ଓଡ଼ିଆ ଭାଷାର ‘ବର୍ଣ୍ଣମାଳା’, ଅକ୍ଷର ସଂଖ୍ୟା ଏ ପର୍ଯ୍ୟନ୍ତ ସ୍ଥିର କରାଯାଇପାରିନାହିଁ।
ଓଡ଼ିଆ ଭାଷାର ଲିପି, ବର୍ଣ୍ଣ ଓ ଅକ୍ଷରକୁ ନେଇ ବହୁ ପ୍ରବନ୍ଧ ପ୍ରକାଶିତ ହୋଇଛି ଏବଂ ବହୁ ଆଲୋଚନା ମଧ୍ୟ ହେଉଛି। କିନ୍ତୁ ବର୍ଣ୍ଣ ସମ୍ପର୍କରେ ଯେତେ ଆଲୋଚନା ହୋଇଥିଲେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ଆମେ ପହଞ୍ଚି ପାରିନାହେଁ। ଓଡ଼ିଆ ବ୍ୟାକରଣକାରମାନଙ୍କ ‘ବର୍ଣ୍ଣମାଳା’କୁ ତୁଳନା କଲାବେଳେ ମଧ୍ୟ ସାବଧାନତାର ସହିତ ବିଚାର କରିବାକୁ ହୁଏ। ଭାଷାବିତ୍ମାନଙ୍କ ମତକୁ ନେଇ ଲିଖିତ ଓ ପ୍ରକାଶିତ ପୁସ୍ତକ ବା ପରିଚୟ ତାଲିକା ବା ତଥ୍ୟ ଫର୍ଦ୍ଦ ଦେଖିଲେ ଜଣାଯାଏ ଯେ ସର୍ବାଧିକ ବର୍ଣ୍ଣସଂଖ୍ୟା ୫୫ ଥିଲାବେଳେ ସର୍ବନିମ୍ନ ୩୪ ଅଛି। ବର୍ଣ୍ଣ ସଂଖ୍ୟା ସମ୍ପର୍କିତ ଏହି ଭିନ୍ନତା ବିଚାର କରିବାକୁ ହେବ। ପୁଣି ଓଡ଼ିଆ ଭାଷାର ବ୍ୟାକରଣ ଓ ଅଭିଧାନଗୁଡିକରେ ଏହି ଅକ୍ଷର ସଂଖ୍ୟା ଓ ଅକ୍ଷର କ୍ରମର ଭିନ୍ନତା ଦେଖିବାକୁ ମିଳେ। ତେବେ ଅନେକ ଭାଷାର ଉଚ୍ଚାରିତ ଧ୍ୱନିସମୂହ ଓ ବର୍ଣ୍ଣମାଳା ମଧ୍ୟରେ ସାରୂପ୍ୟ ରକ୍ଷା କରାଯାଇ ପାରିନାହିଁ। ଫଳରେ ଲେଖାପଢ଼ା କ୍ଷେତ୍ରରେ ବିଭ୍ରାଟ ଦେଖାଯିବା ସ୍ୱାଭାବିକ ଏବଂ ଏହା ହିଁ ବର୍ତ୍ତମାନ ଓଡ଼ିଆ ଭାଷା କ୍ଷେତ୍ରରେ ଦେଖିବାକୁ ମିଳେ। କୌଣସି ଧ୍ୱନିର ବିନା ସହାୟତାରେ ଏକାକୀ ଉଚ୍ଚାରିତ ହୋଇପାରୁଥିବା ବର୍ଣ୍ଣଗୁଡିକୁ ‘ସ୍ୱରବର୍ଣ୍ଣ’ ଏବଂ ସ୍ୱରଧ୍ୱନିର ସାହାଯ୍ୟ ବିନା ଏକାକୀ ଉଚ୍ଚାରିତ ହୋଇପାରୁ ନ ଥିବା ବର୍ଣ୍ଣଗୁଡିକୁ ‘ବ୍ୟଞ୍ଜନ ବର୍ଣ୍ଣ’ କୁହାଯାଏ।
ପ୍ରାଚୀନ ଓଡ଼ିଆ ସାହିତ୍ୟରେ ‘ଓଡ଼ିଆ ବର୍ଣ୍ଣମାଳା’ର ପରିଚୟ ମିଳିଥାଏ। ଜଗନ୍ନାଥ ଦାସଙ୍କ ଭାଗବତରେ ବର୍ଣ୍ଣନା ଅଛି :
ଏକାକ୍ଷର ବ୍ରହ୍ମ ପ୍ରଣବ। ଶବଦ ରୂପୀ ବୀଜ ସର୍ବ।।୭୪
ତାହାଙ୍କ ତହୁଁ ଉତପନ୍ନ। ଚଉଦ ଅକାରାଦି ବର୍ଣ୍ଣ।।୭୫
ଚଉଦ ସ୍ୱର ଏ ବୋଲାନ୍ତି। ଏଭାବେ ଅକ୍ଷରର ଗତି।।୭୬
କ କାର ଆଦି ଚଉତ୍ରିଂଶ। ବ୍ୟଞ୍ଜନ ଶବଦ ବିଶେଷ।।୭୭
ଏ ସ୍ୱରମାନେ ବିଷ୍ଣୁରୂପ। ବ୍ୟଞ୍ଜନ ମାୟାର ସ୍ୱରୂପ।।୭୮
ଏ ସର୍ବ ଅକ୍ଷର ମାତୃକା। ପ୍ରକୃତି ବଶ ଶବ୍ଦ ଏକା।।୭୯
ସ୍ୱରମାନେ ଦୀର୍ଘ ଯେ ହ୍ରସ୍ୱ। ପ୍ଲୁତ ନାମରେ ପରକାଶ।।୮୦
ସନ୍ଧି ଅକ୍ଷର ଏ ବୋଲାଇ। ଏ କାର ଆଦି ଚାରି ଯେହି।।୮୧
ପଚିଶ ବର୍ଣ୍ଣେ ପଞ୍ଚ ପଞ୍ଚ। ପାଞ୍ଚ ବର୍ଣ୍ଣରେ ବର୍ଗ ସଞ୍ଚ।।୮୨
ଏ ଅନ୍ତେ ଅନ୍ତ୍ୟସ୍ଥ ଏ ଜାଣ। ଯ ର ଳ ବ ଏ ଚାରିବର୍ଣ୍ଣ।।୮୩
ଶଷସହ ଏ ଚାରି ବର୍ଣ୍ଣ। ଉଷ୍ଣ ବର୍ଣ୍ଣରେ ବିଦ୍ୟମାନ।।୮୪
ବିନ୍ଦୁ ଅନୁସାର ବୋଲାଇ। ସେ ବିନ୍ଦୁ ଯେବେ ଦୁଇ ହୋଇ।।୮୫
