଆସ୍ତେଆସ୍ତେ ବୁଢ଼ା ହୋଇଯାଉଚି ।’
ଅପାବୃତ୍ତା ଚଟ୍‌କିନା ମାଡିବସି ଚିଗୁଲେଇ ହେଇ କହିଲା – “ବାପ୍‌ରେ ! ତମେ ପୁଣି ବୁଢ଼ା ହେବ ! ଏଇନା ସୁନ୍ଦୁରିଆ ଝିଅଟେ ଦେଖିଲେ ଆଇସ୍‌କ୍ରିମ୍ ପରି ତରଳି ଯିବନି ତମେ ! ଯେତେ ରଂଗ ସବୁ ବାହାରିବ ମୋରି ବେଳକୁ ସିନା । ମୁଁତ ତମକୁ ବୁଢ଼ୀ ଲାଗିଲାଣି, ହେଲେ କେତେ ସୁନ୍ଦରୀଙ୍କ ଦୁଆରତ ମୁକୁଳା ତମପାଇଁ ଏବେ ବି ।’
ଏମିତି କଥାରେ ଅନିମେଷ ରାଗିଯାଏ । ହେଲେ ସହଜ ଭାବେ କହିଲା, “ମୁଁ କିଛି ପେଟରେ ରଖିପାରେନି ବୋଲି ତମକୁ ସବୁକଥା କହିଦିଏ ମଜାରେ । ହେଲେ ତମେ ସେ ସବୁକୁ ଏତେ ଗହୀରେଇକି ଭାବ କାହିଁକି ଯେ !’
“ମୁଁ ତ ରାଗୁଚି ସେଇଥିପାଇଁ । କେତେକଥା କହୁଥିଲ ଆଗରୁ । ଆଜିକାଲି କିଛିବି କହୁନ । ଏ ସହରରେ କଣ ଆଉ ସୁନ୍ଦରୀ ଝିଅ ନାହାନ୍ତି ଏବେ ! କିଛି କହୁନ ବୋଲିତ ବେଶୀ ରାଗ ଲାଗୁଚି ମୋତେ ।’ କହିସାରି ନିରବିଗଲା ଅପାବୃତ୍ତା ।
ଅନିମେଷ ତା’ ସ୍ୱରରୁ ଛଳଛଳ ଭାବଟେ ବାରି କହିଲା, “ମୁଁ ତ କହିସାରିଚି ତମକୁ ହାଇସ୍କୁଲ ପଢ଼ାବେଳର ଝିଅ ସାଂଗଙ୍କ ସହ ଘଟିଥିବା ଯେତେସବୁ ରୋମାଞ୍ଚକର ଘଟଣା । ସବୁ …ସବୁତ କହିସାରିଚି ତମକୁ ।’ ଅପାବୃତ୍ତା ପବନଭର୍ତ୍ତି ବେଲୁନ୍‌ଟେ ପରି ଫୁଲି ଉଠିଲାଣି ସେତେବେଳକୁ ଉସ୍‌କେଇବାକୁ କହିଲା, “ସିଏତ ପିଲାଦିନ କଥା ।’ ଅନିମେଷର ସେତେବେଳକୁ ମୁଡ୍ ଆସିଗଲାଣି । କହିଲା, “ତନୁନାନୀ ସହ ତମାମ୍ ଖରାବେଳ ତାସ୍ ଓ ଲୁଡୁ ଖେଳ କଥାତ ତମକୁ କହିଚି । ତମେବିତ ଜାଣ ବୟସରେ ସାନ ତନିମାକୁ ଚୁମାଟେ ଖାଇ ଗାଁ ମୁଣ୍ଡ ପଡିଆରେ ସାରାରାତି ବିତେଇବା କଥା ।’
-“ସେ ସବୁକୁ କଣ ପ୍ରେମ କୁହାଯିବ !’
“ପ୍ରେମ ହୋଇପାରେ ନହୋଇ ପାରେବି ! ତା ପରେ ତ ତମ ସହ ଭେଟ । ଦି ଚାରି ଥର କ୍ୟାଂପସ୍‌ରେ , ଡିପାର୍ଟମେଣ୍ଟ କରିଡର୍‌ରେ ଗପସପ, ଥରେ ଅଧେ ଲିଂଗରାଜ କି ଧଉଳି ବୁଲି ଆସିଲା ପରେ ବା’ ଘରର ଅର୍ଥ ନବୁଝିବି ପିଲାଖେଳ ପରି ତମକୁ ବାହା ହେଇଗଲି । କିଏ ଜଣେ କହି ନଥିଲେ, ପ୍ରେମ ପରେ ବିବାହ, ନଚେତ୍ ବିବାହ ପରେ ପ୍ରେମ । ଆରେ ବାବାଃ ! ଆଲୁଅରେ ଖାଅ କି ଅଂଧାରରେ ଖାଅ ଗୁଡର ସ୍ୱାଦହିଁତ ଏକା । ଆମ ପାଇଁ ଦି’ଟା ଯାକ ସମାନ । ନା କଣ କହୁଚ !’
ଅପାବୃତ୍ତା କହିଲା, “ଧେତ୍‌, ସେଇ ପୁରୁଣା କଥା କେତେ କହିବ ଯେ ! କହୁନ ପୁଷ୍ପିତା କି ମିତା ମାନଙ୍କ କଥା । ପୁରୁଣା ହେଲେ ବି ଭଲ ଲାଗିବ ଶୁଣିବାକୁ ।’
ଅନିମେଷ ରୋମାଞ୍ôଚତ ହେଲା । ଫୁଲଭର୍ତ୍ତି ଅଶୋକ ଗଛଟେ ପାଲଟି ଗଲା । ହେଲେ କହିଲା, “ସେ ସବୁତ ଅଦିନିଆ ଦକ୍ଷିଣା ପବନ ପରି, ପତ୍ର ଉଡାହର ହଳଦୀବସଂତ ପରି । ଏଇ ଅଛି ତ ଏଇ ନାଇଁ । ଗତାନୁଗତିକ ଜୀବନରେ ଚିରୁଳାଏ ମଧୁର ଅନୁଭବ, ଫଟା ଭୂଇଁ ଉପରେ ଦୈବାତ୍ ବସିଯାଇଥିବା କେଉଁ ନୀଳ ପ୍ରଜାପତି । ଚେନାଏ ସ୍ୱପ୍ନତ, ଆଉ କଣ ! ଅବଶ୍ୟ ପ୍ରୀତିନଂଦା ପ୍ରେମରେ ପଡିଥିଲି ଦିନାକାତେ । ତାକୁ ଝୁରିହେଲି, ଚିଠି ଲେଖିଲି, ସିଏ ବାହା ହୋଇଗଲାପରେ ତାକୁ ନେଇ ଗୀତ ଲେଖିଲି ଓ କିଛିଦିନ ପରେ ଚେଷ୍ଟା କରି ଭୁଲିଗଲିବି ।’
“ଭୁଲିଚ ତ, ପୁଣି ତା କଥା ମନେ ପଡିଲା କେମିତି !’ ଅପାବୃତ୍ତା ଖିଅ ଯୋଡିଲା । ଅନିମେଷ କହିଲା, “ତମେ ମନେପକାଇବାକୁ ଜିଦ୍‌କଲ ବୋଲିତ’ ମୁଁ ମନେପକେଇଲି । ମୋର ଭୁଲ୍ ରହିଲା କେଉଁଠି !’
