- ” ଅଙ୍କଲ ଡ୍ୟୁଟି କ୍ୟାନସେଲ କରିବନି ପ୍ଲିଜ୍ , ମୁଁ ଆସୁଛି। ” ଦେଶର ପ୍ରଥମ ‘ଉବର୍’ ମହିଳା ଟାକ୍ସି ଚାଳକଙ୍କ ସହ ଭେଟ ହେବାର ଏକ ସ୍ମରଣୀୟ ଅନୁଭୂତି ପରଷିଛନ୍ତି ଲେଖକ ।
ଆଜି ଅକ୍ଟୋବର ତିରିଶ ତାରିଖ ଦୁଇହଜାର ବାଈଶି ମସିହା। ସକାଳ ଆଠଟା ସମୟ ହେବ ଆମେ ତିନିଜଣ, ମୁଁ ମୋ ପତ୍ନୀ ଓ ସାନଝିଅ ଦିଲ୍ଲୀ ହାଉଜଖାସ ଜଗନ୍ନାଥ ମନ୍ଦିର ଯିବାପାଇଁ ଉବର୍ ଟ୍ୟାକ୍ସି ବୁକ୍ କଲୁ। ଠିକ୍ ସମୟରେ ଟ୍ୟାକ୍ସି ଆସି ପହଞ୍ଚିଲା। ଦୁଆର ଖୋଲି ଝିଅଟିଏ ଗୁଡ୍ ମର୍ଣିଂ କହନ୍ତେ, ଟିକିଏ ଆଶ୍ଚର୍ଯ୍ୟ ଲାଗିଥିଲା। ଅଳ୍ପ ସମୟରେ ପ୍ରକୃତିସ୍ଥ ହେଲି।
ଝିଅଟି ନିଜର ପରିଚୟ ଦେଇ କହିଲା, “ମୁଁ ‘ଉବର୍’ରେ ଦେଶର ପ୍ରଥମ ମହିଳା ଡ୍ରାଇଭର। ଆପଣ ଗୁଗୁଲ୍ ରେ ମୋ ବିଷୟରେ ସବୁ ତଥ୍ୟ ପାଇଯିବେ। ମୋ ନାଁ ଗୁଲେସ ଚୌହାନ। ନିଜର ବୋଲି କେହି ନାହିଁ। ବାପ ମାଆ ଶାଶୁ ଶ୍ୱଶୁର ସ୍ବାମୀ କେହି ନାହିଁ। ପୁଅଟିଏ ବି କମ୍ ସେକେଣ୍ଡ ଇୟର ରେ ପଢୁଛି। ଦିଲ୍ଲୀ ୟୁନିଭର୍ସିଟିରେ। ସେ ହିଁ ମୋତେ ବଞ୍ଚିବାର ଶକ୍ତିଦିଏ। ରାଜସ୍ଥାନର ରାଜପୁତ ଆମେ। ସ୍ବାଭିମାନ ସହ ସାଲିସ କରି ଶିଖିନୁ। ଯେଉଁ ମହିଳା ଓଢଣୀ ତଳୁ ବାହାରି ନଥିଲା, ଦିନେ ହେଲେ ଦୋକାନକୁ ସଉଦା ଆଣି ଯାଇନଥିଲା, ସ୍ବାମୀଙ୍କ ମୃତ୍ୟୁ ପରେ ପୁରା ପରିବାର ଦାୟିତ୍ୱ ସମ୍ଭାଳିବାକୁ ହେଲା। ତା ପରେ ଗୋଟିକ ପରେ ଗୋଟିଏ ଚାଲିଗଲେ। ଏ ସଂସାରରେ ମୋର ବୋଲି କେହି ନାହିଁ ମୁଁ ଆଉ ମୋ ପୁଅ। ସେ ମତେ ଶକ୍ତି ଦିଏ କେବେ ମନା କରିନି କାମ କରିବାକୁ। କହେ, ‘ମା ତୁ ଯେତେଦିନ ପାରୁଛୁ କାମ କରିଚାଲ।”