ବିସର୍ଗ ନାମ ସେ ବୋଲାଇ। ଗଜକୁମ୍ଭାକୃତି ଯେ ହୋଇ।। ୮୬
ଏମନ୍ତ ହୋଇ ଶବ୍ଦବ୍ରହ୍ମ। ପଞ୍ଚାଶ ବର୍ଣ୍ଣ ଭେଦ ନାମ।।୮୭
ଅକ୍ଷର ଆକୃତି ହୋଇଲେ। ଦେହ ବାହ୍ୟରେ ପ୍ରକାଶିଲେ।।୮୮
(ଶ୍ରୀମଦ୍ ଭାଗବତ- ସମ୍ପାଦନା- ଶ୍ରୀ ନୀଳମଣି ମିଶ୍ର, ୧୨ସ୍କନ୍ଦ। ୭ମ ଅଧ୍ୟାୟ, ପୃ-୨୮୦, ପ୍ରକାଶକ – ଓଡ଼ିଆ ସାହିତ୍ୟ ଏକାଡେମୀ, ଭୁବନେଶ୍ୱର ୧୯୯୪)
ଏଥିରୁ ସୂଚନା ମିଳେ ଯେ ଓଡ଼ିଆ ଭାଷାରେ ପଞ୍ଚାଶ ବର୍ଣ୍ଣ ଷୋଡଶ ଶତାବ୍ଦୀରେ ରହିଥିଲା। ସେହିପରି ଷୋଡଶ ଶତାବ୍ଦୀରେ ରଚିତ ‘ରୁଦ୍ର ସୁଧାନିଧି’ ଗ୍ରନ୍ଥରେ ବର୍ଣ୍ଣନା ଅଛି ଯେ “ସେ ଅଭିନବ ଚୈତନ୍ୟ ନାମେ ରୁଦ୍ରଗଣ ଏବଂ ଭୂତ ବଚନମାନ କହିଲା। ଅନେକ କାକୁସ୍ଥ ହୋଇଲା। କରପତ୍ର ଯୋଡି ଜଗତଈଶ୍ୱର ଶ୍ରୀମୁଖକୁ ଚାହିଁଲା। ପଞ୍ଚାଶ ବର୍ଣ୍ଣରେ ସ୍ତୁତି କରୁଅଛି।” (ରୁଦ୍ର ସୁଧାନିଧି- ଲେ : ନାରାୟଣାନନ୍ଦ ଅବଧୂତ ସ୍ୱାମୀ- ସଂ-ଡକ୍ଟର କରୁଣାକର କର – ୧୯୬୫, ପୃ-୨୩, ପ୍ରକାଶକ- ଓଡ଼ିଆ ସାହିତ୍ୟ ଏକାଡେମୀ, ଭୁବନେଶ୍ୱର) ଓଡ଼ିଆ ସାହିତ୍ୟରେ ‘ଚଉତିଶା’, ‘ଷୋଡଶା’ ଓ ଚମ୍ପୂ ମଧ୍ୟ ଅକ୍ଷରକ୍ରମରେ ଲେଖାଯାଇଅଛି। ତେବେ ଏଥିରୁ ପ୍ରତୀୟମାନ ହୁଏ ଯେ, ପ୍ରାଚୀନ ସାହିତ୍ୟରେ ପଞ୍ଚାଶ ବର୍ଣ୍ଣର ପ୍ରଚଳନ ଥିଲା। ଏହି ପଞ୍ଚାଶ ବର୍ଣ୍ଣ ମଧ୍ୟରୁ ସ୍ୱରବର୍ଣ୍ଣ ସଂଖ୍ୟା, ଯଥା- ଅ, ଆ, ଇ, ଈ, ଉ, ଊ, ଋ, ୠ, ଌ, ଌ, ଏ, ଐ, ଓ, ଔ, ଅଂ, ଅଃ = ୧୬ (ଷୋଡ଼ଶା) ଏବଂ ବ୍ୟଞ୍ଜନ ବର୍ଣ୍ଣ ଯଥା- କ, ଖ, ଗ, ଘ, ଙ, ଚ, ଛ, ଜ, ଝ, ଞ, ଟ, ଠ, ଡ, ଢ଼, ଣ, ତ, ଥ, ଦ, ଧ, ନ, ପ, ଫ, ବ, ଭ, ମ, ଯ, ର, ଳ, ବ, ଶ, ଷ, ସ, ହ, କ୍ଷ = ୩୪ (ଚଉତିଶା) ଥିଲା। କିନ୍ତୁ ଏହି ଅକ୍ଷର ସଂଖ୍ୟା ବିଭିନ୍ନ ମତ ଯୋଗୁ କେତେବେଳେ ୫୦ ରୁ ଅଧିକ ହୋଇଛି ତ ପୁଣି କେତେବେଳେ ମଧ୍ୟ କମିଛି। ଆଜି ‘ଷୋଡ଼ଶା’ ଓ ‘ଚଉତିଶା’ ଲେଖିବା ଅସମ୍ଭବ। (ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ)
ପିଲାଙ୍କ ଲିଖନ ଅଭ୍ୟାସ
ପ୍ରଥମେ ଯେତେବେଳେ ପିଲାଟିଏ ଅକ୍ଷର ଶିଖେ, ସେତେବେଳେ ସେ କିଛି ବୁଝି ନ ଥାଏ କେବଳ ଛବି ବା ଚିତ୍ର, ବିଭିନ୍ନ ବସ୍ତୁର ପ୍ରଦର୍ଶନ କିମ୍ବା ଅକ୍ଷର ଲିଖନକୁ ଅଭ୍ୟାସ ମାଧ୍ୟମରେ ଶିଖିଥାଏ। ସ୍ୱରବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ, ବର୍ଗ୍ୟ, ଅବର୍ଗ୍ୟ, ଅଯୋଗବାହ ବର୍ଣ୍ଣ ସମ୍ପର୍କରେ ତାର ଧାରଣା ପ୍ରଥମେ ନ ଥାଏ। ଧୀରେ ଧୀରେ ସେ ‘ମାତ୍ରା’, ‘ଫଳା’ ବା ସାଙ୍କେତିକ ଚିହ୍ନ ସହିତ ପରିଚିତ ହୁଏ। ତା’ପରେ ସେ ଯୁକ୍ତାକ୍ଷର ଶିଖିଥାଏ। ଏହି ଲିଖନ ପ୍ରକ୍ରିୟାରେ ଭାଷାକୁ ଆୟତ କରିବା ପାଇଁ ଅକ୍ଷର, ମାତ୍ରା, ଫଳା ବା