“ଆଉ ଅନାମିକା କଥା କହୁନ, ଯାହା କଥା ଭାବି ଭାବି ତମେ ନଖାଇ ନପିଇ ଶୁଖି ଯାଇଥିଲ । ତାକୁ ନେଇ ରୋମାଣ୍ଟିକ୍ ଗପ ଲେଖୁଥିଲ ।’ “ସିଏତ ତୁମକୁ ଅପାଅପା କହି ଘରକୁ ଧାଉଁଥିଲା । ମୋ ସହ ହସିହସି କଥାହେଲା । ସୁନ୍ଦରୀ ବୋଲି ଫୁଲେଇ ହେଲା । ମୋତେ ଭଲ ଲାଗିଲା । ତା’ ସହ ଟିକେ ମିଶିଲି, ଗପିଲି, ହେଲାବି ଟିକେଟିକେ ଭଲ ପାଇଲି । ଏମିତି ଯେତେ ଯିଏ ଆସିଲେ ସମସ୍ତଙ୍କ ସହ ଖାଲି ଚିଟ୍‌ଚାଟ୍ କରିବା ଛଡା ଆଉ ଅଧିକ କଣ କରି ହେଇଥାନ୍ତା ଯେ ! ସେ ସବୁତ ଗଲାଣିତ ଗଲା କଥାରେ ସଂଗାତ ।’ ଏଥର ତମେ ବରଂ କୁହ, ସେଇ ଯେଉଁ ଲମ୍ବାବେଣୀ ଥିବା ସୁଜାତା ବୋଲି ଝିଅଟି କଥା, ଯିଏ ଆମ ବାହାଘର ପରେ ତମପାଖେ କାଂଦିକାଂଦି ମୋ କଥା ଗପିଥିଲା ।’ ଅପାବୃତ୍ତା ଟିପ୍ପଣୀ କଲା -“ତା’ କଥା ମନେ ରଖିଚ ତା’ହେଲେ !’


“ମନେ ରଖିବି ଆଉ କଅଣ ? ତାକୁତ ମୁଁ ଭଲକି ଦେଖି ପାରିଲିନି ଥରଟେ । ତମେ ଯାହା ତୁମ ସାଂଗ ଝିଅଙ୍କ ଗ୍ରୁପ୍ ଫଟୋରେ ଥରେ ଚିହ୍ନେଇ ଦେଇଥିଲ ତାକୁ । ମୋତେ ଶୁଣେଇ ଶୁଣେଇ ଗପିଥିଲ ତା’ର ଅପ୍ରତିଦ୍ୱନ୍ଦୀ କଳା ମଚ୍‌ମଚ୍ ଲମ୍ବା କେଶ, ଦେବୀ ପରି ଦିଟା ଚମତ୍କାର ଢ଼ଳଢ଼ଳ କଥାକୁହା ଆଖି ଆଉ ଆକର୍ଷଣୀୟ ସାବ୍‌ନାରଂଗର କଥା । ସେଥିରେ ବି ମୋର କିଛି ଭାବିବାର ନଥିଲା । ତମେ କହିଲ କିଆଁ ସେ ଦୂରରୁ ଲୁଚେଇ ଲୁଚେଇ ମୋତେ ସବୁବେଳେ ଲକ୍ଷ୍ୟ କରୁଥିଲା ଆଉ ମୋର ନିକିନିଖି ଖବର ରଖୁଥିଲା, ମୋ ହାତଅଙ୍କା ଦୁର୍ବୋଧ୍ୟ ଛବି ଗୁଡାକର ଭାରି ପ୍ରଶଂସା କରୁଥିଲା । ତମେ ମୋତେ କହିଥିଲନା, ସିଏ ମନେମନେ ମଉକା ଖୋଜୁଥିଲା କେବେ ଥରେ ସୁବିଧା ଦେଖି ମୋତେ ଭେଟିବ ଆଉ ସିଧା ସିଧା ମୋତେ ଭଲପାଏ ବୋଲି କହିଦେବ । ହେଲେ ମୁଁ ତୁମକୁ ଏମିତି ହଠାତ୍ ବାହା ହେଇଗଲା ପରେ ଦିନେ ହଷ୍ଟେଲରେ ତୁମ ବିଛଣାରେ କାନ୍ଦିକାନ୍ଦି ସିଏ ମୋରି କଥା ଗପି କି ରାତି ପୁହେଇ ଦେଲା-ଏକଥା ତ ମୋତେ ତମେହିଁ କହିଥିଲ ନା ?’
“ଆରେ ବାପ୍‌ରେ ! ଏତେ କଥା ମନେ ରଖିଚ ତାହେଲେ ? ଆଉ ମୋଠୁ ଏସବୁ କଥା ଶୁଣିଲା ପରେ ତମର ଯୋଉ ହାୟ…ହାୟ ଚେହେରା ଆଗରୁ କିଆଁ ଦେଖାହେଲାନି ବୋଲି, ମୋର କ’ଣ ମନେ ନାଇଁ ! ମୋ ସାଙ୍ଗେ ପୁଣି ଲଗେଇଥିଲ ତାକୁ ଥରେ ଚିହ୍ନେଇ ଦବାକୁ । ତମକୁ ମୁଁ ଆଉ ଚିହ୍ନିନି !’
ଅନିମେଷ ହାଇ ମାରିହେଲା, “ଛାଡମ ଅପୁ ! ସିଏ ତା’ର ବାହା ହେଇଗଲା, ତା’ ଇଂଜିନିୟର ବର ସହ ଭାରି ମଜାରେ ଦିଲ୍ଲୀ ନାଁ ବାଙ୍ଗାଲୋର୍‌ରେ ଯାଇ ରହିଲା । ଥରେ ହେଲେ ନୂଆବର୍ଷ ଗ୍ରୀଟିଙ୍ଗ୍‌ସ୍‌ଟେ ବି ପଠେଇଲାନି ଯାହା । ମନେମନେ ମନୀଷା କୋଇରାଲା କି ମାଧୁରୀ ଦୀକ୍ଷିତକୁ ଭଲ ପାଇବାର କିଛି ମାନେ ହୁଏ !’
