- ” ନାନୀ ପୁଣି ପିଠା ଆଣୁଚି ! ଏଡ଼େ ଅଳସେଇ ସେଇଟା, କାଠିକୁ ଦି ଖଣ୍ଡ କରେନି । ଦେଖିବା କେମିତି ପିଠା । “
ଦୁଇ ଦିନ ହେଲା ସଂଯୁକ୍ତାକୁ ତର ନାହିଁ। କାମରେ ପୋତି ହେଇପଡ଼ୁଚି ଯେମିତିl ଆଜି ପ୍ରଥମାଷ୍ଟମୀ। ସକାଳୁ ହାଣ୍ଡିଏ ବିରି ଚାଉଳ ଆଣ ନେଇ ଚୁଲି ପାଖରେ ରଖିଚି। ଗୁଡ଼ାଏ ହଳଦୀ ପତ୍ର ଗଦେଇଛି ଗୋଟେ ଟ୍ରେ ଉପରେ, କିଛି କଟା, କିଛି ଗୋଟା। କାଲିଠୁ ଚାରିଟା ନଡ଼ିଆ କୋରିକି ରଖିଥିଲା। ଆଜି ସକାଳୁ ତାକୁ ଅଳେଇଚ ଗୁଣ୍ଡ ଦେଇ ଭାଜି ଦେଇଚି। ଦହି ଛେନା ଆଉ ଗୁଡ଼ରେ ସେ ନଡ଼ିଆ ମିଶେଇ ପୁର ବନେଇଛି। ତା’ ପୁର ଟା ଭାରି ଭଲ ହୁଏ ସମସ୍ତେ କୁହନ୍ତି। ଖିରିଟା ହେଇ ଆସିଲାଣି। ଆଉ ପାଞ୍ଚ ଦଶ ମିନିଟରେ ଓଲ୍ହେଇଦେବ।
ସକାଳୁ ଗାଧେଇକି କାମ ଆରମ୍ଭ କଲାଣି। ଠାକୁର ପୂଜା ହେଇନି ଏ ଯାଏଁ। ଠାକୁରଙ୍କ ପାଇଁ ଆଣିଥିବା ଫୁଲକୁ ଗୋଟେ ଓଦା କନାରେ ଘୋଡେଇ ରଖିଦେଇଚି। ପିଠା, ଖିରି ବନିଲା ପରେ ମଣିଷ ଶାନ୍ତିରେ ଟିକେ ପୂଜା କରିବ, ଭୋଗ ବି ଲଗେଇବ।
ଆଜି ତିନି ନଣନ୍ଦ ଆସିବେ। ବଡ଼ ନଣନ୍ଦ ତାଙ୍କ ସ୍ୱାମୀ ଓ ଝିଅକୁ ନେଇ ଆସୁଛନ୍ତି। ସମସ୍ତଙ୍କ ପାଇଁ ପିଠା, ଖିରି ବନେଇଛି ସଂଯୁକ୍ତା। ଛୋଟ ଦୁଇ ନଣନ୍ଦ ଗଲାବେଳେ ଘରପାଇଁ କିଛି ପିଠା ନେଇ ଯିବେ।
ଏମିତି ନାଇଁ କି ସଂଯୁକ୍ତା କାମର ଭାରରେ ନଇଁ ପଡ଼ୁଚି। ରୋଷେଇ ଭାରି ଭଲ ଲାଗେ ତାକୁ। ନୂଆ ବୋହୂ ହେଇ ଯେବେ ସେ ଆସିଥିଲା ଏ ଘରକୁ, ସମସ୍ତେ ଆଶ୍ଚର୍ଯ୍ୟ ହେଇ ଯାଉଥିଲେ ତାର କ୍ଷୀପ୍ରତାରେ। ଏକା ଏକା ରୋଷେଇ ସମ୍ଭାଳି ନେଉଥିଲା ସେ। ଦିଅର, ନଣନ୍ଦ, ସମସ୍ତଙ୍କୁ ଭଲ ଲାଗେ ତାର ରନ୍ଧା। ଏବେ କିନ୍ତୁ ଟିକେ ବୟସ ବଢ଼ିଗଲା ପରେ ତାକୁ କଷ୍ଟ ହୁଏ ସତ, କିନ୍ତୁ କାମରେ ପଛାଏନି କେବେ।
