- ନିଜ ସ୍ତ୍ରୀ ରୋଜଗାର କରିବ, ତୁମେ ରାଜା ଭଳି ବୁଲି ବୁଲି ଖାଇବ ! ଲୋକେ କ’ଣ କହିବେ ?
ଅଫିସ ଛୁଟି ସମୟ ହେବାକୁ ଆଉ ଅଳ୍ପ ସମୟ ଥିଲା। ଅଫିସ ପୋର୍ଟିକୋରେ ଆସି ଠିଆ ହେଲା ନୀଳରଙ୍ଗର ମାରୁତି ୱାଗନ୍ଆର୍ ଗାଡ଼ି। ଠିକ ବଡ଼ବାବୁଙ୍କ ଝରକା କଡ଼କୁ। ‘ହେଇ ଅଣ୍ଡିରା ବଗ ଆସିଲାଣି!’ ବଡ଼ବାବୁଙ୍କ ତାଚ୍ଛଲ୍ୟପୂର୍ଣ୍ଣ କଥା ତଥା ପରିହାସସୂଚକ ହସ ଶୁଣି ବାହାରକୁ ନିଘା କଲେ ନୂଆନୂଆ କାମରେ ଯୋଗ ଦେଇଥିବା କନିଷ୍ଠ କିରାଣି ଶିବବାବୁ। ଗାଡ଼ି ଲକ କରିବାର ଟୁଁ ଟଙ୍ଗ ଶବ୍ଦ ସହ ବାରଣ୍ଡା ଚଢ଼ୁଥିଲେ ଉପଜିଲ୍ଲାପାଳ ମାଡାମଙ୍କ ସ୍ୱାମୀ ଅରବିନ୍ଦ ବାବୁ। ସବୁଦିନେ ଠିକ ସମୟରେ ମାଡାମଙ୍କୁ ନେବାକୁ ଆସନ୍ତି ସେ। ଶିବବାବୁ ଥରେ ଦୁଇ ଥର ତାଙ୍କ ସହ ମିଶିଛନ୍ତି। ସେତିକିରେ ଯାହା ଜାଣିଛନ୍ତି ଭାରି ଭଦ୍ର ଓ ଅମାୟିକ ଲୋକ ସେ ଅରବିନ୍ଦବାବୁ। ତାଙ୍କ ପ୍ରତି ବଡ଼ବାବୁଙ୍କ ଏ ପରିହାସ ନୂଆ ନ ଥିଲା। ବଡ଼ ବାବୁ ‘ଅଣ୍ଡିରା ବଗ’ କହୁ କହୁ ଚାପା ହସର ଏକ ମୃଦୁ ଗୁଞ୍ଜରଣ ଖେଳି ଯାଉଥିଲା ହଲ୍ ସାରା।
ଦେଖିବାକୁ ସେମିତି ଗୋରା ତକ ତକ ନ ଥିଲେ ଅରବିନ୍ଦ ବାବୁ! ସାଧାରଣ ବାଦାମୀ ରଙ୍ଗର ସାଧାରଣ ଉଚ୍ଚତାର ମଣିଷଟିଏ। କିନ୍ତୁ ଏ ନାଁ ଟି କାହିଁକି ଦିଆଯାଇଛି ଓ କାହିଁକି ଏତେ ହସର କାରଣ ହେଉଛି ସେ କଥାକୁ ବୁଝିପାରୁ ନ ଥିବା ଶିବ ବାବୁ ଦିନେ କୌତୂହଳବଶତଃ ବଡ଼ବାବୁଙ୍କୁ ପଚାରି ଥିଲେ! ପ୍ରଥମେ ବହେ ହସିଥିଲେ ବଡ଼ ବାବୁ, ତା’ ପରେ କହିଥିଲେ, “ବୁଝିଲ ଶିବବାବୁ ତୁମେ ତ ପିଲା ଅଛ ଏବେ ବି ସମୟ ଅଛି। ଆମ ମାଡାମ ଭଳି ଏମିତି