“ଏତେ କଥା ବୁଝିଚ ଯଦି, ମୋତେ ଦହଗଂଜ କରୁଚ କିଆଁ ? ନିଦରେ ଶୋଇବ ବୋଲି କଣ ସ୍ୱପ୍ନ ଦେଖିବାକୁ ମନା ନା ପଇସା ପଡୁଚି ସେପାଇଁ ।’ “ଅପୁମ ! ସୁନାଟା ପରା । ତମେ ଏଥର ତୁମ କଥା କହୁନା । କୁହନା, ପ୍ଲିଜ୍ । କଲେଜରେ ପଢ଼ିଲା ବେଳେ ଶ୍ରୀପତି ପତି କେମିତି ତମ ପଛରେ ପଡିଥିଲା । ତମ ସହ ପଦେଅଧେ କଥା ହେବ ବୋଲି ଲୁଙ୍ଗୁପୁଙ୍ଗୁ ହେଉଥିଲା କ୍ଳାସ ମିସ୍ କରି ।’ “କହିଥିଲି ତ, ମୁଖସ୍ତ କରି ଦେଇଚ । ମୋତେ ଆଉ ପଚାରୁଚ କଣ ?’ ଅପାବୃତ୍ତା ଯୋଡିଲା, “ତା’ ପରେ ତ ସିଏ ଚାକିରି ପାଇ ଚାଲିଗଲା ଆର୍ମିରେ । ଭୋପାଳ ନା ଦାର୍ଜିଲିଂରେ କେଉଁଠି ଚାକିରି କଲା । ପି.ଜି. କଲାବେଳେ ମୋ ହଷ୍ଟେଲ ଠିକଣା କେଉଁଠୁ ପାଇଲା କେଜାଣି ବଢ଼ିଆ ରଂଗୀନ ପ୍ୟାଡ୍‌ରେ ଡଜନେ ଖଣ୍ଡେ ଚିଠି ପଠେଇଥିଲା, ମୁଁ ଗୋଟିଏର ଉତ୍ତର ନଫେରେଇଲେ ବି । ସେତେବେଳକୁ ତ ତମ ସାଙ୍ଗେ ପରିଚୟ ହେଲାଣି । ତମକୁ ବି ପଢ଼େଇଥିଲି ସେସବୁ । ତମେ ତ ଚିଠି ପଢ଼ି କହିଥିଲ, ବେଶୀ ନଲେଖ ପଛେ ଛୋଟ ଚିଠି ଖଣ୍ଡେ ଦେଉନ । କେତେ ଦୂରରେ ଅଛି ବିଚରା, ଭଲପାଇବାର ହୃଦୟଟେ ଅଛିତ ପିଲାଟାର !’
“ଏଇ ତମେ ଲେଖିଥିଲ ତ!’ ପଚାରିଥିଲା ଅନିମେଷ ।
“ଯାଉନ, ତାକୁ ପୁଣି ଚିଠି ଲେଖିଥାନ୍ତି । ମୋଠୁ ଚିଠି ଖଣ୍ଡେ ପାଇଥିଲେ ଜୋକ ପରି ଲାଗି ଯାଇଥାନ୍ତା । ଛୁଟି ନେଇ ପହଞ୍ôଚ ଯାଇଥାନ୍ତା କ୍ୟାମ୍ପସ୍‌ରେ ଆଉ ମୋ ହଷ୍ଟେଲ ଗେଟ୍ ପାଖରେ ଅଧିଆପଡି ସିନ୍‌ଟେ ତିଆରି କରିଥାନ୍ତା । ଏଇ ଶୁଣୁଚନା ନାଇଁ, ତମକୁ କହୁନଥିଲି, ଚିଠି ନପାଇ ବି ହଠାତ୍ ଦିନେ ପହଞ୍ôଚଗଲା ହଷ୍ଟେଲରେ ସଂଜସଂଜ ବେଳେ । ପଦେଅଧେ କଣ କଥା ହୋଇଥିବ କି ନାଇଁ ଗେଟ୍ ବଂଦ୍ ହେବାର ଘଣ୍ଟି ବାଜିଲା ଯେ, ମୁଁ କହିଲି “ଯିବି’ । ସିଏ କାଂଦକାଂଦ ହେଇ ଧରି ପକେଇଲା ମୋ ହାତ । ଆସ୍ତେକିନା ତା’ ହାତରୁ ମୋ ହାତ ଖସେଇ ଆଣି ଏକମୁହାଁ ହେଇ ମୁଁ ଦୌଡି ପଳେଇଲି ମୋ ରୁମ୍‌କୁ । ରାତି ଘଡିଏହେବ ମୋ ରୁମ୍‌ମେଟ୍ ଛବି ଝରକା ଅଳ୍ପଖୋଲି ଦେଖିକି କହିଲା, “ଛାଇଟେ ଭଳି ଲୋକଟା ଠିଆ ହୋଇଚି ସେଇଠି ।’ ପୁଣି ଘଂଟେଖଣ୍ଡେ ପରେ ଜଣାଇଲା, “ଲୋକଟା ଗଲାଣି ବୋଧେ, କାହିଁ ଦିଶୁନିତ ।’ ସେ ପିଲାଟି ପ୍ରତି ମୋର ଜମ୍ମାରୁ ଦୁର୍ବଳତା ନଥିଲାମ ! ହେଲେ କାହିଁକି କେଜାଣି ସେଦିନ ରାତିରେ କାନ୍ଦ ମାଡିଲା ଖାଲି । ଜମ୍ମା ଶୋଇ ପାରିଲିନି ସେ ରାତିଟା ମୁଁ । ଏଇ, ଶୁଣମ, ନିଦ ଆସିଲାଣି ନା ରାଗିଗଲଣି ଶୁଣୁଶୁଣୁ ।’
ଅନିମେଷ ପଚାରିଲା, “ଶ୍ରୀପତି ଏବେ କୋଉଠି ଅଛି କେଜାଣି ।’ “ମୁଁ କେମିତି ଜାଣିବି !’ଅପାବୃତ୍ତା କହିଲା । ଅନିମେଷ ଯୋଡିଥିଲା – ତୁମକୁ କହିଥିଲିନା ନାଇଁ, ଥରେ ମୋର ହଠାତ୍ ଦେଖାହୋଇଥିଲା ବସ୍‌ଷ୍ଟାଣ୍ଡରେ । ମୁଁ ତ ଚିଲେଇଥିଲି, “କିବେ ଶ୍ରୀପତି ! ଏତେ ମୋଟେଇ ଗଲୁଣି । ସିଏ ଅଳ୍ପହସି ମିଲିଟାରୀ କାଇଦାରେ ମୋ ସହ ହ୍ୟାଣ୍ଡସେକ୍ କଲାଯେ ମୋତେ ଲାଗିଲା ମୋ ଆଙ୍ଗୁଳି ହାଡଗୁଡା ଚୁନା ହୋଇଯିବକି ! ମୁଁ ତା ସ୍ତ୍ରୀ ଓ ପିଲାଛୁଆଙ୍କ କଥା ପଚାରିଲି । ସିଏ ମଧ୍ୟ ତମ କଥା ପଚାରିଲା । ମୁଁ ତାକୁ ବସାକୁ ଡାକିଲି । ସିଏ ପରେ କେବେ ଆସିବ କହିଲା । କନକନ ହେଇ ଏଣେତେଣେ ଚାହିଁଲା ଓ ଗାଡି ଛାଡିଲାଣି କହି ତରତର ହେଇ ଚାଲିଗଲା । ଲୋକମାନେ କାହିଁକି କେଜାଣି ପଛକଥା ସବୁକୁ ହସିକି ଉଡେଇ ଦେଇ ପାରନ୍ତିନି ସହଜରେ ! ଭୁଲି ନ ପାରିଲେ , ଝୁରି ହେଇ ଆନନ୍ଦ ପାଇଲେ ସେ ପର୍ଯ୍ୟନ୍ତ ଠିକ୍ ଅଛି । ହେଲେ ମନମରା ହେଇ ଦହଗଂଜ ହେବ କିଆଁ ? ଛୁଆ ବେଳର ବାଲିଖେଳର ଦିନ, ଝିଅଙ୍କ ମେଳରେ ସିନ୍ଦୁର ଟିପାଟିପି କି ମୋତେଛୁଁ ଖେଳର ଦିନ, ଖରାବେଳିଆ ନଈ ପହଁରା, ଗଛବାଗୁଡି ଖେଳକଥା ମନେ ପକେଇ ରୋମାଞ୍ôଚତ ହୁଅ, ଭଲକଥା । ହେଲେ ଦୁଃଖରେ ଆଉଟୁ ପାଉଟୁ ହବ କିଆଁ ?
ଅନିମେଷ ବେଳେବେଳେ ତାକୁ ଏତେ ବେଶୀ ଦୁର୍ବୋଧ୍ୟ ଲାଗେଯେ ଅପାବୃତ୍ତା ଆଶ୍ଚର୍ଯ୍ୟ ହୁଏ । କେମିତି କେଜାଣି ଦଶ/ବାର ବର୍ଷର ଲମ୍ବା ଜୀବନଟେ ବିତେଇ ସାରିଲାଣି ଏଇ ଲୋକଟା ସହ ! ଯେତେବେଳେ ସିଏ ବାଗେଇ ଚୁନେଇ ତା’ ରୋମାଣ୍ଟିକ୍ ଅନୁଭୂତି ସବୁ ଗପୁଥାଏ, ଶୁଣିବାକୁ ତାକୁ ଭଲଲାଗେ ସିନା, ହେଲେ ଭିତରେ ଭିତରେ ଇର୍ଷା ଅସୂୟାର ଝର୍ଣ୍ଣାଟେ ବହିଯାଏ ତା ଭିତରେ କୁଳୁକୁଳୁ ହେଇ । ଝର୍ଣ୍ଣାଟି ନଈ ହେଇଯାଏ, ମାତ୍ର ଜୁଆରିଆ ସମୁଦ୍ର ହେଇ ତାକୁ ବିବ୍ରତ କଲେ ସେ ଅନିମେଷ ଉପରେ ଚିଡିଯାଏ । ରାଗିକି ମୁହଁ ବୁଲେଇ ଶୁଏ । ତା’ ଉପରେ ପଡିଥିବା ଅନିମେଷର ଉଷୁମ ହାତକୁ ଘୁଞ୍ଚେଇ ଦିଏ । ସକାଳୁ ତା’ସହ କଥା ହୁଏନା । ଦର୍ପଣ ଦେଖେ । ମୁହଁ ଦିଶୁଥାଏ ଥମ୍‌ଥମ୍‌, ଭାରି ଭାରି । ଅନିମେଷକୁ ସହଜ ଓ ସ୍ୱାଭାବିକ ଦେଖି ତାକୁ ବେଶୀ ରାଗ ଲାଗେ, ହେଲେ କିଛି ଲାଭ ନାହିଁ ବୋଲି ମନକୁ ବୁଝେଇ ଗତାନୁଗତିକତାକୁ ଫେରିଆସେ । ଭୁଲିଯାଏ ରାତିକଥା ।
ତା’ରତ ଇଚ୍ଛାହୁଏ ତା’କଥା ଶୁଣି ଅନିମେଷ ଅଭିମାନ କରୁ, ଅନୁସନ୍ଧିତ୍ସୁ ହେଇ ଆଉ କିଛି ହେଇଥିଲା କି ନାହିଁ ପଚାରୁ, ରାଗିକି ତା’ସହ ଓଳିଏ ଅଧେ କଥାବାର୍ତ୍ତା ବଂଦ କରିଦେଉ, ଘରେ ନଖାଇ ହୋଟେଲରେ ଖାଉ, ଦିନେ ଖଣ୍ଡେ ଅପର୍ଯ୍ୟାପ୍ତ ସିଗ୍ରେଟ୍ ବି ଟାଣୁ, ଏପରିକି ଅନ୍ୟ ସମୟ ପରି ତା’ଉପରେ ପାଟି କରୁ, କିଛି ନହେଲେ ଟିକେ ଈର୍ଷା ଅନ୍ତତଃ କରୁ, ଘଂଟେ ଅଧେ ଉଦାସ ରହୁ । କିନ୍ତୁ ଏମିତି ମୁହୂର୍ତ୍ତରେ ଅନିମେଷ ସହଜିଆ ହସଟେ ହସିଦିଏ, ତାକୁ ବେଶୀ ଗେହ୍ଲା କରିବାକୁ ଛଳଛଳେଇଯାଏ, ଯାହା ତା’ର ପସନ୍ଦ ହୁଏନା । ମନେ ମନେ କହେ, କେଜାଣି କେଉଁ ଧାତୁରେ ଗଢ଼ାହେଇଚି ଲୋକଟାର ମନ !
ଅପାବୃତ୍ତାତ ବା’ଘରର ପହିଲି ଦିନ ମାନଙ୍କରେ ଅନିମେଷର ଅନୁରୋଧରେ ତାକୁ କହିସାରିଥିଲା, ଥରେ ବୟସ୍କ ନାଚସାର୍‌କୁ ଜୁହାର ହେଲାବେଳେ ସେ ତା’ ପିଠିପଟେ ହାତ ଘୂରେଇ ତାକୁ ପାଖକୁ ଭିଡି ନେଲେଯେ ସେବେଠୁଁ ନାଚ ଶିଖିଲା ବେଳେ କେମିତି ତାଙ୍କଠୁଁ ଦୂରେଇ ଦୂରେଇ ରହୁଥିଲା । କହିଥିଲା ବି ସହରର ସବୁଠୁ ନାଁକରା ତିନିମହଲା କୋଠାବାଲା ଓକିଲଙ୍କ ପୁଅ ପ୍ରାଇମେରୀ କ୍ଲାସ୍‌ରୁ ତା’ର ସବୁଠାରୁ ଭଲ ସାଙ୍ଗଥିଲା, ଯିଏ ଟିଫିନ୍ ଛୁଟିରେ ତା’ର ସୁସ୍ୱାଦୁ ଜଳଖିଆରୁ ତାକୁ ଅଧାଭାଗ ଦେଉଥିଲା । କଲେଜରେ ପଢ଼ିବା ଯାଏଁ ଭଲ ପଢ଼ୁଥିବା ସେଇ ଶୋଭନ ବୋଲି ପିଲାଟା ସହ ତା’ର ଖୁବ୍ ଆତ୍ମୀୟତା ଥିଲା । ସାଂଗଝିଅ ମାନେବି ସେଥିପାଇଁ ଚିଡୋଉଥିଲେ ତାକୁ । ନିଜ ଭିତରେ ମଧ୍ୟ ଶୋଭନ ପ୍ରତି ଅନୁରାଗର ମଂଜିଟିରୁ ଗଜା ବାହାରି କୁଆଁ ମେଲିବା ଆରଂଭ କରିସାରିଥିଲା ସେତେବେଳକୁ । ହେଲେ ଶୋଭନ ସହ କଥାହେବାକୁ ତାକୁ ଲାଜ ମାଡୁଥିଲା । ଏଇ ଲାଜ ଲାଗିବାଟା ଭଲ ପାଇବାର ଲକ୍ଷଣ ବୋଲି କୋଉଠି ଗୋଟେ ପଢ଼ିଥିଲା ସେ । ସେଇ ଶୋଭନ ଏବେ ଡାକ୍ତର ହେଲାଣି । ଡାକ୍ତରାଣୀଟେକୁ ବାହା ହେଇଚିବି । ରାସ୍ତାଘାଟରେ ଦୈବାତ୍ ଦେଖାହେଲେ ଏମିତି ଚାଲିଯାଏ ଯେ ସତେ ଯେମିତି ସିଏ ତାକୁ ଚିହ୍ନିନି କି ଜାଣିନି । ଫୁଃ… ଭାରି ଫୁଟାଣି !
