ବହୁ କାଳଜୟୀ ଓଡ଼ିଆ ଗଳ୍ପ, ଉପନ୍ୟାସ ଓ ନାଟକ ଆଦିକୁ ଆଧାର କରି ଓଡ଼ିଆ ଚଳଚ୍ଚିତ୍ରମାନ ପ୍ରସ୍ତୁତ ହୋଇଛି।
ଧାନ ହେଉଚି ସେଇ ମୂଳ ଉପାଦାନ, ଯେଉଁଥିରୁ ଚାଉଳ ପ୍ରସ୍ତୁତ ହୁଏ, ଆଉ ଚାଉଳକୁ ନେଇ, ଭାତ, କାନିକା, ପିଠା, ଖିରି, ମୁଢ଼ି, ମୁଆଁ ଇତ୍ୟାଦି ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ସମାଗ୍ରୀ ପ୍ରସ୍ତୁତ କରାଯାଏ। ଏଇ ନ୍ୟାୟରେ ବିବେଚନା କଲେ, ସାହିତ୍ୟ ହେଉଚି ସେଇ ମୁଖ୍ୟ ଉପାଦାନ, ପ୍ରକାଶକଳାର ବିଭିନ୍ନତା ନେଇ ଏହା କାହାଣୀ, ଗପ, ଉପନ୍ୟାସ, କାବ୍ୟ, କବିତା, ନାଟକ ପ୍ରଭୃତି ମାଧ୍ୟମରେ ଆତ୍ମପ୍ରକାଶ କରେ। ସାହିତ୍ୟର ବିବିଧ ବିଭାଗ ମଧ୍ୟରେ କେବଳ ଦୃଶ୍ୟକଳା ହୋଇଥିବାରୁ ନାଟକ ହେଉଚି ସ୍ୱତନ୍ତ୍ର। ନାଟକୀୟତା ଏହାର ବୈଶିଷ୍ଟ୍ୟ। ବିଶେଷ ମଞ୍ଚ ହେଉ ବା ପଥପ୍ରାନ୍ତ ବା ପ୍ରେକ୍ଷାଳୟ ହେଉ, ଭିନ୍ନ ଭିନ୍ନ ରୂପରେ ନାଟକ ଅଭିନୀତ ହୋଇପାରେ। ଅଭିନେୟତ୍ୱ ଏହାର ବିଶେଷ ଗୁଣ ଓ ଲକ୍ଷଣ। ଚଳଚ୍ଚିତ୍ର ହେଉଚି ନାଟକର ପ୍ରତିଛାୟା। ଏହାର ନାଟକୀୟତା ପ୍ରତ୍ୟକ୍ଷରେ ନୁହେଁ, ବରଂ କେବଳ ପରୋକ୍ଷରେ ପର୍ଦ୍ଦାରେ ପ୍ରତିବିମ୍ବିତ ହୋଇ ଉପଭୋଗ୍ୟ ହୋଇଥାଏ।
ଚଳଚ୍ଚିତ୍ର ହେଉଚି ସେଇ ସୃଜନଶୀଳ କଳା, ଯାହାର ଆଦ୍ୟପ୍ରାନ୍ତ ସାହିତ୍ୟ ସହିତ ସଂପୃକ୍ତ। ତାହା ଯେଉଁ ଭାଷାରେ ନିର୍ମିତ ହୋଇଥାଉ ପଛେ, ତାହା ଭାଷା ଓ ସମାଜର ପ୍ରତିଛବିକୁ ପ୍ରତିବିମ୍ବିତ କରେ। ଚଳଚ୍ଚିତ୍ରର ପ୍ରଥମ ଉପାଦାନ ହେଉଚି କାହାଣୀ, ଯାହାକୁ ସାହିତ୍ୟ ହିଁ ତିଆରି କରେ। କାହାଣୀକୁ ସୁନ୍ଦର ଭାବରେ ଗତିଶୀଳ କରିବା ଦିଗରେ ଚଳଚ୍ଚିତ୍ର ଯତ୍ନ କରେ। ଅନେକ ସ୍ଥଳରେ ଚଳଚ୍ଚିତ୍ରକୁ ପ୍ରାଣବନ୍ତ କରି ଗଢ଼ିତୋଳେ ଏହାର ଆକର୍ଷଣୀୟ ସଂଳାପ ଓ ମନୋମୁଗ୍ଧକାରୀ ସଂଗୀତ। ତେଣୁ ସଂଳାପ ହେଉ ବା ସଙ୍ଗୀତ ହେଉ, ପ୍ରତ୍ୟେକର ମୂଳ ଉତ୍ସ ହେଉଚି ସାହିତ୍ୟ। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଚଳଚ୍ଚିତ୍ରକୁ ଓଡ଼ିଆ ସାହିତ୍ୟ କିଭଳି ବିଭିନ୍ନ ଭାବରେ ପ୍ରଭାବିତ କରିଚି, ଏଠାରେ ତାହାର ସଂକ୍ଷିପ୍ତ ଆଲୋଚନା ଦର୍ଶାଯାଇପାରେ।