ସେ କହି ଚାଲିଛି ଆମେ ଶୁଣୁଛୁ, ତାର ବ୍ୟକ୍ତିଗତ କଥା ପଚାରି ନାହୁଁ। ସେ ସବୁ କହିଚାଲିଥାଏ, ମୋ ଝିଅକୁ କହେ , “ଦିଦି ଗୁଗୁଲରେ ସବୁ ଅଛି, ଡାଉନଲୋଡ କରି ଦେଖିନିଅ !” କଥା ଛଳରେ କହିଲା, “ସମୟ ହିଁ ବଳବାନ। ଯେଉଁ ସମୟ ଅଛି ଉପଭୋଗ କର। ସଦୁପଯୋଗ କର। ନାଚ ଗାଅ କିଛି ଭଲ କାମ କର। ଭଗବାନ ମୋର ସବୁ କାମ କରିଦିଅନ୍ତି। ଏ ଗାଡି ମୋତେ ଜଣେ ଦିଦି ଦେଇଥିଲେ ଦୁଇ ଲକ୍ଷ ଅଶି ହଜାରରେ ଦୁଇହଜାର ସତରରେ। ତା ପୁର୍ବରୁ ମୁଁ ଅନ୍ୟର ଗାଡି ଚଲାଉଥିଲି। ମୋ ଶାଶୁ ଏବେ ବ୍ଲାକ୍ ଫଙ୍ଗସ୍ ରୋଗରେ ମରିଗଲେ। ତାଙ୍କୁ ଦିଲ୍ଲୀ ଆଣିଥିଲି ଚିକିତ୍ସା ପାଇଁ। ତାଙ୍କ ସେବାରେ ଖର୍ଚ୍ଚ କଲାପରେ ମୋ ପାଖରେ ପାଞ୍ଚହଜାର ଥାଏ। ତେରଦିନ ଖର୍ଚ୍ଚ ପାଇଁ ଭାଇ ବିରାଦରି ଭୋଜିଭାତ ସକାସେ ମୋ ଉପରେ ବାଈଶି ହଜାର ଦାବି କଲେ, କେଉଁଠୁ ଆଣିବି? ମୁଦି ଟା ବିକିଦେଲି, ତେର ହଜାର ମିଳିଲା। ଟଙ୍କା ଦରକାର, ପୁଅକୁ କହିଲି ମୋ ଉବର ଏୟାରପୋର୍ଟ, ନାଇଟ୍ ଡ୍ୟୁଟି ବୁକ୍ କରିଦେ। ମୁଁ ଆସୁଛି ମେଟ୍ରୋରେ ଅଛି। ଜଣେ ଅଙ୍କଲ ଙ୍କ ବୁକିଙ୍ଗ ଆସିଲା ଏୟାରପୋର୍ଟରୁ ପଚିଶ ମିନିଟର ବାଟ। ମୁଁ କହିଲି, ଅଙ୍କଲ ଡ୍ୟୁଟି କ୍ୟାନସେଲ କରିବନି ପ୍ଲିଜ୍, ମୁଁ ଆସୁଛି। ଅଙ୍କଲ କହିଲେ ନୋ ପ୍ରୋବ୍ଲେମ୍, ମୋ ପାଖରେ ବହୁତ ସମୟ ଅଛି। ଅଙ୍କଲଙ୍କୁ ଛାଡିଲି ଏୟାର ପୋର୍ଟରେ। ଓହ୍ଲାଇଲା ସମୟରେ ମୋ ହାତକୁ ଛ’ଖଣ୍ଡି ପାଞ୍ଚଶ ଟଙ୍କିଆ ନୋଟ ଦେଇ ମୋ ମୁଣ୍ଡରେ ହାତ ରଖି କହିଲେ, ‘ଏକ୍ ବାପସେ ଏକ୍ ବେଟିକେ ଲିୟେ ୟହ ତୋହଫା, ମନା ମତ କରନା ରଖଲୋ।’ ସିଏ କେମିତି ଜାଣିଲେ, ମୋର ଟଙ୍କା ଦରକାର? ଦିଲ୍ଲୀରେ ମୋର କିଛି ଅସୁବିଧା ହୋଇନାହିଁ, ଲୋକମାନେ ବହୁତ ଭଲ। ଚାରି ଚାରିଟା ଭାୟାଲୋକଙ୍କୁ ନେଇ ଯାଇଛି । କିଏ ବହେନ କିଏ ସିଷ୍ଟର କିଏ ମାମ୍ ଡାକନ୍ତି, ମନ ଖୁସି ହୋଇଯାଏ। ବହୁତ ଭଲ ଲୋକ ଏମାନେ। ପ୍ରାୟ ଦିଲ୍ଲୀ ବାହାର ଡ୍ୟୁଟି କରେ। ଆଜି ମୋ ପୁଅ କହିଲା ମା ସନ୍ଧ୍ୟାରେ ବାହାରେ ଖାଇବା। ଠିକ୍ ଅଛି, କିଛି ପଇସା ରୋଜଗାର କରିଆଣେ, ଚାରିଟା ସୁଦ୍ଧା ଫେରିବି, ଯିବା ବାହାରକୁ। ଦିଦି, ଯେଉଁ ସମୟ ଚାଲିଯାଏ, କୋଟିଏ ଟଙ୍କା ଦେଲେ ଫେରିବକି? ସମୟକୁ ସଦୁପଯୋଗ କର।”
ଜଗନ୍ନାଥ ମନ୍ଦିର ରେ ଛାଡିଦେଇ ନିଜ ନମ୍ବର ଦେଇଗଲା। କହିଲା, “କେବେ ଯଦି ଦିଲ୍ଲୀ ବାହାରକୁ ଯିବାକୁ ଚାହିଁବ ମୋତେ ଦିନକ ଆଗରୁ କହିବ। ମୋ ପାଇଁ ଜଗନ୍ନାଥଙ୍କୁ ଜଣାଇଵ। ଏ ଥିଲା ମୋପାଇଁ ଏକ ସୁନ୍ଦର ସକାଳ। ଭଗବାନ ମୋର ସଵୁ କାମ କରି ଦିଏ, ମୋ ହାତରେ ପଇସା ଦିଏ ନାହିଁ। କାହିଁକି କେଜାଣି? ଭାବୁଥିଲି, ନାଜାନେ କିସ ବେଶ୍ ମେ ନାରାୟଣ ମିଲଯାଏ? “
Anamadheya ku aparichita ru suparichita karibaare aapananka ehi prayasa ku sata naman.
ଧନ୍ୟବାଦ ନମସ୍କାର
Very nice
ଆମକୁ ସ୍ବାବଲମ୍ବୀ ହେବା ପାଇଁ ଗୁଲେସ ଚୌହାନ ହେଉଛନ୍ତି ପ୍ରେରଣାର ସ୍ରୋତ। ସେ ନିଜେ ସ୍ବାବଲମ୍ବୀ ହୋଇ ଯେପରି ନିଜର ପରିବାରକୁ ସମ୍ଭାଳି ନେଇଛନ୍ତି ଆମେ ମଧ୍ଯ ସେହି ପରି କରିପାରିବା।
ଭାଗ୍ୟରେ ଥିଲେ ଏପରି ସମୟ କଟେ l ଭାଗ୍ୟହୀନା ନାୟିକାର ଭାଗ୍ୟ ଶୁଣିବାକୁ ମିଳେ ସ୍ୱୟଂ ନାୟିକା ଠାରୁ।
ଜଗନ୍ନାଥ ସୁଭଦ୍ରାଙ୍କ ଦ୍ୱାରା କଥା ଶୁଣାଇଲେ। ପ୍ରତ୍ୟେକ ଲୋକର ଖେଳ ବିଚିତ୍ର।
ବର୍ତ୍ତମାନ, ସମୁଦ୍ର ଢେଉଭଳି ସଦା ପରିବର୍ତ୍ତନଶୀଳ ଅନିବାର୍ଯ୍ୟ ଗତି।
ଡା. ଅଭୟ ଦାଶଙ୍କ ସ୍ବାଭିମାନର ଅନ୍ୟନାମ ଗୁଲେସ ପ୍ରବନ୍ଧ ଏକ ପ୍ରେରଣାଦାୟୀ ପ୍ରସଙ୍ଗ ା ସେଥିପାଇଁ ଲେଖକଙ୍କୁ ଅନେକ ଅନେକ ଧନ୍ଯବାଦ