ଯୁକ୍ତାକ୍ଷରର ପ୍ରୟୋଗ କରାଯାଇଥାଏ। କାରଣ ‘ବର୍ଣ୍ଣ’ ବା ‘ଅକ୍ଷର’କୁ ନେଇ ପ୍ରତ୍ୟେକ ଭାଷାର ‘ବର୍ଣ୍ଣମାଳା’ ଗଢ଼ି ଉଠିବା ଏକ ସ୍ୱାଭାବିକ ପ୍ରକ୍ରିୟା। ଉଚ୍ଚାରଣର ପ୍ରକୃତ ଆଧାରରେ ଓଡ଼ିଆ ବର୍ଣ୍ଣମାଳାର ଅକ୍ଷରଗୁଡିକୁ ନିର୍ଦ୍ଦିଷ୍ଟ ଶ୍ରେଣୀରେ ବିଭକ୍ତ କରାଯାଇଥାଏ। ଯଥା- ସ୍ୱରବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ (ବର୍ଗ୍ୟ ବ୍ୟଞ୍ଜନ ଓ ଅବର୍ଗ୍ୟ ବ୍ୟଞ୍ଜନ), ଅଯୋଗବାହ ବର୍ଣ୍ଣ (ଂ ଅନୁସାର, ଃ(ବିସର୍ଗ), ଁ ଚନ୍ଦ୍ରବିନ୍ଦୁ)। ବାକ୍ଯନ୍ତ୍ରରୁ ନିସୃତ ହେଉଥିବା ସାର୍ଥକ ଧ୍ୱନିରୁ ବର୍ଣ୍ଣ ଓ ଅକ୍ଷର ଉତ୍ପତ୍ତି ହୁଏ। କଥିତ ଭାଷାକୁ ସଭିଏଁ ଶୁଣନ୍ତି, ବୁଝନ୍ତି ଓ କହନ୍ତି। ଲିଖିତ ଭାଷାକୁ ପଢ଼ନ୍ତି, ବୁଝନ୍ତି ଓ ଲେଖନ୍ତି।
ଓଡ଼ିଆରେ ୧୮୫୮ ମସିହାରେ ‘ବର୍ଣ୍ଣବୋଧକ’ ପ୍ରକାଶିତ ହୋଇଥିଲା। ପରେ ଓଡ଼ିଶା ମିଶନ ପ୍ରେସ୍ରୁ ୧୮୬୭, ୧୮୬୯, ୧୮୭୦, ୧୮୭୧ରେ ୩ଟି ସଂସ୍କରଣ ପ୍ରକାଶିତ ହୋଇଅଛି। ଏହାର ଲେଖକ ଅଜ୍ଞାତ। ଫକୀର ମୋହନ ସେନାପତିଙ୍କ ସହକର୍ମୀ ଭାଷାବିତ୍ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ (୧୮୩୩-୧୮୯୩) ‘ବର୍ଣ୍ଣବିଜ୍ଞାନ’ (୧୮୬୮) ରଚନା କରିଥିଲେ। ପୁଣି ଗୋବିନ୍ଦ ରଥ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ‘ବର୍ଣ୍ଣ ପରିଚୟ’କୁ ପ୍ରତିବାଦ କରି ବର୍ଣ୍ଣବୋଧକ (୧୮୭୬) ଏବଂ ‘ଚାଟଶାଳୀ ମାଳିକା’ ରଚନା କଲେ। ଏହି ‘ବର୍ଣ୍ଣବୋଧକ’କୁ ସଂସ୍କାର କରି ମଧୁସୂଦନ ରାଓ ‘ବର୍ଣ୍ଣବୋଧ’ର ରଚନା କଲେ (ପ୍ରଥମ ପ୍ରକାଶ ୧୮୮୬)। ଏହା ଯଥେଷ୍ଟ ଖ୍ୟାତିଲାଭ କରିବାରୁ ମ୍ୟାକ୍ମିଲାନ୍ ଏଣ୍ଡ୍ କୋ ଇଂଲଣ୍ଡରେ ଛପାଇ ‘ବର୍ଣ୍ଣବୋଧ’ (୧୮୯୪)ରେ ପ୍ରକାଶ କଲେ। (ପରିଚୟ: ଓଡ଼ିଆ ଭାଷା, ନଗେନ୍ଦ୍ର ନାଥ ମହାନ୍ତି, ପ୍ରତିମା ନାଥ ଟ୍ରଷ୍ଟ, ଦିଲ୍ଲୀ-୨୦୧୬, ପୃ.-୭୮।
ସଚିତ୍ର କଥନିକା
୩୬ ପୃଷ୍ଠାବିଶିଷ୍ଟ ଏହି କ୍ଷୁଦ୍ର ପୁସ୍ତିକାଟି ସଚିତ୍ର କଥନିକା ମାଧ୍ୟମରେ ଉପସ୍ଥାପିତ ହୋଇଥିଲା। ଓଡ଼ିଆ ଅକ୍ଷର ଶିକ୍ଷା ପାଇଁ ତାହା ଥିଲା ପ୍ରଥମ ପ୍ରଚେଷ୍ଟା। ଆଜି ମଧ୍ୟ ଏକବିଂଶ ଶତାବ୍ଦୀର ତୃତୀୟ ଦଶକରେ ତାହାର ଉପଯୋଗିତା ଉପଲବ୍ôଧ ହୁଏ। ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ୧୮୫୫ ମସିହାରେ ‘ବର୍ଣ୍ଣ ପରିଚୟ’ ରଚନା କରିଥିଲେ ବଙ୍ଗାଳିମାନଙ୍କ ପାଇଁ। ତେବେ ଉଭୟର ସ୍ୱତନ୍ତ୍ରତା ଭିନ୍ନ। ୧୯୩୯ ମସିହାରେ ତତ୍କାଳୀନ ଓଡ଼ିଶା ସରକାର ଓଡ଼ିଆ ବର୍ଣ୍ଣର ସଠିକତା ବିଚାର କରିବା ପାଇଁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଅଧ୍ୟକ୍ଷତାରେ ଗୋଟିଏ ସମିତି ଗଠନ କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ତାହା ସ୍ଥିର ହୋଇପାରିନାହିଁ। ବହୁ ମତ ଓ ବହୁ ପରିବର୍ତ୍ତନ ଏହାର ବାଧକ ସାଜିଅଛି। ଓଡ଼ିଆ ବର୍ଣ୍ଣମାଳା ସମ୍ପର୍କରେ ଅଧିକ ବିଚାର ଆଲୋଚନା କରି ଏହାର ନିର୍ଦ୍ଦିଷ୍ଟ ସଂଖ୍ୟା ସ୍ଥିର କରାଯିବା ନିତାନ୍ତ ଆବଶ୍ୟକ। ମଧୁସୂଦନଙ୍କ ବର୍ଣ୍ଣବୋଧ ପ୍ରଥମ ଭାଗରେ ଯେଉଁ ସୂଚନା ପ୍ରଦତ୍ତ ହୋଇଅଛି, ତାହା ହେଉଛି ଏହିପରି- ଅ, ଆ, ଇ, ଈ, ଉ, ଊ, ଋ, ୠ, ଏ, ଐ, ଓ, ଔ = ସ୍ୱରବର୍ଣ୍ଣ। କ, ଖ, ଗ, ଘ, ଙ, ଚ, ଛ, ଜ, ଝ, ଞ, ଟ, ଠ, ଡ, ଢ, ଣ, ତ, ଥ, ଦ, ଧ, ନ, ପ, ଫ, ବ, ଭ, ମ, ଯ, ର, ଳ, ବ, ଶ, ଷ, ସ, ହ, ଂ(ଅନୁସ୍ୱାର),ଃ(ବିସର୍ଗ), ଁ(ଚନ୍ଦ୍ରବିନ୍ଦୁ) = ବ୍ୟଞ୍ଜନବର୍ଣ୍ଣ। କ୍ଷ, ଡ଼, ଢ଼, ୟ, ଲ = ଅତିରିକ୍ତ ବର୍ଣ୍ଣ। ‘ବର୍ଣ୍ଣବୋଧ’ ବର୍ଣ୍ଣମାଳାର ବର୍ଣ୍ଣ ସଂଖ୍ୟା ଓ ଅକ୍ଷର ଶିକ୍ଷା ପାଇଁ ଏକମାତ୍ର ପୁସ୍ତକ। କିନ୍ତୁ ମଧୁସୂଦନ ରାଓଙ୍କ ନାମକୁ ଗ୍ରହଣ କରି ବା ନ କରି ଏ ପର୍ଯ୍ୟନ୍ତ ୩୩ ରୁ ଊର୍ଦ୍ଧ୍ୱ ‘ବର୍ଣ୍ଣବୋଧ’ ପ୍ରକାଶ ପାଇସାରିଲାଣି। ଅନେକ ନକଲି ତ୍ରୁଟିପୂର୍ଣ୍ଣ ସଂସ୍କରଣମାନ ବହୁଳ ଭାବରେ ମଧ୍ୟ ଉପଲବ୍ଧ।
ଓଡ଼ିଆ ବର୍ଣ୍ଣର ସଂଖ୍ୟା
ବ୍ୟାକରଣକାର, ଅଭିଧାନକାର ଓ ଭାଷାବିତ୍ ବର୍ଣ୍ଣ ସଂଖ୍ୟା ସମ୍ପର୍କରେ ଦେଇଥିବା ମତକୁ ଅନୁଧ୍ୟାନ କରାଯାଉ। ଏମାନଙ୍କ ମତାନୁସାରେ ବର୍ଣ୍ଣ ସଂଖ୍ୟା ୩୪ ରୁ ୫୫ ପର୍ଯ୍ୟନ୍ତ ବିଭିନ୍ନ ଗ୍ରନ୍ଥରେ ଭିନ୍ନ ଭିନ୍ନ ରୂପେ ଦର୍ଶାଯାଇଅଛି। ୧୮୦୬ ମସିହାରେ ରଚିତ ହୋଇଥିବା ଗଦାଧର ବିଦ୍ୟାବାଗୀଶଙ୍କ ‘ଓଡ଼ିୟା ଭାଷାର ବ୍ୟାକରଣ’ ଶୀର୍ଷକ ପ୍ରଥମ ଓଡ଼ିଆ ବ୍ୟାକରଣ। ପ୍ରଥମେ ଓଡ଼ିଆ ଭାଷାର ମୌଳିକ ବର୍ଣ୍ଣଗୁଡିକର ପରିଚିତି ପ୍ରଦାନପୂର୍ବକ ସ୍ୱରବର୍ଣ୍ଣ ପର୍ଯ୍ୟାୟରେ ୧୬ଟି ଓ ବ୍ୟଞ୍ଜନବର୍ଣ୍ଣ ପର୍ଯ୍ୟାୟରେ ୩୪ଟି ବର୍ଣ୍ଣ- ଏପରି ମୋଟ ୫୦ଟି ବା ଅକ୍ଷର ସୂଚନା ପ୍ରଦତ୍ତ ହୋଇଅଛି। ଓଡ଼ିଆ ବ୍ୟାକରଣ ରଚନାର ପରବର୍ତ୍ତୀ ପଦକ୍ଷେପ ଭାବେ ଆମ୍ସ ସଟନଙ୍କ ଇଂରାଜୀ ଭାଷାରେ ରଚିତ “ଆନ୍ ଇଣ୍ଟ୍ରୋଡକ୍ଟରୀ ଗ୍ରାମାର ଅଫ ଦି ଓରିଆ ଲାଙ୍ଗୁଏଜ୍” ବା ‘ଓଡ଼ିୟା ବ୍ୟାକରଣ’ ଗ୍ରହଣ କରାଯାଏ। କିନ୍ତୁ ବାସ୍ତବ କ୍ଷେତ୍ରରେ ୧୮୩୧ ମସିହାରେ କଲିକତାର ବାପ୍ଟିଷ୍ଟ ମିଶନ ପ୍ରେସ୍ରୁ ଆତ୍ମପ୍ରକାଶ ଲାଭ କରିଥିବା ପ୍ରଥମ ପ୍ରକାଶିତ ବ୍ୟାକରଣ ଗ୍ରନ୍ଥ। ତତ୍କାଳୀନ ଇଷ୍ଟ୍ ଇଣ୍ଡିଆ କମ୍ପାନୀର ଓଡ଼ିଆ ଭାଷା ଅନଭିଜ୍ଞ ଉଚ୍ଚପଦାଧିକାରୀ ଇଂରେଜ ପ୍ରକାଶକମାନଙ୍କ ଓଡ଼ିଆ ଭାଷା ଶିକ୍ଷାକୁ ସହଜ ଓ ସୁଗମ କରାଇବା ଲକ୍ଷ୍ୟରେ ଏହା ରଚିତ ହୋଇଥିଲା। ନିଜେ ଲେଖକ ମୁଖବନ୍ଧରେ ଲେଖିଛନ୍ତି- “ଦି ପ୍ରେଜେଣ୍ଟ ଇଜ୍ ଦି ଫାଷ୍ଟ ଗ୍ରାମାର ଅଫ୍ ଦି ଓରିଆ ଲାଙ୍ଗୁଏଜ୍ ଏଭର ୟେଟ୍ ପବ୍ଲିସ୍ଡ”। ଓଡ଼ିଆରେ ବର୍ଣ୍ଣ ବା ଅକ୍ଷର ସଂଖ୍ୟା ୫୦ ଦର୍ଶାଇବା ସହିତ ଲେଖିଛନ୍ତି ଯେ, ଓଡ଼ିଆ ଭାଷାର ପ୍ରତ୍ୟେକ ଧ୍ୱନି ପ୍ରତ୍ୟେକ ଅକ୍ଷରକୁ ପ୍ରକାଶ କରୁଥିବାରୁ ଓଡ଼ିଆ ଭାଷାର ପ୍ରୟୋଗବେଳେ ଅକ୍ଷରଗୁଡିକର ଧ୍ୱନିଗତ ବୈଶିଷ୍ଟ୍ୟ ଅକ୍ଷୁର୍ଣ୍ଣ ରହିଥାଏ। ଓଡ଼ିଆରେ ୧୬ଟି ସ୍ୱରବର୍ଣ୍ଣ ଓ ୩୪ଟି ବ୍ୟଞ୍ଜନ ବର୍ଣ୍ଣ ବା ଅକ୍ଷର ଥିବା କହି ସଟନ୍ ସାହେବ ପ୍ରତ୍ୟେକଟି ବର୍ଣ୍ଣର ସ୍ୱରୂପ ଅବତାରଣା ବେଳେ ଇଂରାଜୀ ଭାଷାର ସହାୟତା ନେଇଛନ୍ତି। ଯଥା- ଇ:ସ, ଈ:ରର, କ:ଳବ, ଖ:ଳଷବ, ପ୍ରଭୃତି। ସଟନଙ୍କ ପରେ ଦ୍ୱିତୀୟ ମିଶନାରୀ ପଣ୍ଡିତ ଭାବେ ଶ୍ରୀଯୁକ୍ତ ଲେସି ସାହେବ ଓଡ଼ିଆ ବ୍ୟାକରଣ ରଚନା ଦିଗରେ ପ୍ରଚେଷ୍ଟା କରି ୧୮୫୫ ଖ୍ରୀଷ୍ଟାବ୍ଦରେ ‘ଓଡ଼ିୟା ବ୍ୟାକରଣ ସାର’ ନାମରେ ଓଡ଼ିଆ ଭାଷାର ବ୍ୟାକରଣଟିଏ ରଚନା କରିଛନ୍ତି। ଏହାର ପ୍ରଥମ ଭାଗର ଦ୍ୱିତୀୟ ମୁଦ୍ରଣ ୧୮୫୭ ମସିହାରେ ଓଡ଼ିଶା ମିଶନ ପ୍ରେସ୍, କଟକରୁ ଆତ୍ମପ୍ରକାଶ କରିଛି। ଏହି ଗ୍ରନ୍ଥର ପ୍ରଥମ ଭାଗରେ ‘ବର୍ଣ୍ଣଜ୍ଞାନ’ ଅନ୍ତର୍ଗତ ପ୍ରଥମ ପ୍ରକରଣରେ ଓଡ଼ିଆ ବର୍ଣ୍ଣମାଳା ସମ୍ପର୍କରେ ମତ ଦେଇଛନ୍ତି- “ବର୍ଣ୍ଣମାଳାରେ ପଞ୍ଚାଶ ବର୍ଣ୍ଣ ; ତନ୍ମଧ୍ୟରେ ଷୋଡଶ ସ୍ୱରବର୍ଣ୍ଣ, ଅବଶିଷ୍ଟ ଚୌତ୍ରିଶ ହଳବର୍ଣ୍ଣ କିମ୍ବା ବ୍ୟଞ୍ଜନ।” ଓଡ଼ିଆ ବର୍ଣ୍ଣମାଳା ଅନ୍ତର୍ଗତ ବର୍ଣ୍ଣଗୁଡିକର ସଂଖ୍ୟା ନିର୍ଦ୍ଧାରଣରେ ଲେସି ସାହେବ, ସଟନ୍ଙ୍କ ଅନୁରୂପ ମତ ରଖିଥିବା ଜଣାଯାଏ। ଲେସି ସାହେବ ଓଡ଼ିଆ ସ୍ୱରବର୍ଣ୍ଣ ଋ (ହ୍ରସ୍ୱ), ୠ (ଦୀର୍ଘ), ଌ (ହ୍ରସ୍ୱ), ଌ (ଦୀର୍ଘ) ଏ ଚାରି ଗୋଟି ସ୍ୱର ସମ୍ପର୍କରେ ମତ ପ୍ରଦାନ କରି କହିଛନ୍ତି- ଏଗୁଡିକ “ସ୍ୱର ମଧ୍ୟରେ ଗଣିତ ତଥାପି ଏ ଚାରି ଅକ୍ଷର ଶୁଦ୍ଧ ସ୍ୱର ନୁହନ୍ତି; କାରଣ କି ଉ କାର ଏବଂ ଉ କାର ସଂଯୋଗ କଲେ ଋ କାର ହୁଏ ଆଉ ଲ କାର ଉ କାର ସଂଯୋଗରେ ଲୁ କାର ହୁଏ।”
୧୮୬୬ ମସିହାରେ ଫକୀରମୋହନଙ୍କ ‘ଉତ୍କଲ ସରଲ ବ୍ୟାକରଣ” ଶୀର୍ଷକ ଗ୍ରନ୍ଥଟି କଲିକତା ବାପ୍ଟିଷ୍ଟ ମିଶନ ପ୍ରେସରୁ ଆତ୍ମପ୍ରକାଶ ଲାଭ କରିଥିଲା। ସେ ୧୪ଟି ସ୍ୱରବର୍ଣ୍ଣର ତାଲିକା ପ୍ରଦାନ କରିଅଛନ୍ତି ଏବଂ ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣଗୁଡିକର ସଂଖ୍ୟା ଓ ସ୍ୱରୂପ ଯାହା ଦର୍ଶାଇଛନ୍ତି, ତନ୍ମଧ୍ୟରେ ମୋଟ ୩୬ଟି ବ୍ୟଞ୍ଜନ ବର୍ଣ୍ଣ ସ୍ଥାନ ପାଇଥିଲେ ହେଁ ସେଥିରୁ ‘ୟ’ ଓ ‘ଲ’ ପ୍ରଭୃତି ଦୁଇଟି ବ୍ୟଞ୍ଜନ ବର୍ଣ୍ଣ ସମ୍ପୂର୍ଣ୍ଣ ଭାବେ ବାଦ ପଡିଯାଇଛି। ଅନ୍ୟତମ ମିଶନାରୀ ପାଦ୍ରୀ ଇ.