ମୂଳ ଉପାଦାନ
ସେହିଭଳି ଚଳଚ୍ଚିତ୍ରର ମୂଳ ଉପାଦାନ କାହାଣୀ ହୋଇଥିବାରୁ, ଚିତ୍ରନିର୍ମାତାମାନେ ପ୍ରଥମେ ଉତ୍ତମ କାହାଣୀ ଖୋଜି ବସନ୍ତି। ବେଳେବେଳେ ପ୍ରତିଷ୍ଠିତ କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପସନ୍ଦ କରିଥାନ୍ତି। ଓଡ଼ିଆ ଚଳଚ୍ଚିତ୍ରରେ ଏହି ଧାରା ପରିଲକ୍ଷିତ ହୁଏ। ଓଡ଼ିଆ ଚଳଚ୍ଚିତ୍ରରେ ଗଳ୍ପ, ଉପନ୍ୟାସ, ନାଟକ, ଜନଶ୍ରୁତି, ଇତିହାସ ପ୍ରଭୃତିରୁ କାହାଣୀର ଉତ୍ସ ସଂଗୃହୀତ ହୋଇଥିବା ଦେଖାଯାଏ। ପ୍ରବୀଣ କଥାକାର ମହାପାତ୍ର ନୀଳମଣି ସାହୁଙ୍କ ଗଳ୍ପର କଥାବସ୍ତୁକୁ ଆଧାରରେ ନିର୍ମିତ ‘ଆଦି ମୀମାଂସା’, ‘ଲାବଣ୍ୟ ପ୍ରୀତି’, ପ୍ରତିଭା ରାୟଙ୍କ ଗଳ୍ପ ଆଧାରରେ ‘ଦେବକୀ’ ଏବଂ ‘ମୋକ୍ଷ’, ଗୋଦାବରୀଶ ମହାପାତ୍ରଙ୍କ ଗଳ୍ପଆଧାରରେ ‘ନୀଳ ମାଷ୍ଟ୍ରାଣୀ’ ଓ ‘ମାଗୁଣିର ଶଗଡ’ ଇତ୍ୟାଦି ନିର୍ମିତ ଚଳଚ୍ଚିତ୍ରଗୁଡ଼ିକ ଏହାର ଦୃଷ୍ଟାନ୍ତ। ଏସବୁ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ବହୁ ସମ୍ମାନ ଲାଭ କରିଛି। କଥାକାର ମନୋଜ ଦାସଙ୍କ କ୍ଷୁଦ୍ରଗଳ୍ପ ଆଧାରିତ ହୋଇଛି ‘ଆରଣ୍ୟକ’। ଗାଳ୍ପିକା ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟଙ୍କ ଗଳ୍ପ ‘ଅହଲ୍ୟା’କୁ ନେଇ ନିର୍ମିତ ଚଳଚ୍ଚିତ୍ର ସୁନ୍ଦର କଳାତ୍ମକ ଚଳଚ୍ଚିତ୍ରଟିର ଆଖ୍ୟା ପାଇବା ସହିତ ରାଜ୍ୟ ଚଳଚ୍ଚିତ୍ର ଉତ୍ସବରେ ପୁରସ୍କୃତ ହୋଇଥିଲା। ଗାଳ୍ପିକ ଦେବବ୍ରତ ମଦନରାୟଙ୍କ ‘ପାଉଁଜି’ ଗଳ୍ପର ସଫଳ ଚିତ୍ରାୟନ ଏଇ ଧାରାରେ ଅନ୍ୟତମ ସଂଯୋଗ।
ସାହିତ୍ୟର ଅନ୍ୟତମ ବଳିଷ୍ଠ ବିଭାଗ ହେଉଛି ଉପନ୍ୟାସ। ଉପନ୍ୟାସର କାହାଣୀ ପାଠକଙ୍କ ମନରେ ଦୀର୍ଘଦିନ ଧରି ସତେଜ ରହୁଥିବାରୁ ନିର୍ମାତାମାନେ ଉପନ୍ୟାସର ମୂଳ କାହାଣୀକୁ ନେଇ କେତେକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଏ ଦୃଷ୍ଟିରୁ ବସନ୍ତ କୁମାରୀ ପଟ୍ଟନାୟକଙ୍କ ‘ଅମଡା