ବର୍ଷୀୟାନ ସାହିତ୍ୟିକ ଡ଼. ଗଗନେନ୍ଦ୍ର ନାଥ ଦାଶ ଆମ ସମୟର ପ୍ରବନ୍ଧ ଓ ସମାଲୋଚନା ଜଗତର ଜଣେ କୃତବିଦ୍ୟ ବ୍ୟକ୍ତିତ୍ୱ। ଏବେ ୮୨ ବର୍ଷର ପରିଣତ ବୟସରେ ଅବଶ୍ୟ ସେ ଯେତେବେଳେ ତାଙ୍କର ଏକ ନୂତନ ପ୍ରବନ୍ଧ ସଂକଳନଟିଏ ପାଠକମାନଙ୍କୁ ଉପହାର ଦିଅନ୍ତି, ଏହା ସ୍ୱତଃ ଆମର ଦୃଷ୍ଟି ଆକର୍ଷଣ କରେ।
ଆଲୋଚିତ ସଂକଳନଟିର ବିଭିନ୍ନ ପ୍ରବନ୍ଧରେ ଆମେ ଦେଖିବାକୁ ପାଉ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ଜୀବନର ବିବିଧ ପ୍ରସଙ୍ଗ। ‘ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ ଓ ଫକୀରମୋହନ’ ଶୀର୍ଷକ ପ୍ରବନ୍ଧରେ ଓଡ଼ିଆ ଅସ୍ମିତାର ଜାଗରଣରେ ବ୍ୟାସକବିଙ୍କର ଅନନ୍ୟ ଅବଦାନର ତଥ୍ୟ ଓ ସନ୍ଦର୍ଭ ଭିତ୍ତିକ ଆଲୋଚନା ଏକ ନୂତନ ଦିଗ ଉନ୍ମୋଚନ କରେ। ଜନ୍ ବିମ୍ସଙ୍କର ଫକୀର ମୋହନଙ୍କ ଚିନ୍ତା ଓ ଚେତନାରେ ପ୍ରଭାବ ବିଷୟରେ କହିବାକୁ ଯାଇ ଲେଖକ ମତ ଦିଅନ୍ତି, “ଫକୀର ମୋହନ ବିମ୍ସଙ୍କର ପ୍ରବନ୍ଧ ଓ ପୁସ୍ତକ ଅଧ୍ୟୟନ କରିନଥିଲେ ମଧ୍ୟ ସେଥିରେ ବ୍ୟକ୍ତ ଦୃଷ୍ଟିକୋଣ, ବିଚାରଧାରା ଓ ମତବାଦ ସହ ବିଶେଷ ଭାବରେ ପରିଚିତ ହେବାର ସୁଯୋଗ ପାଇଥିଲେ। କିନ୍ତୁ କେବଳ ସେତିକି ନୁହେଁ, ବିମ୍ସଙ୍କ ସହ ଫକୀରମୋହନଙ୍କ ସମ୍ପର୍କ ମୂଳତଃ ଭାବଗତ ସମ୍ପର୍କରେ ପରିଣତ ହୋଇପଡିଥିଲା।”
ଅନ୍ୟ ଏକ ପ୍ରବନ୍ଧରେ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ‘ଲକ୍ଷ୍ମୀ ପୁରାଣ’ର ତଥାକଥିତ ‘ଶୁଦ୍ଧ ସଂସ୍କରଣ’ ସଂପର୍କରେ ବିଭିନ୍ନ ମହଲରେ ଚାଲିଥିବା ପରିଚର୍ଚ୍ଚାକୁ ଲେଖକ ନିଜର ସ୍ପଷ୍ଟୋକ୍ତି ମାଧ୍ୟମରେ ଭିନ୍ନ ଦିଗକୁ ମୁହାଁଇଛନ୍ତି। ସେହି ପ୍ରକାଶିତ ପୁସ୍ତକଟିର ‘ଅବତରଣିକା’ରେ ବଜାରରେ ଉପଲବ୍ଧ ହେଉଥିବା ‘ଲକ୍ଷ୍ମୀ ପୁରାଣ’ର