ଗୋଟାଏ ଫସାଇ ପାରିଲେ ଆଉ ଏ କାମଦାମ କରିବାର କିଛି ଆବଶ୍ୟକ ପଡନ୍ତା ନାହିଁ। ନିଜ ସ୍ତ୍ରୀ ରୋଜଗାର କରିବ, ତୁମେ ରାଜା ଭଳି ବୁଲି ବୁଲି ଖାଇବ! ଲୋକେ କ’ଣ କହିବେ, ଏଥିରେ କ’ଣ ଅଛି, କିଏ ଶୁଣୁଛି! ଏ ଦେଖୁଛ ତ ଏ ଆମ ଅଣ୍ଡିରା ବଗକୁ।”
“ହେଲେ ସାର୍ ଅଣ୍ଡିରା ବଗ?” ତଥାପି ଜାଣିପାରୁ ନ ଥିଲେ ଶିବ ବାବୁ। “ମୁସ୍କିଲ କଥା ଶିବ ବାବୁ, ତୁମେ ଏ କଥା ଜାଣିନ କି? ହଁ ଆଜିକାଲିକା ପିଲା ତ ଇଂରାଜୀ ପଢ଼ିଲ ଆଉ ସେ ଢଗଢମାଳି କଥା କ’ଣ ଜାଣିବ? ଆରେ ଯେତେବେଳେ ବସାରେ ବଗୁଲି ଅଣ୍ଡା ଦିଏ ସେଥିରୁ ଛୋଟ ଛୋଟ ଛୁଆ ହୁଅନ୍ତି, ସେତେବେଳେ ଅନ୍ୟ ପକ୍ଷୀଙ୍କ ପରି ସେ ଜଗି ରହେନି। ସେ କାମ ବଗ କରେ। ଅଣ୍ଡିରାବଗ ବସା ଜଗି ଛୁଆଙ୍କ ଯତ୍ନ ନେଉଥିବା ବେଳେ ସମସ୍ତଙ୍କ ପାଇଁ ଖାଦ୍ୟ ଆଣିବା ଦାୟିତ୍ୱ ବଗୁଲି ନିଏ! ଏ ଅରବିନ୍ଦବାବୁ କ’ଣ ଆଉ କରୁଛି କି? ଘରେ ଥାଇ ଛୁଆପିଲାଙ୍କୁ ସ୍କୁଲ ପଠାଇଲେ କାମ ସରିଲା। ସ୍ତ୍ରୀ ପଇସାରେ ଗାଡ଼ିଚଢି ବୁଲୁଛି ତାକୁ ତ ଲାଜ ନାହିଁ ଯେ ସେ ଅଫିସ ଆସୁଛି।”
କେମିତି ଗୋଟିଏ ଆଶ୍ଚର୍ଯ୍ୟ ହୋଇ ବଡ଼ବାବୁଙ୍କ ମୁହଁକୁ ଚାହିଁ ଥିଲେ ଶିବବାବୁ। ଭାବୁଥିଲେ କାହା ଘର କଥା ନ ଜାଣି, କେଉଁ ପରିସ୍ଥିତିରେ ମାଡାମ କେମିତି ବାହା ହୋଇଛନ୍ତି ସେ ବାବଦରେ ବିନ୍ଦୁ ବିସର୍ଗ ନ ଜାଣି ବଡ଼ବାବୁଙ୍କ ପରି ବୟସ୍କ ଲୋକ କେମିତି ତାଚ୍ଛଲ୍ୟ କରି ପାରୁଛନ୍ତି? ଆହୁରି ଦୁଃଖ ଲାଗୁଥିଲା ଯେତେବେଳେ ଅନ୍ୟମାନେ ବି ବଡ଼ବାବୁଙ୍କ ଟେବୁଲ ପାଖକୁ ଆସି ଆଲୋଚନାରେ ସାମିଲ ହୋଇ ଅରବିନ୍ଦବାବୁଙ୍କ ପ୍ରେମ, କେମିତି ଫସେଇଲେ ଇତ୍ୟାଦିର ଆଖିଦେଖା ବିବରଣୀ ପ୍ରଦାନ କରୁଥିଲେ। ଯଦିବା ମାଡାମଙ୍କ ଏଠାକୁ ଆସିବା ମାତ୍ର ଛଅ ମାସ ହେଇଛି ଓ ମାଡାମ ଓ ଅରବିନ୍ଦ ବାବୁଙ୍କୁ ଛମାସ ଆଗରୁ କେହି ଜାଣି ନ ଥିଲେ।