ବାଟ’, କାହ୍ନୁଚରଣଙ୍କ ଉପନ୍ୟାସ ‘ଅଭିନେତ୍ରୀ’, ‘କା’, ‘ତୁଣ୍ଡ ବାଇଦ’ ଏବଂ ‘ଶାସ୍ତି’, ଉପେନ୍ଦ୍ର କିଶୋର ଦାସଙ୍କ ‘ମଲାଜହ୍ନ’, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ‘ମାଟିର ମଣିଷ’ ଓ ନନ୍ଦ କିଶୋର ବଳଙ୍କ ‘କନକଲତା’, ଫକୀର ମୋହନ ସେନାପତିଙ୍କ ଉପନ୍ୟାସ ‘ଛମାଣ ଆଠଗୁଣ୍ଠ’ ପ୍ରଭୃତି ଉପନ୍ୟାସଗୁଡ଼ିକର ଚଳଚ୍ଚିତ୍ରାୟନ ବେଶ ରୋଚକ। ଏଇ ଧାରାରେ ଔପନ୍ୟାସିକା କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ଉପନ୍ୟାସ ‘ଅଦିନ ମେଘ’ ଓ ଅମୂଲ୍ୟ କୁମାରୀ ପଟ୍ଟନାୟକଙ୍କ ଉପନ୍ୟାସ ‘ଧରିତ୍ରୀ’ ଚଳଚ୍ଚିତ୍ରର ରୂପ ନିଏ। ‘ସୁନା ସଂସାର’ ହେଉଛି ଡା. ମନ୍ମଥ ନାଥ ଦାସଙ୍କ ଉପନ୍ୟାସର ସଫଳ ଚିତ୍ରାୟନ। ପ୍ରତିଭା ରାୟଙ୍କ ଉପନ୍ୟାସ ‘ଅପରିଚିତା’, ବିଜୟିନୀ ଦାସଙ୍କ ଉପନ୍ୟାସ ‘ଟିକେ ହସ ଟିକେ ଲୁହ’, ମନୋରମା ଦାସଙ୍କ ଉପନ୍ୟାସ ‘ଧାରେ ଆଲୁଅ’, ସୁକାମିନୀ ନନ୍ଦଙ୍କ ଉପନ୍ୟାସ ‘ଝିଅଟି ସୀତା ପରି’, ବୀଣା ମହାପାତ୍ରଙ୍କ ଉପନ୍ୟାସ ‘ସୁବର୍ଣ୍ଣ ସୀତା’,’ଭାଗ୍ୟହାତେ ଡୋରି’, ଗାୟତ୍ରୀ ବସୁମଲ୍ଲିକଙ୍କ ଉପନ୍ୟାସ ‘କାବେରୀ’, ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସରୁ ନିର୍ମିତ ହୋଇଥିବା ଚଳଚ୍ଚିତ୍ର ‘ହାକିମ୍ ବାବୁ’, ‘ବଧୂ ନିରୁପମା’, ‘ଗାରେ ସିନ୍ଦୁର ଧାରେ ଲୁହ’, ଜ୍ଞାନୀନ୍ଦ୍ର ବର୍ମାଙ୍କ ଉପନ୍ୟାସ ‘ମା’ ପ୍ରଭୃତି ଚଳଚ୍ଚିତ୍ରଗୁଡ଼ିକ ଓଡ଼ିଆ ଚଳଚ୍ଚିତ୍ରକୁ ସମୃଦ୍ଧ କରି ଆସିଚି।
ନାଟକକୁ ନେଇ ଚଳଚ୍ଚିତ୍ର
ସାହିତ୍ୟର ସ୍ୱତନ୍ତ୍ର ବିଭାଗ ନାଟକ ହେଉଚି ଦୃଶ୍ୟକଳା। ସେଥିପାଇଁ ଚଳଚ୍ଚିତ୍ର ନିର୍ମାଣର ପ୍ରାଥମିକ ଅବସ୍ଥାରେ ନାଟକକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ଆରମ୍ଭ କରାଯାଇଥିଲା। ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ଚଳଚ୍ଚିତ୍ରଟି ନାଟ୍ୟକାର କାମପାଳ ମିଶ୍ରଙ୍କ ‘ସୀତାବିବାହ’ ନାଟକରୁ ସଂଗୃହୀତ। ଦ୍ୱିତୀୟ ଚଳଚ୍ଚିତ୍ର ‘ଲଳିତା’ର କାହାଣୀ, କାଳୀ ଚରଣ ପଟ୍ଟନାୟକଙ୍କ ନାଟକରୁ ଗ୍ରହଣ କରାଯାଇଛି। ପରେ ପରେ ଅଶ୍ୱିନୀ ଘୋଷଙ୍କ ନାଟକରୁ ‘ଶ୍ରୀଜଗନ୍ନାଥ’ ଓ ‘ଶ୍ରୀଲୋକନାଥ’, ନାଟ୍ୟକାର କମଳ ଲୋଚନ ମହାନ୍ତିଙ୍କ ‘ଶ୍ରୀକୃଷ୍ଣଙ୍କ ରାସଲୀଳା’ ଏବଂ ବିଜୟ ମିଶ୍ରଙ୍କ ନାଟକରୁ ‘ଯାଯାବର’, ‘ଅଶାନ୍ତ ଗ୍ରହ’, ‘ଜନନୀ’ ଇତ୍ୟାଦି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ‘ଘର ସଂସାର’ ଓ ‘ଭାଇ ଭାଉଜ’ ନାଟକ ଦୁଇଟି ବହୁ ପ୍ରଶଂସିତ ନାଟକ। ‘ଘର ସଂସାର’ ନାଟକ୧୯୫୩ ମସିହାରେ ନଭେମ୍ବର ୫ ରୁ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ଅନ୍ନପୂର୍ଣ୍ଣା ଗୃପ ‘ବି’ ରେ ନାଟକପ୍ରେମୀ ଙ୍କ ଦ୍ୱାରା ଉଚ୍ଚ ପ୍ରଶଂସା ସାଉଣ୍ଟିବା ପରେ ଚଳଚିତ୍ରର ରୂପ ନେଇଥିଲା। ସେହିପରି ୧୯୫୪ ମସିହାରେ ତାଙ୍କର ଆଉଗୋଟିଏ ନାଟକ ‘ଭାଇ ଭାଉଜ’ ଅନ୍ନପୂର୍ଣ୍ଣା ଗୃପ ‘ବି’ ରେ ଜାନୁଆରୀ ୧୦ ରୁ ମେ ୯ ପର୍ଯ୍ୟନ୍ତ ଦର୍ଶକୀୟ ସ୍ୱୀକୃତି ପାଇଥିଲା ଓ ପରବର୍ତୀ ସମୟରେ ତାହା ସେଇ ମୂଳ ନାମରେ ଚଳଚିତ୍ର ରୂପେ ନିର୍ମିତ ହେଲା। ନାଟ୍ୟକାର ଭଞ୍ଜକିଶୋର ପଟ୍ଟନାୟକଙ୍କ ରଚନାରୁ ‘ମାଣିକଯୋଡି’ ଓ ‘ନବଜନ୍ମ’ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଡା. ବସନ୍ତ ମହାପାତ୍ରଙ୍କ ତିନୋଟି ମଞ୍ଚନାଟକ ‘ଝରାବଉଳ’ଟିର ନାମ ପରିବର୍ତ୍ତନ କରାଯାଇ ‘ମନ ଆକାଶ’, ଦ୍ୱିତୀୟ ନାଟକ ‘ପ୍ଲାବନ’ ଅନେକ ସ୍ଥାନରେ ମଞ୍ଚସ୍ଥ ହେବା ପରେ ଲୋକପ୍ରିୟତା ହାସଲ କରିଥିଲା ଓ ପରବର୍ତ୍ତୀ ସମୟରେ ତାହା ‘ଶେଷ ଶ୍ରାବଣ’ ଭଳି ଲୋକପ୍ରିୟ ଚଳଚ୍ଚିତ୍ରର ରୂପାନ୍ତରିତ ହୋଇଥିଲା। ସେହିପରି ତାଙ୍କର ଅନ୍ୟ ଏକ ନାଟକ ‘କାଚଘର’ର ନାମ ଅପରିବର୍ତ୍ତିତ ରହି ‘କାଚଘର’ ନାମରେ ଏକ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା। ନାଟ୍ୟକାର ଆନନ୍ଦ ଶଙ୍କର ଦାସଙ୍କ ନାଟକରୁ ‘ଅଭିମାନ’, ‘ଫୁଲଚନ୍ଦନ’, ‘ପରଦେଶୀ ଚଢେଇ’ ଇତ୍ୟାଦି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ‘ସମର୍ପଣ’ ଚଳଚ୍ଚିତ୍ରଟି ପ୍ରଫୁଲ୍ଲ ରଥଙ୍କ ନାଟକର କାହାଣୀକୁ ନେଇ ନିର୍ମାଣ ହୋଇଛି। ନାଟ୍ୟଶ୍ରୀ ରଘୁନାଥ ମିଶ୍ରଙ୍କ ନାଟକର ନାଟ୍ୟକାହାଣୀକୁ ନେଇ ନିର୍ମତ ହୋଇଛି ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’। ଯଦୁନାଥ ଦାସ ମହାପାତ୍ରଙ୍କ ‘ଭୁଲି ହୁଏନା’ ନାଟକଟି ଚଳଚ୍ଚିତ୍ର ରୂପ ନେଇଛି। ସଫଳ ଚଳଚ୍ଚିତ୍ର ‘ଭୁଖା’ ହେଉଛି ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ନାଟକର ଚିତ୍ରରୂପ। ନାଟ୍ୟ କାହାଣୀକୁ ନେଇ ନିର୍ମିତ ହୋଇଥିବା ଚଳଚ୍ଚିତ୍ରଗୁଡିକ ଦର୍ଶକୀୟ ଆଦୃତି ପାଇବା ସହିତ ସଫଳ ହୋଇଛି ବୋଲି ସଂଗୃହୀତ ତଥ୍ୟରୁ ସ୍ପଷ୍ଟ ପ୍ରମାଣିତ।
ପ୍ରାଥମିକ ପର୍ଯ୍ୟାୟରେ ନିର୍ମିତ ଚଳଚ୍ଚିତ୍ରର କାହାଣୀଗୁଡିକ ପୁରାଣ ଓ କିମ୍ବଦନ୍ତୀରୁ ଆସିଥିଲା। ଏହା ସହିତ ଅନେକ କାହାଣୀ ପ୍ରଥିତଯଶା ଗାଳ୍ପିକ ଓ ଔପନ୍ୟାସିକଙ୍କ କାହାଣୀ ଏବଂ ଉପନ୍ୟାସରୁ ମଧ୍ୟ ସଂଗ୍ରହ କରାଯାଇଛି। ପୁରାଣ ଓ କିମ୍ବଦନ୍ତୀର କଥାବସ୍ତୁକୁ ନେଇ ନିର୍ମିତ ଚଳଚ୍ଚିତ୍ରଗୁଡିକ ହେଉଛି- ‘ସୀତା ବିବାହ’, ‘ଲଳିତା’, ‘ଶ୍ରୀଜଗନ୍ନାଥ’, ‘ମହାଲକ୍ଷ୍ମୀ ପୂଜା’, ‘ଜୟଦେବ’, ‘କୃଷ୍ଣ ସୁଦାମା’। ଏଥିସହିତ ସାହିତ୍ୟରୁ ସଂଗୃହୀତ କଥାବସ୍ତୁକୁ ନେଇ ନିର୍ମାଣ କରାଯାଇଥିବା ଚଳଚ୍ଚିତ୍ରଗୁଡିକ ହେଉଛି- ‘ମା’, ‘ମାଣିକଯୋଡି’, ‘ଅମଡାବାଟ’, ‘ନବଜନ୍ମ’, ‘ଅଭିନେତ୍ରୀ’, ‘ମଲାଜହ୍ନ’, ‘କା’, ‘ମାଟିର ମଣିଷ’, ‘ଅଦିନ ମେଘ’, ‘ଘର ବାହୁଡା’, ‘ଧରିତ୍ରୀ’, ‘କନକଲତା’ ଓ ‘ଅଭିମାନ’ ଇତ୍ୟାଦି।
ଶ୍ରାବ୍ୟର ମହତ୍ତ୍ୱ
ଚଳଚ୍ଚିତ୍ର ଦୃଶ୍ୟଶ୍ରାବ୍ୟ ମାଧ୍ୟମ ହୋଇଥିବାରୁ ଏହାର ଦୃଶ୍ୟ ଯେତିକି ଗୁରୁତ୍ୱପୂର୍ଣ୍ଣ, ଏଥିରେ ବ୍ୟବହୃତ ଶ୍ରାବ୍ୟ ବା ଧ୍ୱନିର ମଧ୍ୟ ସେତିକି ଗୁରୁତ୍ୱ ରହିଛି। ଚଳଚ୍ଚିତ୍ରରେ ଧ୍ୱନିର ତିନୋଟି ପ୍ରକରଣ ବ୍ୟବହାର କରାଯାଏ ଏବଂ ତାହାଯୋଗୁ ଚଳଚ୍ଚିତ୍ରଟି ଦେଖବାକୁ ଆହୁରି ଆକର୍ଷଣୀୟ ମନେହୁଏ। ସେହି ତିନୋଟି