ଖାଲି ପ୍ରଥମାଷ୍ଟମୀ ହେଲେ ଭାବିବାକୁ କିଛି ନାହିଁ, କାଲି କିନ୍ତୁ ମାଣବସା ଗୁରୁବାର ବି। କେତେ କାମ ନେଇ ଆସେ ଏ ମାଣବସା ଗୁରୁବାର ସତେ ! ଠାକୁରଘର ଧୁଆ, ଠାକୁରଙ୍କ ଗାଧୁଆ, ତାଙ୍କ ନୂଆ ପୋଷାକ ପିନ୍ଧା ! ପୂଜା ସରଞ୍ଜାମ ବି କେତେ ପ୍ରକାର ! ଦଶ ପ୍ରକାର ପିଠା ଭୋଗ ଲାଗିବ ମାଙ୍କ ପାଖରେ। ଖିରି , ଖେଚୁଡ଼ି ବି ଲାଗିବ। ସନ୍ଧ୍ୟାରେ ବି ମଣ୍ଡା ଭୋଗ ଲାଗିଲା ପରେ ମା ଉଠିବେ। ପାଖ ପଡୋଶୀଙ୍କୁ ଦିଆନିଆ ତ ଅଛି।
ଗୋଟିଏ କପ୍ କଫି ବନେଇ ଦିଇଟା ବିସ୍କୁଟ ସାଙ୍ଗରେ ସେ ଦେଲା ତା ସ୍ୱାମୀଙ୍କୁ। ପୂଜା ହେଲେ ପିଠା ଦେବ ତାଙ୍କୁ।
ଥଣ୍ଡାଟା ଧରିଛି ଯେ ଛାଡ଼ୁନି। ଜମା କାର୍ତ୍ତିକ ପୂର୍ଣମୀରେ ଭୋରରୁ ମୁଣ୍ଡ ଧୋଇ ଗାଧେଇ ଏଇ ଅବସ୍ଥା ! ଆଣ୍ଟିବାଇଓଟିକ୍ ର ପୁରା କୋର୍ସ କରି ସାରିଲାଣି ହେଲେ ନାକ ସଡ଼ସଡ଼ ଯାଇନି ଏ ଯାଏଁ।
ପିଠା ବସେଇ ଥକ୍କା ହେଇ ବସି ପଡିଲା ସେ ଖାଇବା ଟେବୁଲର ଚେୟାରରେ। ଟିକେ ବସିଲା ପରେ ଡାଲମା ପାଇଁ ପରିବାଟା କାଟିବ। ପ୍ରଥମାଷ୍ଟମୀ ପାଇଁ ଆଜି କାମବାଲୀ ବି ଛୁଟିରେ। କେତେ ‘ମା ଲୋ ଧନ ଲୋ,’ କହିଲା ପରେ କହିଚି ସନ୍ଧ୍ୟାବେଳେ ଆସିବ। କେଜାଣି ଆସିବ କି ନାହିଁ। ୱାସିଙ୍ଗ ମେସିନ୍ ବି କେବେଠୁ ବନ୍ଦ ହେଇଗଲାଣି। ଲୁଗାତକ ନେଇ ଅଗଣାରେ ଶୁଖେଇବାକୁ ପଡିବ।