କଥାଟି କିନ୍ତୁ ନୂଆ ନ ଥିଲା, ଅଫିସର ମୁଖ୍ୟ ଆଲୋଚନାର ବିଷୟରେ ପ୍ରାୟ ସବୁବେଳେ ଅରବିନ୍ଦ ବାବୁ ହିଁ ରହୁଥିଲେ। ଆଲୋଚନାଟି ଅତ୍ୟନ୍ତ ରୋଚକ ହୋଇଯାଉଥିଲା ଯେଉଁଦିନ ଅଫିସକୁ ଆସୁଥିଲା ମାଡାମଙ୍କ ଘରେ ରୋଷେଇ କରୁଥିବା ମେଘା! ବାବୁ କେଉଁ ଦିନ ମାଂସ ରୋଷେଇ କରିଥିଲେ, କେଉଁଦିନ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ କିଛି ମନୋମାଳିନ୍ୟ ହୋଇଥିଲା ଇତ୍ୟାଦି ଘଟଣା ସବୁକୁ ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା କରୁଥିଲା ସେ।
ଥରେ ଥରେ ମାଡାମଙ୍କ କାମ ସରି ନ ଥିଲେ ଅରବିନ୍ଦବାବୁ ଆସି ବଡ଼ବାବୁଙ୍କ ପାଖରେ ବସୁଥିଲେ। ବଡ଼ବାବୁଙ୍କୁ ବହୁତ ଶ୍ରଦ୍ଧା ଓ ଭକ୍ତିର ସହ ବ୍ୟବହାର କରୁଥିଲେ ସେ। ଶିବ ବାବୁ ଲକ୍ଷ୍ୟ କରିଥିଲେ ସେଦିନ କେମିତି ବଦଳି ଯାଉଥିଲା ବଡ଼ବାବୁଙ୍କ କଥାବାର୍ତ୍ତାର ଠାଣି। ତୋଷାମଦର ଶେଷ ସୀମାକୁ ପହଂଚି ଯାଉଥିଲେ ସେ।
ସେଦିନ ଅଫିସର ସମସ୍ତେ ବ୍ୟସ୍ତ ଥିଲେ। ଜରୁରିକାଳୀନ ଭିତ୍ତିରେ ଜଙ୍ଗଲଜମିର ପଟ୍ଟା ବଣ୍ଟନର ଅଗ୍ରଗତି ଉପରେ ଏକ ବିଶଦ୍ ରିପୋର୍ଟ ମାଗିଥିଲେ ସରକାର। ସେ ପୁଣି ମାତ୍ର ଦୁଇଦିନ ଭିତରେ! ଦୁର୍ଯୋଗକୁ କମ୍ପ୍ୟୁଟର ଡାଟା ଏଣ୍ଟ୍ରି ଅପରେଟରମାନେ ଅନିର୍ଦ୍ଦିଷ୍ଟ ଧର୍ମଘଟରେ ଥିଲେ। ସାତଟି ତହସିଲରୁ ଆସିଥିବା ଏତେ ବିସ୍ତୃତ ତଥ୍ୟ ସବୁକୁ ଏକତ୍ରୀକରଣ କରି ରିପୋର୍ଟ ପ୍ରସ୍ତୁତି ପାଇଁ ଆବଶ୍ୟକ କମ୍ପ୍ୟୁଟର ଜ୍ଞାନ ଓ ଦକ୍ଷତା କୌଣସି କିରାଣି ପାଖରେ ନ ଥିଲା।