ନା ପୁଣି ଅଂଜନ କଥା ପକେଇବ ଅନିମେଷ । ଅଂଜନଟା କିନ୍ତୁ ଥିଲା ଭାରି ଭଲ ପିଲା । ଭଲ ସାଂଗ, ଭଲ ଛାତ୍ର ବି । କହୁଥିଲା, ତମେ ମୋତେ ଭଲ ନ ପାଇଲେ କଣହେଲା, ମୁଁ ତ ତମକୁ ମୋ’ଠୁ ବେଶୀ ଭଲ ପାଉଚି । ଏଇଟା କଣ ମୋ ପାଇଁ ଯଥେଷ୍ଟ ନୁହେଁ କି ? ପି.ଜି. ପରେ ଏମ୍‌.ଫିଲ୍‌., ପି.ଏଚ୍‌.ଡି. ସାରି ଗବେଷଣା କାର୍ଯ୍ୟରେ ଯାଇ ବିଦେଶରୁ ବୁଲି ଆସିଲାଣି ଦି’ତିନିଥର । ଲେକ୍‌ଚରର୍ ଅଛି ବଲାଂଗୀରରେ । ବାହା ହେଇ ସାରିଲାଣି କେବେଠୁଁ । ଏବେ ତା’ର ଦିଟାପୁଅ । ଥରେ କଣ ଅନିମେଷର ଦେଖାହେଲା କଟକ ନା ଭୁବନେଶ୍ୱରରେ ଯେ ଘରକୁ ଆସି ତା’ ସଙ୍ଗେ ଲଗେଇଲା କଣ ନା “ତମେ ଅଂଜନ ଅଣ୍ଡର୍‌ରେ ପି.ଏଚ୍‌.ଡି.କର ।’ ଯେତେ ସିଏ ଅମଂଗ ହେଲା,ତାକୁ ବୁଝେଇଲା; ଯେତେହେଲେ ସାଂଗଟାତ ! ସ୍କଲାର୍ ବି । ତାଠୁଁ ଯୋଉ ସହଯୋଗ ମିଳିବ ଆଉ କୋଉ ଗାଇଡ୍‌ଠୁ ମିଳିବ କହିଲ? ତମେ ଯାଇ ପାରିବ କାମ ପଡିଲେ । ତମର ବି ଦରକାର ପଡିଲେ ଅଂଜନକୁ ଅନୁରୋଧ କଲେ ସିଏ ମଧ୍ୟ ଆସି ପାରିବ ଆମ ପାଖକୁ । ତାହାହିଁ ହେଲା । ଅଗତ୍ୟା ଅନିମେଷର ଜିଦ୍ ଆଗରେ ତାକୁ ହାର୍ ମାନିବାକୁ ପଡିଲା । ହେଲେ ତାକୁ ଭଲଲାଗେନି ଅନିମେଷର ଏତେ ବେଶୀ ଉଦାରତା । ବେଳେବେଳେ ତାକୁ ଅଣନିଶ୍ୱାସୀ ଲାଗେ ।
ଅନିମେଷ ପଚାରିଦେଲା, “ତମ ସଂପର୍କୀୟ ସେଇ ମାମୁଁ ନା ମାମୁଁଙ୍କ ପୁଅ କଥା କୁହ । ଯିଏ ତମେ ଆଇ.ଏ. ପଢ଼ିଲାବେଳେ ଗାଁକୁ ଯାଇଥିବା ସମୟରେ ତମକୁ ରଜଦୋଳିରେ ବସେଇ ଭଲ ପାଇବାର ଆକାଶକୁ ଉଠେଇ ଦେଇଥିଲେ ।’ “ହେଃ ! ମୁଁ ତାକୁ ଭଲ ପାଇ ନଥିଲିମ । ସିଏ ମୋତେ ଖାଲି ଭଲ ଲାଗିଥିଲା ନା ! ଭଲ ଲାଗିବା ଓ ଭଲ ପାଇବା କଣ ଏକା କଥା ହେଇଚି ? ମୋର ସେଥର ଫାଷ୍ଟ ଇୟର୍ । ଖରାଛୁଟିରେ ଗାଁ କୁ ଯିବା କଥା ହେଲା । ଏଇ, ଶୁଣୁଚନା ନାଇଁମ !’ “ହଁ କୁହ, ଶୁଣୁଚି ପରା; ଆଉ କଣ କୁନିପିଲା ଗପ ଶୁଣିଲା ପରି ହଁ ମାରୁଥିବି !’ ଅନିମେଷ କହିଲା ।
ଆମେ ଟ୍ରେନ୍‌ରୁ ଓହ୍ଲାଇ ଖିଆପିଆସାରି ବସ୍ ଭିଡରେ ଧଇଁସଇଁ ହେଇ ଗାଁ ଛକରେ ଓହ୍ଲେଇଲା ବେଳକୁ ରତରତ ମୁହଁ ସଂଜ । ମାମୁଁ ଓ ତାଙ୍କ ପୁଅ ଅପେକ୍ଷା କରିଥିଲେ । ଆମେ ମାମୁଁଙ୍କୁ ଜୁହାର ହେଲୁ । ମାମୁଁ ବି ତାଙ୍କ ପୁଅକୁ ଚିହ୍ନା କରେଇଦେଲେ । ବୋଉ ଭାରି ଖୁସିହେଲା । (ପର ପୁଅକୁ ଦେଖିଲେ ସବୁ ମା ମାନେ ଏମିତି ଖୁସି ହୁଅନ୍ତି କାହିଁକି କେଜାଣି !) ଭାଇ ତ ତାଙ୍କୁ ଆଗରୁ ଜାଣିଥିଲା । ସେମାନେ ସାଂଗ ଭଳି କୋଳାଗ୍ରତ କଲେ ପରସ୍ପରକୁ । ଆମେ ସାନମାନେ ଜୁହାର ହେବାକୁ ଯାଉଚୁ, ମୋ ହାତକୁ ଧରି ପକେଇ କହିଲେ, “ମୋତେ ଗୋଟେ ଜୁହାର ହେଉଚୁ କଣ ?’ ବୋଉ ଯୋଡିଲା, “ଜାଣୁ ! ଶ୍ୟାମ ଏଥର ବି.ଏ.ରେ ଏଠୁ ଫାଷ୍ଟହେଇ କଟକରେ ଏମ୍‌.ଏ. ପଢ଼ୁଚି ।’