ସି.ବି ହଲାମ୍ ସାହେବ ଓଡ଼ିଶାର ଭାଷା ଶିକ୍ଷା ଉଦ୍ଦେଶ୍ୟରେ ଇଂରାଜୀ ଭାଷାରେ ଓଡ଼ିଆ ବ୍ୟାକରଣ ଗ୍ରନ୍ଥଟିଏ ରଚନା କରିଥିଲେ। ତାହା ୧୮୭୪ ମସିହାରେ “ଓଡ଼ିଆ ଗ୍ରାମାର ଫର ଇଂଲିସ ଷ୍ଟୁଡେଣ୍ଟ୍ସ୍” ନାମରେ କଲିକତା ବାପ୍ଟିଷ୍ଟ ମିଶନ ପ୍ରେସ୍ରୁ ପ୍ରକାଶିତ ହୋଇଥିଲା। ବ୍ୟାକରଣ ଗ୍ରନ୍ଥର ପ୍ରଥମ ପରିଚ୍ଛେଦ ଅର୍ଥାତ୍ “ଓଥୋଗ୍ରାଫି” ପର୍ଯ୍ୟାୟରେ ହାଲମ୍ ସାହେବ ଓଡ଼ିଆ ବର୍ଣ୍ଣ ବା ଅକ୍ଷରଗୁଡିକ ସମ୍ପର୍କରେ ଆଲୋଚନା କରିବାକୁ ଯାଇ ଓଡ଼ିଆରେ ୪୫ଟି ବର୍ଣ୍ଣର ଅସ୍ତିତ୍ୱ ଥିବା ଏବଂ ଏଗୁଡିକ ମୂଳ ଉଚ୍ଚାରିତ ଓଡ଼ିଆ ଧ୍ୱନିଗୁଡିକର ପ୍ରତିଧ୍ୱନିତ୍ୱ କରୁଥିବା ଦର୍ଶାଇଛନ୍ତି। ସେ ଲେଖିଛନ୍ତି- “ଇନ୍ ଦି ଓରିଆ ଆଲ୍ଫାବେଟ୍, ଦେର୍ ଆର୍ ୪୫ ଲେଟରସ୍, ରିପ୍ରେଜଣ୍ଟିଙ୍ଗ ଆଜ୍ ମେନି ଏଲିମେଣ୍ଟରି ସାଉଣ୍ଡସ୍” ହାଲମ୍ଙ୍କ ଓଡ଼ିଆ ବର୍ଣ୍ଣ ତାଲିକାରେ ୧୧ଟି ସ୍ୱରବର୍ଣ୍ଣ ସହ ୩୪ଟି ବ୍ୟଞ୍ଜନବର୍ଣ୍ଣ ସ୍ଥାନ ପାଇଥିଲେ ହେଁ ବ୍ୟଞ୍ଜନବର୍ଣ୍ଣ ‘ୟ’ ଓ ଅଯୋଗବାହ ବର୍ଣ୍ଣ ଂ(ଅନୁସାର),ଃ(ବିସର୍ଗ), ଁ(ଚନ୍ଦ୍ରବିନ୍ଦୁ) ପ୍ରଭୃତି ୪ଟି ବର୍ଣ୍ଣ ବାଦ୍ ପଡିଛି। ରାଧାନାଥ ରାୟ ଊନବିଂଶ ଶତାବ୍ଦୀର ଶେଷ ଭାଗରେ ‘ବ୍ୟାକରଣ ପ୍ରବେଶ’ ଓ ‘ବ୍ୟାକରଣ ପରିଚୟ’ ନାମରେ ଦୁଇଟି ବ୍ୟାକରଣ ଗ୍ରନ୍ଥ ରଚନା କରିଥିଲେ। ଏ ଉଭୟ ବ୍ୟାକରଣ ୧୮୯୯ ମସିହାରେ ପ୍ରକାଶ ପାଇଥିବା ରାଧାନାଥଙ୍କ ତା.୬.୬.୧୮୯୯ରିଖରେ ଗଙ୍ଗାଧରଙ୍କ ନିକଟକୁ ଲେଖିଥିବା ପତ୍ରରୁ ଜଣାଯାଏ। ସେ କହିଛନ୍ତି- “ଅ, ଆ, କ, ଖ ପ୍ରଭୃତି ଏମାନେ ଗୋଟିଏ ୨ ବର୍ଣ୍ଣ। ଓଡ଼ିଆରେ ଅଣଞ୍ଚାଶଟି ବର୍ଣ୍ଣ ଅଛି। ଅ ଠାରୁ ଔ ଏହି ତେରଟି ସ୍ୱରବର୍ଣ୍ଣ, ଏବଂ କ ଠାରୁ ହ, ଂ,ଃ ଏବଂ ଁ ଏହି ଛତ୍ରିଶଟି ବ୍ୟଞ୍ଜନ ବର୍ଣ୍ଣ।” ସେ ଫକୀରମୋହନଙ୍କ ପରି ‘କ୍ଷ’ ବର୍ଣ୍ଣଟିକୁ ସମ୍ପୂର୍ଣ୍ଣ ବାଦ୍ ଦେଇ ଓଡ଼ିଆ ଭାଷାର ମୌଳିକ ବର୍ଣ୍ଣଗୁଡିକର ୪୯ ବୋଲି ନିର୍ଦ୍ଧାରଣ କରିଛନ୍ତି। ଊନବିଂଶ ଶତାବ୍ଦୀରେ ରଚିତ ହୋଇଥିବା ଓଡ଼ିଆ ବ୍ୟାକରଣ ଗ୍ରନ୍ଥଗୁଡିକରେ ସଂସ୍କୃତ ବ୍ୟାକରଣର ପୂର୍ଣ୍ଣ ଅନୁସରଣ ପରିଲକ୍ଷିତ ହୋଇଥାଏ। ଏହାର ପୁନରାବୃତ୍ତି ବିଂଶ ଶତାବ୍ଦୀ, ଏପରିକି ଏକବିଂଶ ଶତାବ୍ଦୀରେ ମଧ୍ୟ ଦେଖିବାକୁ ମିଳିଥାଏ ଏବଂ ୨୫ ରୁ ଊର୍ଦ୍ଧ୍ୱ ବ୍ୟାକରଣ ଗ୍ରନ୍ଥ ପ୍ରକାଶିତ।
ମିଶନାରୀଙ୍କ ଅବଦାନ