ବିଧାନସଭାରେ ମନ୍ତ୍ରୀ ଉତ୍ତର ଦେବାକୁ ଥିବାରୁ ଭୁବନେଶ୍ୱରରୁ ଘନ ଘନ ଫୋନ ଆସୁଥିଲା। ଜିଲ୍ଲାପାଳ କିଛି ଶୁଣିବାକୁ ପ୍ରସ୍ତୁତ ନ ଥିଲେ। କ’ଣ କେମିତି କରାଯିବ ସେ ବାବଦକୁ ମାଡାମଙ୍କ କୋଠରିରେ ଏକ ଛୋଟ ସଭା ବସିଥିଲା। ମାଡାମ କହିଥିଲେ “ଯଦି ଆପଣମାନଙ୍କ ଆପତ୍ତି ନ ଥାଏ ତେବେ ମୋ ମିଷ୍ଟରଙ୍କୁ ଡାକି ଦେଉଛି। ସେ ଏଥିରେ ଅଭିଜ୍ଞ, ଆପଣମାନଙ୍କୁ ସାହାଯ୍ୟ କରିଦେବେ।” ଆପତ୍ତିର ତ ପ୍ରଶ୍ନ ନ ଥିଲା। ସଭିଙ୍କ ସାହାଯ୍ୟ, ବିଶେଷ କରି ଶିବବାବୁଙ୍କ ସାହାଯ୍ୟରେ ଗୋଟିଏ ଦିନରେ ରିପୋର୍ଟ ପ୍ରସ୍ତୁତ କରିଦେଇଥିଲେ ଅରବିନ୍ଦ ବାବୁ।
ରିପୋର୍ଟକୁ ଫାକ୍ସ କରି ମାଡାମଙ୍କ କୋଠରିରେ ବସିଥିଲେ ବଡ଼ବାବୁ ଓ ଅନ୍ୟମାନେ। ବଡ଼ବାବୁ ଅତ୍ୟନ୍ତ ସ୍ନେହର ସହ ଧନ୍ୟବାଦ ଦେଉଥିଲେ ଅରବିନ୍ଦ ବାବୁଙ୍କୁ! ହଠାତ ସମସ୍ତଙ୍କୁ ଚମକାଇ ମାଡାମ୍ କହିଲେ, “ଥରେ ଥରେ ଅଣ୍ଡିରା ବଗ ବି କାମ କରେ ବଡ଼ବାବୁ।” ‘ମାଡାମ୍’ – କେବଳ ଏତିକି କହି ପାରିଲେ ବଡ଼ବାବୁ। ମାଡାମ୍ କିନ୍ତୁ କହୁଥିଲେ, “ଆପଣ ଜାଣିଛନ୍ତି ଅଣ୍ଡିରାବଗ ବସା ଜଗେ। ହେଲେ କେବେ ଚିନ୍ତା କରିଛନ୍ତି କାହିଁକି ଜଗେ! କ’ଣ ତା’ର କାରଣ! ଆପଣଙ୍କ ଆଲୋଚନା ମୁଁ ସବୁ ଜାଣିଛି, ଏଣୁ ଭାବୁଛି ଆପଣ କାରଣ ଜାଣିବା ଜରୁରୀ।”