ପ୍ରକରଣ ହେଉଛି- ୧-ମୁଖ ନିସୃତ ଧ୍ୱନି ବା ସଂଳାପ, ୨- ପ୍ରଚ୍ଛଦପଟ୍ଟ ସଙ୍ଗୀତ, ୩- ଧ୍ୱନି ପ୍ରଭାବ ବା ସାଉଣ୍ଡ ଇଫେକ୍ଟସ୍। ଏହି ତିନୋଟିର ମିଶ୍ରଣରେ ଚଳଚ୍ଚିତ୍ର ପରିପୁଷ୍ଟ ହୋଇଥାଏ। ଧ୍ୱନିର ତିନୋଟି ପ୍ରକରଣ ମଧ୍ୟରୁ ମୁଖ ନିସୃତ ଧ୍ୱନି ବା ସଂଳାପଟି ଅଧିକ ପ୍ରଭାବଶାଳୀ ଏବଂ ବହୁ ବର୍ଷ ଧରି ଦର୍ଶକଙ୍କ ମନରେ ତାହା ଲିପିବଦ୍ଧ ହୋଇ ରହିଥାଏ। ତେବେ ସଂଳାପଗୁଡିକ ମନଛୁଆଁ ହେବା ପାଇଁ ଯେ କେବଳ ସର୍ଜନଶୀଳତା ଆବଶ୍ୟକ ତାହା ନୁହେଁ, ବରଂ ଚଳନ୍ତି ସମୟ ଅନୁଯାୟୀ ସମୟୋପଯୋଗୀ ହେବା ଦରକାର। ଅନ୍ୟାନ୍ୟ ପ୍ରଦର୍ଶନଧର୍ମୀ କଳା ଭଳି ଚଳଚ୍ଚିତ୍ରରେ ସଂଳାପଗୁଡିକ ବହୁ ଗୁରୁତ୍ୱ ବହନ କରନ୍ତି। ଏହା ସହିତ ବିଭିନ୍ନ ନାଟକୀୟ ମୋଡ, ଘଟଣା, ସଂଘାତ ଓ କାହାଣୀକୁ ଆଗକୁ ନେବାରେ ସଂଳାପର ସ୍ଥାନ ମହତର।
ଭାରତରେ ଜାତୀୟ ଭାଷା ହିନ୍ଦୀ ସହିତ ଅନ୍ୟାନ୍ୟ ଆଞ୍ଚଳିକ ଭାଷା ଯଥା- ଓଡ଼ିଆ, ବଙ୍ଗଳା, ତେଲୁଗୁ, ତାମିଲ୍, କନ୍ନଡ, ମାଲାୟଲମ୍, ମରାଠୀ, ଭୋଜପୁରୀ, ପଞ୍ଜାବୀ, ଗୁଜରାଟୀ, ଆସାମୀ ଇତ୍ୟାଦିରେ ମଧ୍ୟ ଚଳଚ୍ଚିତ୍ର ନିର୍ମାଣ କରାଯାଏ। ଆଉ ଏସବୁଥିରେ ଅଭିନୀତ ପ୍ରତିଟି ଚରିତ୍ରର ଚିତ୍ରାୟନ କରିବା ପାଇଁ କିଛି ସଂଳାପ ରଖାଯାଇଥାଏ। ଚଳଚ୍ଚିତ୍ରଟିଏ ଆରମ୍ଭ କରିବା ପୂର୍ବରୁ କାହାଣୀର ଆବଶ୍ୟକତା ରହିଥାଏ। ଆଉ ସେହି କାହାଣୀକୁ ଗତଶୀଳ କରିବାକୁ ହେଲେ ବିଭିନ୍ନ ସିକ୍ୟୁଏନ୍ସ ଯୋଡାଯାଏ। ସିକ୍ୟୁଏନ୍ସଗୁଡିକୁ ପରସ୍ପର ସହିତ ଯୋଡିରଖିବା ପାଇଁ ସିନ୍ର ଆବଶ୍ୟକତା ରହିଛି। ସିନ୍ଗୁଡିକୁ ଗତିଶୀଳ କରିବା ପାଇଁ ସଂଳାପ ଜରୁରୀ। ସଂଳାପ ମାଧ୍ୟମରେ ଚରିତ୍ରଗୁଡିକ ନିଜ ନିଜ ଅଭିନୟ ମାଧ୍ୟମରେ ଘଟଣାପ୍ରବାହକୁ ଉପସ୍ଥାପନ କରିଥାନ୍ତି।
