ମହତାବଜୀ, ଟମାଟୋ ଖଟା ଆଉ ମୁଁ

  • ମହତାବ ବାବୁ ପୋଖତ କବିରାଜ ଥିଲେ। ନାଡିବାରି ସେ ମଣିଷ ଚିହ୍ନିଥିଲେ। ନ ହେଲେ, ଉପେନ୍ଦ୍ର ପଣ୍ଡାଙ୍କୁ ସେ ଏକଦା ‘ପ୍ରଜାତନ୍ତ୍ର’ ସମ୍ବାଦପତ୍ରର ସମ୍ପାଦକ ରୂପେ ବାଛି ନ ଥାନ୍ତେ।
ଅଚ୍ୟୁତାନନ୍ଦ ପତି

ମୋ ଜୀବନ ବସ୍ତାନିରେ ପୋକକଟା, ପୁରୁପୁରୁ କନା ଗୁଡା ହେଇ ପଡି ରହିଛି, କେତେ ଅସଜଡା, ୟାଡୁସ୍ୟାଡୁ ସ୍ମୃତିର ଦସ୍ତାବିଜ୍। କେତେ ଫୁଲ ଓ କଣ୍ଟାର, କେତେ ଖୁସି ଓ ହତାଶାର, କେତେ ଝୁଣ୍ଟିବା ଓ ଉଠିବାର, କେତେ ଆଉଁସା ଓ ଆମ୍ପୁଡାର, ଇମିତି ଇମିତି ମୋ ଜୀବନ ଦୌଡର ଟୁକୁଡା ଟୁକୁଡା ଗଲା କଥାର ବିଡ଼ା। ବେଳେ ବେଳେ ସେ ବସ୍ତାନିର ଡୋର ଆପେ ଆପେ ଫିଟିଯାଏ। ମତେ କାମୁଡିମାମୁଡି, ଲହୁଲୁହାଣ କରି, ଅପଦସ୍ଥର ହେମଦସ୍ତା ମାଡ ଦେଇ ମୋତେ ଦୋରସ୍ତ କରିଦେଇଥିବା ଅତୀତର ଫର୍ଦ୍ଦ ଉପରେ ଆଖି ପଡ଼ିଲେ, ମୁଁ ଝଅଟ ଝଅଟ ସେଗୁଡା ଲେଉଟାଇ ପକାଏ। ଏ ଯିବା ଯିବା ବକତରେ ଦେହର ଦୁଃଖ ତ ବଳି ଯାଉଛି। ପୁଣି ମନର ପୁରୁଣା ଘାଆର ବକଳାକୁ ଉଖାରି, ସେଠୁଁ ରକ୍ତ ଉଚୁକାଇ, ଅଯଥା ମେଞ୍ଚେ ‘ଉହୁ, ଆହା’ ହେଇ, ଅଧିକା ଦଣ୍ଡ ଭୋଗିବି କାହିଁକି? ଆଉ ଇମିତି ବି କିଛି ପୃଷ୍ଠା ଅଛି, ଯେଉଁଠି ମୋ ଲେଖକ ଜୀବନର ସୃଷ୍ଟିକ୍ରମ ଓ କାରିକାର ପୃଷ୍ଠଭୂମି ଛପି ରହିଛି। କେଉଁଠି ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର, କେଉଁଠି ଉପଦେଶ ଓ ନିର୍ଦ୍ଦେଶର, କେଉଁଠି ଆହ୍ୱାନ ଓ ଆଶ୍ୱାସନାର, କେଉଁଠି ପ୍ରୋତ୍ସାହନ ଓ ପ୍ରବୋଧନାର। ଏମିତି କିଛି ଘଟଣା ଘଟିଛି, ଯା’ର ଘୋଟଣରୁ ଯେଉଁ ନିର୍ଯ୍ୟାସ ମହକି ଉଠିଛି, ସେତେବେଳେ ସେ ବାସନା ବାରିବାକୁ ବୟସ ମତେ ସାମର୍ଥ୍ୟ ଦେଇ ନ ଥିଲା। ସେତେବେଳେ ସେ ଘଟଣାକୁ ଏକ ଅଘଟଣ ବୋଲି ଧରି ନେଇଥିଲି। ମୁହଁ ଫୁଲାଇଥିଲି। ଆଖି କଣରେ ପାଣି ବି ଜକେଇଥିଲା। ହଁ କଥାଟା କହୁଛି।