ହଠାତ୍ ମୋବାଇଲ ବାଜି ଉଠିଲା। ବଡ଼ ନଣନ୍ଦ ( ସ୍ୱାମୀଙ୍କ କାକାଝିଅ ଭଉଣୀ )ଙ୍କ ଫୋନ୍, “ଆଲୋ ସଂଜୁ! ମୁଁ ବି ଆସୁଛି ଆଜି ତୋଘରକୁ। ପିଠା ନେଇକି ଆସୁଛି ଲୋ। ମୁଁ ଜାଣେ କେତେ କାମ ତୋର ଆଜି, କାଲି ମାଣବସା ଗୁରୁବାର ପରା ! ଭାଇ ଭଉଣୀ ସବୁ ଏକାଠି ହେବେ। ମତେ ଭାରି ମନ ହେଉଚି ସମସ୍ତଙ୍କୁ ଦେଖି ଆସନ୍ତି। ପିଠା ବନେଇ ସାରିଲିଣି l ସନ୍ଧ୍ୟାରେ ଫେରି ଆସିବି। ତୁ ଜମା ବେସ୍ତ ହେବୁନି। ମୁଁ ଆଉ ଗୋଟେ ଘଣ୍ଟାରେ ପହଁଚୁଛି।” “ହଁ ନାନୀ, ଆସ, ଆସ। ବଢିଆ ଲାଗିବ”, କହି ରଖିଲା ଫୋନ ଟା।
ଆଉ ବସି ନରହି ଲୁଗାତକ ଅଗଣାରେ ଯାହି ତାହି ଶୁଖେଇ ଆସି ସଂଯୁକ୍ତା ପୂଜା ଘରେ ପଶିଲା। କାମଚଳା ପୂଜାଟିଏ କରି ପିଠା ଖିରି ଆଣି ଲକ୍ଷ୍ମୀ- ନାରାୟଣଙ୍କୁ ଭୋଗ ଲଗେଇଲା।
ପୂଜାଘରୁ ବାହାରୁ ବାହାରୁ ଦୁଇଟି ଛୋଟ ନଣନ୍ଦ ଆସି ପହଁଚିଲେ। ଦୁହେଁ ମହେଶଙ୍କଠୁ ଛୋଟ। “ଭାଉଜ, ଆସିଗଲୁ, ତୁମ ପିଠା ଟାଣି ଆଣିଲା ପରା”, କହି କହି ରୋଷେଇ ଘର ଆଡେ ମୁହେଁଇଲେ l “ହାତ ଧୋଇ ରୋଷେଇ ଜିନିଷ ଛୁଇଁବ”, କହି ସଂଯୁକ୍ତା ଭୋଗରୁ ଦିଇଟି ପିଠା ଆଉ ଖିରି ଆଣି ସ୍ୱାମୀଙ୍କୁ ଦେଲା।
ଦିନ ସାଢେ ଏଗାରଟା ଉପରେ ହେଲାଣି। ସଂଯୁକ୍ତାକୁ ଭୋକ ଲାଗିଲେ ବି ଖାଇଲାନି ଆଉ। ଡେରି ହେଇଯିବ। ଡାଲମା ପାଇଁ ଫ୍ରିଜ୍ ରୁ ପରିବା ବାହାର କରି ଆଣିଲା। ନଣନ୍ଦ ଦୁହେଁ ପରିବା କଟାରେ ସାହାଯ୍ୟ କଲେ। ସବୁଠୁ ବଡ଼ ପ୍ରେସର କୁକର୍ ରେ ଡାଲମା ବସେଇ ସଂଯୁକ୍ତା ଛ’ ସାତଟି ପିଠା ଆଣିଲା ଖାଇବା ଟେବୁଲ ଉପରକୁ। ହଳଦୀପତ୍ର ଛଡେଇ ତିନିହେଁ ଖାଉ ଖାଉ ବଡ଼ ନଣନ୍ଦ, ନଣନ୍ଦେଇ ଆଉ ତାଙ୍କ ଝିଅ ଆସି ପହଁଚିଲେ।