ସଂଳାପର ସ୍ପଷ୍ଟତା, ବଳିଷ୍ଠ ଓ ହୃଦୟସ୍ପର୍ଶୀ ହେବା ପାଇଁ ସଂଳାପଲେଖକ ଯତ୍ପରୋନାସ୍ତି ଚେଷ୍ଟା କରିଥାନ୍ତି। ଅନେକ ସମୟରେ କାହାଣୀ ଅପେକ୍ଷା ଦର୍ଶକ ସଂଳାପକୁ ଅଧିକ ମନେ ରଖନ୍ତି। ଗୋଟିଏ କାହାଣୀର ମୌଳିକତାକୁ ଅତୁଟ ରଖି ନିର୍ଦ୍ଦିଷ୍ଟ ଚିତ୍ର ମାଧ୍ୟମରେ କଥାବସ୍ତୁକୁ ଆକର୍ଷଣୀୟ କରିବା ସଂଳାପ ଲେଖକଙ୍କ ପାଇଁ ଏକ ଆହ୍ୱାନ। ତେଣୁ ଜଣେ ସଂଳାପକାର ଯେ କୌଣସି ପେସାରେ ରହିଲେ ମଧ୍ୟ ତାଙ୍କର ସାହିତ୍ୟାନୁରାଗ, ବ୍ୟାକରଣଜ୍ଞାନ, ଶବ୍ଦଜ୍ଞାନ, ଲୋକମୁଖର ଲୋକକଥା, କାହାଣୀ, ଢଗଢମାଳି, ଋଢି, ପ୍ରବଚନ, ପ୍ରଚଳିତ ପ୍ରଥା-ପରମ୍ପରା, ଲୋକସଂସ୍କୃତି ଇତ୍ୟାଦି ଉପରେ ଯଥେଷ୍ଟ ଜ୍ଞାନ ରହିବା ଦରକାର। ଆଉ ନିର୍ମିତ ହେଉଥିବା ଚଳଚ୍ଚିତ୍ରର ଭାଷା ଉପରେ ମଧ୍ୟ ଅଧିକ ଦଖଲ ରହିବା ଆବଶ୍ୟକ। ଗୋପାଳ ଛୋଟରାୟ, ବ୍ୟୋମକେଶ ତ୍ରିପାଠୀ, ବିଜୟ ମିଶ୍ର, ପ୍ରଶାନ୍ତ ନନ୍ଦ, ସୁବୋଧ ପଟ୍ଟନାୟକ, ଶୀର୍ଷାନନ୍ଦ ଦାସ କାନୁନଗୋ, ନନ୍ଦଲାଲ୍ ମହାପାତ୍ର, ରଣଜିତ ପଟ୍ଟନାୟକ, ରଜନୀରଞ୍ଜନ, ନିର୍ମଳ ନାୟକ, ମାନସ ପଢିଆରୀ ପ୍ରମୁଖ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପରେ ନୂତନ ଶୈଳୀର ସଂଳାପ ରଚନା କରି ନିଜର ସ୍ୱାତନ୍ତ୍ର୍ୟର ଛାପ ଛାଡିଛନ୍ତି।
ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରଠାରୁ ଆରମ୍ଭ କରି ଆଜିପର୍ଯ୍ୟନ୍ତ ପ୍ରଯୋଜିତ ହୋଇଆସିଥିବା ଅନେକ ଚଳଚ୍ଚିତ୍ରକୁ ପୁରାତନ କବିଙ୍କ ବିଭିନ୍ନ ସୃଷ୍ଟି ପରିପୁଷ୍ଟ କରି ଆସିଥିବା ଲକ୍ଷ୍ୟ କରାଯାଏ। ପ୍ରତିଷ୍ଠାଲବ୍ଧ କବି ଜଗନ୍ନାଥ ଦାସ, ଯଶୋବନ୍ତ ଦାସ, ଦୀନକୃଷ୍ଣ ଦାସ, ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, ଗୋପାଳକୃଷ୍ଣ ପଟ୍ଟନାୟକ, ସାଲବେଗ, ମଧୁସୂଦନ ରାଓ, ଗଙ୍ଗାଧର ମେହେର, ରାଧାନାଥ ରାୟ ପ୍ରମୁଖ କବିମାନଙ୍କ ଅନେକ ରଚନା, ବହୁ ଓଡ଼ିଆ ଚଳଚ୍ଚିତ୍ରରେ ସ୍ଥାନିତ ହୋଇଛି। ଏହା ସହିତ ଏହି ପ୍ରସିଦ୍ଧ କବିମାନଙ୍କ ଅମର କୃତିକୁ ସ୍ମରଣୀୟ କରି ରଖିବା ପାଇଁ – ଜୟଦେବ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଭକ୍ତ ସାଲବେଗ ପ୍ରମୁଖ କାହାଣୀ ସୃଷ୍ଟି କରାଯାଇ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି। କେବଳ ପାଠୁଆ ଲୋକେ କାବ୍ୟକବିତା