ସେତେବେଳେ ମତେ ନଅ କି ଦଶ ବରଷ ହେବ। ମୁଁ ମାମୁ ଘରେ ରହି ପଢ଼ୁଥାଏ। ମାମୁଙ୍କୁ ଟିକିଏ ଚିହ୍ନେଇ ଦିଏ। ତାଙ୍କୁ ଯେମିତି ଚିହ୍ନିବାର କଥା, ଯେମିତି ସିଏ ଚିହ୍ନା ହେଇ ପାରିଲେନି। ଆଉ ଯିଏ ତାଙ୍କୁ ଠିକ୍ କରି ଚିହ୍ନିଥିଲେ, ସେ ବି ଗଲେଣି। ମୋ ମାମୁ ଉପେନ୍ଦ୍ର ପଣ୍ଡା। ଘର ଅଡାଳପଙ୍କ ଗାଁରେ। ମହତାବଜୀଙ୍କ ଘର ଅଗରପଡ଼ା ପାଖରେ ଅଡାଳପଙ୍କ। ଉପେନ୍ଦ୍ର ପଣ୍ଡାଙ୍କ ପ୍ରତିଭାର ବେତ ଯଦି ମୋ ଉପରେ ପଡ଼ି ନ ଥାନ୍ତା, ଆଜି ଯାହା କିଛି ମୋର ନିଜତ୍ୱ ବୋଲି ଅଛି, କୁଆଡ଼େ ବୋଲି କୁଆଡ଼େ ପଡି ହଜିଯାଇଥାନ୍ତା। ମାମୁଙ୍କ ଭିତରେ ଅସମ୍ଭବ ପ୍ରତିଭା ଖୁନ୍ଦି ହେଇ ରହିଥିଲା। ସେ ଲେଖୁଥିଲେ, ଗାଉଥିଲେ, କହୁଥିଲେ, କହି ଦେଖାଇ ଦେଉଥିଲେ, କରି ଶିଖାଇ ଦେଉଥିଲେ। ମହତାବ ବାବୁ ପୋଖତ କବିରାଜ ଥିଲେ। ନାଡିବାରି ସେ ମଣିଷ ଚିହ୍ନିଥିଲେ। ନ ହେଲେ, ଉପେନ୍ଦ୍ର ପଣ୍ଡାଙ୍କୁ ସେ ଏକଦା ‘ପ୍ରଜାତନ୍ତ୍ର’ ସମ୍ବାଦପତ୍ରର ସମ୍ପାଦକ ରୂପେ ବାଛି ନ ଥାନ୍ତେ। ମହତାବଜୀଙ୍କ ପ୍ରେରଣା ପାଇ ସେ କଲେଜର ପାଠପଢ଼ା ଛାଡି ସ୍ୱାଧୀନତା ଆନ୍ଦୋଳନକୁ ଡେଇଁ ପଡିଥିଲେ। ଶେଷ ପର୍ଯ୍ୟନ୍ତ ମହତାବଙ୍କ ସଙ୍ଗୀ ହୋଇ ରହିଥିଲେ।

ମାମୁଙ୍କର ଭଦ୍ରକରେ ଏକ ବସାଘର ଥାଏ। ଥରକର କଥା। ମାମୁ ମହତାବ ବାବୁଙ୍କୁ ସେଠିକି ଖାଇବାକୁ ଡାକିଥିଲେ। ସେଦିନ ମୁଁ ଭଦ୍ରକରେ ଥାଏ। ବୋଧହୁଏ ମୁଁ ବୁଲି ଆସିଥିଲି। ମହତାବ ଆସିବେ। ଅଗରପଡ଼ାର ରଜା ଆସିବେ। ସେତେବେଳେ ମୁଁ ତାଙ୍କୁ ସେତିକି ଭାବିଥାଏ। ମହତାବଙ୍କ ବେଶ ଓ ନିଶକୁ ନେଇ ମୋ କଥା ପାଞ୍ଚ ଭିତରେ କଥା କଟାକଟି ଚାଲିଥିଲା। ମହତାବ କ’ଣ ଜରିମଡା ଆଣ୍ଠୁପାର ପୂରା ପୋଷାକ ଚଢ଼େଇ, ମୁଣ୍ଡରେ ପାଗଭିଡି, ସେଥିରେ ପରଗେଞ୍ଜି, ରାଜାଙ୍କ ଛାଣ୍ଟରେ ବାହା ଦୋହଲାଇ, ହଲି ହଲି ଆସିବେ? ହୁତ୍‌, ସେ ପରା ଗାନ୍ଧୀଙ୍କ ଚାଟ। ମାମୁ ପରା ଖଦଡ ଛୋଟ ଧୋତି ଖଣ୍ଡେ, ବାଗବାଇଶ ନାହିଁ, ଯେମିତି ପାରେ ସେମିତି ଗୁଡେଇ ପୁଡେଇ ଦେଇ, ବେକରେ ମୋଟା ଚଦରଟାକୁ ବେଢ଼େଇ, ସାଇକେଲ ଖଣ୍ଡେ ଧରି, ଟୁଂଟାଂ ହେଇ ଚାରିଆଡ଼େ ବୁଲି, ଲୋକଙ୍କ ସାଙ୍ଗରେ କ’ଣ ସବୁ ସଲାସୁତୁରା କରୁଛନ୍ତି। ମହତାବ ନିଶ୍ଚେ ଖଦଡ ପିନ୍ଧୁଥିବେ। ଧୋତି ନା ଚୁଡିଦାର ପେଣ୍ଟ? ନେହେରୁ ତ ଚୁଡିଦାର ପେଣ୍ଟ ପିନ୍ଧନ୍ତି। ଫଟୋରେ ଦେଖିଛି। ସବୁ ରାଜାଙ୍କର ତ ହୁହୁଡା, ଅଗମୋଡା ନିଶ ଥାଏ। ରାଜା ଯେତେବେଳେ ତାଙ୍କର ନିଶ ଥିବାର କଥା। ରାଜାଙ୍କର ଯେତେ ଚିତ୍ର ଦେଖିଛି, ସବୁ ରାଜା କୁଷୁଣ୍ଡାମୁହାଁ। ୟା ପରେ ତା ସାଙ୍ଗରେ ହେଁ ହେଁ, ଫେଏଁ ଫେଏଁ ହେଲେ, ଲୋକେ ବୋଧହୁଏ ତାଙ୍କୁ ଖାତିର କରିବେ ନାହିଁ। ମୁଁ ମନମୁତାବକ ମହତାବଙ୍କ ଏକ ମୂର୍ତ୍ତି ଉତ୍ତାରିବାକୁ ମୋ ପାଞ୍ଚର ଛାଞ୍ଚ ଭିତରେ ମୋ ଅନୁମାନର କାଦୁଅ ମାଡୁଥିଲି।