ସେଦିନ ଥିଲା ହାଣ୍ଡିଧୁଆ । ଆମେ ଘରେ ପହଞ୍ôଚ ଖୁସିହେଲୁ ମାଇଁ ବଡଡେକ୍‌ଚିରେ ମାଂସ ରାନ୍ଧୁଛନ୍ତି ଶୁଣି । ଧୁଆଧୋଇ ହୋଇ ମୁଢ଼ି ପିଆଜ ସୋରିଷତେଲ ଗୋଳେଇ ସମସ୍ତେ ଏକାଠି ବସି ଖାଇଲୁ । ଭାଇ ମଝିରେ ମଝିରେ ଗାଁକୁ ଆସୁଥିବାରୁ ତା’ର ସେଠି କେତେ ସାଂଗଥିଲେ । ସିଏ ବୁଲିବାକୁ ବାହାରିଗଲା । ଅନ୍ୟ ଭାଇଭଉଣୀମାନେ ଲୁଡୁ ଖେଳରେ ମାତିଗଲେ । କ୍ଳାନ୍ତି ଯୋଗୁ ମୁଁ ଗଡପଡ ହେଉଥିଲି ଖଟିଆରେ । ଶ୍ୟାମଭାଇ ଆସି ମୋ ପାଖେ ବସିଲେ । ମୁଁ ଚମକି ପଡି ଉଠି ବସିଲି । ସିଏ ମୋ ପିଠି ଥାପୁଡେଇ କହିଲେ, “କିରେ ! ମୋତେ ପୁଣି ଲାଜ କଣ?’ ତାଂକ କଲେଜ କଥା, ସାଂଗ ମାନଙ୍କ କଥା ଗପିଲେ । ପଚାରିଲେ ବି ମୋ କଲେଜ ଓ ପଢ଼ାପଢ଼ି କଥା । କଥା ସରିଯିବାରୁ ମୋତେ ତାଙ୍କ କଲେଜ ମ୍ୟାଗାଜିନ୍ ଆଣି ସେଥିରେ ବାହାରିଥିବା ତାଙ୍କ କବିତା ଶୁଣେଇଥିଲେ । ମୁଁ କହିଲି, “ଭଲ ହେଇଚି ।’ ସିଏ ତାଙ୍କ ଡାଇରୀରୁ ଆଉ କେତେଟା କବିତା ଶୁଣେଇସାରି ମୋତେ ପଚାରିଲେ, ବାପା କହୁଥିଲେ ତୁ କାଳେ ବଢ଼ିଆ ଗୀତ ଗାଉ, ସୁନ୍ଦର ନାଚୁ ବି । କୁଆଡେ ଢ଼େର୍ ପ୍ରାଇଜ୍ ପାଇଲୁଣି ! ଗାଆନା ଗୀତଟେ । ମୋତେ ସେତେବେଳକୁ ଭାରି ଲାଜ ମାଡିଲାଣି । କିଛି ସମୟ ପରେ କହିଲି, ଏଇନା ମୁଡ୍ ଆସୁନି, କାଲି ଗାଇବି । ତା’ପରେପରେ ତ ଖାଇବାକୁ ଡାକରା ଆସିଲା । ଇସ୍ କି ମିଠା ଶ୍ୟାମଭାଇଙ୍କ କଥା, କି ରୋମାଣ୍ଟିକ୍ ତାଙ୍କ ଶବ୍ଦସବୁ ! ଭାରି ହାଣ୍ଡସମ୍ ଚେହେରା ବି ତାଙ୍କର ।
ତମେ ସବୁ ପରା ଗାଁରେ ସେଥର ରହିଥିଲ ଚାରି ପାଞ୍ଚଦିନ, ଅନିମେଷ ଯୋଡିଲା । ହଁ ଯେ, ସକାଳୁ ଉଠିଲା ବେଳକୁ ପହିଲି ରଜର ସକାଳ । ଚାରିଆଡେ ସୁନାସୋରିଷ ବିଞ୍ଚା ଖରା । ମୁହଁ ଧୋଇ ବ୍ରସ ଧରି ପୋଖରୀ ହୁଡାକୁ ଗଲି । ପୋଖରୀରେ ପେଟେଇ ପଡିଥିବା ଆମ୍ବଗଛର ଗଣ୍ଡି ଉପରେ ବସି ଗୋଡ ଲମ୍ବେଇ ପାଣି ଚବଚବ କରୁଚି, ପୋଖରୀ ମଝିରେ ପାଣିରୁ ଭୁସ୍ କରି ବାହାରିଲେ ଶ୍ୟାମ ଭାଇ । ମୋତେ ରାଗ ଲାଗିଲା ଖୁବ୍ । ଛାତିରେ ଛେପ ପକେଇ କହିଲି, “ତମ ସହିତ ଆଉ କଥା ହେବିନି ଯାଃ ।’ ଶ୍ୟାମଭାଇଙ୍କ ମୁହଁ ଶୁଖିଗଲା । କହିଲେ, “ତୁ ୟାଡେ ଆସିଲୁ ଦେଖି ବୁଡିକି ରହିଗଲି ପାଣିରେ । ତୁ ଆସୁନୁ ଗାଧେଇବୁ । ଭାରି ବଢ଼ିଆ ପାଣି । ତୁଠ ଗୋଟାକ ବାଲିସରା ।’ ମୁଁ କହିଲି, “ତମେ ଯାଉନ । ମୋର ଯେତେବେଳେ ଗାଧେଇବା କଥା ମୁଁ ଗାଧୋଇବିନି କି ?’ ଶ୍ୟାମ ଭାଇ ତରତର ହେଇ ଗାଧେଇ ସାରି ଚାଲିଗଲା ।
ଆମେସବୁ ନୂଆ ଡ୍ରେସ୍ ପିନ୍ଧିଥାଉ । ସଜ ହେଇଥାଉ । ମୁଁ ବାଳତକ ସାଂପୁକରି ଲମ୍ବେଇ ଦେଇଥାଏ ପିଠି ଉପରେ । ନଖରେ ନେଲ୍ ପଲିସ୍‌, ପାଦରେ ଅଳତା, କପାଳରେ ବିନ୍ଦି ଓ ଚନ୍ଦନ ଲଗେଇଥାଏ । ଆଗଦିନ ରାତିରୁ ମେହେନ୍ଦି ଲଗେଇ ଚିତ୍ରିତ କରିଥାଏ ହାତ ପାପୁଲିସାରା । ବଟାହଳଦୀ ଘିଅରେ ଗୋଳି ଲଗେଇ ଥିବାରୁ ଦେହ ଭାରି ଚିକ୍କଣ ଦିଶୁଥାଏ । ପିଠା ଖାଇସାରି ବୁଲି ବାହାରିଛୁ ଭେଟ ହେଲା ଶ୍ୟାମଭାଇଙ୍କ ସହ । ମୋ ଗାଲ ଚିପିଦେଇ କହିଲେ, “କିଲୋ, ତୁ ? ମୁଁ ଭାବିଲି ରୀନା ରାୟ ଆଉ ବୁଲି ଆସିଚିକି ଆମ ଗାଁ ରଜମଉଜ ଦେଖିବାକୁ ।’ ମୁଁ କଥା ବାଁରେଇ କହିଲି -“ଏତେ ଦିନକେ ଗାଁକୁ ଆସିଥିଲୁ ଯେ ଏଠି ରଜ ନା ଫଜ । ଦୋଳିଟେ ତ’ ଲଗେଇ ପାରିଲନି ଝୁଲିବାକୁ !’ ତାପରେ ଆମେ ବୁଲି ବାହାରିଗଲୁ ସାଇ ଝିଅଙ୍କ ସାଂଗରେ ।