ପଢ଼ିବାରେ କ୍ଷମ, ମାତ୍ର ଏଇ କାବ୍ୟକବିତାର ଅଂଶ ସଙ୍ଗୀତ ରୂପରେ ଚଳଚ୍ଚିତ୍ରରେ ପ୍ରକାଶ ପାଇଲେ, ତାହା ପାଠୁଆ ଅପାଠୁଆ ସର୍ବଜନ ଚିତ୍ତଗ୍ରାହ୍ୟ ହୋଇଥାଏ। ତେଣୁ ସାହିତ୍ୟର ସଙ୍ଗୀତାୟନ ଚଳଚ୍ଚିତ୍ରରେ ବିଶେଷ ପ୍ରଭାବ ସୃଷ୍ଟି କରିଥିବା ଜଣାଯାଏ।
କେବଳ ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ ଯଥା- ଗଳ୍ପ, ଉପନ୍ୟାସ, ନାଟକ ଓ ଏକାଙ୍କିକାରୁ କାହାଣୀ ଚୟନ କରାଯାଇ ଚଳଚ୍ଚିତ୍ର ନିର୍ମାଣ କରାଯାଉଥିଲା। ଚଳଚ୍ଚିତ୍ରଟି ନିର୍ମାଣ ହେବା ସମୟରେ ମୂଳ ଗଳ୍ପରୁ ଚିତ୍ରିତ ରୂପକୁ ରୂପାନ୍ତରଣ କରାଯିବା ବେଳେ ସମସ୍ୟା ଉପୁଜୁଥିବାରୁ, କେତେକ କ୍ଷେତ୍ରରେ ମୂଳ କାହାଣୀର ପରିବର୍ତ୍ତନ କରାଯାଇଛି। ଯାହା ଫଳରେ ରଚୟିତା ଓ ନିର୍ଦ୍ଦେଶକଙ୍କ ମଧ୍ୟରେ ବହୁ ମତାନ୍ତର ଓ ମନାନ୍ତର ଦେଖାଦେବା ଆଦୌ ବିଚିତ୍ର ନୁହେଁ। ଏପରିକି କାହାଣୀର ମୂଳ କଥ୍ୟ ଓ ଶୈଳୀକୁ ଅପରିବର୍ତ୍ତିତ ରଖିବା ଅନେକ ସମୟରେ ଆହ୍ୱାନ ସୃଷ୍ଟି କରିଥିବା ଦେଖାଯାଇଛି।
ସାହିତ୍ୟ ଚଳଚ୍ଚିତ୍ର ମାଧ୍ୟମରେ ରୂପାନ୍ୱିତ ହେଲେ, ତାହା ଗଣଭୋଗ୍ୟ ହୋଇପାରେ। ନ ହେଲେ ତାହା ଛାପାବହି ଭିତରେ ରହି କେବଳ ପାଠକଙ୍କୁ ଆମୋଦିତ କରିପାରେ। ଅତଏବ, ଚଳଚ୍ଚିତ୍ରରେ ସାହିତ୍ୟର ପ୍ରଭାବ ସବୁକାଳରେ ଅତୁଟ ହୋଇ ଆସିଥିବା ଲକ୍ଷ୍ୟ କରାଯାଏ। ଚଳଚ୍ଚିତ୍ରରେ ସାହିତ୍ୟର ପ୍ରଭାବ ଆଲୋଚନାଟି ସ୍ୱତନ୍ତ୍ର ଗବେଷଣାର ପ୍ରକୃଷ୍ଟ ପ୍ରସଙ୍ଗ।
(‘ସାହିତ୍ୟ ଚର୍ଚ୍ଚା” ପତ୍ରିକାର ଜୁନ୍, ୨୦୨୩ ସଂଖ୍ୟାରେ ପ୍ରକାଶିତ।)
ଓଡ଼ିଆ ସାହିତ୍ୟର ବିଭିନ୍ନ ଗଳ୍ପ, ଉପନ୍ୟାସ, ନାଟକ, ଜନଶ୍ରୁତି, ଇତିହାସ ପ୍ରଭୃତି କାହାଣୀକୁ ଚଳଚ୍ଚିତ୍ରର ରୂପ ଦିଆଯାଉଛି। ଯାହାକୁ ସମ୍ବିତ ମିଶ୍ର ଖୁବ୍ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି।
ଚଳଚ୍ଚିତ୍ରରେ ସାହିତ୍ୟର ପ୍ରଭାବ ସବୁକାଳରେ କିପରି ଅତୁଟ ହୋଇ ରହିଛି ନିଜର ଲେଖା ମାଧ୍ୟମରେ ଲେଖକ ସୁନ୍ଦର ଭାବେ ବର୍ଣ୍ଣନା କରିଥିବାରୁ ଧନ୍ୟବାଦ ।