ଏମିତି, ସେମିତି କରି ମହତାବଙ୍କ ବେଶ, ନିଶ, ହସ ଉପରେ ମନର ଗଣ୍ଠିପକା, ଗଣ୍ଠିଫିଟା ଚାଲିଥିଲା ବେଳେ, ମାମୁ ଦାଣ୍ଡପିଣ୍ଡାରୁ ପାଟି କରି ଉଠିଲେ- ‘ମହତାବଜୀ ଆସିଗଲେ।’ ତା’ପରେ ତାଙ୍କୁ ପାଛୋଟି ଆଣିବାକୁ ତଳକୁ ଓହ୍ଲେଇ ପଡ଼ିଲେ। ମୁଁ ଦାଣ୍ଡପିଣ୍ଡାକୁ ଦୌଡି ଆସିଲି। ମୁଁ ତାଙ୍କୁ ଯେମିତି ଦେଖିଲି, ସେଥିରୁ ଜାଣିଲି ଯେ ମୋ କଳ୍ପନା ଠକି ଯାଇଥିଲି। ସେ ହସି ହସି ମାମୁଙ୍କ କାନ୍ଧରେ ହାତ ପକାଇ, ତାଙ୍କ ଲମ୍ବା ପାହୁଣ୍ଡକୁ ଆଗକୁ ଆଗକୁ ବଢ଼ାଉଥିଲେ। ମୁଁ କେବଳ ତାଙ୍କ ମୁହଁକୁ ଦେଖୁଥିଲି। ମୋ ମନର ଛୋଟ ମାପକାଠିରେ ମାପି ମାପି, ମୁଁ ଯେଉଁ ଠିକଣାରେ ପହଞ୍ôଚଥିଲି, ସେଠୁ ସେ କେତେ ନା କେତେ ଦୂରରେ। ଥରେ ମାଷ୍ଟ୍ରେ ପଢ଼ାଉ ପଢ଼ାଉ କଥା ପଡିବାରୁ ଗୋଟେ କଥା କହିଥିଲେ- ସିଂହ ଦୁଧକୁ ସୁନାପାତ୍ରରେ ରଖାଯାଏ। କେତେଜଣଙ୍କ ଉଦାହରଣ ଦେଇ କଥାଟା ମର୍ମ ବୁଝାଇ ଦେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ମହତାବଜୀଙ୍କ ସମ୍ପର୍କରେ ମୁଁ ବହୁତ ଥର ଆସିଛି ଓ ଉପେନ୍ଦ୍ର ପଣ୍ଡାଙ୍କ ଭଣଜା ବୋଲି ଅଧିକା ଟିକିଏ ଆଦର ମଧ୍ୟ ପାଇଚି। ସେତେବେଳେ ମାଷ୍ଟ୍ରେଙ୍କ କଥାର ତାତ୍ପର୍ଯ୍ୟ, ତାଙ୍କଠାରେ କେତେ ଯେ ଯଥାଯଥ, ନିଶ୍ଚିତ ହେଇଛି। ମାମୁଙ୍କ ସାଙ୍ଗରେ ବସି କ’ଣ ଯେ ସବୁ ଆଲୋଚନା କଲେ, ସେ କଥା ମୋର ମନେ ନାହିଁ। କାରଣ ପଦ୍ମମୂଳର ବେଙ୍ଗ ପଦ୍ମର ଗନ୍ଧ ବାରି ନ ପାରିଲା ଭଳି, ସେ ଆଲୋଚନାର ବିନ୍ଦୁବିସର୍ଗ କିଛି ବୁଝିପାରୁ ନ ଥିଲି। ଯେଉଁ କଥାରେ ଯେତେ ଆଗ୍ରହ ଥାଏ, ସେ କଥା ସେତେ ମନେ ରହେ।