ଗହଗହ ଶବ୍ଦରେ ଘର କମ୍ପି ଉଠୁଥିଲା। ଖାଲି ଡଲିନାନୀର ତା’ ପିଠାତକ ନେଇ ଆସିବା ବାକି ଥିଲା। ତାଙ୍କ ପିଠା ନେଇ ଆସିବା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ସାନୁ, ସବୁଠୁ ସାନ ନଣନ୍ଦ, କହିଲା, “ନାନୀ ପୁଣି ପିଠା ଆଣୁଚି ! ଏଡ଼େ ଅଳସେଇ ସେଇଟା, କାଠିକୁ ଦି ଖଣ୍ଡ କରେନି। ଦେଖିବା କେମିତି ପିଠା।”
ଦେଖୁ ଦେଖୁ ଡଲିନାନୀ ଆସି ପହଁଚିଲେ। ଗୁଡ଼ାଏ ପିଠା ଆଣିଥିଲେ। ଘର ଖୁସିରେ ଦୁଲୁକିଲା। ଚାହା କଫି ଥରେ ଦିଥର ହେଇଗଲା ପରେ ଆଉ ଡାଲମାରେ ବଘରା ଲାଗିଗଲା ପରେ କିଏ କିଏ ଘଣ୍ଟା ଦେଖିଲେ। ସଂଯୁକ୍ତା ବୁଝିଗଲା। ଖାଇବା ଟେବୁଲରେ ଥାଳି ଆଣି ରଖିଲା। ଡାଲମା, ଖିରି ପାଇଁ ତାଟିଆ ଆଣିଲା. ଚାମୁଚର ଝଣଝାଣ ଭିତରେ ସେ ଡଲିନାନୀଙ୍କୁ ପଚାରିଲା, “ତୁ ପୁଣି ଆଜି କେମିତି ପିଠା ବନେଇଲୁ ? ତତେ ତ କାମ ଭାରି କଷ୍ଟ।” ଡଲି ହସି ହସି କହିଲେ, “ତୋ ହାତରୁ ଏତେ ଖାଇଲୁଣି। ଆଜି ଭାବିଲି ମୁଁ ବି ଦିନେ ବନେଇ ଖୁଆଏ। ତୁମେ ସମସ୍ତେ ଆସିବା ଶୁଣି ଭାରି ଇଚ୍ଛା ହେଲା ଆସିବାକୁ।”
ଦୁଇଟି ଥାଳିରେ ଖିରି, ଡାଲମା, ପିଠା ନେଇ ସଂଯୁକ୍ତା ବସିବା ଘରକୁ, ସ୍ୱାମୀ ଓ ନଣନ୍ଦେଇଙ୍କୁ ଦେବାକୁ ଯିବା ପୂର୍ବରୁ ଡ଼ଲି ଆଣିଥିବା ଗୋଟିଏ ପିଠାକୁ ସାନ ନଣନ୍ଦ ଦୁଇ ଖଣ୍ଡ କରିଦେଲା, ଖାଇବା ପାଇଁ। ତା ଭିତରେ ନଡ଼ିଆ ପୁର ନଥିଲା, ଥିଲା ଚାଓମିନ୍ ! “ନାନୀ ! ଏ କଣ?” କହିଲା ସେ ଆଶ୍ଚର୍ଯ୍ୟ ହେଇ। ସମସ୍ତେ ଆଶ୍ଚର୍ଯ୍ୟ ହେଇ ସେ ଖଣ୍ଡିଆ ପିଠାକୁ ଦେଖୁଥିଲେ। ଡଲିଙ୍କ ମୁହଁ କଳା ପଡ଼ି ଯାଇଥିଲା। ଥଙ୍ଗେଇ ଥଙ୍ଗେଇ କହିଲେ, “ବଦମାସ ମହିଆ ! ମତେ କହିଲା ବଢିଆ ପିଠା ବନେଇଛି, ଘରପିଠା ଠୁଁ ବଳି ! ତାକୁ ବିଶ୍ୱାସ କରି ଏଇୟା !”