ଉପରଓଳି ଆମେ ଲୁଡୁ ଖେଳୁଚୁ, ଗୋଟେ ଭଲଜିନିଷ ଦେଖେଇବେ ବୋଲି ହାତଧରି ମୋତେ ଟାଣି ନେଇଗଲେ ବାରି ପଟକୁ ଶ୍ୟାମଭାଇ । ତେନ୍ତୁଳିଗଛରେ ଲାଗିଥିବା ଦୋଳିକୁ ଦେଖି ମୁଁ ଆନନ୍ଦରେ କୁରୁଳି ଉଠି କହିଲି – “ଇ ମାଆଁ ! ଏଇଟା ତମେ ସତରେ ବନେଇଚ !’ ଶ୍ୟାମଭାଇ କୃଷ୍ଣକୃଷ୍ଣ ହସଟେ ହସୁଥିଲେ ଓଠ ଚାପି । ମୁଁ ତ ଦୋଳିଖେଳିବା ଶିଖି ନଥିଲି । ଶ୍ୟାମଭାଇ ଦୋଳିକୁ ଉଠି ଝୁଲିଲେ । କି କାଇଦାରେ ବାଆ ମାରି ପବନରେ ଦୋଳିକୁ ଅର୍ଦ୍ଧବୃତ୍ତଟେ କରି ଆଗକୁ ପଛକୁ ଝୁଲିଯାଉଥିଲେ ସାଇଁ ସାଇଁ ହେଇ । ମୁଁ ଓ ସାନ ଭଉଣୀ ସବୁ ତାଟକା ହେଇ ଚାହିଁଥାଉ । ଶ୍ୟାମଭାଇ ଟିକେବେଳ ଝୁଲିସାରି ଓହ୍ଲେଇ ଆସି ମୋ ହାତଧରି ଦୋଳିକୁ ଚଢ଼େଇଦେଲେ । ମୋତେ ପେଁଚ ମାରିବାକୁ କହିଲେ । ଯେତେ ଚେଷ୍ଟାକଲି ହେଲାନି । ସେଇଠୁ ଶ୍ୟାମଭାଇ ମିଛରାଗ ଦେଖେଇ କହିଲେ -“ତୁ’ଟା ଓଲୀଟେ, ତୋ ଦେଇ କିଛି ହବନି । ହଉ ତୁ ବସ୍‌, ମୁଁ ଝୁଲେଇ ଦେଉଚି ।’ ମୋତେ ଲାଗିଲା ଶ୍ୟାମଭାଇ ଜାଣିକି ମୋତେ ଏମିତି ଏକା ଦୋଳିକି ଉଠେଇଦେଲେ ଆଉ ପରେ ନିଜେ ଝୁଲେଇଲେ । ମୁଁ ଗୋଡ ଝୁଲେଇ ବସିଲି । ଦୋଳିର କାଠପଟାକୁ ଧରି ଶ୍ୟାମଭାଇ ମୋତେ ଝୁଲାଉଥାନ୍ତି । ଇସ୍ ! କି ମଜା ସେତେବେଳେ । ପବନରେ ମୁଁ ପହଁରୁଥାଏ । ବେଳେବେଳେ ଶ୍ୟାମଭାଇଙ୍କ ହାତ ବାଜୁଥାଏ ମୋ ଦେହରେ । ଦେହ ଶୀତେଇ ଉଠୁଥାଏ । ଝାଳେଇ ଯାଉଥାଏ ମୁହଁ । ଶାଢ଼ିକାନିଟା ଉଡିଉଡି ଯାଉଥାଏ ଉପରକୁ .. ଆହୁରି ଉପରକୁ । ଶ୍ୟାମଭାଇ ଖାଇଗଲା ଆଖିରେ ଚାହିଁଥାନ୍ତି ମୋ ଖୋଲା ବେକମୂଳ ଓ ହାତକୁ । ମୋତେ ମାଡି ପଡୁଥାଏ ଭାରି । ମୁଁ କହିଲି, ଥାଉ, କାଲି ପୁଣି ଝୁଲିବା । ସଂଜ ହେଲାଣି ।
ଅନିମେଷ ପଚାରିଲା, ପରଦିନ ପୁଣି ଝୁଲିଲତ ?’ “ଖାଲି କଣ ଝୁଲିଲୁ । ଲୁଡୁ ଆଉ ତାସ୍ ବି ଖେଳିଲୁ ଖୁବ୍ । ଶ୍ୟାମଭାଇ ଓ ମୁଁ ସବୁବେଳେ ପାର୍ଟନର । ଆମର ସବୁବେଳେ ଜିତାପଟ । ଶ୍ୟାମଭାଇ ନୁହେଁ, ବଢ଼ିଆ ତାସ୍ ଖେଳନ୍ତି ।’
ଆଉ ତମେ ଗୀତ ଗାଇଲନା ନାହିଁ ? ମନେ ପକେଇଦେଲା ଅନିମେଷ । – ଶ୍ୟାମଭାଇ ତ ଦିଇନି ଲଗେଇଲେ ମୋତେ । ମୁଁ କାଲି କାଲି କହି ଟାଳି ଦେଲି । ହେଲେ ଆସିବା ଆଗଦିନ ସେ ଜିଦ୍ ଧରିଲେ, ମୁହଁ ଶୁଖେଇ ଗୁମ୍‌ସୁମ୍ ହେଇ ବସିଲେ । ମୁଁ ସେଇ “ସପନର ପଛେ ପଛେ ସଂଧ୍ୟାରେ ଦିନେ ଗଲି…’ ଗୀତଟା ଗାଇଲି । ସିଏ ଭାରି ଖୁସି ହେଲେ । ମୋତେ ତାଙ୍କ ଡାଇରୀରୁ ବଢ଼ିଆ ରେମାଣ୍ଟିକ୍ କବିତା କେତୋଟି ଶୁଣେଇଲେ । ମୁଁ ପଚାରିଲି, “କାହାପାଇଁ ଏଗୁଡା ଲେଖିଚକି ଶ୍ୟାମଭାଇ !’ କହିଲେ, “ତୋ ପାଇଁ ।’ ରାଗ ଦେଖେଇ କହିଲି -ଏଗୁଡା କବିତା ନା ଫବିତା ।