ଖାଇବା ପର୍ବ ଆରମ୍ଭ ହେଲା। କାହାକୁ ରୋଷେଇ କରିବାକୁ ମାମୁ ଆଣିଥିଲେ, ତା’ ନାଁ ମୋର ମନେ ନାହିଁ, କିନ୍ତୁ ଲୋକଟା ଭାରି ଚିଡିଚିଡା ଥିଲା। ବଡ ତୁରୁତୁରିଆ ମତେ ‘ୟାକର ତାକର’ ବୋଲି ବସେଇ ଉଠେଇ ଦେଉ ନ ଥିଲା। ମୁଁ ମନେ ମନେ ତା’ ଉପରେ ଭାରି ବିଗୁଡୁଥିଲି। କ’ଣ ସବୁ ରନ୍ଧା ହେଇଥିଲା, ମୋର ଖିଆଲ ନାହିଁ। କିନ୍ତୁ ଗୋଟେ କଥା ଆଜି ଯାଏଁ ମୋର ମନେ ଅଛି। ମହତାବବାବୁ ଓ ମାମୁ ଖାଇ ବସିଥାନ୍ତି। ମୁଁ ପରଷୁଥାଏ। ବସାଘର, ବାସନକୁସନ କମ ଥାଏ। ରୋଷେଇଆ ମୋ ହାତକୁ ବଢ଼ାଇ ଦେଉଥାଏ। ମୁଁ ଥୋଇ ଦେଇ ଆସୁଥାଏ। ଟମାଟୋ ଖଟା ସେ ମତେ ଗୋଟେ ଚେପାମେପା ଏଲ୍‌ମୋନିଅମ୍ ଗିନାରେ ଧରାଇ ଦେଲା। ମୁଁ ନେଇ ମହତାବ ବାବୁ ପାଖରେ ଥୋଇ ଦେଇ ଆସିଲି। ବାସନର ଚେହେରା ଦେଖି, ମାମୁ ମତେ କଟମଟ କରି ଚାହିଁଲେ। କେବଳ ଚାହିଁଲେ ନାହିଁ, ନାକ କୁଞ୍ଚେଇ ଦମେ ବର ବର ହେଲେ। ମାର୍ ମାର୍ ଭଣ୍ଡାରିଆକୁ ମାର୍। ମୋ ଆଖି କଣରେ ପାଣି ଘନେଇ ଆସୁଥାଏ। ଭୁଲ୍‌ଟା ମୋର ନ ଥିଲା, ଏକଥା ମୁଁ କହିପାରିଲି ନାହିଁ। ମାମୁଙ୍କୁ ମୋର ପ୍ରାଣର ଭୟ। ମୋ ଭିତର କୋହର ଧାପରେ ଅକ୍ଷରଗୁଡାକ ଖଳି ହେଇ, ଟେଳାବାନ୍ଧି, ମୋ ତଣ୍ଟିରେ ଅଟକି ବାଟ ବନ୍ଦ କରି ଦେଉଥିଲା। ରୋଷେଇଆ ନନା ମତେ ଯାହା ଧରାଇ ଦେଉଥିଲା, ମୁଁ ଆଣି ଖାଲି ଥୋଇ ଦେଉଥିଲି, ଡରରେ ଏତେ କାତିରି ଯାଇଥିଲି ଯେ, ନିଜ ଉପରୁ ଦୋଷ ଛଡାଇବାକୁ ଏତକ କହି ପାରିଲି ନାହିଁ। ଆଜିର ଜମାନାର ନଅଦଶ ବର୍ଷର ପିଲା ମୁଁ ନ ଥିଲି। ସେତେବେଳେ ଗୁରୁଜନଙ୍କ କଥାରେ ମୁହଁ ଖୋଲିଲେ, ଗୁରୁ ଅପରାଧ ବୋଲି ଧରାଯାଉଥିଲା। ଆଜିକାଲି ମୋ କଥାର ଟିକିଏ ବେଅଣ୍ଟ ହେଇଗଲେ, ମୋ ନଅ ବର୍ଷର ନାତି ମତେ କେବଳ କାଇଲି କରୁନି, ଭଦ୍ର ଅପମାନ ବି ଦେଉଛି। ଆମେରିକା କଥା ଛାଡ, ଏବେ ଦିଲ୍ଲୀରେ ବି ବାପମାଆ ପିଲାର ଭୁଲ ଭଟକାରେ ଚହଟେ ଚାପଡେ ପକାଇଲେ, ପିଲା ପୋଲିସ ଡାକୁଛି।