ମହିଆକୁ ଜାଣିଥିଲେ ସମସ୍ତେ। ତାର ଚାଓମିନ୍ ସିଙ୍ଗଡ଼ା ଆଉ ଚାଓମିନ୍ ଚପ୍ କେତେଥର ଖାଇଛନ୍ତି ଡଲିନାନୀ ଘରେ। ତା’ ଘର ପାଖରେ ମହିଆର ଜଳଖିଆ ଦୋକାନ। ପିଲାଟାର ବ୍ୟବହାର ଭଲ ବୋଲି ସବୁ ଜଳଖିଆ ଆଉ ମିଠା ଆସେ ତା’ରି ଦୋକାନରୁ।
ନିଃସଙ୍କୋଚରେ ଡଲି କହୁଥିଲେ “ପୋଡ଼ାମୁହାଁ ! ମତେ କହିଲା, ମୋ ପିଠା ଥରେ ଖାଇଲେ ମନେ ରଖିବ ସବୁବେଳେ। ତାକୁ ବିଶ୍ୱାସ କରି ତାକୁ ବରାଦ କରିଥିଲି ଏ ପିଠା ପାଇଁ। ଚାଓମିନ୍ ୟଆମ ପ୍ରଥମାଷ୍ଟମୀର ହଳଦୀ ପିଠାରେ ଭରିବାକୁ ବାକି ଥିଲା ତା’ର?”
ମୁହଁ ଫଣଫଣ କରି ମୋବାଇଲକୁ ବେଗ୍ ରୁ ବାହାର କରି ସେ ଗଲା ପାଖ ଖାଲି କୋଠରୀକୁ। ଶୁଭୁଥିଲା “ହଇରେ ଟୋକା ! ଏଡ଼େ ଚାଓମିନ୍ ପ୍ରେମୀ ବାହାରିଚୁ ! ପିଠା ବି ତୋ ଚାଓମିନ୍ ରୁ ବର୍ତ୍ତି ପାରୁନି !” ନଣନ୍ଦ ସମସ୍ତଙ୍କୁ ଧୀରେ ଧୀରେ କହୁଥିଲେ, “ଆଉ କିଛି କୁହନି। ମହିଆ ର ଅବସ୍ଥା ବାର ବଜେଇଦେବ ନାନୀ।”
ଫୋନ ସାରି ଯେବେ ଡଲି ଟେବୁଲକୁ ଫେରିଲେ, ସଂଯୁକ୍ତା କହିଲା “ବଢିଆ ହେଇଚି। ଡାଲମା ଦରକାର ନାହିଁ ନାନୀ, ଖିରି ଯଥେଷ୍ଟ।”
ଡଲି ହୁଁ କି ନା କିଛି କହିଲେନି, ଆଖି ଆଗରେ ମହିଆ ନାଚୁଥିଲା।
ନିଛକ ସତକଥା । ଓଡିଆ ସଂସ୍କୃତି ଓ ପରମ୍ପରାର ସତ୍ୟ ଘଟଣାକୁ ନେଇ ଆରାଧନା ଭଉଣୀ ନିଜର କ୍ଷୁଦ୍ର ଗଳ୍ପ ମାଧ୍ୟମରେ ଯେଉଁଭଳି ଉପସ୍ଥାପନା କରିଛନ୍ତି, ସେଥିପାଇଁ ଅଶେଷ ଅଶେଷ ଧନ୍ୟବାଦ ।
ଆପଣଙ୍କ ଲେଖାରୁ ଯାହା ଜଣାପଡୁଛି ଆପଣ ବିଦେଶୀ ସଂସ୍କୃତି ଓ ବିଦେଶୀ ଖାଦ୍ୟକୁ ବୋଧେ ପସନ୍ଦ କରନ୍ତି ନାହିଁ। ଭଲ କଥା। କିନ୍ତ ଆମେ ପରା ସାରା ବିଶ୍ବକୁ ଗୋଟିଏ ପରିବାର ମାନୁଛୂୁ। ତେଣୁ ଚାଓମିନ୍ ବା ବିଦେଶୀ ଖାଦ୍ୟ ପ୍ରତି ଅନାଗ୍ରହ ଦେଖାଇଲେ କେମିତି ହେବ ! ଖାଇବାରେ ସମସ୍ତଙ୍କର ରୁଚି ଅଲଗା ଅଲଗା। ମହିଆ ଦୁଇଟି ସଂସ୍କୃତିକୁ ଏକାଠି କରି ତା ରୁଚିରେ ପିଠା ବନାଇଛି। ତା ଉପରେ ରାଗିଲେ କ ଣ ହେବ?