ସାଧାରଣ ସଂସ୍କରଣଗୁଡିକୁ ଯେପରି ‘ବଜାରି ସଂସ୍କରଣ’ ଭାବରେ ଅଭିହିତ କରାଯାଇଛି, ଲେଖକ ସେଥିରେ ଘୋର ଆପତ୍ତି ପ୍ରକାଶ କରିଛନ୍ତି। ତାଙ୍କ ଭାଷାରେ, “ମୋର ବିନୀତ ମତରେ ‘ବଜାରି ସଂସ୍କରଣ’ ଆପତ୍ତିଜନକ, କାରଣ ପୂର୍ଣ୍ଣ ଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଦିଆଯାଇଥିବା ‘ବଜାରି’ ଶବ୍ଦର କେତେକ ଅର୍ଥ ହେଉଛି, ଗାଳିବିଶେଷ, ନୀତି ଭ୍ରଷ୍ଟ, ନୀଚ ଓ ଦୁଷ୍ଟ, ଅଭଦ୍ର ଇତ୍ୟାଦି। ତେଣୁ ଏ ପ୍ରୟୋଗ ପଛରେ ରହିଛି, ସେ ସଂସ୍କରଣ ପ୍ରତି ଶୁଦ୍ଧ ସଂସ୍କରଣର ସମ୍ପାଦନା କରିଥିବା ଲବ୍ଧପ୍ରତିଷ୍ଠ ବ୍ୟକ୍ତିମାନଙ୍କର ଅନୁଦାର ଓ ଅସହନ ମନୋଭାବ।”
ସର୍ବୋପରି ବିଭିନ୍ନ ସ୍ୱାଦର ଲେଖାମାନଙ୍କୁ ନେଇ ହୋଇଛି ଏହି ସଂକଳନଟିର ପରିକଳ୍ପନା। ପୁସ୍ତକଟି ସଂପର୍କରେ ନିଜର ଅଭିମତ ରଖିବାକୁ ଯାଇ ଲେଖକ ‘ଅଗ୍ରଲେଖ’ରେ କହିଛନ୍ତି ଯେ ସମାଜର ଅନ୍ୟାନ୍ୟ ବିଭାବ ଓ ଅସ୍ମିତାଠାରୁ ସାହିତ୍ୟ ଓ ସଂସ୍ଖୃତିକୁ ବିଚ୍ଛିନ୍ନ କରି ସେ ଏଥିରେ କିଛି ହିଁ ଚର୍ଚ୍ଚା କରିନାହାନ୍ତି। ପୁସ୍ତକଟିରେ ସ୍ଥାନିତ ପ୍ରବନ୍ଧଗୁଡିକ ଆଲୋଚିତ ବିଷୟଗୁଡିକ ସମ୍ପର୍କରେ ଲେଖକଙ୍କ ପାରଦର୍ଶିତାର ଏକ ସାର୍ଥକ ପ୍ରତିଫଳନ।
- ନିହାର ଶତପଥୀ
(ଏହି ପୁସ୍ତକ ସମୀକ୍ଷା ଟି ‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ନଭେମ୍ବର, ୨୦୨୨ ସଂଖ୍ୟାରେ ପ୍ରକାଶିତ । )
ଶୋକ ସମ୍ବାଦ
ଆଲୋଚିତ ପୁସ୍ତକଟିର ରଚୟିତା ଡ଼. ଗଗନେନ୍ଦ୍ର ନାଥ ଦାଶ ୧୯ ନଭେମ୍ବର ୨୦୨୨ ଦିନ ଭୁବନେଶ୍ୱରଠାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କର ଅମର ଆତ୍ମା ପ୍ରତି ‘ସାହିତ୍ୟ ଚର୍ଚ୍ଚା’ର ଗଭୀର ଶ୍ରଦ୍ଧାଂଜଳି।
ଧନ୍ୟବାଦ ଏଭଳି ଅନନ୍ୟ ପୁସ୍ତକର ଆଲୋଚନା କରିଥିବାରୁ ।