ଉନବିଂଶ ଶତାବ୍ଦୀରେ ବ୍ରିଟିଶ ବିଦେଶୀ ପ୍ରଶାସକ ଓ ମିଶନାରୀମାନଙ୍କର ଆଗମନ ଫଳରେ ଓଡ଼ିଶାରେ ଶିକ୍ଷାର ପ୍ରସାର ସହିତ ବ୍ୟାକରଣ ଓ ଅଭିଧାନର ବିକାଶ ହୋଇଛି। ୧୮୧୧ ମସିହାରେ ପ୍ରଥମ ଓଡ଼ିଆ ଅଭିଧାନ ମୋହନ ପ୍ରସାଦ ଠାକୁରଙ୍କ ଦ୍ୱାରା ସଂକଳିତ ହୋଇଥିଲା। ଆମସ୍ସଟନ୍ ୧୮୪୧ ମସିହାରେ ଇଂରାଜୀ ଓ ଓଡ଼ିଆ ଅଭିଧାନ ପ୍ରସ୍ତୁତ କରି ୧୮୪୩ ମସିହାରେ ଶେଷ କରିଥିଲେ। ଏ ପର୍ଯ୍ୟନ୍ତ ଓଡ଼ିଆ ଅଭିଧାନ ୩୫ରୁ ଊର୍ଦ୍ଧ୍ୱ ପ୍ରକାଶିତ ହୋଇଅଛି। ଅଭିଧାନରେ ଓଡ଼ିଆ ଭାଷାର ଶବ୍ଦ ଗଠନ କ୍ରମ ଏବଂ ଋ, ଌ, ଌ, ଙ, ଞ, ଡ଼, ଢ଼, ଣ, ଳ ଶବ୍ଦର ଆଦ୍ୟ ଅକ୍ଷର ହୋଇ ନ ଥିବା ହେତୁ କ୍ରମରେ ରଖାଯାଇନାହିଁ। ପ୍ରମୋଦ ଅଭିଧାନ (୧୯୪୨-ସଂ- ପ୍ରମୋଦ ଚନ୍ଦ୍ର ଦେବ ପଟ୍ଟନାୟକ)ରେ ଅକ୍ଷର ସଂଖ୍ୟା ୫୨ ଥିବା ବେଳେ ସର୍ବନିମ୍ନ ୪୧ ତରୁଣ ଶବ୍ଦକୋଷ (୧୯୬୬-ସଂ. ପଣ୍ଡିତ କୃଷ୍ଣଚନ୍ଦ୍ର କର), ଅଭିନବ ସରଳ ଉତ୍କଳ ଅଭିଧାନ (୧୯୮୭), ଛବିଳ ଅଭିଧାନ (୧୯୯୨), ଓଡ଼ିଆ ବନାନ ଅଭିଧାନ (ସଂ. ପ୍ରଫୁଲ୍ଲ କୁମାର ତ୍ରିପାଠୀ-୧୯୯୭)ରେ ରହିଛି।
ଓଡ଼ିଆ ଭାଷାକୁ ୨୦୧୪ ମସିହାରେ ଭାରତ ସରକାରଙ୍କ ଦ୍ୱାରା ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଛି। କିନ୍ତୁ ଓଡ଼ିଆ ଭାଷାର ‘ବର୍ଣ୍ଣମାଳା’, ଅକ୍ଷର ସଂଖ୍ୟା ଏ ପର୍ଯ୍ୟନ୍ତ ସ୍ଥିର କରାଯାଇପାରିନାହିଁ। ଇତିମଧ୍ୟରେ ଏହି ବର୍ଣ୍ଣମାଳାରେ କେତେକ ପରିବର୍ତ୍ତନ ଦେଖାଦିଏ। ଯଥା (୧) ବର୍ଣ୍ଣସଂଖ୍ୟା ଓ କ୍ରମରେ ପରିବର୍ତ୍ତନ (୨) ସ୍ୱରବର୍ଣ୍ଣ ସଂଖ୍ୟା ୧୬ରୁ ୧୪ ଏବଂ ୧୨ କୁ ଖସି ଆସିଛି। (୩) ଋ, ଌ, ଂ,ଃ, ଁ, କ୍ଷ, ଡ଼, ଢ଼, ୟ, ଶ, ଷ, ସ ଇତ୍ୟାଦିର ସ୍ଥାନ ପରିବର୍ତ୍ତନ ଓ କେତେକ ଅକ୍ଷର ଲୋପ। ଅନେକ ସମୟରେ ତିନୋଟି ସ(ଶ,ଷ,ସ), ଦୁଇଟି ଇ (ଇ,ଈ), ଦୁଇଟି ଉ(ଉ,ଊ), ଦୁଇଟି ଋ(ଋ,ୠ), ଦୁଇଟି ଜ(ଜ,ଯ)ର ଆବଶ୍ୟକତା ନେଇ ବିତର୍କ ହୋଇଛି। ଯଦି ବର୍ଣ୍ଣମାଳାକୁ ଜଟିଳ ଲିପିସବୁ ଉଠାଇ ଦିଆଯିବ, ତେବେ ଏ ପର୍ଯ୍ୟନ୍ତ ପ୍ରକାଶିତ ସମ୍ବାଦପତ୍ର, ପତ୍ରପତ୍ରିକା ଓ ପୁସ୍ତକମାନଙ୍କୁ ପଢ଼ିବ କିଏ? କେତେକ ସମାଲୋଚକ ଓଡ଼ିଆ ଶବ୍ଦର ଗଠନ ଶୈଳୀର ପରିବର୍ତ୍ତନ ପାଇଁ ମତ ଦେଇଅଛନ୍ତି। ଓଡ଼ିଆ ଭାଷାର ଅନେକ ବିଶେଷତ୍ୱ ରହିଛି, ଯାହା ଅନ୍ୟ ଭାଷାରେ ନାହିଁ। ତେଣୁ ଆମ ନିକଟରେ କେତେକ ଆହ୍ୱାନ। ଯଥା (୧) ଅକ୍ଷର ସଂଖ୍ୟା ଓ ଶବ୍ଦ ବନାନରେ ସଂଶୋଧନ (?) (୨) ଓଡ଼ିଆ ବ୍ୟାକରଣର ବିଧି, ଅଭିଧାନ କ୍ରମ ଅନୁସାରେ ବ୍ୟବହୃତ ହେଉଥିବା ପ୍ରଚଳିତ ସ୍ୱର ଓ ବ୍ୟଞ୍ଜନ ଅକ୍ଷରକୁ ନେଇ ପୁରାତନ ପୋଥି ଓ ପୁସ୍ତକ ପଠନ। ଡ, ଡ଼, ଢ, ଢ଼- ଅଲଗା ଧ୍ୱନି ହେଲେ ମଧ୍ୟ ଏମାନଙ୍କ ମଧ୍ୟରେ ପରିପୂରକ ସମ୍ପର୍କ ଜଡିତ। ଯେଉଁଠି, ଡ,ଢ ବ୍ୟବହୃତ ସେଠାରେ ଡ଼, ଢ଼ ନ ଥାଏ। ଯେପରି ଡର, ରଡ଼, ଢଗ, ଗଢ଼। ‘କ୍ଷ’ କ ପରେ ରହିବ। କି ‘ହ’ ପରେ ରହିବ? ବର୍ଣ୍ଣ ସଂଖ୍ୟା ବ୍ୟବହାରକୁ ନେଇ ଲେଖାଯିବ କି?