ଗାଁ କୁ ସେତେବେଳେ ବିଜୁଳି ଯାଇ ନଥାଏ । ଲଣ୍ଠନରୁ ତେଲ ସରିଆସିଲାରୁ ବୋଉ ନେଇଗଲା ତେଲ ପୂରେଇବାକୁ । ସାନଭଉଣୀଟା ବି କାହିଁକି କେଜାଣି ବୋଉ ପଛେପଛେ ଉଠିଗଲା । ମୁଁ ଉଠିବି ଉଠିବି ହେଉଚି ଶ୍ୟାମଭାଇ ମୋ ହାତଧରି ବସେଇଦେଲେ ଖଟ ଉପରେ । କାନ ପାଖରେ ଫିସ୍ ଫିସ୍ କରି କହିଲେ – “ତୁଉନା ଖୁବ୍ ସୁନ୍ଦର । ରାଧାଙ୍କ ଚେହେରା କେମିତି ଥିଲା କେଜାଣି ! ହେଲେ ବି ତୋଠୁ ବେଶୀ ସୁନ୍ଦର ହେଇନଥିବେ କେବେ ।’ କହିସାରି ସରୁ ଚୁମାଟେ ଆଙ୍କିଦେଲେ ମୋ ଗାଲରେ । ମୋ ଦେହ ଶୀତେଇଗଲା । ମୁଁ ତାଙ୍କ ପାଖରୁ ଘୁଂଚି ଆସିଲି ତରତରରେ । ବୋଉ ବି ଲଂଠନ ଆଣି ଥୋଇଦେଲା ସେତିକିବେଳେ । ଶ୍ୟାମଭାଇ ଉଠିକି ଚାଲିଗଲେ । ସେଦିନ ରାତିରେ ନିଦ ହେଲାନି ଜମା । ପରଦିନତ ଆମେ ଫେରିଆସିଲୁ । ତାଙ୍କ ସହ ଆଉ ଦେଖାହେଲାନି ଆସିବାବେଳେ । ବୋଉକୁ କେତେବେଳେ ଜୁହାରହେଇ ଚାଲିଯାଇଥିଲେ ବିଲ ଆଡେ । ମୁଁ ତ ସେବେଠୁଁ ଆଉ ଗାଁକୁ ଯାଇନି । ଶ୍ୟାମଭାଇ ଏବେ ଗାଁ ହାଇସ୍କୁଲରେ ହେଡ୍‌ମାଷ୍ଟର ଅଛନ୍ତି । ରାଜାପୁଅ ପରି ଚେହେରା ତାଙ୍କର କଳା କାଠ ପଡିଆସିଲାଣି, ବାଳ ବି ଅଧେ ପାଚିଗଲାଣି ବୋଲି ବୋଉ କହୁଥିଲା ।
କୁଆ ରାବିଲା କା କା । ପାଖ ଶିବ ମନ୍ଦିର ମାଇକ୍‌ରୁ ଭଜନର ଲହର ଭାସି ଆସିଲା । ନିର୍ଲିପ୍ତ ଭାବେ ଅନିମେଷ କହିଲା, “ରାତିଟା ପାହିଗଲା ତା’ ହେଲେ । ହେଲେ ତୁମ ମୋ ସ୍ମୃତିର ଅଦେଖା ଫରୁଆରେ ବହୁ ସ୍ମୃତି / ଅନୁଭୂତି ଅନୁଚ୍ଚାରିତ ହୋଇ ରହିଗଲା ତଥାପି ଅପୁ । ଏବେ ଆଉ ପିଆଜର ସବୁତକ ଚୋପାକୁ ପରସ୍ତ ପରସ୍ତ ଖୋଲି କାହାର କଣ ଲାଭ ହେବ କହିଲ !’ ଅପାବୃତ୍ତା କିନ୍ତୁ ଭାବୁଥିଲା, କିଏ କହିଥିଲେ ତ ! ମଣିଷର ମନ ଏକ ବରଫଖଣ୍ଡ ପରି ଯା’ର ମାତ୍ର ଭାଗେ ଆମକୁ ଦିଶୁଚି, ଆଉରି ନଅଭାଗ ବୁଡି ରହିଚି ଅକାତକାତ ବିସ୍ମୃତିର ଜଳରେ । ଅନ୍ୟମନସ୍କ ଭାବେ ଫିଟିଲା ଜୁଡାଟା ସଜାଡୁ ସଜାଡୁ ଅପାବୃତ୍ତା କହିଲା, ଯାଃ…ଭାବୁ ଭାବୁ କେତେ ବେଳ ହେଲାଣି । ତରତରକି ବିଛଣାରୁ ଉଠି ଆସିଲାଯେ ଅନିମେଷ ଧରିନେଲା ତା’ର ହାତ ଆଉ ତାର ଗାଲ ଦେଖେଇ କହିଲା, “ଥରଟେ ଅପୁ, ପ୍ଲିଜ୍ ।’ ଅପାବୃତ୍ତା ତା’ ହାତରୁ ହାତ ମୁକୁଳେଇ ହାଲ୍‌କା କରି ଥାପୁଡେଇ ଦେଲା ଅନିମେଷକୁ ଆଉ ଚୁମାଟିଏ ଦେଇସାରି ତା’ ଓଠ ପାଖକୁ ଦେଖେଇଥିଲା ନିଜ ଗାଲ । ମଶାରୀ ଟେକି ଓହ୍ଲେଇଲା ବେଳେ ତା’ର ମନେହେଲା ଅନିମେଷର ଗାଲରୁ ଓଠଦେଇ ଦୁର୍ଲ୍ଲଭ ହସଧାରେ ଚରି ଯାଉଚି ତା’ ସମଗ୍ର ଦେହରେ । ଅପାବୃତ୍ତା ଭିତରୁ ବି ଚହଟି ଆସିଲା ହସଧାରେ । ସେ ବାହାରକୁ ଆସି ଦେଖିଲା, ଆକାଶର ଗୋଟେ କଣରେ ପହ୍ନେଇ ଆସିଲାଣି ମେଞ୍ଚେ ନାରଙ୍ଗୀ ରଙ୍ଗ । ତା’ର ମନେହେଲା ଛଳ ଛଳ ଜୀବନଟେ ଢ଼ଳଢ଼ଳ ହେଇ ଉତୁରି ଆସୁଚି ଯେମିତି ! ଉନ୍ନିଦ୍ର ରାତି ଗୋଟାକର ଅବସୋସ ତା’ ଭିତରୁ ଧୋଇ ହେଇଗଲା ।

Leave a Reply

Your email address will not be published. Required fields are marked *