ମାମୁଙ୍କ ମୁହଁରୁ ରାଗ ଲିଭି ନ ଥାଏ। ମଝିରେ ମଝିରେ ସେ ଗରଗର ହେଉଥାନ୍ତି। ରାଗଗୁଡାକ ମୋ ଆଡ଼କୁ ମୁହାଁଉଥାଏ। ମୋର ଦୋଷ ନାହିଁ ବୋଲି, ମୁଁ କହି ପାରୁ ନ ଥିଲି, ମୋ ଉପରେ ଦୋଷ ଲଦି ଦିଆଯାଉଛି ବୋଲି ସହିପାରୁ ନ ଥିଲି। କାଳେ କ’ଣ ଦରକାର ପଡ଼ିବ ବୋଲି, ଜାଗା ଛାଡି ଯାଇପାରୁ ନ ଥିଲି।

ମହତାବ ବାବୁ, ମତେ ଟିକିଏ କଣେଇକି ଚାହିଁନେଲେ। ତା’ପରେ କହିଲେ – ‘ଉପେନ୍ଦ୍ର, ଆଧାର ଅପେକ୍ଷା ଆଧେୟକୁ ଦେଖିବା ଉଚିତ। ଅତି ଆଚାର ବେଳେବେଳେ ଅତ୍ୟାଚାର ହେଇପଡ଼େ।’ ତା’ପରେ ମାମୁ କଥାର ଫେର ବଦଳାଇଦେଲେ। ସେତେବେଳେ ସେ କଥାର ଅର୍ଥ ମୁଁ ବୁଝିପାରି ନଥିଲି। କିନ୍ତୁ ଅନୁମାନ କରି ନେଇଥିଲି ଯେ, ସେ ମୋ ସପକ୍ଷରେ କିଛି କହିଲେ। ସେ କହିବା ଦି’ଧାଡି କଥାକୁ ମୁଁ ମନେ ମନେ ଘୋଷି ପକାଇଥିଲି। ପରେ ମାଷ୍ଟ୍ରଙ୍କୁ ପଚାରି ସେ କଥାର ସରଳାର୍ଥ, ଭାବାର୍ଥ କିଛି ବୁଝିନେଇଥିଲି।
ତାଙ୍କର ସେ ସମୟର କଥାକୁ ବଟକରା ପକାଇ ମୁଁ ଦୁନିଆକୁ ତଉଲିଛି। ଆଜିର ଦୁନିଆରେ ମଣିଷର ବାହାରକୁ ଦେଖି, ତା’ର ଭାଉ କଳା ଯାଉଛି। ମଣିଷ ଆଜି ମହାକାଳ ଫଳ। ଉପରକୁ ସଜେଇ, ଭିତରକୁ ହଜେଇ, ଆମେ ସମସ୍ତେ ସୁନ୍ଦର ସୈତାନ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅଗଷ୍ଟ , ୨୦୨୨ ସଂଖ୍ୟାରେ ପ୍ରକାଶିତ । )

One thought on “ମହତାବଜୀ, ଟମାଟୋ ଖଟା ଆଉ ମୁଁ

  1. ପ୍ରଣାମ ସ୍ରଷ୍ଟା ।ଆଦିଭୂମି ମାଲକାନଗିରି ମାଟି ରୁ ଭୂମିଷ୍ଟ ପ୍ରଣାମ ସ୍ରଷ୍ଟା କୁଂ ।ବଳରାମ ପୂଜାରୀ, କୁଡୁମୁଲୁଗୁମ୍ମା, ମାଲକାନଗିରି ।

Leave a Reply

Your email address will not be published. Required fields are marked *