ଏସବୁ ସମସ୍ୟାର ସମାଧାନ ନିମନ୍ତେ ଉତ୍କଳ ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟେସନାଲ ଲିଙ୍ଗୁଇଷ୍ଟିକ୍ସ୍ ବିଭାଗରେ ୨୦୧୭ ମସିହାରେ ଏକ କମିଟି ଗଠନ କରାଯାଇଥିଲା। ଏଥିରେ ଯେଉଁମାନେ ସଦସ୍ୟ ଥିଲେ ସେମାନେ ହେଲେ- ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ପଞ୍ଚାନନ ମହାନ୍ତି, ପ୍ରଫେସର ସତୀଶ ଚନ୍ଦ୍ର ପ୍ରଧାନ, ପ୍ରଫେସର ଉଦୟନାଥ ସାହୁ, ଡକ୍ଟର ଅଜିତ୍ ନାୟକ, ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ। ଏହି କମିଟି ଏକ ମାନକ (ଷ୍ଟାଣ୍ଡାର୍ଡ) ତଥ୍ୟଫର୍ଦ୍ଦ ପ୍ରସ୍ତୁତ କରିଥିଲେ। ଏହାକୁ ଦିଲ୍ଲୀସ୍ଥିତ ‘ଦି ଇଣ୍ଟେଲେକ୍ଟସ୍’ ସଂସ୍ଥା ତରଫରୁ କମିଟିର ଅଧ୍ୟକ୍ଷ ପ୍ରଫେସର ପଞ୍ଚାନନ ମହାନ୍ତି ୨୦ ଫେବୃଆରୀ ୨୦୧୮ରେ ଉନ୍ମୋଚନ କରିଥିଲେ। ପରେ ପୁଣି ଥରେ ‘ଦି ଇଣ୍ଟେଲେକ୍ଟସ୍’ ତରଫରୁ ୨୧ ଫେବୃଆରୀ ୨୦୧୯ରେ ଓଡ଼ିଆ ବର୍ଣ୍ଣମାଳାର ସଂଖ୍ୟା ଓ କ୍ରମ ନିର୍ଦ୍ଧାରଣ ନିମିତ୍ତ ଏହାର ଅଧ୍ୟକ୍ଷ ଓ ସଂଯୋଜକ ଶ୍ରୀ ଦେବେନ୍ଦ୍ର ନାଥ ରାଉତଙ୍କ ଦ୍ୱାରା ଆହୂତ ହୋଇ କନ୍ଷ୍ଟିଚ୍ୟୁସନ କ୍ଲବ୍, ନୂଆଦିଲ୍ଲୀଠାରେ ଏକ ଗୋଲଟେବୁଲ ବୈଠକ ବସିଥିଲା। ଏଥିରେ ବିଚାର ପରେ ସମସ୍ତଙ୍କ ମତାମତକୁ ଗ୍ରହଣ କରି ଯେଉଁ ଓଡ଼ିଆ ବର୍ଣ୍ଣମାଳାଟି ପ୍ରସ୍ତୁତ କରାଯାଇଥିଲା ତାହାରେ ନିମ୍ନରେ ପ୍ରଦତ୍ତ। ଏହାକୁ ରାଜ୍ୟ ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ବିଚାର ନିମନ୍ତେ ପ୍ରେରଣ କରାଯାଇଥିଲା। ଏହା ଥିଲା ଏକ ମାନକ ବର୍ଣ୍ଣମାଳାର ତଥ୍ୟପର୍ଦ୍ଦା ଏ ଦିଗରେ ବହୁ ଅଧିକ ଆଲୋଚନା ଆବଶ୍ୟକତା ରହିଛି।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ , ୨୦୨୩ ସଂଖ୍ୟାରେ ପ୍ରକାଶିତ । )
ଓଡ଼ିଆ ବର୍ଣ୍ଣମାଳା ସମ୍ପର୍କରେ ବିସ୍ତୃତ ଜ୍ଞାନ ମିଳିଲା। ଇତିହାସ ସହ ବ୍ୟବହାର ସମ୍ପର୍କରେ ମଧ୍ୟ ଜାଣିବାକୁ ପାଇଲି।
ଓଡ଼ିଆ ଭାଷାର ମୋଟ ବର୍ଣ୍ଣ ସଂଖ୍ୟା ଏପର୍ଯ୍ୟନ୍ତ ସର୍ବମାନ୍ୟ ରୂପେ ଗୃହୀତ ନ’ହେବା ବଡ଼ ଚିନ୍ତାର ବିଷୟ। ଏହାର ପ୍ରଭାବ ଆମ ଭାଷାର କମ୍ପ୍ୟୁଟର ପ୍ରକରଣରେ ମଧ୍ୟ ଦ୍ବନ୍ଦ୍ୱ ସୃଷ୍ଟି କରିବ। ଏହାଛଡ଼ା ପ୍ରାଚୀନ ଗ୍ରନ୍ଥ ମାନଙ୍କରେ ବ୍ୟବହୃତ ଶବ୍ଦ ସମ୍ଭାର ଆଗାମୀ ସମୟରେ ପଢି ବୁଝିବା ଅସମ୍ଭବ ହୋଇ ପଡିବ। ହୁଏତ ଆଜି ଦିନରେ ବହୁଳ ବ୍ୟବହୃତ ବର୍ଣ୍ଣମାଳା ସହିତ ଏକ ପ୍ରାଚୀନ ବର୍ଣ୍ଣମାଳା ର ରେକର୍ଡ ରଖିବାକୁ ପଡିବ। ଆବଶ୍ୟକ ସ୍ଥଳେ ପ୍ରାଚୀନ ବର୍ଣ୍ଣମାଳାର ସହାୟତା ନେବାକୁ ପଡିବ।
ଇଂରାଜୀ ଭାଷା ଶବ୍ଦକୋଷରେ ଏହିପରି ପ୍ରାଚୀନ ତଥା ଅଧୁନା ଅବ୍ୟବହୃତ ଶବ୍ଦର ପରିଚୟ ମଧ୍ୟ ଦିଆଯାଇଛି। ଆପଣଙ୍କ ପତ୍ରିକାର ଶେଷ ପୃଷ୍ଠାରେ ସ୍ତମ୍ଭକାର ପ୍ରଶାନ୍ତ ଭୂୟାଁ ମଧ୍ୟ ବହୁ ପ୍ରାଚୀନ ଓ ଅପ୍ରଚଳିତ ଶବ୍ଦ ଗୁଡ଼ିକ ବିଷୟରେ ଉପାଦେୟ ଆଲୋଚନା କରୁଛନ୍ତି। ବର୍ଣ୍ଣମାଳା ରେ ନିର୍ଦ୍ଦିଷ୍ଟ ବର୍ଣ୍ଣସଂଖ୍ୟା ବିଷୟରେ ପ୍ରଫେସର ଉଦୟନାଥ ସାହୁଙ୍କ ପ୍ରବନ୍ଧ ବହୁତ ଉପାଦେୟ ହୋଇଛି। ତେବେ ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ର ଓ
ଓଡ଼ିଆ ଭାଷା ଗବେଷକ ମାନେ ଶୀଘ୍ର ଏହି ବିଷୟରେ ସର୍ବମାନ୍ୟ ନିଷ୍ପତ୍ତି ନେବା ନିହାତି ଆବଶ୍ୟକ। ଓଡିଶା ସରକାର ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ।
ପ୍ରକୃତ ରେ ବର୍ଣ୍ଣମାଳ। ର ମୋଟ୍ ବର୍ଣ୍ଣ ର ନିର୍ଦ୍ଦିଷ୍ଟ ସଂଖ୍ୟା ଯାହା ବି ହେଉ ସିଦ୍ଧାନ୍ତ ନେଇ ଲୋକଲୋଚନ ରେ ପ୍ରକାଶ କରିବା ଉଚିତ୍।
ଧନ୍ୟବାଦ ସାର୍
ଓଡ଼ିଆ ଭାଷାକୁ ୨୦୧୪ ମସିହାରେ ଭାରତ ସରକାରଙ୍କ ଦ୍ୱାରା ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଛି। କିନ୍ତୁ ଓଡ଼ିଆ ଭାଷାର ‘ବର୍ଣ୍ଣମାଳା’, ଅକ୍ଷର ସଂଖ୍ୟା ଏ ପର୍ଯ୍ୟନ୍ତ ସ୍ଥିର କରାଯାଇପାରିନାହିଁ। କେବେ ସ୍ଥିର କରାଯିବ ।