“ପ୍ରାୟ ପନ୍ଦର ବର୍ଷ ତଳେ ଆମର ବାହାଘର ହୋଇଥିଲା। ସେତେବେଳେ ମୁଁ ଡାଟାଏଣ୍ଟ୍ରି ଅପରେଟର ଥିଲା ବେଳେ ଅରବିନ୍ଦବାବୁ କିରାଣି ଥିଲେ। ମୋର ଆଗକୁ ପଢିବା ଇଚ୍ଛାକୁ ସମ୍ମାନ ଦେଇ ସେ ମୋତେ ପ୍ରୋତ୍ସାହନ ଦେଇଥିଲେ। ଘରର ସମସ୍ତ ଦାୟିତ୍ୱ ନିଜ କାନ୍ଧକୁ ନେଇ, ରାତିରାତି ଅନିଦ୍ରା ରହି ମୋତେ ଓ.ଏ.ଏସ୍. ପାଇଁ ପ୍ରସ୍ତୁତ କରିଥିଲେ! ତାଙ୍କରି ଯୋଗୁଁ ମୁଁ ଆଜି ଏଇଠି ପହଞ୍ଚି ପାରିଛି। ସୁଦୂର କୋରାପୁଟରେ ମୋର ପ୍ରଥମ ପୋଷ୍ଟିଙ୍ଗ, ଛୋଟ ଛୋଟଛୁଆଙ୍କ ପାଠପଢା, ସେଠାରେ ବାରମ୍ବାର ମୋ ଦେହ ଖରାପ ଯୋଗୁ ନିଜ ଚାକିରିକୁ ପଛରେ ପକାଇ ଦେଇଥିଲେ ସେ! ଯେତେବେଳେ ଜଣେ ଝିଅ ନିଜର ସବୁକିଛି ତ୍ୟାଗ କରି ପରିବାର ପାଇଁ ନିଜକୁ ଭୁଲିଯାଏ, ସେଇଟା ଆପଣମାନଙ୍କ ନଜରରେ ପରମ୍ପରା। ଆଉ ଯଦି କେବେ ଓଲଟା ହୁଏ ତେବେ ତାହା ତାଚ୍ଛଲ୍ୟର ବିଷୟ। ତାଙ୍କ ପରି ସ୍ୱାମୀ ପ୍ରତ୍ୟେକ ଝିଅର କାମ୍ୟ ବଡ଼ ବାବୁ ! ଆଉ ଦିନେ ଯେମିତି ପଛପଟେ ଆଲୋଚନା ନ ହୁଏ!”
ବାକ୍ଶୂନ୍ୟ ହୋଇ ଶୁଣୁଥିଲେ ସମସ୍ତେ! ଶିବବାବୁ ଦେଖୁଥିଲେ ବଡ଼ ବାବୁଙ୍କ ଆଖିକୋଣରୁ ଝରି ଆସୁଥିବା ଦୁଇବୁନ୍ଦା ଲୁହକୁ! ସେ ଜାଣିଥିଲେ ଏହା ପଶ୍ଚାତାପର ଅଶ୍ରୁ ! ଅରବିନ୍ଦବାବୁ ମନା କରିବା ସତ୍ୱେ ଭୁଲ ମାଗୁଥିଲେ ସମସ୍ତେ। ଅରବିନ୍ଦ ବାବୁଙ୍କ ହାତ ଧରି ରୁମ୍ରୁ ବାହାରୁଥିଲେ ମାଡାମ୍।
ଅତି ଉଚ୍ଚକୋଟୀର ହୋଇଛି l
କଳ୍ପନା ପ୍ରସୂତ ନା କୌଣସୀ ଵାସ୍ତଵ ଚିତ୍ର ଓ ତତ୍ ସଂଲଗ୍ନ ଚରିତ୍ର ସବୁକୁ ଉଦ୍ଧାର କରିଛନ୍ତି ? ସେ ଯାହାଵି ହେଉ, କାହାଣୀଟିର ଲେଖା ଶୈଳୀ ଅତୀବ ଚମତ୍କାର !
Nice
It is a social awarness story.
Thànks subasish sir…
ବହୁତ ସୁନ୍ଦର କାହାଣୀ.. ଆପଣଙ୍କ ଗପ ସବୁବେଳେ ସକାରାତ୍ମକ